Home ଓଡ଼ିଶା ତାଳଚେର-ବିମଳାଗଡ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ତାଳଚେର-ବିମଳାଗଡ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

75

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ତାଳଚେର-ବିମଳାଗଡ ରେଳପଥ ସଂଗ୍ରାମ ସମିତିର ନିଷ୍ପତ୍ତି ଅନୁଯାୟୀ ଗତକାଲି ଅନୁଷ୍ଠିତ ସଭା, ଶୋଭାଯାତ୍ରା ଓ ଧାରଣା ପରେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର, ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଳ ପ୍ରଭାନ କଲ୍ୟାଣଙ୍କୁ ତାଙ୍କ ଅଫିସରେ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଶିଘ୍ର ସମସ୍ତ ଜମି ପୂର୍ବତଟ ରେଳପଥକୁ ଯୋଗାଇ ଦେବାକୁ ସ୍ମାରକପତ୍ରରେ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରାଯାଇଛି। ଏ ବିଷୟରେ ଆଲୋଚନା କରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ, ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ, ତାଳଚେର ବିମଳାଗଡ ରେଳପଥ ସଂଗ୍ରାମ ସମିତିର କର୍ମକର୍ତ୍ତା ସର୍ବଶ୍ରୀ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ବିଷ୍ଣୁ ମହାନ୍ତି, ହରିହର ରାଉତରାୟ, ବିମାନ ମାଇତି, ଜାହାଙ୍ଗିର ଅଲ୍ଲୀ, ସୁରେନ୍ଦ୍ର ଦାସ, ପ୍ରମୋଦ ମହାନ୍ତି, ଦିଲୀପ କୁମାର ସାହୁ ଜିଲ୍ଲାପାଳଙ୍କୁ ଭେଟି ଏହି ରେଳପଥର ଆନ୍ଦୋଳନର ଇତିହାସ ସହିତ, ବର୍ତ୍ତମାନର ସ୍ଥିତି ବିଶଦ ଭାବରେ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ, ୬୬୭ ଏକର ଜଙ୍ଗଲ ଜମି ଓ ଏହାର ପରିବେଶ ମଞ୍ଜୁରୀ ମିଳି ଯାଇଥିବା ପ୍ରକାଶ କରିବା ସଙ୍ଗେ ସଙ୍ଗେ, ସରକାରଙ୍କ ଅଧୀନରେ ଥିବା ୪୨୨ ଏକର ଜମି ପୂର୍ବତଟ ରେଳପଥକୁ ହସ୍ତାନ୍ତର କରାଗଲେ, ରେଳବାଇ ପକ୍ଷରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ଘରୋଇ ଜମି ଅଧିଗ୍ରହଣ ପାଇଁ କେତେକ ପଦକ୍ଷେପ ନିଆଯାଇଛି, ଅବଶିଷ୍ଟ ପ୍ରକ୍ରିୟା ଶେଷ କରିବାର ଆବଶ୍ୟକତା ମଧ୍ୟ ରହିଛି। ଜମି ଯୋଗାଇ ଦିଆ ଯାଉ ନ ଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ପ୍ରତିନିଧିମାନେ ଘୋର ପ୍ରତିକ୍ରୀୟା ପ୍ରକାଶ କରିଥିଲେ। ଜିଲ୍ଲାପାଳ ଶ୍ରୀ କଲ୍ୟାଣ କହିଲେ ଯେ ସେ ଦୁଇ ମାସ ତଳେ, ଏହି ଜିଲ୍ଲାକୁ ଆସିଛନ୍ତି। ଆପଣମାନଙ୍କର ସମସ୍ତ ଚିଠି ମିଳିଛି ଓ ଆପଣମାନଙ୍କର ଉଦ୍ ବେଗ ଉପଲବ୍ଧô କରୁଛୁ। ଏହି ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାରେ କୌଣସି ଅବହେଳା କରାଯିବ ନାହିଁ। ସରକାରଙ୍କ ଅନୁମତି କ୍ରମେ, ଜଣେ ଅଭିଜ୍ଞ ଉଚ୍ଚପଦସ୍ଥ ଅଧିକାରୀ, ଯାହାଙ୍କର ଜମି ଅଧିଗ୍ରହଣର ବହୁ ଦିନର ଅଭିଜ୍ଞତା ଅଛି, ସେମିତି ଜଣେ ଅଫିସର ଜୁଲାଇ ପହିଲାରୁ ସୁନ୍ଦରଗଡରେ ଯୋଗ ଦେଇ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାର, ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ମୋ’ ସହିତ ଏ ସଂପର୍କରେ ସେ ବିସ୍ତୃତ ଆଲୋଚନା କରିଛନ୍ତି, ଏହି ରେଳପଥ ପାଇଁ ଏହି ଦୁଇ ଜିଲ୍ଲାର ଆବଶ୍ୟକ ସମସ୍ତ ଜମି, ୬ ମାସ ମଧ୍ୟରେ ପୂର୍ବତଟ ରେଳପଥକୁ ଯୋଗଇ ଦିଆଯାଇ ପାରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଅଶୋକ କୁମାର ସିଂହଙ୍କୁ ତାଙ୍କ ଅଫିସରେ ଭେଟି ଆଲୋଚନା କାଳରେ, ସେ ମଧ୍ୟ କହିଥିଲେ ଯେ ଆସନ୍ତା ୬ ମାସ ମଧ୍ୟରେ ରେଳବାଇକୁ ସମସ୍ତ ଜମି ଯୋଗାଇ ଦିଆଯିବ। ପୂର୍ବତଟ ରେଳପଥ ପକ୍ଷରୁ ଅନୁଗୋଳଠାରେ ତାଳଚେର ବିମଳାଗଡ ରେଳପଥ ପ୍ରକଳ୍ପ କାର୍ଯ୍ୟ ପାଇଁ ଜଣେ ନିର୍ମାଣ ଅଫିସର ଦାୟିତ୍ୱରେ ଡେପୁଟି ଚିଫ୍ ଇଂଜିନିୟର ଭାବେ ଶ୍ରୀ ସୁରେନ୍ଦ୍ର ତରାଇ ଯୋଗ ଦେଇଛନ୍ତି। ସେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଆଗ୍ରହୀ। ତେଣୁ କେଉଁ ଗ୍ରାମ ବା ଅଞ୍ଚଳରେ ଜମି ଅଭାବରୁ ନିର୍ମାଣ କାର୍ଯ୍ୟରେ ବ୍ୟାଘାତ ଘଟୁଛି, ତାହାକୁ ଚିହ୍ନଟ କରି ପ୍ରଥମେ ସେ ଜମି ଯୋଗାଇ ଦେବାକୁ ଚେଷ୍ଟା ଚାଲିଛି।ବିମଳାଗଡଠାରେ ପୂର୍ବତଟ ରେଳପଥ, ଏକ ନିର୍ମାଣ ଅଫିସ୍ କରିବାକୁ ଚାହୁଁ ଥିବାରୁ ଗୋଟିଏ ସ୍ଥାନରେ ୫ ଏକର ଜମି ଚିହ୍ନଟ କରି ଯୋଗାଇ ଦେବାକୁ ଚେଷ୍ଟା କରୁଛି। ସରକାରଙ୍କ ଅଧୀନରେ ଥିବା ସରକାରୀ ଜମି ଗୋଚର ହୋଇଥିଲେ, ତାହାର କିସମ ପରିବର୍ତ୍ତନ କରି ନିୟମାନୁଯାୟୀ ବ୍ୟବସ୍ଥା କରାଯିବ। ଜନସାଧାରଣ ଓ ବିଶେଷ କରି ବଣାଇବାସୀଙ୍କ ସହଯୋଗ ଓ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗ ନିହାତି ଆବଶ୍ୟକ ପଡିବ ବୋଲି ସେ ସୂଚାଇ ଦେଇଥିଲେ। ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା କହିଥିଲେ ଯେ ଗତକାଲି ବିମଳାଗଡଠାରେ ଆମର ସଭା, ବିକ୍ଷୋଭରେ ସେ ଅଞ୍ଚଳର ସମସ୍ତ ସରପଞ୍ଚ ଯୋଗ ଦେଇ, ଏହି ରେଳପଥକୁ ଶିଘ୍ର ଶେଷ କରିବାକୁ ଦାବି କରିଥିଲେ, ତେଣୁ ଜମି ଅଧିଗ୍ରହଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ଅନୁଭବ କରଛନ୍ତିି। ଶେଷରେ ସଂଗ୍ରାମ ସମିତିର ସଭାପତି ଶ୍ରୀ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ଜିଲ୍ଲାପାଳ ଧୈର୍ଯ୍ୟର ସହ ସମସ୍ୟା ଶୁଣି ସମାଧାନ କରିବାକୁ ଏବଂ ୬ ମାସ ମଧ୍ୟରେ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ, ସେଥିପାଇଁ ସେ ଉଭୟଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.