ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ପ୍ରାକୃତିକ ବିପର୍ଯ୍ୟୟର ରଣଭୂମି – ଓଡିଶା

– ଦେବପ୍ରସାଦ ମିଶ୍ର
ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନସାଂ ଯେତେବେଳେ ଭାରତକୁ ଆସିଲେ ସେତେବେଳେ ସେ ଓଡିଶାକୁ ମଧ୍ୟ ଆସିଥିଲେ। ସେତେବେଳେ ସେ ତାଙ୍କ ଭ୍ରମଣ ବର୍ଣ୍ଣନା ରେ ଲେଖିଥିଲେ ଯେ ଭାରତରେ କେବେହେଲେ ଦୁର୍ଭିକ୍ଷ ପଡିନାହିଁ ଲୋକେ ହାରାହାରି ବର୍ଷକୁ ଏଠାରେ ଦୁଇଟା ଫସଲ ଉତାରନ୍ତି ସ୍ଥାନେ ସ୍ଥାନେ ଲୋକମାନଙ୍କ ପାଇଁ ଚିକିତ୍ସାଳୟ ରହିଛି ରୋଗୀମାନେ ଏଠାରେ ବିନା ମୂଲ୍ୟରେ ଖାଦ୍ୟପେୟ, ଔଷଧପତ୍ର ପାଇ ଚିକିତ୍ସିତ ହୁଅନ୍ତି ଭାରତର ଉଭୟ ରାଜପଥ ଓ ରାସ୍ତାର ଉଭୟ ପାର୍ଶ୍ୱ ରେ ଧାଡି ଧାଡି ଫଳନ୍ତି ବୃକ୍ଷ ମାନ ଦେଖାଯାଏ ଲୋକେ ଏହି ବୃକ୍ଷ ମୂଳରେ ଆଶ୍ରୟ ନିୟନ୍ତି ଦେଶର ସାଧାରଣ ଲୋକେ ଧର୍ମପରାୟଣ କେବଳ ହୁଏନସାଂ ଓ ଫାୟିହାନ ପ୍ରଭୃତି ପରିବ୍ରାଜକ ମାନେ ଯେ ଏହା ଲେଖିଥିଲେ ତାହା ନୁହେଁ ଆଲେକ ଜାଣ୍ଡାର ଦି ଗ୍ରେଟଙ୍କ ସମୟରୁ ଏକ ହଜାର ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଅନ୍ୟାନ୍ୟ ବିଦେଶୀ ପରିବ୍ରାଜକ ମଧ୍ୟ ଯଥା – ଆଲ ବରୁଣୀ, ସ୍ପେନ ରାଜ୍ୟର ପରିବ୍ରାଜକ ବେନ୍ଜାମିନ ପ୍ରମୁଖ ଠିକ ଏହି ସବୁ କଥା ଉଲ୍ଲେଖ କରିଛନ୍ତି।

ଏକାଦଶ ବା ଦ୍ୱାଦଶ ଶତାବ୍ଦୀ ପୂର୍ବରୁ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡିଶାର ବିରଜାପୀଠ, ଭୁବନେଶ୍ୱର, ପୁରୀ, କୋଣାର୍କ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଯେଉଁସବୁ କାରୁକାର୍ଯ୍ୟପୂର୍ଣ୍ଣ ବିରାଟ ମନ୍ଦିରମାନ ନିର୍ମିତ ହେଲା ସେଥିରୁ ଓଡିଶାର ଐତିହ୍ୟ, ଐଶୁର୍ଯ୍ୟ ଓ ଓଡିଶାର ଶିଳ୍ପ ଭାସ୍କର୍ଯ୍ୟର ପରିକାଷ୍ଠାର ପରିଚୟ ମିଳୁଥିଲା କିନ୍ତୁ ପରବର୍ତ୍ତୀ ଇତିହାସରୁ ଦେଖାଯାଏ ଯେ ଏ ସବୁ ସ୍ୱତ୍ତ୍ୱେ ଓଡିଶା ବନ୍ୟା, ମରୁଡି, ବାତ୍ୟା, ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟାୟ ଗୁଡିକର ସଂଘଟନ ଯୋଗୁଁ କ୍ରମାଗତ ଭାବେ ଛାରଖାର ହେବାକୁ ଲାଗିଲା।

୧୮୬୫ – ୬୬ ମସିହାରେ ଯେଉଁ ନ ଅଙ୍କ ଦୁର୍ଭିକ୍ଷ ପଡିଲା ସେଥିରେ ଖାଇବାକୁ ନ ପାଇ ଲକ୍ଷ ଲକ୍ଷ ଲୋକ ମଲେ। ଠିକ ସେପ୍ଟେମ୍ବର ମାସ ଆରମ୍ଭରୁ ବର୍ଷା ବନ୍ଦ ହୋଇଯିବା ଫଳରେ ଓଡିଶାରେ ନ ଅଙ୍କ ଦୁର୍ଭିକ୍ଷ ଓ ଲୋକ କ୍ଷୟର ବିଷୟ ସେତେବେଳେ ବିଲାତ ପାର୍ଲ୍ୟାମେଣ୍ଟରେ ମଧ୍ୟ ଆଲୋଚିତ ହେଲା। ସେତେବେଳେ ଏଥିପାଇଁ ଏକ କମିଶନ ବସିଥିଲା ଉକ୍ତ କମିଶନ ଯେଉଁ ଅନୁସନ୍ଧାନ ରିପୋର୍ଟଦେଲେ ତହିଁରେ ଐତିହାସିକ ରେକର୍ଡ ପତ୍ରରୁ ସେମାନେ ଦେଖିବାକୁ ପାଇଲେ ଯେ, ଚତୁର୍ଦ୍ଦଶ, ପଞ୍ଚଦଶ, ଷୋଡଶ, ଶତାବ୍ଦୀଠାରୁ ଆରମ୍ଭ କରି ଓଡିଶାରେ କ୍ରମାଗତ ବହୁ ବଡ ବଡ ଦୁର୍ଭିକ୍ଷ ପଡି ଆସିଛି ସେମାନେ ସେମାନଙ୍କ ରିପୋର୍ଟରେ ନିମ୍ନଲିଖିତ ପ୍ରକାରେ ଲେଖିଥିଲେ ରାଜା କପିଳେନ୍ଦ୍ର ଦେବ ଓ ପ୍ରତାପରୁଦ୍ର ଦେବଙ୍କ ସମୟରୁ ଆରମ୍ଭ କରି ଉନବିଂଶ ଶତାବ୍ଦୀର ୧୮୩୧ – ୩୨ ମସିହାରେ ଦୁର୍ଭିକ୍ଷ, ବନ୍ୟା ଓଡିଶାକୁ ବରାବର ଗ୍ରାସ କରଛି ୧୮୫୮ ମସିହାରେ ଯେତେବେଳେ ଓଡିଶାର ମହାନଦୀରେ ଭୟାବହ ବନ୍ୟା ହେବା ଫଳରେ ଅସାଧାରଣ ଲୋକକ୍ଷୟ ଘଟିଥିଲା ସେତେବେଳେ ମାନ୍ଦ୍ରାଜ ସରକାର ଇଞ୍ଜିନିୟରମାନଙ୍କ ମଧ୍ୟରୁ କମାଣ୍ଡାଣ୍ଟ କର୍ଣ୍ଣେଲ ଆର୍ଥର କର୍ଟନଙ୍କୁ କଟକ ପଠାଇଲେ ତାଙ୍କୁ ନିର୍ଦ୍ଦେଶ ଦେଲେ ମହାନଦୀ ବନ୍ୟାର କଣ ପ୍ରତିକାର କରାଯାଇ ପାରିବ ତାହା ଅନୁସଂନ୍ଧାନ କରି ସରକାରଙ୍କୁ ଜଣାନ୍ତୁ ଉକ୍ତ ସାହେବ କଟକ ଆସି ମହାନଦୀର ନିମ୍ନଭାଗ ବିଷୟରେ ଅନୁସନ୍ଧାନ କରି ସରକାର ଙ୍କୁ ଜଣାନ୍ତୁ ଉକ୍ତ ସାହେବ କଟକ ଆସି ମାହାନଦୀ ର ନିମ୍ନ ଭାଗ ବିଷୟରେ ଅନୁସଧାନ କରି ଗୋଟିଏ ରିପୋର୍ଟ ଦେବେ “ମୁଁ ଏଠାକୁ ଆସିବାର ପୂର୍ବ ୨୩ ବର୍ଷର ବିବରଣୀରୁ ଦେଖୀଲି ଯେ ଏଥି ମଧ୍ୟରୁ ୩ ବର୍ଷ ହେଉଛି ଦୁର୍ଭିକ୍ଷ, ୪ ବର୍ଷ ମରୁଡି, ୨ ବର୍ଷ ଭୟଙ୍କର ବନ୍ୟା, ୭ ବର୍ଷ ହେଉଛି ଅସାଧାରଣ ବନ୍ୟା ଓ ଅବଶିଷ ୭ ବର୍ଷ ହେଉଛି ସାଧାରଣ ପାଣିପାଗଜନିତ ବର୍ଷା ୧୮୩୪ – ୩୫ ରୁ ୧୮୫୭ – ୫୮ ମସିହା ପର୍ଯ୍ୟନ୍ତ ୨୪ ବର୍ଷରୁ ୪ ବର୍ଷକୁ ଛାଡିଦେଲେ ଅନ୍ୟ ପ୍ରତ୍ୟକ ବର୍ଷ ହୁଏତ ଦୁର୍ଭିକ୍ଷ, ମରୁଡି ନ ହେଲେ ବନ୍ୟା ଓଡିଶାରେ ଏଭଳି ପ୍ରାକୃତିକ ବିପର୍ଯ୍ୟାୟ ଘଟିଥିବା କଥା ବର୍ଣ୍ଣନା କରି କହିଛନ୍ତି – ୧୮୫୫ – ୫୬ ମସିହା ଘୋର ସଙ୍କଟ ସମୟ ସେହି ବର୍ଷ ଅଭୂତପୁର୍ବ ଭୟାବହ ବନ୍ୟା ହୋଇଥିଲା। ୧୮୫୫ – ୫୬ ମସିହା ପରଠାରୁ ୧୯୫୫ – ୫୬ ମସିହା ପର୍ଯ୍ୟନ୍ତ ୧୦୦ ବର୍ଷର ଇତିହାସରୁ ଦେଖାଯାଏ ଯେ ଏଥି ମଧ୍ୟରୁ ପ୍ରାୟ ୬୦ ବର୍ଷ ବନ୍ୟା, ବାତ୍ୟା, ମରୁଡି, ଦୁର୍ଭିକ୍ଷରେ କଟିଛି ଏହି ନୀତି ଦୀର୍ଘ ସମୀକ୍ଷାତ୍ମକ ଆଲୋଚନାରୁ ଜଣାପଡିଛି ଯେ, ଆମ ରାଜ୍ୟ ଓଡିଶା ପ୍ରଦେଶ ପ୍ରାକୃତିକ ବିପର୍ଯ୍ୟାୟର ରଣଭୂମି ଓଡିଶାର ବିରାଟ ପାଇକ ବାହିନୀ ଏବଂ ଅଶୋକଙ୍କ ଲଢେଇରେ ୪ ଲକ୍ଷ ଲୋକ ପ୍ରାଣ ବିସର୍ଜନ କରିଥିବା ଏହି ରାଜ୍ୟର ଲୋକେ କ୍ରମେ ଦୁର୍ବଳ, କାଙ୍ଗାଳ ଓ ଅସ୍ଥି କଙ୍କାଳ ସାର ହୋଇଗଲେ ତାର ମୁଖ୍ୟ କାରଣ ହେଲା ଏହି ପ୍ରାକୃତିକ ବିପର୍ଯ୍ୟାୟ ତଥା ଉତ୍କଳ ବା କଳିଙ୍ଗ ରାଜ୍ୟର ବିଭାଜନ।

ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ବାତ୍ୟାର ହିସାବ ସଂକ୍ରାନ୍ତୀୟ ପାଣିପାଗ ବିଶେଷଜ୍ଞ ମାନଙ୍କ ରିପୋର୍ଟରୁ ଜଣାପଡେ ଯେ ୧୫୮୪ ମସିହାରେ ବଙ୍ଗଳା ଦେଶର ବକରସଠାରେ ଏକ ସାମୁଦ୍ରିକ ଝଡ ବାତ୍ୟାରେ ୨ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ୧୬୧୮ ମସିହା ନଭେମ୍ବର ୧୦ ତାରିଖରେ ତାମିଲନାଡୁର ନାଗାପଟିନମଠାରେ ପ୍ରଳୟଙ୍କରୀ ବାତ୍ୟାର ପ୍ରକୋପ ଯୋଗୁଁ ମୋଟ ୧୪ ହଜାର ଲୋକଙ୍କର ପ୍ରାଣହାନୀ ଘଟିଥିଲା। ୧୭୩୭ ମସିହା ଅକ୍ଟୋବର ମାସ ୭ ତାରିଖରୁ ୧୧ ତାରିଖ ମଧ୍ୟରେ ପଶ୍ଚିମ ବଙ୍ଗଳାର ହୁଗୁଳି ନଦୀର ମୁହାଣ ଠାରେ ସାମୁଦ୍ରିକ ବାତ୍ୟାର ପ୍ରକୋପରେ ତିନି ଲକ୍ଷ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ୧୮୩୩ ମସିହା ମେ ୨୧ ତାରିଖରେ ପଶ୍ଚିମ ବଙ୍ଗଳାର ସାଗରଦ୍ୱୀପ, ଚବିଶପ୍ରଗଣାର ପ୍ରବଳ ବାତ୍ୟାରେ ୫୦ ହଜାର ଲୋକଙ୍କର ପ୍ରାଣହାନୀ ଘଟିଥିଲା। ୧୮୯୭ ମସିହା ଅକ୍ଟୋବର ୨୪ ତାରିଖରେ ବାତ୍ୟା ଯୋଗୁଁ ବଙ୍ଗଳାଦେଶର ଚିଟାଗଙ୍ଗ, କୁତବଦିଆ, ଦ୍ୱୀପରେ ୧ ଲକ୍ଷ ୭୫ ହଜାର ଲୋକଙ୍କର ପ୍ରାଣହାନୀ ଘଟିଥିଲା। ୧୯୧୯ ମସିହା ସେପ୍ଟେମ୍ବର ମାସ ୨୦ ଠାରୁ ୨୫ ତାରିଖ ମଧ୍ୟରେ ବଙ୍ଗଳାଦେଶର ବରିଶାଲଠାରେ ପ୍ରବଳ ବାତ୍ୟାରେ ୪୦ ହଜାର ଲୋକଙ୍କର ପ୍ରାଣହାନୀ ଘଟିଥିଲା। ୧୯୪୧ ମସିହା ମେ ମାସ ୨୦ ତାରିଖରେ ବଙ୍ଗଳାଦେଶର ନୂଆଖଲି ଓ ବରାଲ ଅଞ୍ଚଳରେ ବାତ୍ୟା ହୋଇ ୭୫ ହଜାର ଲୋକଙ୍କର ପ୍ରାଣହାନୀ ଘଟିଥିଲା।

୧୯୪୩ ମସିହା ଅକ୍ଟୋବର ମାସ ୧୬ ତାରିଖରେ ପଶ୍ଚିମବଙ୍ଗଳାର କଣ୍ଟେଇଠାରେ ବାତ୍ୟାରେ ୧୫ ହଜାର ଲୋକ ମରିଥିଲେ ୧୯୬୧ ମସିହା ମେ ମାସ ୩୦ ତାରିଖରେ ବାତ୍ୟା ଯୋଗୁଁ ବଙ୍ଗଳାଦେଶର ଚିଟାଗଙ୍ଗ, କକ୍ସବଜାର, ନୂଆଖଲିରେ ୧୧ ହଜାର ୫୨୦ ଜଣ ପ୍ରାଣ ହରାଇଥିଲେ ୧୯୬୫ ମସିହା ମେ ମାସ ୧୧ ତାରିଖରେ ବଙ୍ଗଳାଦେଶର ନୂଆଖଲି ବରିସାଲ ଅଞ୍ଚଳରେ ବାତ୍ୟାରେ ୧୯ ହଜାର ୨୭୦ ଜଣ ବାସିନ୍ଦାଙ୍କର ପ୍ରାଣହାନୀ ଘଟିଥିଲା ୧୯୭୧ ମସିହା ମେ ମାସ ୮ ତାରିଖରେ ବଙ୍ଗଳାଦେଶର ଖୁଲନାଠାରୁ ଚିଟାଗଙ୍ଗ ମଧ୍ୟରେ ବାତ୍ୟା ଯୋଗୁଁ ୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ୧୯୭୧ ମସିହା ଅକ୍ଟୋବର ମାସ ୩୦ ତାରିଖରେ ପାରାଦ୍ୱୀପ ଠାରେ ଘଟିଥିବା ବାତ୍ୟାରେ ୧୦ ହଜାର ଲୋକ ମରିଥିଲେ। ୧୯୮୫ ମସିହା ମେ ମାସ ୨୪ ତାରିଖରେ ବାତ୍ୟା ଯୋଗୁଁ ବଙ୍ଗଳାଦେଶର କକ୍ସବଜାର, ଚିଟାଗଙ୍ଗ ଓ ସନଦ୍ୱୀପରେ ୧୧ ହଜାର ୬୯ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ୧୯୮୮ ମସିହା ନଭେମ୍ବର ୨୯ ତାରିଖରେ କକ୍ସବଜାର ବାତ୍ୟାରେ ବଙ୍ଗଳାଦେଶର ଖୁଲନା ଉପକୂଳବର୍ତ୍ତୀ ରାଇମଙ୍ଗଳାଠାରେ ବାତ୍ୟାରେ ୫ ହଜାର ୭୦୮ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ୧୯୯୧ ମସିହା ଏପ୍ରିଲ ମାସ ୨୯ ତାରିଖରେ ବଙ୍ଗଳାଦେଶର ଚିଟାଗଙ୍ଗ ଓ କକ୍ସବଜାର ବାତ୍ୟାରେ ଦେଢ ଲକ୍ଷ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ୧୯୯୬ ମସିହା ନଭେମ୍ବର ମାସ ୫ ତାରିଖରୁ ୭ ତାରିଖ କାକିନାଡାଠାରେ ଘଟିଥିବା ବାତ୍ୟାରେ ମୋଟ ୯୮୭ ଜଣଙ୍କର ପ୍ରାଣହାନୀ ଘଟିଥିଲା। ୧୯୯୯ ମସିହା ଅକ୍ଟୋବର ୧୭ ତାରିଖରେ ଓଡିଶାର ଗୋପାଳପୁରଠାରେ ସଂଘଟିତ ବାତ୍ୟାରେ ଗଞ୍ଜାମ, ଗଜପତି ଜିଲ୍ଲାରେ ୧୯୭ ଲୋକ ମରିଥିଲେ, ସେହିବର୍ଷ ଅକ୍ଟୋବର ୨୮, ୨୯, ୩୦ ତାରିଖରେ ସଂଘଟିତ ପ୍ରଳୟଙ୍କରୀ ବାତ୍ୟାର ଅଭୂତପୂର୍ବ ବିନାଶକାରୀ ପ୍ରଭାବ ଯୋଗୁଁ ଆମ ରାଜ୍ୟର ୧୪ ଟି ଜିଲ୍ଲା ଦାରୁଣ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ମଧ୍ୟ ସରକାରୀ ହିସାବରେ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ, ବେସରକାରୀ ହିସାବରେ ୨୦ ହଜାର ପାଖାପାଖି ଲୋକ, ଅସଂଖ୍ୟ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ। ପାଣିପାଗ ବିଶାରଦ ମାନେ ଏପରି ତଥ୍ୟ ମାନ ସଂଗ୍ରହ କରି ସେମାନଙ୍କ ଗବେଶଣା ଜାରି ରଖିଛନ୍ତି। ଓଡିଶା ପାଇଁ ଏ ସାମୁଦ୍ରିକ ବାତ୍ୟା ଅତି ପୁରୁଣା ହୋଇଥିଲେ ମଧ୍ୟ ଓଡିଶାରେ ଏ ପର୍ଯ୍ୟନ୍ତ ଘଟିଥିବା ୧୯୯୯ ମହାବାତ୍ୟା ଓ ୨୦୧୯ ମହାବାତ୍ୟା ଗୋଟିଏ ଗୋଟିଏ ଐତିହାସିକ ଉଦାହରଣ ହୋଇ ରହିବା ଏ ଧରଣର ମହାବାତ୍ୟା ଅତ୍ୟନ୍ତ ବିରଳ, ହାତୀ ଗୁମ୍ଫା ଶୀଳାଲେଖ ଅନୁଯାୟୀ ସାଧାରଣତଃ ପ୍ରାକ ମୌସୁମୀ ଏପ୍ରିଲ – ମେ ଓ ମୌସୁମୀ ପରବର୍ତ୍ତୀ ଅକ୍ଟୋବର – ଡିସେମ୍ବର ସମୟରେ ବଙ୍ଗୋପସାଗରରେ ଅସ୍ଥିରତା ଦେଖାଦିଏ। ଯାହାକି ବାତ୍ୟା ବା ଘୂର୍ଣ୍ଣିବାତ୍ୟାରେ ରୂପାନ୍ତରିତ ହୁଏ। ସାଧାରଣତଃ ବର୍ଷାକାଳରେ ଜୁନ – ସେପ୍ଟେମ୍ବର ବାତ୍ୟା ପ୍ରାୟ ହୋଇନଥାଏ। ବାତ୍ୟା ପ୍ରଥମେ ଳଘୁଚାପରୁ ଆରମ୍ଭ ହୁଏ ଓ ପରେ ଝଡର ରୂପ ନିଏ, ୧୮୯୧ ରୁ ୧୯୭୦ ମଧ୍ୟରେ ବଙ୍ଗୋପସାଗରରେ ପ୍ରାୟ ୧୩୦୩ ଥର ଲଘୁଚାପ ଜନିତ ଅସ୍ଥିରତା ଦେଖା ଦେଇଥିଲା ସେଥି ମଧ୍ୟରୁ ୪୫୧ ଟି ପ୍ରକୃତରେ ଝଡର ରୂପ ନେଇଥିଲା। ୧୯୪୯ ମସିହାରେ ଗୋଟିଏ ଘୂର୍ଣ୍ଣିଝଡ ହୋଇଥିଲା ବେଳେ ୧୮୯୩, ୧୯୨୬ ଓ ୧୯୩୦ ମସିହା ଗୁଡିକରେ ଦଶଟି ଲେଖାଁଏ ଘୂର୍ଣ୍ଣିଝଡ ରେକର୍ଡ ରହିଛି, ୧୯୦୧ ରୁ ୧୯୮୧ ମସିହା ମଧ୍ୟରେ ଓଡିଶା ଉପକୂଳ ଦେଇ ୩୮୦ ଟି ବାତ୍ୟା ବହିଯାଇଥିବାବେଳେ ସେଥି ମଧ୍ୟରୁ ୨୭୨ ଟି ଲଘୁଚାପ ଜନିତ, ୭୦ଟି ସାମୁଦ୍ରିକ ଝଡ ଜନିତ ଓ ୨୯ ଟି ଭୟାବହ ଝଡ ଜନିତ କାରଣରୁ ଘଟିଛି ବୋଲି କୁହାଯାଇଛି, ଏହି ରେକର୍ଡ ଗୁଡିକରୁ ଜଣାଯାଏ ଯେ ସବୁଠୁ ବଡ ଭୟଙ୍କର ବାତ୍ୟା ଗୁଡିକ ସାଧାରଣତଃ ମେ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସଂଘଟିତ ହୋଇଛି ଏହି ରେକର୍ଡ ଅନୁଯାୟୀ ୧୮୨୩ ମେ ୨୭ ତାରିଖ, ୧୮୩୧ ନଭେମ୍ବର ୨୪ ତାରିଖ, ୧୮୩୨ ଅକ୍ଟୋବର ୭ ତାରିଖ, ୧୮୪୨ ଅକ୍ଟୋବର ୭, ୧୮୪୮ ଅକ୍ଟୋବର ୮ ତାରିଖ, ୧୮୭୬ ମେ ମାସ ୨୬ ତାରିଖ, ୧୮୯୦ ଜୁଲାଇ ୭ ତାରିଖ ୧୯୩୬ ଏପ୍ରିଲ ୩ ତାରିଖ, ୧୯୬୭ ଅକ୍ଟୋବର ୯ ତାରିଖ, ୧୯୭୧ ଅକ୍ଟୋବର ୨୯ ତାରିଖ, ୧୯୭୮ ମାର୍ଚ୍ଚ, ୧୯୮୧ ଏପ୍ରିଲ ୧୭ ତାରିଖରେ ଭୟଙ୍କର ବାତ୍ୟା ଦେଖାଯାଇଥିଲା।

୧୮୩୧ ମସିହା ବାତ୍ୟାରେ ୨୨ ହଜାର ଲୋକ ଓ ୫୦ ହଜାର ଗୋରୁ – ଗାଇ ମରିଥିବାର ୧୮୮୫ ବାତ୍ୟାରେ ୧ ଲକ୍ଷ ୨ ହଜାର ଘର ଭାଙ୍ଗିଥିଲା ତା ସହିତ ୬୭୮୦ ଲୋକ ମରିଥିବାର ହିସାବ ମିଳେ, ୧୯୭୧ ବାତ୍ୟାରେ ଓଡିଶାରେ ୯ ହଜାର ୭୬୫ ଲୋକ ଏବଂ ୧.୦୭.୭୭୫ ପଶୁ ମରିଥିଲେ ଏହି ବାତ୍ୟାରେ ୬ଟି ଜିଲ୍ଲାର ୫୯ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ ତେବେ ୧୯୯୯ ବାତ୍ୟା ଏସବୁ ହିସାବକୁ ଟପିଥିଲା ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ୧୪ ଗୋଟି ଜିଲ୍ଲାର ୧୨୮ ଗୋଟି ବ୍ଲକ, ୪୬ ଟି ସହରାଞ୍ଚଳ, ୨୩୯୯ ଟି ଗ୍ରାମପଞ୍ଚାୟତ ଓ ୧୭୯୯୩ ଟି ଗ୍ରାମର ପ୍ରଭୃତ କ୍ଷତି ଘଟିଥିଲା, ସରକାରୀ ଭାବେ ୧୦ ହଜାର ଲୋକ ଓ ବେସରକାରୀରେ ୨୫ ହଜାର ଉପରକୁ ଟପିଥିଲା, ରାଜ୍ୟରେ ପ୍ରାୟ ୧ କୋଟି ୯୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ, ମହାବାତ୍ୟା ଓ ତତ୍ସହିତ ବନ୍ୟାରେ ୨୪, ୭.୧୭୬ ପଶୁ ସଂପଦ ନଷ୍ଟ ହୋଇଥିଲେ। ୨୧ ଲକ୍ଷ ହେକ୍ଟର ଜମିରେ ପ୍ରାୟ ୧୮ ଶହ କୋଟି ଟଙ୍କାର ଫସଲ ନଷ୍ଟ ହୋଇଥିଲା ବାତ୍ୟା ଓ ବନ୍ୟାରେ ୨୦, ୬୫, ୬୧୮ ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଥିଲା ବୋଲି ସରକାରଙ୍କଦ୍ୱାରା ପ୍ରକାଶିତ ଶ୍ୱେତ ପତ୍ରରୁ ପ୍ରକାଶ, ଏହାପରେ ପୃଥିବୀ ପୃଷ୍ଠରେ ବହୁ ବାତ୍ୟା, ମହାବାତ୍ୟା, ସାମୁଦ୍ରିକ ବତାଶ, ସାମୁଦ୍ରିକ ଘୂର୍ଣ୍ଣ୍ରିଝଡ, ଯଥା ତିତଲି, ହୁଡହୁଡ, କାଟ୍ରିନା, ଫାଇଲିନ, ପ୍ରଭୃତି ବହୁ ବାତ୍ୟା ସଂଘଟିତ ହୋଇଛି ତେବେ ୨୦୧୯ ମହାବାତ୍ୟା ଏକ ଭିନ୍ନ ଧରଣର ମହାବାତ୍ୟା ଏହା ଉପରେ ଗବେଷକ ମାନେ ଗବେଷଣା ଆରମ୍ଭ କରି ପୁରୀରେ କାହିଁକି ଏତେ କ୍ଷତି କଲା ତାର ମଧ୍ୟ ବଡ ବଡ ଜ୍ୟେତିଷ, ଗବେଷକ ଗବେଷଣା ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ଏହି ଫଣି ବାତ୍ୟାର କ୍ଷୟକ୍ଷତିର ବୀବରଣି ସଂଗ୍ରହ ଚାଲିଛି, ୨୦୧୯ ମେ ୩ ତାରିଖରେ ପୁରୀରେ ପଦପାଦ ସ୍ଥାପନ କରିଥିବା ସେହି ଫନି ମହାବାତ୍ୟା ଉପକୂଳ ଓଡିଶାର ଅଣ୍ଟା ଭାଙ୍ଗି ଦେଇଛି, ଓଡିଶାର ଫନି ତାଣ୍ଡବ ଦେଶବାସୀ ତଥା ବିଶ୍ୱବାସୀଙ୍କୁ ମ୍ରିୟମାଣ କରିଛି, ଅତୀତର ସବୁ ବାତ୍ୟା, ମହାବାତ୍ୟା, ବନ୍ୟାକୁ ବଳିଯାଇଛି, ଏ ପର୍ଯ୍ୟନ୍ତ ଏଥିରେ ୬୫ ଜଣ ପ୍ରାଣ ହରାଇ ଥିବାର ପ୍ରାଥମିକ ରିପୋର୍ଟ ମିଳିଛି।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top