Home ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜେପୁରରୁ ଇସ୍ତଫା ଦେଇ ପଶ୍ଚିମ ଓଡ଼ିଶାବାସୀଙ୍କ ବିଶ୍ୱାସ ଭଙ୍ଗ କରିଛନ୍ତି

ମୁଖ୍ୟମନ୍ତ୍ରୀ ବିଜେପୁରରୁ ଇସ୍ତଫା ଦେଇ ପଶ୍ଚିମ ଓଡ଼ିଶାବାସୀଙ୍କ ବିଶ୍ୱାସ ଭଙ୍ଗ କରିଛନ୍ତି

1339

ସମ୍ବଲପୁର, ୩/୬ – (ଓଡ଼ିଆ ପୁଅ) ବିଜେପୁରର ବିଧାୟକ ପଦରୁ ଇସ୍ତଫା ଦେଇ ଏହି ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ନିର୍ବାଚନ ମୁହଁକୁ ଠେଲିଦେବା ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଭଙ୍ଗ ଅଟେ ବୋଲି ବରଗଡ଼ ଲୋକସଭା ସଦସ୍ୟ ତଥା ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି ଯେ, ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପଶ୍ଚିମ ଓଡ଼ିଶାରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ତାଙ୍କୁ ଶ୍ରଦ୍ଧାର ସହ ଅନୁରୋଧ କରାଯାଉଛି। ସେ ଏହା ଉପରେ ଗୁରୁତ୍ୱର ସହ ବିଚାର କରୁଛନ୍ତି। କିଛି ଦିନ ଅନ୍ତରାଳରେ ସେ ପୁଣି ଘୋଷଣା କଲେ ଯେ, ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ। ମୁଖ୍ୟମନ୍ତ୍ରୀଙ୍କୁ ନିଜର ଲୋକ ପ୍ରତିନିଧି ଭାବରେ ପାଇବାର ଆକାଂକ୍ଷା ନେଇ ତଥା ନିଜ ଅଞ୍ଚଳର ବିକାଶର ସମ୍ଭାବନା ଆକଳନ କରି ଭୋଟର ନବୀନ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ବିଜୟୀ କଲେ। ତେବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନକୁ ରଖି ବିଜେପୁରରୁ ଇସ୍ତଫା ଦେବା ପଶ୍ଚିମ ଓଡ଼ିଶା ପ୍ରତି ତାଙ୍କର ହେୟ ମନୋଭାବକୁ ସୂଚାଉଛି। ସେ କହିଲେ, ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ଉପ-ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଥିଲେ। ସେହି ପ୍ୟାକେଜ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ଏବେ ପୁନର୍ବାର ଉପ-ନିର୍ବାଚନ ହେବାକୁ ଥିବାବେଳେ ବିଜେପୁର ପାଇଁ ପୁଣି ଥରେ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଥମ ପ୍ୟାକେଜରେ ବିଜେପୁରରେ ୧୨୪୮ କୋଟି ଟଙ୍କାରେ ଗଙ୍ଗାଧର ଜଳସେଚିତ ଯୋଜନା ବିଷୟ ରହିଥିଲା। ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଆସି ଶୁଭ ଦେଇଗଲେ। ଅଫିସ ଖୋଲିଲା। କିନ୍ତୁ କର୍ମଚାରୀ ନାହାନ୍ତି କି କାମ ଆରମ୍ଭ ହୋଇପାରି ନାହିଁ। ସେହିଭଳି ୨୦୧୫ରେ ହଲଦୀପାଲିରେ ସୋହେଲା ପାଇଁ ୩୨୦୦ କୋଟି ଟଙ୍କାର ଯୋଜନା ଘୋଷଣା କରିଥିଲେ। ଚାଷୀଙ୍କ ପାଇଁ ୧୦୦ ଟଙ୍କାର ବୋନସ ଘୋଷଣା କରିଥିଲେ। ଉଭୟ ଘୋଷଣା ଏଯାଏଁ କାର୍ଯ୍ୟକାରୀ ହେଲାନାହିଁ। ପ୍ରଥମ ଗର୍ଭ ପ୍ରସବ ନ କରୁଣୁ ପୁନର୍ବାର କିପରି ଗର୍ଭଧାରଣ କରାଯାଇପାରିବ ଓ ପ୍ରସବ ହେବ ତାହା ହେଉଛି ପ୍ରଶ୍ନ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ସୁରେଶ୍ୱର ଶତପଥୀ, ସୁଶାନ୍ତ ମିଶ୍ର, ଡ. ଅରୂପା ସାହୁ, ସନତ ଗଡ଼ତିଆ, ରବି ନାରାୟଣ ଦାଶ, ଅଶୋକ ପଣ୍ଡା, ସୀମାଞ୍ଚଳ ଖଟେଇ, ମାନସ ବକ୍ସୀ, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.