Home ଜିଲ୍ଲା ପରିକ୍ରମା ଡିସେମ୍ବର ୨୯ରୁ ଧାନକିଣା ଆରମ୍ଭ, ମଣ୍ଡିର ଭିତ୍ତିଭୂମି ଓ ସର୍ବନିମ୍ନ ସୁବିଧା ଉପଲବ୍‌ଧ ଉପରେ ପ୍ରାଧାନ୍ୟ...

ଡିସେମ୍ବର ୨୯ରୁ ଧାନକିଣା ଆରମ୍ଭ, ମଣ୍ଡିର ଭିତ୍ତିଭୂମି ଓ ସର୍ବନିମ୍ନ ସୁବିଧା ଉପଲବ୍‌ଧ ଉପରେ ପ୍ରାଧାନ୍ୟ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

25

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖରିଫ୍ ବର୍ଷ ୨୦୨୩-୨୪ ପାଇଁ ସରକାରୀ ଧାର୍ଯ୍ୟ ଦରରେ ଚାଷୀଙ୍କ ଠାରୁ ଧାନକ୍ରୟ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଂଯୋଜନାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ-ତଥା-ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଭଦ୍ରକ ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବିଧାୟକଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ୍‌, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଧାନକ୍ରୟ ବ୍ୟବସ୍ଥା ପରିଚାଳନା ସମ୍ବନ୍ଧରେ ମତାମତ ପ୍ରକାଶ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ଦ୍ୱାରା ଗତ ଓ ଆଗତ ଖରିଫ ବର୍ଷର ଧାନ ସଂଗ୍ରହ ବ୍ୟବସ୍ଥା ପରିଚାଳନା ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ ପରେ ଧାନ ସଂଗ୍ରହ ନେଇ ଧାର୍ଯ୍ୟଲକ୍ଷ୍ୟ, ଧାନର ମାନ ନିର୍ଦ୍ଧାରଣ, ମଣ୍ଡିରେ ଶୌଚାଳୟ, ପାନୀୟଜଳ, ଗୋଦାମ ଗୃହ, ବିଶ୍ରାମସ୍ଥଳ, ଧାନ ପ୍ୟାକିଂ ଓ ଲୋଡ଼ିଂ, ମିଲର ବ୍ୟବସ୍ଥା, ଧାନକ୍ରୟ ଏଜେନ୍‌ସି ପାକସ ଓ ଏସ୍‌.ଏଚ୍‌.ଜି ଆଦି ସଂପୃକ୍ତ ସମସ୍ତ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଜନ ପ୍ରତିନିଧିମାନେ ମତାମତ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ କି ଗତବର୍ଷ ଧାନ କ୍ରୟ ପାଇଁ ନିୟୋଜିତ ୫୪ଟି ଏସ୍‌.ଏଚ୍‌.ଜି. ଓ ୧୦୧ଟି ପାକସ୍ ସମୁଦାୟ ୧୫୫ଟି ଧାନକ୍ରୟ କେନ୍ଦ୍ର ଏବର୍ଷ ପାଇଁ ମଧ୍ୟ କାର୍ଯ୍ୟକରିବେ ।

ପରେ ଏ ସଂଖ୍ୟା ପରିବର୍ତ୍ତିତ ହୋଇପାରେ । ମଣ୍ଡିରୁ ଧାନ ଉଠାଇ ଚାଉଳ ଦେବା ପାଇଁ ଗତବର୍ଷ ଭଦ୍ରକ ଜିଲ୍ଲାରୁ ୨୦ଟି ଓ ଜିଲ୍ଲା ବାହାରୁ ୧୮ଟି ସମୁଦାୟ ୩୮ଜଣ ମିଲର ଥିବାବେଳେ ଏ ବର୍ଷ ଜିଲ୍ଲାର ୨୧ କିଣ ମିଲରଙ୍କୁ ଦାୟିତ୍ୱ ଦିଆଯିବା ସହ ସହ ଜିଲ୍ଲା ବାହାରୁ ୨୫ ମିଲରଙ୍କୁ ନିଯୁକ୍ତି ପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଅଛି । ଧାନ ବିକ୍ରୟ ପାଇଁ ଗତ ବର୍ଷ ୯୦,୫୨୩ ଚାଷୀ ନାମ ପଞ୍ଜିକରଣ କରିଥିବାବେଳେ ଏ ବର୍ଷ ୮୩, ୮୬୭ ଜଣ ପଞ୍ଜିକୃତ ହୋଇଛନ୍ତି । ଏଥିପାଇଁ ସାଟେଲାଇଟ୍ ତଦନ୍ତ ବ୍ୟତୀତ ଜମି ଓ ବ୍ୟାଙ୍କ ଆକାଉଣ୍ଟ ତଦନ୍ତ କାର୍ଯ୍ୟ ଶେଷ ହୋଇଛି । ନୂତନ ପ୍ୟାକସ୍ ଓ ବାଦ୍ ପଡ଼ୁଥିବା ଯୋଗ୍ୟ ଏସ୍‌.ଏଚ୍‌.ଜି ମାନଙ୍କୁ ଧାନକ୍ରୟ ପାଇଁ ସୁଯୋଗ ଦେବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ଧାନ ବିକ୍ରୟକରି ଠିକ୍ ସମୟରେ ଠିକ୍ ମୂଲ୍ୟ ପାଇବା, ଧାନ ବିକ୍ରିପାଇଁ ହଇରାଣ ନହେବା ଦିଗରେ ବ୍ୟାବସାୟୀକୁ ନୁହେଁ ଚାଷୀକୁ ସୁରକ୍ଷା ଦିଆଯାଉ ବୋଲି ମତ ପ୍ରକାଶ ଯାଇଥିଲା । ଚାଷୀ ମାନଙ୍କ ପ୍ରତିନିଧି ହିସାବରେ ବନ୍ତ ଅଞ୍ଚଳର କୃଷକ ନୃସିଂହ ଚରଣ ପରିଡ଼ା ମଣ୍ଡିରେ ଚାଷୀମାନଙ୍କ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ । ପ୍ରଶାସନ ଭଳି ମିଲରମାନେ ବି ଚାଷୀ ପ୍ରତି ଦରଦୀ ହେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଆବଶ୍ୟକ ଅନୁଯାୟୀ ଧାନକିଣା କେନ୍ଦ୍ରକୁ ଟାରଗେଟ୍ ହେବା, ଟୋକନ୍ ଲାପସ୍ ସମସ୍ୟା ଏଡ଼ାଇବା ପାଇଁ ସଠିକ ସମୟରେ ମଣ୍ଡିରୁ ଧାନ ଉଠାଇବା ଦିଗରେ ଧ୍ୟାନ ଦେଲେ କୌଣସି ସମସ୍ୟା ରହିବ ନାହିଁ ବୋଲି ସେ କହିଥିଲେ । ଧାନ କିଣା ପାଇଁ କେବଳ ଝୋଟ ବ୍ୟାଗ ବ୍ୟବହାର କରାଯିବ । ଏହା ମିଲର ମାନଙ୍କ ଦ୍ୱାରା ଯୋଗାଇ ଦିଆଯିବ । କୌଣସି ପ୍ରକାରେ ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ଧାନ ଗ୍ରହଣ କରାଯିବ ନାହିଁ । ଧାନକିଣା ଦିଗରେ ଯେ କୌଣସି ସମସ୍ୟା ପାଇଁ ନିଶୁଳ୍କ ନଂ ୧୯୬୭ରେ ଯୋଗାଯୋଗ କରିହେବ । ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଆକାଉଣ୍ଟ ଜରିଆରେ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ । ଚଳିତ ବର୍ଷ ପାଇଁ ସାଧାରଣ ଏଫ୍‌.ଏ.କ୍ୟୁ ମାନର ଧାନ କ୍ୱିଣ୍ଟାଲ ପ୍ରତି ୨୧୮୩ ଟଙ୍କାରେ କ୍ରୟ କରାଯିବ ।

ଆଗାମୀ ଡିସେମ୍ବର ୨୯ ରୁ ମଣ୍ଡିରେ ଏହି ସରକାରୀ ଧାର୍ଯ୍ୟ ଦରରେ ଧାନ କିଣାଯିବା ନେଇ ସର୍ବସମ୍ମତି କ୍ରମେ ବୈଠକରେ ଦିନ ଧାର୍ଯ୍ୟ କରାଯାଇଥିଲା । ପ୍ରକାଶ ଥାଉକି ଚଳିତ ବର୍ଷ ପାଇଁ ଅଦ୍ୟାବଧି ୨୩ ଲକ୍ଷ ୫୨ ହଜାର ୩୫୨ କ୍ୱିଣ୍ଟାଲ ୯୪ କି.ଗ୍ରା. ଧାନକ୍ରୟ ପାଇଁ ଧାର୍ଯ୍ୟଲକ୍ଷ୍ୟ ମିଳିଛି । ଗତବର୍ଷ ଧାନକ୍ରୟ ପାଇଁ ୨୮ ଲକ୍ଷ ୪ ହଜାର ୯୧୦ କ୍ୱି. ୧୭ କି.ଗ୍ରା. ଧାର୍ଯ୍ୟଲକ୍ଷ୍ୟ ଥିଲା ବେଳେ ୨୬ ଲକ୍ଷ ୪୭ ହଜାର ୪୪୦ କ୍ୱି ୭୨ କି.ଗ୍ରା.ଧାନ କ୍ରୟ କରାଯାଇଥିଲା ଏବଂ ୧୮ ହଜାର ୨୬୦ କ୍ୱି. ଚାଉଳ ମିଳିଥିଲା । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତବର୍ଷ ଧାନକ୍ରୟ କ୍ଷେତ୍ରରେ ଗଦି, ଗୁଆମାଳ ଭଳି କାଁଭାଁ କେତୋଟି ସମସ୍ୟାକୁ ଛାଡ଼ିଦେଲେ ସାମଗ୍ରୀକ ଭାବେ ସୁରୁଖୁରୁରେ ଶୃଙ୍ଖଳିତ ଭାବେ ଧାନକିଣା କାର୍ଯ୍ୟ ହୋଇଥିବାରୁ ବୈଠକରେ ମଞ୍ଚାସୀନ ସମସ୍ତ ଜନପ୍ରତିନିଧିମାନେ ସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଚଳିତ ବର୍ଷ ମଧ୍ୟ ସମସ୍ତ ବ୍ୟବସ୍ଥା ସଠିକ୍ ଭାବେ ସମ୍ପାଦିତ ହେବା ନେଇ ସମସ୍ତଙ୍କ ସହଯୋଗ ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଡି.ଆର.ସି.ଏସ୍‌., ସେକ୍ରେଟେରୀ ଆର.ଏମ୍‌.ସି., ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.