Home Top News ଦ୍ୱିତୀୟ କ୍ଷମତା କେନ୍ଦ୍ର ହିଁ ପରାଜୟର ମୁଖ୍ୟ କାରଣ !

ଦ୍ୱିତୀୟ କ୍ଷମତା କେନ୍ଦ୍ର ହିଁ ପରାଜୟର ମୁଖ୍ୟ କାରଣ !

144

ତଥାକଥିତ ତୃତୀୟ ମହଲା ଦ୍ୱାରା ପରିଚାଳିତ କ୍ଷମତା କେନ୍ଦ୍ର ହିଁ ଧାମନଗର ବିଜେଡ଼ି ପରାଜୟର ମୁଖ୍ୟକାରଣ ବୋଲି ରାଜନୈତିକ ବିଶାରଦମାନେ ମତପୋଷଣ କରିଛନ୍ତି। ରାଜନୀତିର ଇତିହାସ ଜାଣି ନଥିବା ଅନଭିଜ୍ଞ ରାଜନେତା ଓ ରାଜନେତ୍ରୀଙ୍କ ହାତରେ ନିର୍ବାଚନ ପରିଚାଳନା ଦ୍ୱାୟିତ୍ୱ ହସ୍ତାନ୍ତର କରିବା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଭୁଲ ନିଷ୍ପତି ବୋଲି ସାରା ରାଜ୍ୟରେ ଚର୍ଚ୍ଚା।

ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମାତ୍ରାଧିକ ଆତ୍ମବିଶ୍ୱାସର ପ୍ରଭାବ ସିଧାସଳଖ ଧାମନଗର ନିର୍ବାଚନ ଉପରେ ପଡ଼ିଲା। ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ସବୁଥିରେ ବିଜେଡ଼ି ଦୃଢ ଆତ୍ୱବିଶ୍ୱାସ ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ବିଜେଡ଼ିର ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ଅନଭିଜ୍ଞ ସାରଥିଗଣ ପରାଜୟର ମୁଖ୍ୟ ପୁରୋଧା ବୋଲି ବିଜେଡ଼ିର ସାଧାରଣ କର୍ମୀମାନେ ଆଜି ଖୁଲମଖୁଲା ମତପୋଷଣ କରୁଛନ୍ତି। ଏହି କ୍ଷମତାକେନ୍ଦ୍ରର ପ୍ରାର୍ଦୁଭାବ ଦଳ ଭିତରେ ଏତେ ପ୍ରଭାବଶାଳୀ ଥିଲା ଯେ ବିଜେଡ଼ିର ୭୦ ପ୍ରତିଶତ ସଚ୍ଚୋଟ କର୍ମୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ଯେ, ବିଜେଡ଼ି ଧାମନଗରରେ ହାରିଯାଉ। ଧାମନଗରର ବିଜେଡ଼ି ନେତା ରାଜେନ୍ଦ୍ର ଦାସ ଜଣେ ତୃଣମୂଳ ସ୍ତରର ନେତା ଥିଲେ। ଧାମନଗରର ବିଜେଡ଼ି କହିଲେ ରାଜେନ୍ଦ୍ର ଦାସ ହିଁ ବୁଝାଉଥିଲା। ପୂର୍ବରୁ ସେ ସେଠାକାର ବିଧାୟକ ଥିଲେ। ମାତ୍ର ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ବିଷ୍ଣୁ ଦାସଙ୍କ ଠାରୁ ଅଳ୍ପ ବ୍ୟବଧାନରେ ହାରିଥିଲେ। ସେବେଠାରୁ ତାଙ୍କୁ ଧାମନଗର ରାଜନୀତିରୁ ହଟାଇବା ପାଇଁ ବିଜେଡ଼ିର ଏହି ତଥାକଥିତ ଦ୍ୱିତୀୟ କ୍ଷମତା କେନ୍ଦ୍ର ଅଣ୍ଟା ଭିଡ଼ିଥିଲା। ମାତ୍ର ରାଜୁ ଦାସ ଦ୍ୱିତୀୟ କ୍ଷମତା କେନ୍ଦ୍ରର ଅଣ୍ଟା ଭାଙ୍ଗି ଦେବେ ବୋଲି ଏହି କ୍ଷମତା କେନ୍ଦ୍ର କଳ୍ପନା କରି ନଥିଲା। ଆଗାମୀ ଦିନରେ ଧାମନଗର ପରାଜୟ ଦଳ ପାଇଁ ଗୋଟିଏ ମସ୍ତବଡ ଚାଲେଞ୍ଜ ଆଣି ଛିଡା କରାଇଲା। ଆସନ୍ତା ନିର୍ବାଚନରେ ଏକାଧିକ ରାଜୁ ଦାସ ୧୪୭ ନିର୍ବାଚନ ମଣ୍ଡଳୀରେ ଛିଡା ହେବେ। କାରଣ ପ୍ରତି ନିର୍ବାଚନମଣ୍ଡଳୀରେ କର୍ମୀ ଓ ଭୋଟରମାନେ ଜାଣି ସାରିଲେଣି ଦଳ ଆଉ ତାଙ୍କ ପ୍ରିୟ ନେତା ନବୀନ ବାବୁଙ୍କ ହାତରେ ନାହିଁ। ତୃତୀୟ ମହଲା ଓ ଦ୍ୱିତୀୟ କ୍ଷମତା କେନ୍ଦ୍ର ଦ୍ୱାରା ଦଳ ପରିଚାଳିତ। ଓଡ଼ିଆ ଚଳଚିତ୍ର ଜଗତର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ଅଭିନେତା ଓ ଅଭିନେତ୍ରୀ ଆଜି ବିଜେଡ଼ିର ସର୍ବେସର୍ବା। ବାହାର ଦଳରୁ ଆମଦାନୀ ହୋଇଥିବା ନେତ୍ରୀମାନେ ଏବେ ଦଳର ମୁଖ୍ୟ ସାରଥି। ତେଣୁ ଓଡ଼ିଶାବାସୀଙ୍କ ମନରେ ବିଜେଡ଼ି ପ୍ରେମ ପାଣଚିଆ ହେଲାଣି ତାହା ଆଜି ସ୍ପଷ୍ଟ ପ୍ରମାଣିତ ହୋଇଛି ଧାମନଗର ଉପନିର୍ବାଚନରୁ। ନିର୍ବାଚନ ପରେ ବିଜେଡ଼ିର କିଛି କଥାକୁହା କପିଳା ନେତା ଟିଭି ଡ଼ିବେଟରେ ବସି ଭାଷଣ ମାରୁଛନ୍ତି। ଧାମନଗର ବିଜେପି ସିଟ ଥିଲା। ଆମେ ସ୍ୱର୍ଗତ ବିଷ୍ଣୁ ବାବୁଙ୍କୁ ସମ୍ମାନ୍ନ ଜଣାଇ ବିଜୟ ପାଇଁ ଏତେଟା ଗୁରୁତ୍ୱ ଦେଇନଥିଲୁ। ସେଥିପାଇଁ ଆମ ସୁପ୍ରିମୋ ନବୀନ ପଟ୍ଟନାୟକ ସିଧାସଳଖ ନିର୍ବାଚନ ପ୍ରଚାରରେ ଓହ୍ଲାଇ ନଥିଲେ। ନହେଲେ ଆମେ ଲାଗିଥିଲେ ଜିତିଥାନ୍ତୁ। ମାତ୍ର ଗତ ବର୍ଷ ସମାପ୍ତ ହୋଇଥିବା ବାଲେଶ୍ୱର ସଦର ଉପନିର୍ବାଚନ କଥା ସେମାନେ ଭୁଲି ଯାଉଛନ୍ତି। ସେହି ଆସନ ମଧ୍ୟ ବିଜେପି ହାତରେ ଥିଲା। ତାକୁ ହାତେଇବାରେ ବିଜେଡ଼ି ସକ୍ଷମ ହୋଇଥିଲା। ତେଣୁ ସବୁ ନିର୍ବାଚନ ପରି ଧାମନଗରରେ ମଧ୍ୟ ସରକାରୀ କଳ, ବଳ, ଧନ ସବୁ ଲଗାଇ ଦେଇଥିଲା ଦଳ। ମାତ୍ର ଅନଭିଜ୍ଞତା ହିଁ ପରାଜୟର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରୁଛନ୍ତି। ଏମାନଙ୍କ ମତରେ ଯଦି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ତୃତୀୟ ମହଲା ଓ ଦ୍ୱିତୀୟ କ୍ଷମତା କେନ୍ଦ୍ର ମୋହ ନ ଛାଡନ୍ତି ତେବେ ଆସନ୍ତା ୨୦୨୪ରେ ସେ ବିରୋଧି ଦଳ ଆସନରେ ବସିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.