Home ଜିଲ୍ଲା ପରିକ୍ରମା ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରୀୟ ଦଳଙ୍କ କ୍ଷେତ୍ର ପରିଦର୍ଶନ

ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରୀୟ ଦଳଙ୍କ କ୍ଷେତ୍ର ପରିଦର୍ଶନ

21

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଅକ୍ଟୋବର ମାସରେ ଘଟିଯାଇଥିବା ବାତ୍ୟା ‘ଦାନା’ ଯୋଗୁଁ ପ୍ରଭାବିତ ଭଦ୍ରକ ଜିଲ୍ଲାର କ୍ଷୟକ୍ଷତି ଆକଳନ ସକାଶେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ ପ୍ରେରିତ କେନ୍ଦ୍ରୀୟ ଦଳ ଭଦ୍ରକରେ ପହଂଚିଛନ୍ତି। ନୂଆ ସର୍କିଟ ହାଉସ୍‌ରେ ପହଂଚିଲା ପରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସେମାନଙ୍କୁ ପ୍ରଭାବିତ ଅଂଚଳ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ଏହି କେନ୍ଦ୍ରୀୟ ଦଳରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡ. ମାନ ସିଂହ ଏବଂ ଜଳ ଶକ୍ତି ମନ୍ତ୍ରାଳୟର ନିର୍ଦ୍ଦେଶକ ସୁଶାନ୍ତ କୁମାର ସାମଲ ଭଦ୍ରକ ଆସିଛନ୍ତି। ପରେ ପରେ ସେମାନେ ଚାନ୍ଦବାଲି ବ୍ଲକ୍‌ର ଧାମରା ଅଂଚଳକୁ ଗସ୍ତ କରିଥିଲେ। ସେଠାରେ ଦୋସିଙ୍ଗା ଗ୍ରାମପଂଚାୟତର ଚାନ୍ଦିନୀପାଳ ବହୁମୁଖୀ ବାତ୍ୟାଶ୍ରୟର କମ୍ୟୁନିଟି ସଦସ୍ୟ ମାନଙ୍କ ସହ ବାର୍ତାଳାପ କରିଥିଲେ। ବାଂଶଡ଼ା ଗ୍ରାମପଂଚାୟତର ଚେଡ଼କ ଗାଁରେ ବାତ୍ୟା ‘ଦାନା’ ଯୋଗୁଁ ଘର ଭଙ୍ଗା ଜନିତ କ୍ଷୟକ୍ଷତିର ଆକଳନ କରିଥିଲେ। ସେହିପରି ଜାଗୁଳା ଗ୍ରାମପଂଚାୟତର ବାଲିସାହି ଗ୍ରାମର ବାତ୍ୟା ‘ଦାନା’ ଯୋଗୁଁ ଫସଲର କ୍ଷୟକ୍ଷତି ଆକଳନ କରିଥିଲେ। ଏ ସମସ୍ତ କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ କେନ୍ଦ୍ରୀୟ ଦଳଙ୍କ ସହିତ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.