Home ଓଡ଼ିଶା ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

48

କଟକ, ୮/୮ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଇନଡୋର ଷ୍ଟାଡିୟମରେ ଗୋଟିଏ ମଞ୍ଚରେ ଏକାଠି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୈନିକ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ତିନି ପ୍ରମୁଖ ବ୍ୟକ୍ତିତ୍ୱ ନିଜ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଛନ୍ତି। ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ଉଦବୋଧନ ଦେଇ ପ୍ରଜାତନ୍ତ୍ର ଏକାଧାରରେ ସମ୍ବାଦ, ସାହିତ୍ୟ ଓ କଳା ସଂସ୍କୃତି ର ମୂଳ ଉତ୍ସବୋଲି କହିଥିଲେ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଉତ୍କଳ କେଶରୀ ହରେକୃଷ୍ଣ ମହତାବ ପ୍ରଜାତନ୍ତ୍ର ମାଧ୍ୟମରେ ଦେଶ ଗଠନର ପ୍ରୟାସ ଜାରି ରଖିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦପତ୍ର ମାଧ୍ୟମରେ ସାହିତ୍ୟ ସଂସ୍କୃତିର ପ୍ରସାର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣମାଧ୍ୟମ ଲୋକମାନଙ୍କର ସ୍ୱର ହେଉ ବୋଲି କହିଥିଲେ। ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ଦେଇଥିବା ବେଳେ, ପ୍ରଜାତନ୍ତ୍ର ପ୍ରଚାର ସମିତିର ଟ୍ରଷ୍ଟି ଲୋକ ରଞ୍ଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିବା ପରେ ଆଜି ଶ୍ରୀ ଶାହା ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ପରେ କଟକ ଗସ୍ତରେ ଯାଇ ଓଡିଆ ବଜାରସ୍ଥିତ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଶ୍ରୀ ଶାହା ଲିଙ୍ଗରାଜଙ୍କୁ ଦର୍ଶନ କରି, ପବିତ୍ର ଶ୍ରାବଣ ମାସରେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ମହାଦେବଙ୍କ ଦର୍ଶନ ଲାଭ କରି ଅତ୍ୟନ୍ତ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ।

ଏହି ମନ୍ଦିର ହେଉଛି ଭାରତୀୟ ସଂସ୍କୃତିର ଏକ ଐତିହାସିକ ସ୍ଥଳୀ, ଯେଉଁଥିରେ ପ୍ରତ୍ୟେକଟି ଶିଳା ଉପରେ ନିର୍ମିତ କଳାକାରୀ ପ୍ରାଚୀନ ଭାରତୀୟ କାରିଗରୀର ଅଦ୍ଭୂତ ଚମତ୍କାରକୁ ବହନ କରୁଛି।

କଟକ ଠାରେ ଓଡ଼ିଶାର ଅଗ୍ରଣୀ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେଯେ, “ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ସ୍ଵାଧୀନତା ପରେ ଅନେକ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହୋଇଥଲେ ଏବଂ ପ୍ରଜାତନ୍ତ୍ରର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରି ଓଡ଼ିଶାବାସୀଙ୍କ ପାଇଁ ଗୌରବ ଆଣିଥିଲେ।

ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ପ୍ରଜାତନ୍ତ୍ର’ ୭୫ବର୍ଷ ଧରି ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସୁଛି।

ସର୍ଦ୍ଦାର ପଟେଲ ଏଠାରେ ଥିବା ସମସ୍ତ ଗଡ଼ଜାତ ରାଜ୍ୟଙ୍କୁ ଭାରତୀୟ ସଂଘରେ ଯୋଡ଼ିବାର ଦାୟିତ୍ଵ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଦେଇଥିଲେ।

ଡ. ମହତାବ ଏହା ବିଶ୍ୱାସ କରୁଥିଲେ ଯେ ସାଂସ୍କୃତିକ ବିକାଶ ବିନା କୌଣସି ଦେଶ ମହାନ ହୋଇପାରିବ ନାହିଁ। ଉତ୍କଳ ତ ସାଂସ୍କୃତିକ ଐତିହ୍ୟରେ ଧନୀ। ଏହାର ଭାଷା, ସଙ୍ଗୀତ, କଳା ଓ ସାହିତ୍ୟ ଉତ୍କୃଷ୍ଟ।”

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ନିଜ ସମ୍ବୋଧନରେ ପ୍ରକାଶ କରିଥିଲେଯେ, ଉତ୍କଳ ପ୍ରଦେଶ ତଥା ସମଗ୍ର ଭାରତ ପାଇଁ ଏହା ଏକ ଗର୍ବର ବିଷୟ ଯେ ଏକ ଗରିବ ଆଦିବାସୀ ପରିବାରରୁ ଆସିଥିବା ଦ୍ରୌପଦୀ ମୁର୍ମୁ ମହାଶୟା ଆଜି ଦେଶର ମହାମହିମ ରାଷ୍ଟ୍ରପତି ହୋଇଛନ୍ତି, ଏଥିପାଇଁ ମୁଁ ଉତ୍କଳବାସୀଙ୍କୁ ଅଭିନନ୍ଦନ ଜଣାଉଛି।

ଦେଶର ରାଷ୍ଟ୍ରପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରେଳ ମନ୍ତ୍ରୀ, ଜନଜାତି ବ୍ୟାପାର ରାଜ୍ୟ ମନ୍ତ୍ରୀ ସମସ୍ତେ ଓଡ଼ିଶାର। ସ୍ଵାଧୀନତା ପରେ ଆଜି ପର୍ଯ୍ୟନ୍ତ ଓଡ଼ିଶା ଏତେ ପ୍ରତିନିଧିତ୍ଵ ପାଇନାହିଁ। ମୋଦୀ ଜୀ ଙ୍କ ନେତୃତ୍ୱରେ ଆମେ ରାଜ୍ୟର ସରକାରଙ୍କୁ ନେଇ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.