Home ଜିଲ୍ଲା ପରିକ୍ରମା ଭଦ୍ରକର ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ ବେଦାନ୍ତ ହାତକୁ ଗଲା , ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଯୁକ୍ତି ସମ୍ଭାବନ...

ଭଦ୍ରକର ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ ବେଦାନ୍ତ ହାତକୁ ଗଲା , ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଯୁକ୍ତି ସମ୍ଭାବନ ନେଇ ଆଶା ସଂଚୟ

76

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ ଭଦ୍ରକର ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ ବେଦାନ୍ତ ହାତକୁ ଯାଇଛି । ତେବେ ଏଥିନେଇ ଜିଲାର ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଯୁକ୍ତି ସମ୍ଭାବନା ନେଇ ଆଶା ସଂଚାର ହୋଇଥିବାବେଳେ ଜିଲାର ବିକାଶ କ୍ଷେତ୍ରରେ ବେଦାନ୍ତ ଧ୍ୟାନ ଦେବା ନେଇ ଜିଲାବାସୀ ବେଶ୍ ଆଶାବାଦୀ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ଜିଲାରେ ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିବା ରାନ୍ଦିଆସ୍ଥିତ ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ କାର୍ଯ୍ୟ କରିବା ମଧ୍ୟରେ କଂପାନୀ ପକ୍ଷରୁ ଜିଲାର ବିକାଶ ନେଇ କୌଣସି କାର୍ଯ୍ୟ କରାଯାଇନାହିଁ । ଦୁର୍ଗାପ୍ରସାଦ ସରାଫଙ୍କ ମାଲିକାନାରେ ଆରମ୍ଭ ହୋଇଥିବା ଏହି ପ୍ଲାଣ୍ଟ ସେତେବେଳେ ଜିଲାବାସୀଙ୍କ ପାଇଁ ପ୍ରଥମ ଶିଳ୍ପ ପ୍ରତିଷ୍ଠାର ସ୍ୱପ୍ନ ଦେଖାଇଥିଲା । ସ୍ୱର୍ଗତଃ ରାମଦାସ ଅଗ୍ରୱାଲ ଭଦ୍ରକରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଦାୟିତ୍ୱ ନେଇଥିଲେ । ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ୰ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତତ୍‌କାଳୀନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ସମୟରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇ ସ୍ଥାନୀୟ ଅଂଚଳର ବହୁ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ମିଳିଥିଲା । ଫେକର ଚାର୍ଜକ୍ରୋମ୍ ସହ ଏହି କଂପାନୀ ପକ୍ଷରୁ କେନ୍ଦୁଝର ଜିଲାର ବଉଳା ମାଇନସ୍ ମଧ୍ୟ ଲିଜ୍‌ସୂତ୍ରେ ନେଇଥିଲେ । ଏହି ଖଣିରୁ ଲୁହାପଥର ଉତ୍ତୋଳନ କରାଯାଇ ଭଦ୍ରକର ଚାର୍ଜକ୍ରୋମ୍ ପ୍ଲାଣ୍ଟରେ ତାହା ତରଳାଇ ବିଦେଶକୁ ରପ୍ତାନୀ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି କ୍ରମରେ ଫେକର ଚାର୍ଜକ୍ରୋମ୍ ଯୋଗାଣ କରି ବେଶ୍ କିଛିବର୍ଷ ଲାଭରେ ଚାଲିବା ପରେ କେତେକ କାରଣ ଯୋଗୁଁ ଏହାର ମାନ୍ଦାବସ୍ଥା ଦେଖାଦେଇଥିଲା । ଫଳରେ ପରିଚାଳନାରେ ବହୁ ସମସ୍ୟା ଦେଖାଯିବା ପରେ ଏହାକୁ ନେଇ ଜିଲାବାସୀ ଯେଉଁ ସ୍ୱପ୍ନ ଦେଖିଥିଲେ, ସେଥିରେ ପୂର୍ଣ୍ଣଛେଦ ପଡିଲା । ଅଶୀ ଦଶକରେ ଏହି ଚାର୍ଜକ୍ରୋମ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବାନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯେଉଁ ଉନ୍ମାଦନା ଥିଲା, ଏହାର କିଛିବର୍ଷ ପରେ ଲୋକଙ୍କ ଭିତରେ ସେ ଆଉ ପୂର୍ବ ବିଶ୍ୱାସ ରଖିଲାନାହିଁ । ଯେଉଁ ଆଶା ଭରସାରେ ସ୍ଥାନୀୟ ଲୋକେ ନିଜ ସାତପୁରୁଷର ଭିଟାମାଟି କଂପାନୀ ମାଲିକ ହାତକୁ ଟେକିଦେଇଥିଲେ, ତାହା ବିଶେଷକରି ରାନ୍ଦିଆ ଅଂଚଳରେ କୌଣସି ଆଖିଦୃଶିଆ ବିକାଶ ସୃଷ୍ଟି କରିପାରିଲା ନାହିଁ । ଏହି କଂପାନୀକୁ ନେଇ ରାନ୍ଦିଆ ସହରର କଳେବର ବୃଦ୍ଧି ନେଇ ୪୦ ବର୍ଷ ତଳେ ଲୋକେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ବାସ୍ତବ ରୂପରେଖ ନେଇପାରିଲା ନାହିଁ । ଆଜି ମଧ୍ୟ ରାନ୍ଦିଆ ବଜାର ଏକ ଗ୍ରାମୀଣ ବଜାର ଭାବେ ରହିଯାଇଛି । ଏହି ଅଂଚଳ ଏବେ ମଧ୍ୟ ପୌରାଞ୍ଚଳରେ ସାମିଲ ହୋଇପାରିଲା ନାହିଁ ।

କେବଳ ଏକ ପଂଚାୟତ ଭାବେ ରାନ୍ଦିଆ ରହିଗଲା । ଲୋକଙ୍କ ମଧ୍ୟରେ ଏହାକୁ ନେଇ ଯେଉଁ ଆଶା ଥିଲା, ତାହା ଅଚିରେ ମରିଯାଇଥିବାବେଳେ କଂପାନୀ ମଧ୍ୟ ସେମିତି କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିପାରିଲା ନାହିଁ । ଫେକର କଂପାନୀ ହେବା ପରେ ମଧ୍ୟ ଏହି ଅଂଚଳରେ ଆଉ କିଛି ଛୋଟବଡ ଶିଳ୍ପ କିମ୍ବା କଳକାରଖାନା ପ୍ରତିଷ୍ଠା ହୋଇପାରିଲା ନାହିଁ । କେବଳ ୨୦୧୧ ମସିହାରେ ଚାର୍ଜକ୍ରୋମ୍ ପ୍ଲାଣ୍ଟକୁ ଲାଗି ସେହି ମାଲିକଙ୍କ ସଂପର୍କୀୟ ଫେକର ପାୱାର ପ୍ଲାଣ୍ଟ ନାମକ ଆଉ ଏକ କାରଖାନା କାର୍ଯ୍ୟକ୍ଷମ କରାଇଥିଲେ । ଯାହା ପାଖାପାଖି କାର୍ଯ୍ୟ କରିବା ମଧ୍ୟରେ ଲୋକଙ୍କ ଭିତରେ ପୁଣିଥରେ ନୂତନ ଚାକିରୀ ପାଇବା ନେଇ ଆଶା ସଂଚାର ହୋଇଥିଲା । କିନ୍ତୁ ଉକ୍ତ ପ୍ଲାଣ୍ଟରେ ସେମିତି କିଛି ନିଯୁକ୍ତି ନହେବା ମଧ୍ୟରେ ଚାର୍ଜକ୍ରୋମ୍ ପରି ପାୱାର ପ୍ଲାଣ୍ଟ ମଧ୍ୟ ମାନ୍ଦାବସ୍ଥା ଦେଇ ଗତିକଲା । ଅବଶ୍ୟ ଫେକର ପାୱାର ପ୍ଲାଣ୍ଟ ଉପରେ ଭରସା କରି ଏହି ଜିଲାର ଶତାଧିକ ଫ୍ଲାଏ ଆସ୍ (ଇଟା କାରଖାନା) ଗଢି ଉଠିଛି । ପାୱାର ପ୍ଲାଣ୍ଟରୁ ନିର୍ଗତ ପାଉଁଶକୁ କଂପାନୀ ଫ୍ଲାଏ ଆସ୍ ଇଟା କାରଖାନାକୁ ବିକ୍ରି କରୁଛି । ପାୱାର ପ୍ଲାଣ୍ଟ ମଧ୍ୟ ରୁଗ୍‌ଣ ଅବସ୍ଥାରେ ରହିଛି । ଜିଲାର ଫେକର ପ୍ଲାଣ୍ଟଟି ଶେଷରେ ବେଦାନ୍ତକୁ ହସ୍ତାନ୍ତର କରାଯାଇଛି । ଏବେ ଏହି କଂପାନୀ ବେଦାନ୍ତ ମାଲିକାନାକୁ ଯିବା ପରେ ଗତ କିଛିଦିନ ହେବ ହସ୍ତାନ୍ତର ପ୍ରକ୍ରିୟା ନେଇ ଆଲୋଚନା ଚାଲିଛି । ବେଦାନ୍ତ ଫେକରକୁ ନେବାପରେ ବେଦାନ୍ତ ଫେକର ବୋଲି ସାଇନ୍ ବୋର୍ଡ ମଧ୍ୟ ମରାଯାଇଛି । ତେବେ ଏହାକୁ ବେଦାନ୍ତ ନେବାପରେ ଏହାର ଭାଗ୍ୟ ବଦଳିବ ନା ପୂର୍ବଭଳି ଶୋଇରହିବା ସହ ଏହାର ନବକଳେବର ଓ ନିଯୁକ୍ତି ପିକ୍ରିୟା ଉପରେ କିଭଳି ଗୁରୁତ୍ୱ ଦେବ, ସେଥିନେଇ ସମସ୍ତଙ୍କ ନଜର ତାହା ଉପରେ ରହିଛି । ଜିଲାର ବେକାର ଯୁବକ-ଯୁବତୀଙ୍କ ମଧ୍ୟରେ ବି ନୂତନ ନିଯୁକ୍ତି ନେଇ ଆଶାର ସଂଚାର ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.