Home Top News ପଦ୍ମପୁର ଉପନିର୍ବାଚନ : ଦଳ ଭିତରେ ବିଭୀଷଣ

ପଦ୍ମପୁର ଉପନିର୍ବାଚନ : ଦଳ ଭିତରେ ବିଭୀଷଣ

94

ଆସନ୍ତା ଡ଼ିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପଦ୍ମପୁର ଉପ ନିର୍ବାଚନ। ୮ ତାରିଖରେ ଭୋଟ ଗଣତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ସବୁ ଦଳ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ। ଏହା ପୂର୍ବରୁ ଧାମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ବାଜି ମାତ କରିବା ପରେ ଏହାର ଆତ୍ମବିଶ୍ୱାସ ମାତ୍ରାଧିକ ଭାବରେ ବୃଦ୍ଧି ପାଇଛି। ୨୦୦୦ ମସିହାରୁ ଶାସନ କ୍ଷମତାରେ ରହି ଆସିଥିବା ବିଜେଡ଼ି ଦ୍ୱିତୀୟ ଥର ପାଇଁ କୌଣସି ଉପନିର୍ବାଚନରେ ପରାସ୍ତ ହେଲା। ତେଣୁ ଏହି ନିର୍ବାଚନକୁ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। କାରଣ ଏଥିରେ ଯଦି କିଛି ଗୋଳମାଳ ହୁଏ ତେବେ ସ୍ପଷ୍ଟ ମେସେଜ ସାରା ରାଜ୍ୟକୁ ଯିବ ଯେ, ବିଜେଡ଼ି ପ୍ରତି ଆଉ ରାଜ୍ୟବାସୀଙ୍କ ଆଗ୍ରହ ନାହିଁ। ସେଥିପାଇଁ ଏହି ନିର୍ବାଚନ ପ୍ରଚାର ମଇଦାନକୁ ଖୋଦ୍ ସୁପ୍ରିମୋ ଓହ୍ଲାଇବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି। ଆଉ ଭର୍ଚୁଆଲ ଚଳିବ ନାହିଁ।

ଧାମନଗର ପରି ବିଜେପି ପଦ୍ମପୁରରେ ମଧ୍ୟ ସମାନ ରଣନୀତି ଆପଣାଉଛି। ଡୋର ଟୁ ଡୋର କ୍ୟାମ୍ପେନ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଓଡ଼ିଶା ପ୍ରଭାରୀ ସୁନିଲ ବଂଶଲ ନିଜେ ପଦ୍ମପୁରରେ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରୁଛନ୍ତି। ଦଳୀୟ ସଭା ସମିତି ମଧ୍ୟ ଚାଲିଛି। ରାଜ୍ୟସ୍ତରୀୟ ନେତାମାନେ ଏହାକୁ ସୂଚାରୁ ରୂପେ ପରିଚାଳନା କରୁଛନ୍ତି। ଆଗାମୀ ଦିନରେ କେନ୍ଦ୍ରୀୟ ମନ୍ତ୍ରୀମାନେ ଆସି ପ୍ରଚାର କାର୍ଯ୍ୟରେ ଯୋଗ ଦେବେ।

କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ନିର୍ବାଚନ ପରିଚାଳନା କରୁଛି। ଏଥର ପ୍ରାର୍ଥୀ ହୋଇଥିବା ସତ୍ୟଭୁଷଣ ସାହୁ ଗତ ନିର୍ବାଚନରେ ୩୨ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇଥିଲେ। ତେଣୁ ସତ୍ୟଭୁଷଣଙ୍କ ଭୋଟ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଶାସକ ବିଜେଡ଼ି ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନରେ ସବା ଆଗରେ ଅଛି। କାରଣ ଏହି ଆସନ ବିଜେଡ଼ି ହାତରେ ହିଁ ଥିଲା। ସ୍ୱର୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଦଳ ପ୍ରାର୍ଥୀ କରିଛି। ସହାନଭୁତି ଭୋଟ ହାତେଇବା ଲକ୍ଷ୍ୟରେ ଦଳ। ମାତ୍ର ଦଳ ଏଥିରେ କେତେ ଦୂର ସଫଳ ହେବ ତାହା ଆକଳନ କରିବା ମୁସ୍କିଲ। ଭୋଟର ଏବେ ଠାରୁ କହିଲେଣି ବିବାହିତ ଝିଅ। ବାହା ହୋଇଛି ପୁରୀ ଜିଲ୍ଲାରେ। ତେଣୁ ଅଂଚଳ କଥା ବୁଝିବାକୁ ଆସିବ ତ ? ବାକି ଦୁଇ ଦଳର ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା। ଏହାବାଦ୍ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ କନ୍ଦଳର ମାତ୍ରା ଏତେ ଘନୀଭୁତ ହୋଇ ସାରିଲାଣି ଯେ, ପଦ୍ମପୁରରେ ତାହାର ପ୍ରଭାବ କାଳେ ପଡ଼ିଯିବ ତେଣୁ ଅଧିକାଂଶ ନେତା ଏହି ଆଶଙ୍କାରେ ଅଛନ୍ତି। ଏହି ଆଭ୍ୟନ୍ତରୀଣ କନ୍ଦଳର ଫାଇଦା ବିଜେପି ନେଇ ପାରେ ବୋଲି ଅନ୍ଦର ମହଲରେ ଚର୍ଚ୍ଚା। ବିଜେଡ଼ିର ଅନେକ ଅସନ୍ତୁଷ୍ଟ ନେତା ଗତ କିଛି ଦିନ ହେଲା ବିଜେପିର ଜଣେ କେନ୍ଦ୍ରୀୟ ନେତାଙ୍କ ସଂସ୍ପର୍ଶରେ ଗଭୀର ଭାବରେ ରହିଛନ୍ତି। ଦଳର ଆଭ୍ୟନ୍ତରୀଣ ରଣକୌଶଳ ଏହି ବିଜେପି ନେତାଙ୍କ ପାଖରେ ପହଁଚୁଛି। ଏହାର ଆଭାସ ଧାମନଗର ନିର୍ବାଚନ ସମୟରେ ବିଜେଡ଼ି କୋଟରୀ ଗୃପ ହୃଦୟଙ୍ଗମ କରି ସାରିଛି। ମାତ୍ର ପ୍ରକୃତ ବିଭୀଷଣ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ସୂଚନା ଯାହା ହସ୍ତଗତ ହୋଇଛି ଏହି ବିଭୀଷଣମାନେ ଏବେ ପଦ୍ମପୁର ବିଜେଡ଼ି କ୍ୟାମ୍ପରେ। ଆଉ କିଛି ଅସନ୍ତୁଷ୍ଟ ନେତା ଭୁବନେଶ୍ୱରରେ ରହି ଦଳ ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ନିର୍ବାଚନ ଫଳାଫଳ ଯଦି କିଛି ଓଲଟା ହୁଏ ଏହି ଅସନ୍ତୁଷ୍ଟମାନେ ବିଜେପି କ୍ୟାମ୍ପକୁ ଖୋଲା ଖୋଲି ଭାବରେ ଡେଇଁବେ ବୋଲି ପ୍ରାକ୍ ପ୍ରସ୍ତୁତି ସରିଛି।

ତେଣୁ କେବଳ ଯେ ପ୍ରଚାର ଶୈଳୀ ନୁହେଁ, ଘର ସଜାଡ଼ିବା ଏବେ ବିଜେଡ଼ିର ପ୍ରମୁଖ ରଣନୀତି ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି। ନହେଲେ ଖୋଦ ସୁପ୍ରିମୋ ମଇଦାନକୁ ଓହ୍ଲାଇଲେ ମଧ୍ୟ କିଛି ଫଳ ହେବ ନାହିଁ। ଗତ ୨୦୧୯ ଫଳାଫଳକୁ ଦେଖିଲେ ପଦ୍ମପୁରରେ ବିଜେଡ଼ି ସେତେଟା ବୃହତ ବ୍ୟବଧାନରେ ଜିତି ନଥିଲା। ତେଣୁ ଏଥର ଉପନିର୍ବାଚନ ପାର ହେବା କାଠିକର ପାଠ ହେବ ଏଥିରେ ସନ୍ଦେହ ନାହିଁ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.