Home ଓଡ଼ିଶା ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷା ମାର୍ଗଦର୍ଶନ ୱେବ-କର୍ମଶାଳା ଶୃଙ୍ଖଳା ଉଦଯାପିତ ନଅଟି କର୍ମଶାଳାରେ ଭାଗନେଲେ ସତାଇଶ ବିଶେଷଜ୍ଞ ଓ...

ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷା ମାର୍ଗଦର୍ଶନ ୱେବ-କର୍ମଶାଳା ଶୃଙ୍ଖଳା ଉଦଯାପିତ ନଅଟି କର୍ମଶାଳାରେ ଭାଗନେଲେ ସତାଇଶ ବିଶେଷଜ୍ଞ ଓ ଆଠ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

97

ନୂଆଦିଲ୍ଲୀ – ୦୭ /୦୮ (ଓଡ଼ିଆ ପୁଅ) ଗତକାଲି ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଓ ଶୋଭିତ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ଉଚ୍ଚଶିକ୍ଷା ଜନିତ ମାର୍ଗଦର୍ଶନ ପାଇଁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ୱେବ କର୍ମଶାଳା ଉଦଯାପିତ ହୋଇ ଯାଇଛି| ଦି ଇଣ୍ଟେଲେକ୍ଟସର ଅଧ୍ୟକ୍ଷ ଶିକ୍ଷାବିତ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବର୍ତ୍ତନ ସମାରୋହରେ ରାଜ୍ୟର ବିଶିଷ୍ଟ ସାମ୍ବାଦିକ ଓ ରାଜନେତା ଶ୍ରୀ ସୌମ୍ଯ ରଞ୍ଜନ ପଟ୍ଟନାୟକ, ଦେଶର ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ଡଃ ଅଶୋକ କୁମାର ମହାପାତ୍ର, ବିଶିଷ୍ଟ ଚିନ୍ତକ ଡଃ ଭଗବାନ ପ୍ରକାଶ ଓ ଶୋଭିତ ବିଶ୍ବବିଦ୍ୟାଳୟର କୁଳାଧିପତି କୁଅଁର ଶେଖର ବିଜେନ୍ଦ୍ର ଅତିଥି ଭାବେ ଯୋଗଦେଇ ଏହି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ| ଅଭିଭାବକଙ୍କ ମହତ ଆକାଂକ୍ଷା ମଧ୍ୟରେ ପେଶୀହୋଇ ନିଜ ଇଛା ବିରୁଦ୍ଧରେ ଅନେକ ଛାତ୍ରଛାତ୍ରୀ ତାଙ୍କର ଆକାଂକ୍ଷିତ ବିଷୟକୁ ଅଧ୍ୟୟନ ନକରି ପରବର୍ତ୍ତୀ ସମୟରେ ନିଜର ଜୀବକା ଓ ଜୀବନ ପ୍ରତି ଘୋର ଅନ୍ୟାୟ କରିଥାନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ| ଏହି ପ୍ରୟାସ ମାଧ୍ୟମରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଓ ତାଙ୍କର ଅଭିଭାବକ ଉଚିତ ମାର୍ଗଦର୍ଶନ ପାଇପାରିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ| ଉଚ୍ଚ ଶିକ୍ଷା ପାଇଁ ମାର୍ଗଦର୍ଶନ ବହୁ ପୂର୍ବରୁ ଆବଶ୍ୟକତା ଥିବା ସ୍ଥଳେ ପ୍ରଥମ ଥର ପାଇଁ ଦି ଇଣ୍ଟେଲେକ୍ଟସ ଏହି ପ୍ରୟାସ କରିଥିବାରୁ ସମସ୍ତେ ସାଧୁବାଦ ଜଣାଇଥିଲେ|

ଗତ ମାସ ୨୪ ତାରିଖରୁ ଏହି କର୍ମଶାଳା ଶୃଙ୍ଖଳା ଆରମ୍ଭହୋଇ ଗତକାଲି ପରିସମାପ୍ତି ଘଟିଛି| ଏହି ଶୃଙ୍ଖଳାରେ ନଅଟି କର୍ମଶାଳାରେ ଚବିଶ ଟି ବିଷୟରେ ସତେଇଶି ଜଣ ବିଶେଷଜ୍ଞ ଓ ଷୋଳ ଜଣ ବିଶିଷ୍ଟ ଅତିଥି ଯୋଗଦେଇ ତାଙ୍କର ଉପସ୍ଥାପନା ରଖିଥିଲେ| ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ଆଠ ହଜାରରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଅଂଶଗ୍ରହଣ କରି ଉଚ୍ଚଶିକ୍ଷା ବିଷୟରେ ଆଲୋଚନାରେ ଭାଗନେଇ ନିଜର ସନ୍ଦେହ ଦୂର କରିଥିଲେ| ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କର ଉତ୍ସାହଜନକ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ସଫଳ କରିଛି ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ ମତ ରଖିଛନ୍ତି| ଏହି ଶୃଙ୍ଖଳାରେ ଇଞ୍ଜିନିୟରିଂ, ମେଡ଼ିକାଲ, ଆୟୁର୍ବେଦ, ଯୋଗ ବିଜ୍ଞାନ, ସମାଜ ବିଜ୍ଞାନ, ମନସ୍ତତ୍ଵ ବିଜ୍ଞାନ, ବାଣିଜ୍ୟ, ମ୍ୟାନେଜମେଣ୍ଟ, ଓକିଲାତି, ଶିକ୍ଷକତା, ନୃତ୍ୟ, ଗୀତ ତଥା ଅନେକ ମୁଖ୍ୟ ବିଷୟରେ ବିଷଦ ଆଲୋଚନା ହୋଇଥିଲା| ଅଭିଭାବକ ଓ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ବିଶେଷଜ୍ଞଙ୍କ ସହିତ ସିଧାସଳଖ ପ୍ରଶ୍ନ ପଚାରି ନିଜର ସନ୍ଧେହ ଦୂର କରିଥିଲେ| ଏହି ନଅଟି କର୍ମଶାଳାରେ ଓଡ଼ିଶାର ଅନେକ ବଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଜର ମତାମତ ରଖିଥିଲେ| ସେମାନଙ୍କ ମଧ୍ୟରେ ପୂର୍ବତନ ବୈଦେଶିକ ସଚିବ ଡଃ ଅମରେନ୍ଦ୍ର ଖଟୁଆ, ପୂର୍ବତ୍ତନ ଚକ୍ଷୁ ବିଶେଷଜ୍ଞ ଡଃ ଅନିତା ପଣ୍ଡା, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ଡଃ ସଂଗୀତା ଗୋସାଇଁ, ମାନେଜମେଣ୍ଟ ବିଶେଷଜ୍ଞ ନଭୋକ ମହାନାୟକ, ଶିକ୍ଷାବିତ ଡଃ ନର୍ମଦା ପରିଡ଼ା, ଚାଟାଡ଼ ଆକାଉଣ୍ଟାଣ୍ଟ ସୁଧୀର କୁମାର ଦାସ, ଉଚ୍ଚତମ ନ୍ୟାୟାଳୟର ଓକିଲ ତଥା ଜବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ସଂଦୀପ ମହାପାତ୍ର ପ୍ରମୁଖ ଅଟନ୍ତି| ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ, ଡଃ ସସ୍ମିତ ପାତ୍ର, ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତ୍ତନ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର, ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁରେଖା ସୁନ୍ଦରୀ ସାଇଁ ଅତିଥି ଭାବରେ ଯୋଗଦେଇ ଏହି ପ୍ରୟାସ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ତାଙ୍କ ଉଚ୍ଚଶିକ୍ଷା ପାଇଁ ଏକ ନୂତନ ମାର୍ଗଦର୍ଶୀକା ଭାବରେ କାର୍ଯ୍ୟକରିବ ବୋଲି ପ୍ରକାଶ କରିଥିଲେ| ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଶୋଭିତ ବିଶ୍ବବିଦ୍ୟାଳୟର ବିଶେଷଜ୍ଞ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ସମସ୍ତ ବୈଷୟିକ ବ୍ୟବସ୍ଥା ବିଶ୍ବବିଦ୍ୟାଳୟ ଯୋଗାଇ ଦେଇଥିବାରୁ ଅଧ୍ୟକ୍ଷ ଶ୍ରୀ ରାଉତ କୁଳାଧିପତି କୁଁଅର ବିଜେନ୍ଦ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି|

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.