Home ଜିଲ୍ଲା ପରିକ୍ରମା ଦେଶ ବଂଚିଲେ ଆମେ ବଂଚିବା, ଆମେ ବଂଚିଲେ ଦେଶ ବଂଚିବ -ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଏକତା ଦିବସ...

ଦେଶ ବଂଚିଲେ ଆମେ ବଂଚିବା, ଆମେ ବଂଚିଲେ ଦେଶ ବଂଚିବ -ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଏକତା ଦିବସ ପାଳନ ଓ ଶପଥ ପାଠ

9

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୌହମାନବ ଭାରତରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅକ୍ଟୋବର ୩୧ ତାରିଖକୁ ୨୦୧୪ ମସିହାରୁ ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଇ ଆସୁଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ ପାଇଁ ଗୁରୁବାର ଦିନ ସଂସ୍କୃତି ଭବନରେ ଭଦ୍ରକ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବାକୁ ଯାଇ କହିଥିଲେ ସଂକୀର୍ଣ୍ଣ ମାନସିକତା ନେଇ ଆମେ କେହି ବଂଚିବା ନାହିଁ । ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନୋତ୍ତର ଭାରତ ଗଠନରେ ସଫଳ ପୁରୁଷ ସର୍ଦ୍ଦାର ପଟେଲଙ୍କ ଏକତାର ରାହା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଦେଶ ପାଇଁ କାମ କରିବାକୁ ସେ ପରାମର୍ଶ ପ୍ରଦାନ କରିଥିଲେ । ଦେଶ ବଂଚିଲେ ଆମେ ବଂଚିବା ଶାନ୍ତିରେ ରହିବା ଓ ଆମେ ବଂଚିଲେ ଆମ ଦେଶ ବଂଚିବ ଅକ୍ଷୁର୍ଣ୍ଣ ରହିବ ବୋଲି ସେ ପ୍ରକାଶ କରିଥିଲେ । ମନରେ ଉଚ୍ଚ ଆଶା ପୋଷଣ କରିବା, ଆଶା ସମ୍ପାଦନ ପାଇଁ ସ୍ୱପ୍ନ ଦେଖିବା, ସ୍ୱପ୍ନ ଦେଖିଲେ ସାହସ ଜନ୍ମିବ ଓ ସାହାସୀ ହେଲେ ସ୍ୱପ୍ନ ପୂରଣ କରିପାରିବା ବୋଲି ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଏନ.ସି.ସି., ସ୍କାଉଟ, ଗାଇଡ଼ ଆଦି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଏନ୍‌.ସି.ସି. ଅଧିକାରୀ ସୁଦୀପ କୁମାର ସାହୁ ପ୍ରମୁଖ ,ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦୃଢ଼, ଅଖଣ୍ଡ ଭାରତ ପାଇଁ ଏକତା କେତେ ଜରୁରୀ, ବିବିଧତା ମଧ୍ୟରେ ଏକତାର ଭାରତୀୟ ଆଦର୍ଶ ସାରା ବିଶ୍ୱ ପାଇଁ କିପରି ଅନନ୍ୟ, ମୁଁ ରୁ ଏକତାର ସୃଷ୍ଟି ହେଲେ ଦେଶର ଏକତା ଆପେ ଆପେ ଗଢ଼ି ଉଠିବ ଆଦି ସମ୍ବନ୍ଧରେ ପ୍ରେରଣାପ୍ରଦ ବକ୍ତବ୍ୟ ରଖିଥିଲେ । ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ନିମନ୍ତେ ନିଜକୁ ସମର୍ପିତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ର ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବୋଦୟ ମଣ୍ଡଳର ଜିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହୀ, ଏନ୍‌.ସି.ସି. ଛାତ୍ର ତପନ କୁମାର ବଳ, ଭଦ୍ରକ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏସ୍‌.ବି.ଡ଼ି. ଇଂଟରନ୍ୟାସନାଲ ସ୍କୁଲ, ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍‌, ଗାଇଡ଼୍‌, ଏନ୍‌.ସି.ସି. ଛାତ୍ରଛାତ୍ରୀ, ଏନ୍‌.ସି.ସି. ସିନିୟର ନାଭାଲ ଓ ଆର୍ମି ୟୁନିଟ୍‌ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶପଥ ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.