Home ଜିଲ୍ଲା ପରିକ୍ରମା  ବାକିଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚାପରେ 

 ବାକିଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚାପରେ 

233
Daily Mail

ନୟାଗଡ଼, ୨୬ା୬:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣର ପ୍ରଭାବ ଯୁକ୍ତଦୁଇ ପରୀକ୍ଷାରେ ବି ପଡ଼ିଛି। ଏହାକୁ ନେଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ବାକି ଥିବା ପରୀକ୍ଷାକୁ ନେଇ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି। କରୋନା ସଂକ୍ରମଣର ବର୍ତ୍ତମାନ ସ୍ଥିତିକୁ ନେଇ ରହିଥବା ବାକି ପରୀକ୍ଷା ସରକାର ବାତିଲ କରିଥିବାବେଳେ ଏହା କେବେ ହେବ ତାହା କହିବା ମୁସ୍କିଲ ହୋଇପଡ଼ିଛି। ଜୁଲାଇ ୧ତାରିଖରୁ ୧୫ ତାରିଖ ମଧ୍ୟରେ ବାକି ଥିବା ବିଷୟ ଉପରେ ପରୀକ୍ଷା ହେବା ପାଇଁ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଥିବାବେଳେ ଏବେବି କରୋନା ସ୍ଥିତି ଜଟିଳ ରହିଛି। ନୟାଗଡ଼ ଜିଲାରେ କେତେକ କଲେଜରେ ସଙ୍ଗରୋଧ କେନ୍ଦ୍ର ମଧ୍ୟ ହୋଇଛି। ଏପର୍ଯ୍ୟନ୍ତ କେତେକ କେନ୍ଦ୍ରବି ବିଶୋଧନ ହୋଇନି। ଏଭଳି ପରିସ୍ଥିତିରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଏକାଠି କରି ଯୁକ୍ତ ଦୁଇ ପରୀକ୍ଷା କେମିତି କରାଯିବ ତାହା ସରକାରଙ୍କ ଚିନ୍ତାର କାରଣ ହୋଇଛି। ଏଭଳି ପରସ୍ଥିତିରେ ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ପାଠପଢାରେ ଠିକ୍ ମନୋନିବେଶ କରିପାରୁନାହାନ୍ତି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ନୟାଗଡ଼ ଜିଲାରେ ଗତ ମାର୍ଚ୍ଚ ମାସ ୩ ତାରିଖ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିଲାବେଳେ ସେହିମାସ ୨୭ ତାରିଖରେ ଶେଷ ହୋଇଥାନ୍ତା  ା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସରକାର ୨୧ ତାରିଖରେ ଏମ-ଆଇ-ଏଲ(ଅଦର ଲାଙ୍ଗୁଏଜ୍‌) ବିଷୟ ପରେ ଆଉ ସବୁ ବିଷୟ ପରୀକ୍ଷା ବନ୍ଦ କରିଦେଇଥିଲେ। ଯାହାକି ମାର୍ଚ୍ଚ ୨୩ରେ ବିଜ୍ଞାନର ବାଓଲୋଜି, ୨୪ରେ ଇକୋନୋମିକ୍ସ, ୨୫ରେ ସୋସିଓଲୋଜି, ଆନ୍ଥ୍ରୋପୋଲୋଜି, ୨୬ରେ ଭୋକେସନାଲ୍ ଟ୍ରେଡ ଓ ବିଜ୍ଞାନର ଆଇ-ଟି ଏବଂ ୨୭ରେ ଯୋଗ୍ରାଫି, ଲଜିକ୍ ଓ ଅନ୍ୟାନ୍ୟ ବିଷୟରେ ଆଉ ପରୀକ୍ଷା ହୋଇପାରିନଥିଲା। ଚଳିତବର୍ଷ ପରୀକ୍ଷା ନିୟମ କଡ଼଼ାକଡ଼ିଭାବେ କରାଯାଇଥିବାବେଳେ କପିମୁକ୍ତ କରିବାପାଇଁ ସିସିଟିଭି ସହ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇଥିଲା  ା ଏଥିପାଇଁ ଉପଜିଲାପାଳ ଲଗ୍ନଜିତ୍ ରାଉତଙ୍କ ତତ୍ତ୍ୱାବଧାନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସବୁ ଯୁକ୍ତ ଦୁଇ ଅଧ୍ୟକ୍ଷମାନଙ୍କୁ ନେଇ ଶାନ୍ତି ଶୃଙ୍ଖଳା ଓ କପିମୁକ୍ତ କରିବା ପାଇଁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାର ୩୭ଟି ସରକାରୀ ଓ ୮ଟି ସେଲ୍ଫ ଫାଇନାନ୍ସିଙ୍ଗ୍ ଯୁକ୍ତ ଦୁଇ କଲେଜର ୯୩୦୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଏଥିପାଇଁ ୩୧ ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ୯୩୦୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନରେ ୨୬୭୬, କଳାରେ ୬୪୫୭ ଓ ବାଣିଜ୍ୟରେ ୧୭୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେିଇଥିଲେ। ପ୍ରଶ୍ନପତ୍ର ରହିବା ଲାଗି ୪ଟି ହବ୍ ନୟାଗଡ଼, ରଣପୁର, ଖଣ୍ଡପଡ଼ା ଓ ଓଡ଼ଗାଁ କଲେଜରୁ ଦାୟିତ୍ୱର ସହ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବାର ବ୍ୟବସ୍ଥା ହୋଇଥିଲା। ତେବେ ଯୁକ୍ତ ଦୁଇ ପରୀକ୍ଷା ଜିଲାରେ ସୁରୁଖୁରୁରେ ଚାଲିଥିବାବେଳେ ବାକି ଥିବା ପରୀକ୍ଷା ହେବ କି ନହେବ ତାକୁ ନେଇ ଛାତ୍ରଛାତ୍ରୀମାନେ ମାନସିକ ଚାପରେ ଗତି କରୁଥିବା କେତେକ ଅଭିଭାବକ କହିଛନ୍ତି। ଏହି ସମୟ ବେଳକୁ ପରୀକ୍ଷା ଫଳ ପ୍ରକାଶନର ସମୟ ହୋଇଯାଇଥିବାରୁ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ଆଉ ପରୀକ୍ଷା ନକରି ପିଲାମାନଙ୍କର ଅବଶିଷ୍ଟ ବିଷୟ ଉପରେ ଆଭରେଜ୍ ମାର୍କ ଦେଇ ପରୀକ୍ଷା ଫଳ ପ୍ରକାଶ କରିବା ସହିତ ଯେଉଁ ପିଲାମାନେ ସେମାନଙ୍କ ମାର୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ପରୀକ୍ଷା ଦେବାପାଇଁ ସୁଯୋଗ ଦେବାକୁ ଅଭିଭାବକ ମହଲରେ ମତପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.