Home ଓଡ଼ିଶା ବିଶ୍ବ ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଡାକରା, ୱାର୍ଲଡ୍ ଓଡ଼ିଶା ସୋସାଇଟିର ଦ୍ଵିତୀୟ...

ବିଶ୍ବ ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଡାକରା, ୱାର୍ଲଡ୍ ଓଡ଼ିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳନ

49

ଭୁବନେଶ୍ବର /ନୂଆଦିଲ୍ଲୀ ୧୬.୧ (ଓଡ଼ିଆ ପୁଅ) ବିଶ୍ୱଭରି ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଓ ସାରା ପୃଥିବୀରେ ବିଭିନ୍ନ ଦେଶରେ ବସବାସ କରୁଥିବା ଦେଢ଼ କୋଟି ପ୍ରବାସୀ ଓଡିଆ ଏକମନ, ଏକପ୍ରାଣ ଓ ଏକନିଷ୍ଠ ହୋଇ ନିଜର ମାତୃ ପ୍ରଦେଶ ଓଡିଶାର ସର୍ବ ମଙ୍ଗଳ ପାଇଁ ତନ, ମନ, ଧନ ଅର୍ପଣ କରିବାକୁ ୱାଓସୋ ଡାକରା ଦେଇଛି। ୱାର୍ଲଡ୍ ଓଡିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଅବସରରେ ଆଭାସୀ ମଞ୍ଚରେ ଆୟୋଜିତ ‘ଉତ୍କଳ ଉତ୍ସବ’ ରେ ଯୋଗଦେଇ ଅଷ୍ଟ୍ରେଲିଆ ଠାରୁ ଆମେରିକା ଏବଂ ୟୁ.ଏ.ଇ ଠାରୁ ୟୁରୋପ ପର୍ଯ୍ୟନ୍ତ ରାଷ୍ଟ୍ର ମାନଙ୍କର ଶତାଧିକ ତୁଙ୍ଗ ପ୍ରବାସୀ ଓଡ଼ିଆ ନେତା ୨୦୩୬ ମସିହାରେ ଓଡ଼ିଶା ୧୦୦ ବର୍ଷରେ ପଦାର୍ପଣ କରିବା ବେଳେ ଏକ ସର୍ଵ ସମ୍ପନ୍ନ, ସମୃଦ୍ଧ ନୂତନ ଓଡ଼ିଶା ଗଢି ତୋଳିବା ପାଇଁ ବଜ୍ର ହୁଙ୍କାର ଦେଇଛନ୍ତି।

ମହା ସମାରୋହରେ ପାଳିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓଡିଶାର କଳା, ରସ, ଛନ୍ଦ ଓ ଗାରିମା ଅନନ୍ୟ ଓ ମହାନ ବୋଲି ସୂଚାଇଥିଲେ। ନବ ଉତ୍କଳ ଗଠନ ପାଇଁ ୱାର୍ଲଡ୍ ଓଡିଶା ସୋସାଇଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ସାହୁ ଦୃଢ଼ ଆଶାପ୍ରକଟ କରିଥିଲେ। ବିଶିଷ୍ଟ ଅତିଥି ଜର୍ମାନୀ ରେ ଅବସ୍ଥାପିତ ସୁନାମଧନ୍ୟ ଲେଖକ ରାଜେନ୍ଦ୍ର ନାରାୟଣ ଦାସ ଓଡ଼ିଶାରେ ରହିଥିବା ସାମ୍ପ୍ରତିକ ଶିକ୍ଷା, ସ୍ବାସ୍ଥ୍ୟ ଓ ସଂସ୍କୃତିଗତ ସମସ୍ୟା ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ। ୨୫ ବର୍ଷରେ ଥରେ ସଭ୍ୟତା ବଦଳୁ ଥିବାରୁ ଯୁଗ ସହିତ ତାଳ ମିଳାଇ ଆଗେଇ ଚାଲିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ କୋଲକତା ସ୍ଥିତ ସତ୍ୟଜିତ ରାୟ ସିନେମା ଓ ଟିଭି ସଂସ୍ଥାନର ନିର୍ଦ୍ଦେଶକ ହିମାଂଶୁ ଖଟ୍ଟୁଆ ମହାପ୍ରଭୁ ଜଗନ୍ନାଥଙ୍କର ଦୟାରୁ ସାରା ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ୱାଓସୋ ଜରିଆରେ ଜାଣିବାର ସୁଯୋଗ ଉପଲବ୍ଧି ହୋଇ ପାରିଥିଵା ନେଇ ଆନନ୍ଦ ପ୍ରକାଶ କରିଥିଲେ। ବରେଣ୍ୟ ଅତିଥି ରାଷ୍ଟ୍ରପତିଙ୍କର ଅତିରିକ୍ତ ପ୍ରେସ ସଚୀବ ବିଜୟ ନାୟକ ଦେଶର ସର୍ବ ପ୍ରଥମ ପତ୍ରିକା ସାଧୁସୁନ୍ଦର ଦାସଙ୍କର କୁଜିବର ପତ୍ର ଓଡ଼ିଶାରୁ ପ୍ରକାଶ ପାଇଥିଲା ବୋଲି ଦର୍ଶାଇ ନିଜର ଅସ୍ମିତାକୁ ନେଇ ଗର୍ବ ଅନୁଭବ କରିବାକୁ ଉପଦେଶ ଦେଇଥିଲେ। ସମ୍ମାନସ୍ପଦ ଅତିଥି ଭୁବନେଶ୍ବରର ମେୟର ସୁଲୋଚନା ଦାସ ରାଜ୍ୟ ର ରାଜଧାନୀକୁ ସରସ ସୁନ୍ଦର କରି ଗଢି ତୋଳିବାକୁ ପ୍ରବାସୀ ଓଡ଼ିଆ ମାନଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ।

ସ୍ବାଗତ ଭାଷଣ ପ୍ରଦାନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଓଡ଼ିଶାର ଲୁପ୍ତ ବୈଭବ, ହୃତ୍ ଗୌରବ ଓ ସୁପ୍ତ ସୌରଭକୁ ଫେରାଇ ଆଣି ପୁନର୍ବାର ସୁଜଳା, ସୁଫଳା, ଶସ୍ୟ ଶ୍ୟାମଳା, ସ୍ବର୍ଣ୍ଣାଭ ଓଡିଶା ଗଠନ ପାଇଁ ୱାଓସୋ ବଦ୍ଧପରିକର ବୋଲି ଘୋଷଣା କରିଥିଲେ ୱାଓସୋ ପ୍ରତିଷ୍ଠାତ୍ରୀ ଡକ୍ଟର ଅରୁନ୍ଧତୀ ଦେବୀ ସୌର୍ଯ୍ୟ, ବୀର୍ଯ୍ୟ ଓ ମାଧୁର୍ଯ୍ୟ ପୁର୍ଣ୍ଣ ନୂଆ ଓଡିଶା ଗଠନ ପାଇଁ ୱାର୍ଲଡ୍ ଓଡିଶା ସୋସାଇଟି ପ୍ରତିଜ୍ଞା ବଦ୍ଧ ବୋଲି ପ୍ରକାଶ କରିଥିଲେ। ଅଷ୍ଟ୍ରେଲିଆ ରୁ ୱାଓସୋ ର ଉପାଧ୍ୟକ୍ଷ ଡଃ ନଳିନୀ ପତି ସାରା ବିଶ୍ୱର ଓଡ଼ିଆ ମାନଙ୍କୁ ନେଇ ଏକ ଡାଟାବେସ୍ ବନାଇବା ଅନୁଷ୍ଠାନର ଅନ୍ୟତମ ମହତ ଉଦ୍ଦେଶ୍ୟ ବୋଲି କହିଥିଲେ। ଜନ୍ମମାଟି ଓଡ଼ିଶାର ସ୍ବାତନ୍ତ୍ର୍ୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଆବୁଧାବି ଓଡ଼ିଆ ସମାଜର ସଭାପତି ପ୍ରଦୀପ ରଥ ସାମୁହିକ ଉଦ୍ୟମ ଓ ସର୍ବ ସହଯୋଗ କାମନା କରିଥିଲେ। ଗଲଫ୍ ଓଡ଼ିଆ ସମାଜର ସଭାପତି ଅଜୟ କୁମାର ଦାସ ଏବଂ ୟୁ.ଏ.ଇ. ଓଡ଼ିଶା ସମାଜର ସାଧାରଣ ସମ୍ପାଦକ ପ୍ରୀତିଶ ଦାଶ ୱାଓସୋକୁ ଅଧିକ ସଶକ୍ତ କରିବା ଉପରେ ଜୋର ଦେଇଥିଲେ। ତାଞ୍ଜାନିଆ ଓଡ଼ିଆ ସମାଜର ସଭାପତି ବିଜୟ ସାହୁ ୱାର୍ଲଡ ଓଡ଼ିଶା ସୋସାଇଟି ରେ ତାଙ୍କର ସଗଠନ ଯୋଗଦାନ ବିଷୟରେ ଘୋଷଣା କରିଥିଲେ। ୱାଓସୋର ମାତୃଭାଷା ପ୍ରସାରଣ ବିଭାଗ ସାଧାରଣ ସମ୍ପାଦକ ପବିତ୍ର ମହାରଥା ଭାଷା ଏକ ଜାତିର ସମୃଦ୍ଧିର ପରିଚୟ ବୋଲି କହି ସାରା ଦୂନିଆରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ଏହାକୁ ଲୋକପ୍ରିୟ କରିବା ପାଇଁ ଅଗ୍ରାଧିକାର ଦେବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ଜେନା, ଅସିତ୍ କୁମାର କର, ହୃଷିକେଶ ପାତ୍ର, ସୁଧୀର ଦାଶ, ନିବେଦିତା ଗିରି, ରବି ମହାପାତ୍ର, ରାମକୃଷ୍ଣ ଦାଶ, କୃପାନିଧୀ ବିଶ୍ବାଳ, ରବି ନାରାୟଣ ବେହେରା, ଦେବାଶିଷ ଶ୍ରୀଚନ୍ଦନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ୱାଓସୋ ର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ। ଏହି ଅବସରରେ ଗିନିଜ୍ ବୁକ୍ ୱାର୍ଲଡ୍ ରେକର୍ଡ ଧାରୀ କେଶବ ସ୍ଵାଇଁ, ଶଶାଙ୍କ ଶେଖର ଦାସ, ଅମନ ଛତ୍ରିଆ, ବୀନିତା ଜେନା, ଜୟରାମ ରଣା, ସଚ୍ଚୀନ ବେହେରା, ସନ୍ଧ୍ୟାରାଣୀ ବେହେରା, ସ୍ମୃତିସୁଧା, ଅରୁଣ ମହାନ୍ତ, ରାଜେଶ କୁମାର ମେହେର ଓ ସୂରଜ କୁମାର ମେହେରଙ୍କୁ ସମ୍ବର୍ଦ୍ଧନା ଅର ପ୍ରଦାନ କରାଯାଇଥିଲା। ତତ୍ ସହିତ ଉଲ୍ଲେଖନୀୟ ସେବା ପାଇଁ ଦମ୍ପତ୍ତି ଭାବରେ ଉମାକାନ୍ତ ଓ ସୁକାନ୍ତୀ ଜେନା, ପ୍ରଫୁଲ୍ଲ ଓ ସୁଲୋଚନା ଦାସ, ପ୍ରଦୀପ ଓ ବହ୍ନିପ୍ରଭା ରଥ, ଅଜୟ କୁମାର ଓ କୁନକୁନ୍ ଦାସ, ଅସିତ୍ କୁମାର ଓ ପ୍ରିୟତମା କର, ଆଚାର୍ଯ୍ୟ ଅଭିମନ୍ୟୁ ଓ ବିଶ୍ବଦୀପା ସାହୁ, ନିବେଦିତା ଗିରି ଓ ଭୁବନାନନ୍ଦ ପ୍ରଧାନ ତଥା ବ୍ୟକ୍ତି ବିଶେଷ ଭାବରେ ରବିନାରାୟଣ ବେହେରା, ବାସନ୍ତୀ ପରିଡ଼ା, ପ୍ରିୟରଞ୍ଜନ ମହାନ୍ତି, ପବିତ୍ର ମହାରଥା, ଅଙ୍କିତ ମୌର୍ଯ୍ୟ, ଲଖନ ଶର୍ମା, ଆଲୋକ ପଣ୍ଡା, ନନ୍ଦନ ଦ୍ବିବେଦୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବ ଶେଷରେ ପ୍ରଖ୍ୟାତ ଗାୟିକା ଅନିନ୍ଦିତା ଦାସ, ପ୍ରସିଦ୍ଧ ଗାୟକ ବିବେକାନନ୍ଦ ରାଉତ, ବିଖ୍ୟାତ ଗୀତିକାର ଆଚାର୍ଯ୍ୟ ଅଭିମନ୍ୟୁ, ୱାଓସୋର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ବ୍ୟଞ୍ଜନ ବିଭାଗର ସହ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ସୁଧୀର ଦାଶ, ଗୁରୁମା ମମତା ପ୍ରଧାନ, ସୁଶ୍ରୀ କବିତା ପ୍ରମୁଖ ସୁମଧୁର ସଂଗୀତ ଗାୟନ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶିଳ୍ପୀକା ଶାସ୍ତ୍ରୀୟ ଓ ସୃଜନଶୀଳ ନୃତ୍ୟ ବିଦ୍ୟାଳୟ ର କଳାକାର ମାନଙ୍କ ଦ୍ଵାରା ବାସୁଦେବ ନାଥଙ୍କ ତତ୍ତ୍ଵାବଧାନରେ ମନୋରଞ୍ଜକ ନୃତ୍ୟ ପ୍ରଦର୍ଶନ ସମାରୋହର ବିଶେଷ ଆକର୍ଷଣ ଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଦୁବାଇରୁ ସୁଧାଶ୍ରୀ ଦାଶ ଏବଂ ଭୁବନେଶ୍ବରରୁ ବନୋଜିନୀ ନାୟକ ବେଶ୍ ସୂଚାରୁ ରୂପେ ସଞ୍ଚାଳନ ଓ ଉପସ୍ଥାପନ କରିଥିଲେ।

ୱାଓସୋ ର ମହିଳା ଶାଖାର ଉପ – ସଭାପତି ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଉତ୍କଳ ଉତ୍ସବର ସ୍ବାଗତ କମିଟିର ଅଧ୍ୟକ୍ଷ ବ୍ରହ୍ମା ମିଶ୍ର, ଉପାଧ୍ୟକ୍ଷ ମନୋଜ ନାୟକ, ପାଳଳ କମିଟିର ଆବାହକ ଅକ୍ଷୟ ମହାନ୍ତି, ଇଣ୍ଡୋନେସିଆରୁ ଦେବର୍ଷି ମଲ୍ଲିକ, ଅଷ୍ଟ୍ରେଲିଆରୁ ଡଃ ପ୍ରଭାତୀ ପାଣିଗ୍ରାହୀ, ସିଙ୍ଗାପୁରରୁ ଚିରଞ୍ଜିବୀ ସ୍ବାଇଁ, ବଦ୍ରି ମହାପାତ୍ର, ହୃଷିକେଶ ରଥ, ଅନୀତା ପଣ୍ଡା, ବରଦା ପ୍ରସନ୍ନ ଦାସ, ୱାଓସୋ ମହିଳା ଶାଖାର ସାଧାରଣ ସମ୍ପାଦକ ଚିଦାତ୍ମିକା ଖଟ୍ଟୁଆ, ଲଣ୍ଡନରୁ ଆଧ୍ୟାତ୍ମିକ ବିଭାଗର ସାଧାରଣ ସମ୍ପାଦକ ଜୟଶ୍ରୀ ନନ୍ଦ, ସହ ସାଧାରଣ ସମ୍ପାଦକ ଡଃ ସାଗର ତ୍ରିପାଠୀ, ଶଶଧର ଦାଶ, ପ୍ରଭାତୀ ନାୟକ, ଡକ୍ଟର ସରୋଜିନୀ ପାଣୀ, ବିକାଶ ସାହୁ, ଜୟନ୍ତ ଗନ୍ତାୟତ, ବିଜୟ କୁମାର ମହାରଣା, ସତ୍ୟବ୍ରତ ମହାନ୍ତି, ୱାଓସୋ ର ଭାରତ ଶାଖାର ଯୁଗ୍ମ ସାଧାରଣ ସମ୍ପାଦକ ଲିଲି ଜେନାମଣି, ସରିତଦୀପ୍ ଶତପଥୀ ଓ ସନ୍ତୋଷ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ନନ୍ଦନ ଦ୍ବିବେଦୀ ଡିଜିଟାଲ ମଞ୍ଚକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.