Home Top News ଭୀଷଣ ବାତ୍ୟା “ଅସାନି”: ସଦ୍ୟତମ ଚେତାବନୀ

ଭୀଷଣ ବାତ୍ୟା “ଅସାନି”: ସଦ୍ୟତମ ଚେତାବନୀ

130

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ପଶ୍ଚିମ-କେନ୍ଦ୍ରୀୟ ଏବଂ ତତସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଭୀଷଣ ବାତ୍ୟା “ଅସାନି ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୫ କିମି ବେଗରେ ଗତି କରି ଆଜି ଦିନ ୧୧.୩୦ ବେଳକୁ ୧୫.୦ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୨.୫ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ, ପାଖାପାଖି କାକିନାଡ଼ା (ଆନ୍ଧ୍ର ପ୍ରଦେଶ) ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୧୦ କିମି ଦୂରରେ, ବିଶାଖାପାଟନମ (ଆନ୍ଧ୍ର ପ୍ରଦେଶ) ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୩୧୦ କିମି, ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୩୦ କିମି ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ପୁରୀ ଠାରୁ ୬୩୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି।

ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୧ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ତଥା ସମୁଦ୍ର ମଧ୍ୟରେ କାକିନାଡ଼ା ବିଶାଖାପାଟନମ ଉପକୁଳ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଧୀରେ ଧୀରେ ଗତିପଥ ପରିବର୍ତ୍ତନ କରି ଉତ୍ତରଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ କାକିନଡ଼ା ଓ ବିଶାଖାପଟନମ ମଧ୍ୟରେ ଗତିକରିବା ସହ, ପରବର୍ତ୍ତୀ ସମୟରେ ଏହା ପୁଣି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଉତ୍ତର-ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଏହା ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରୁ କ୍ରମଶଃ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବା ସହ, ୧୨ ତାରିଖ ସକାଳ ସୁଦ୍ଧା ଆହୁରି ଦୁର୍ବଳ ହୋଇ ଅବପାତରେ ରୂପ ନେବାର ସମ୍ଭାବନା ରହିଛି।

ବର୍ଷାର ପୂର୍ବାନୁମାନ

୧୧ ମଇ

ଉପକୂଳ ଓଡ଼ିଶା, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଅପର ପକ୍ଷରେ ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ (୭ ରୁ ୨୦ ସେମି ) ବର୍ଷାର ସମ୍ଭାବନା ରହିଛି ଏବଂ କୋରାପୁଟ ରାୟଗଡା, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ସ୍ଥାନରେ ପ୍ରବଳ ବର୍ଷାର (୭ ରୁ ୧୧ ସେମି) ସମ୍ଭାବନା ରହିଛି।

୧୨ ମଇ

ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି। ସେହିପରି। ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ହେବାର ସମ୍ଭାବନା ରହିଛି।

ପବନଜନିତ ଚେତାବନୀ

ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା କେନ୍ଦ୍ର ନିକଟରେ ଘୁର୍ଣ୍ଣାୟମାନ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିମି ସହ ଝଟକା ବା ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୧୨୦ କିମି ଯାଏଁ ପ୍ରବାହିତ ହେଉଛି। ଏହି ପବନ ଧୀରେ ଧୀରେ ଦୁର୍ବଳ ହୋଇ ଆଜି ମଧ୍ୟ ରାତ୍ର ଠାରୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରେ ୮୫ ରୁ ୯୫ କିମି ସର୍ବାଧୂକ ୧୦୫ କିମି ଯାଏଁ ସମ୍ଭାବନା ରହିଛି ଏବଂ ୧୧ ତାରିଖ ସକାଳ ଠାରୁ ବେଳକୁ ଘୁର୍ଣ୍ଣାୟମାନ ପବନର ବେଗ ସେହି ଅଞ୍ଚଳରେ ଘଣ୍ଟା ପ୍ରତି ୭୫ ରୁ ୮୫ କିମି ସର୍ବାଧିକ ୯୫ କିମି ଯାଏଁ ରହିବାର ସମ୍ଭାବନା ରହିଛି। ଏହି ପବନ ଆହୁରି ଦୁର୍ବଳ ହୋଇ ୧୨ ତାରିଖ ସକାଳ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୫୫ ରୁ ୬୫ ସର୍ବାଧୂକ ୭୫ କିମି ଯାଏଁ ରହିବାର ସମ୍ଭାବନା ରହିଛି। ୧୧ ଏବଂ ୧୨ ତାରିଖ ରେ ଓଡ଼ିଶା ଉପକୁଳର ଆଖପାଖ ଅଞ୍ଚଳରେ ଝଡ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ ସର୍ବାଧିକ ପ୍ରତି ୬୦ କିମି ଯାଏଁ ରହିବାର ସମ୍ଭାବନା ରହିଛି।

ସାମୁଦ୍ରିକ ସ୍ଥିତି:

ଆଜି ମଧ୍ୟ ରାତ୍ର ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ସମୁଦ୍ର ଅଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି। ୧୧ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଶାନ୍ତ ରହିବା ସହ ଏବଂ ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଅଶାନ୍ତ ରହିବାର ସମ୍ଭାବନା ରହିଛି।

ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରି ହୋଇଥିବା ଚେତାବନୀ

ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରି ହୋଇଥିବା ଚେତାବନୀ ୧୨ ତାରିଖ ଯାଏଁ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କୁ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ୧୩ ତାରିଖ ସକାଳ ଯାଏଁ ଓଡିଶା ଉପକୂଳ, ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଛି।

ବନ୍ଦର ପାଇଁ ଚେତାବନୀ : ଗୋପାଳପୁର ବନ୍ଦର ପାଇଁ ବିପଦ ସଂକେତ-୩ ଜାରି ହୋଇଥିବା ବେଳେ ଓଡ଼ିଶାର ଅନ୍ୟ ସମସ୍ତ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ – ୨ ଜାରି କରାଯାଇଛି।

ସମ୍ଭାବ୍ୟ ପ୍ରଭାବ ଏବଂ ଆବଶ୍ୟକୀୟ ପଦକ୍ଷେପ:

ବାତ୍ୟାଜନିତ ବର୍ଷା ପ୍ରଭାବରେ ଉପକୂଳ ଓଡ଼ିଶାରେ କେତେକ ଅମଳ ଉପଯୋଗୀ ଶସ୍ୟ (ଖରାଟିଆ ଧାନ, ଡାଲିଜାତୀୟ ଶସ୍ୟ (ମୁଗ, ବିରି) ପନିପରିବା, ଆଖୁ ଏବଂ ମକା ଇତ୍ୟାଦି) ପ୍ରଭାବିତ ହେବାର ସମ୍ଭାବନା ରହିଛି।

ବର୍ଷା ପୂର୍ବରୁ ବ୍ୟବହାର ଉପଯୋଗୀ ପନିପରିବା ଏବଂ ଖାଦ୍ୟ ଶସ୍ୟ ଅମଳ କରିବା ପାଇଁ ସୂଚନା କରାଯାଇଛି। ଅତ୍ୟଧିକ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ସହ ପ୍ରସ୍ତୁତ ରୁହନ୍ତୁ। ଜଳସେଚନ ଏବଂ କୀଟନାଶକ ପ୍ରୟୋଗ ଏବଂ ବୁଣାବୁଣି (ଝୋଟ ଏବଂ ଅନ୍ୟାନ୍ୟ) କୁ ସାମୟିକ ସ୍ଥଗିତ ରଖନ୍ତୁ। ଓଡ଼ିଶା ଉପକୂଳରେ ଥିବା ଏବଂ ଉପକୂଳବର୍ତ୍ତୀ ସଂସ୍ଥା ଗୁଡିକ ଦ୍ଵାରା କାର୍ଯ୍ୟଗୁଡିକର ୧୦ ରୁ ୧୨ ତାରିଖ ଯାଏଁ ସଠିକ ଭାବରେ ନିୟନ୍ତ୍ରିତ କରିବା ପାଇଁ ଉପଦେଶ ଜାରିକରି ଯାଇଛି।

ଏହି ସକ୍ରିୟ ଭୀଷଣ ବାତ୍ୟା ନିରନ୍ତର ପର୍ଯ୍ୟବେକ୍ଷଣ ରେ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.