Home Top News ପଦ୍ମପୁର ଉପନିର୍ବାଚନ : ତିନି ଦଳ ପାଇଁ ଏସିଡ୍ ଟେଷ୍ଟ

ପଦ୍ମପୁର ଉପନିର୍ବାଚନ : ତିନି ଦଳ ପାଇଁ ଏସିଡ୍ ଟେଷ୍ଟ

72

ସାମାଜିକ ଗଣମାଧ୍ୟମ ଏବେ ଭୋଟରମାନଙ୍କୁ ମାତ୍ରାଧିକ ସଚେତନତା କରି ସାରିଲାଣି। ଅର୍ଥ ବଳ, ଶାସନକଳ, ବାହୁବଳ ତଥା ସହାନଭୁତି ଆଉ ନିର୍ବାଚନରେ କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ। ଏହା ପ୍ରମାଣିତ ସଦ୍ୟ ସମାପ୍ତ ହୋଇଥିବା ଧାମନଗର ଉପନିର୍ବାଚନରେ। ଧାମନଗର ଉପନିର୍ବାଚନରେ ଭୋଟରମାନେ ଜଣେ ସୁବକ୍ତା, ରାଜନୀତିରେ ପାରଙ୍ଗମ, ଯୁବ ଚେହେରାକୁ ଦେଖି ତାଙ୍କ ପ୍ରତିନିଧି ଭାବରେ ମନୋନୀତ କଲେ। ସୁରଜ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ସମବେଦନା ଭୋଟ ଥିଲା ମାତ୍ର ତାଙ୍କ ବ୍ୟକ୍ତିତ୍ୱ ତାଙ୍କୁ ନିର୍ବାଚନ ବୈତରଣୀରେ ପାର କରାଇବାରେ ସହାୟକ ହୋଇଥିଲା।

ଆସନ୍ତା ଡ଼ିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପାଇଁ ଏହା ଜୀବନ ମରଣ ସମସ୍ୟା ସହିତ ସମାନ। ବିଜେପି ଧାମନଗର ଜିତି ଫ୍ରଂଟ୍ ଫୁଟରେ ଅଛି। ବିଜେଡ଼ି ପାଇଁ ଏହା କର ବା ମର ସଦୃଶ୍ୟ। କଂଗ୍ରେସ ପାଇଁ ଏହି ନିର୍ବାଚନ ୨୦୨୪ ପାଇଁ ଆତ୍ମବଳ ବୃଦ୍ଧି କରିବ। ଏହି ଉପନିର୍ବାଚନରେ ଜିତିବା ପାଇଁ ଶାସକ ବିଜେଡ଼ିକୁ କିଛିଟା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଦଳ ପାଇଁ ଏକ ପ୍ରମୁଖ ସମସ୍ୟା ହେଲା ପ୍ରାର୍ଥୀ ଚୟନ। ସ୍ୱର୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ଏବେ ପ୍ରାର୍ଥୀ ତାଲିକାରେ ସର୍ବାଗ୍ରେ ଅଛନ୍ତି। ମାତ୍ର ତାଙ୍କ ପ୍ରାର୍ଥୀତ୍ୱକୁ ପଦ୍ମପୁରବାସୀ ସହଜରେ ଗ୍ରହଣ କରିବେ ନାହିଁ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣା ପଡ଼ିଛି। ଗତ ଦୁଇ ବର୍ଷ ହେଲା ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀଯୁକ୍ତ ବରିହା ଜନସଂପର୍କ ଠାରୁ ସଂପୂର୍ଣ୍ଣ ଦୂରେଇ ହୋଇ ରହିଥିଲେ। ତାଙ୍କ ପତ୍ନୀ ରାଜନୀତିରେ ଅନଭିଜ୍ଞ। ସେଠାରେ ବିଜେପିକୁ ପ୍ରତିନିଧିତ୍ୱ କରୁଥିବା ପ୍ରଦୀପ ପୁରୋହିତ ଜନତାଙ୍କ ସହିତ ଜଡ଼ିତ ଅଛନ୍ତି। ସେ ଜଣେ ସୁବକ୍ତା, ଦକ୍ଷ ରାଜନେତା ତଥା ବିଜେପି କୃଷକ ସେଲ୍ ର ଅଧ୍ୟକ୍ଷ। ଗତ ନିର୍ବାଚନରେ ସେ ୭୭, ୫୬୫ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୩୮.୦୦ ପ୍ରତିଶତ। ବିଜେଡ଼ି ପ୍ରାର୍ଥୀ ବୀର ରଂଜନ ସିଂ ବରିହା ୮୩, ୨୯୯ ଖଣ୍ଡ ଭୋଟ ପାଇଥିଲେ। ତାଙ୍କଭୋଟ ପ୍ରତିଶତ ଥିଲଶ ୪୧ ପ୍ରତିଶତ। ତେଣୁ ଉପନିର୍ବାଚନରେ ବରିହାଙ୍କ ସ୍ତ୍ରୀ ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତଙ୍କ ପଲ୍ଲା ଭାରି ରହିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଦିନ ଧରି କଂଗ୍ରେସ ମଙ୍ଗ ସମ୍ଭାଳି ଥିବା ସତ୍ୟ ଭୁଷଣ ସାହୁଙ୍କ ସେଠାରେ ଭଲ ସଂଗଠନ ରହିଛି। ଗତ ୨୦୧୯ ନିର୍ବାଚନରେ ସେ ୩୨, ୭୮୭ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ଏଠାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ବିଭିନ୍ନ ମିଡ଼ିଆରେ ଆକଳନ କରାଯାଉଛି। ମାତ୍ର ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି ଯେ, ସତ୍ୟଭୁଷଣ ସାହୁଙ୍କୁ କଂଗ୍ରେସ ଏହି ନିର୍ବାଚନରେ ଟିକେଟ ଦେଉ ନାହିଁ। କୌଣସି ନୂଆ ମୁହଁକୁ ଟିକେଟ ଦେବ ଦଳ। ଏହା ଶାସକ ବିଜେଡ଼ି ପାଇଁ ଏକ ଶୁଭ ସମାଚାର। ତେଣୁ କଂଗ୍ରେସ ଭୋଟକୁ ସଠିକ ଢଙ୍ଗରେ ନିଜ ଆଡ଼କୁ ଆଣି ପାରିଲେ ବିଜେଡ଼ି ଅନାୟସରେ ଏହି ଆସନକୁ ପୁନର୍ବାର ଦଖଲ କରି ପାରିବ। ମାତ୍ର ଧାମନଗର ବିଜୟ ପରେ ବିଜେପି ସମାନ ରଣନୀତି ପଦ୍ମପୁରରେ ଆପଣେଇବ ବୋଲି ଅନ୍ଦର ମହଲରୁ ଜଣା ପଡ଼ିଛି। ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଫର୍ମୁଲା ଘରକୁ ଘର ନିର୍ବାଚନ ପ୍ରଚାର। ଯାହାକୁ କୁହାଯାଏ ଡୋର ଟୁ ଡୋର କ୍ୟାମ୍ପେନ। କୌଣସି ବଡ ରାଲି ହେବ ନାହିଁ। ଏହାର ସୁଫଳ ଦଳକୁ ମିଳିଥିଲା। ତେଣୁ ବିଜେପି ହାତରେ ଭଲ ପ୍ରାର୍ଥୀ ଓ ସୁଚିନ୍ତିତ ରଣକୌଶଳ ଯୋଗୁ ଦଳ ଏବେ ଆଗ ଧାଡ଼ିରେ ଅଛି।

ବିଜେଡ଼ିର ଅଧିକାଂଶ ବରିଷ୍ଠ ନେତା ଏବେ ପଦ୍ମପୁରରେ ଢେରା ପକାଇବା ଆରମ୍ଭ କଲେଣି। କାହାକୁ ପ୍ରାର୍ଥୀ କରିବେ ତାହା ଗୋଟିଏ ବଡ ପ୍ରଶ୍ନ ? ଧାମନଗର ନିର୍ବାଚନ ମଙ୍ଗୁଆଳ ଧରିଥିବା ପ୍ରଣବ ପ୍ରକାଶ ଦାସ ଆଣ୍ଡ କଂପାନୀଙ୍କୁ ଏହି ନିର୍ବାଚନ ଠାରୁ ଦୂରେଇ ରଖିବାକୁ ଦଳ ଏକ ପ୍ରକାର ନିଷ୍ପତି ନେଇଛି। ଯାହା ଜଣା ପଡ଼ିଛି ଆଉ ଅଭିନେତ୍ରୀ ରୁ ନେତ୍ରୀ ବନିଥିବା ମହିୟସୀ ମହିଳାଙ୍କୁ ମଧ୍ୟ ଦଳ ପଦ୍ମପୁର ପଠାଇବ ନାହିଁ। ପଦ୍ମପୁରରେ ଦଳ ଆଉ ରାଜନୈତିକ ପିକନିକକୁ ମଧ୍ୟ ପ୍ରଶୟ ଦେବ ନାହିଁ।

ତେଣୁ ବିଜେଡ଼ି ଯଦି ପ୍ରଦୀପ ପୁରୋହିତଙ୍କୁ ସମାନ ଟକ୍କର ଦେବା ପରି ପ୍ରାର୍ଥୀ ମଇଦାନକୁ ଛାଡ଼େ ତେବେ ଏହି ନିର୍ବାଚନ ଲଢେଇ ଘମାଘୋଟ ହେବ। ଯଦି ସହାନଭୁତିକୁ ପାଥେୟ କରି ବରିହାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଲା ତେବେ ଏହା ବୁମେରାଂ ହୋଇ ପାରେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.