ad
ଓଡ଼ିଶା

ଚକ୍ଷୁଦାନ ଏକ ସାମାଜିକ ଦାୟିତ୍ୱ

ଡ଼ ପରେଶ ଚନ୍ଦ୍ର ଦାନୀ

(ଚକ୍ଷୁଦାନ ପକ୍ଷ ପାଳନ ଉପଲକ୍ଷେ ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୮ ତାରିଖ)
ଇନ୍ଦ୍ରିୟମାନଙ୍କ ମଧ୍ୟରେ ଚକ୍ଷୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଚକ୍ଷୁବିନା ମନୁଷ୍ୟ ଜୀବନ ଅନ୍ଧକାରମୟ। ପରିତାପର ବିଷୟ ଭାରତରେ ଦୃଷ୍ଟିହୀନମାନଙ୍କ ସଂଖ୍ୟା ସର୍ବାଧିକ। ପୃଥିବୀର ଚାରିଭାଗରୁ ଏକଭାଗ ଦୃଷ୍ଟିବାଧିତ ଭାରତରେ ଅଛନ୍ତି। ବର୍ତ୍ତମାନ ଆମଦେଶରେ ଦୃଷ୍ଟିହୀନମାନଙ୍କ ସଂଖ୍ୟା ହେଉଛି ପ୍ରାୟ ଏକକୋଟି ୩୫ ଲକ୍ଷ। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଲକ୍ଷ ଦୃଷ୍ଟିହୀନ ସ୍ୱଚ୍ଛପଟଳ ଅନ୍ଧତ୍ୱ (ଉକ୍ଟକ୍ସଦ୍ଭରବକ୍ଷ ଈକ୍ଷସଦ୍ଭୟଦ୍ଭରଗ୍ଦଗ୍ଦ) ରେ ପିଡ଼ୀତ। ପୁଣି ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ଭାଗ ଦୃଷ୍ଟିହୀନ ହେଉଛନ୍ତି ନାବାଳକ ବା ଶିଶୁ। ଏମାନଙ୍କ ସଂଖ୍ୟା ପ୍ରତି ବର୍ଷ ୩୦ ହଜାର ହାରରେ ବୃଦ୍ଧି ପାଉଛି। ଯଦି ଜନସାଧାରଣ ମୃତ୍ୟୁପରେ ଚକ୍ଷୁଦାନ କରନ୍ତି ଏମାନଙ୍କ ମଧ୍ୟରୁ ୯୦ ଭାଗ ଦୃଷ୍ଟିହୀନ ସେମାନଙ୍କ ଚକ୍ଷୁର ଜ୍ୟୋତି ଫେରିପାଇବେ। ଭାରତରେ ବର୍ଷକୁ ପ୍ରାୟ ୮୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ, ମାତ୍ର ୧୫/୨୦ ହଜାର ଲୋକଙ୍କ ଚକ୍ଷୁ ସଂଗୃହୀତ ହୋଇପାରୁଛି। ଏହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଜନସଚେତନତାର ଅଭାବ, ଅଜ୍ଞତା ଏବଂ ତଥାକଥିତ ଧାର୍ମିକ ଭାବନା ଯୋଗୁଁ, ଚକ୍ଷୁଦାନ ପରି ଏକ ମହତ୍ କାର୍ଯ୍ୟ ଆଶାନୁରୂପକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଚକ୍ଷୁଦାନ ସଂପର୍କରେ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯଥା :- ଚକ୍ଷୁଦାନ ଜିବୀତାବସ୍ଥାରେ କରାଯାଏ, ପୁରାଚକ୍ଷୁକୁ ତାଡି ନିଆଯାଏ, ଚକ୍ଷୁଦାନ କଲେ ପରଜନ୍ମରେ ଅନ୍ଧହୋଇ ଜନ୍ମଗ୍ରହଣ କରିବେ, ଏବଂ ଚଷମା ବ୍ୟବହାର କରୁଥିବା, ମୋତିଆବିନ୍ଦୁ ଅପରେସନ କରିଥିବା ବ୍ୟକ୍ତିମାନେ ଚକ୍ଷୁଦାନ କରି ପାରିବେ ନାହିଁ, ଇତ୍ୟାଦି। ଏ ସମସ୍ତ ଭୁଲ ଚିନ୍ତାଧାରାକୁ ଦୂର କରିବା ପାଇଁ, ପ୍ରଥମେ ଚକ୍ଷୁଦାନ ସମ୍ବନ୍ଧୀୟ ସମସ୍ତ ତଥ୍ୟର ବ୍ୟାପକ ପ୍ରଚାର ପ୍ରସାର ହେବା ଆବଶ୍ୟକ। ଚକ୍ଷୁଦାନ ସମ୍ବନ୍ଧୀୟ କେତେକ ଜାଣିବା ବିଷୟ ହେଲା :-

(୧) ଚକ୍ଷୁଦାନ କେବଳ ମୃତ୍ୟୁ ପରେ ହିଁ ହୋଇଥାଏ ଏବଂ ଚକ୍ଷୁର କେବଳ ସ୍ୱଚ୍ଛପଟଳ (ଉକ୍ଟକ୍ସଦ୍ଭରବ) ସଂଗ୍ରହ କରାଯାଏ। ମୃତ୍ୟୁର ଛଅଘଣ୍ଟା ମଧ୍ୟରେ ଚକ୍ଷୁ ସଂଗୃହୀତ ହେବା ଆବଶ୍ୟକ। ଆଇନ ଅନୁଯାୟୀ ଜିବୀତାବସ୍ଥାରେ ଚକ୍ଷୁଦାନ କରାଯାଇ ପାରିବ ନାହିଁ।

(୨) ମୃତ୍ୟୁପରେ ଚକ୍ଷୁକୁ ସୁରକ୍ଷିତ ରଖିବା ପାଇଁ, ମୃତକଙ୍କ ଦୁଇ ଚକ୍ଷୁକୁ ଓଦା ତୁଳା ବା କନାରେ ଘୋଡେଇ ରଖନ୍ତୁ। ସିଲିଂ ଫେନ୍ ବନ୍ଦ କରି ଦିଅନ୍ତୁ ଏବଂ ମୃତକଙ୍କ ମୁଣ୍ଡକୁ ତକିଆରେ ଉଠେଇ ରଖନ୍ତୁ।

(୩) ସୂଚନା ପାଇବାମାତ୍ରେ ଚକ୍ଷୁବେଙ୍କର ଡ଼ାକ୍ତର, ମୃତ ବ୍ୟକ୍ତିଙ୍କ ଗୃହକୁ ଯାଇ ତାଙ୍କ ଚକ୍ଷୁର ସ୍ୱଚ୍ଛପଟ୍ଟଳ ସଂଗ୍ରହ କରି ନିଅନ୍ତି। ଏଥିପାଇଁ ମାତ୍ର ୨୦/୩୦ ମିନିଟ୍ ସମୟ ଲାଗିଥାଏ। ଏହା ଦ୍ୱାରା ମୁହଁ ବିକୃତ ହୁଏ ନାହିଁ କିମ୍ବା ମୃତଶରୀର ସଂସ୍କାର କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବ ହୁଏ ନାହିଁ।

(୪) ବୟସ, ଲିଙ୍ଗ, ରକ୍ତବର୍ଗ ଓ ଜାତିଧର୍ମ ନିର୍ବିଶେଷରେ ଯେ କୌଣସି ବ୍ୟକ୍ତି ଚକ୍ଷୁଦାନ କରି ପାରିବେ। ଚଷମା ପିନ୍ଧୁଥିବା, ମୋତିଆ ବିନ୍ଦୁ କିମ୍ବା ଅନ୍ୟକୌଣସି ଚକ୍ଷୁ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ଚକ୍ଷୁଦାନ କରିପାରିବେ। ଚକ୍ଷୁଦାନ ପାଇଁ କେବଳ ସୁସ୍ଥ ସ୍ୱଚ୍ଛପଟଳ ଆବଶ୍ୟକ।

(୫) କୌଣସି ବ୍ୟକ୍ତି ଯଦି ମୃତ୍ୟୁପରେ ଚକ୍ଷୁଦାନ କରିବା ପାଇଁ ମନସ୍ଥ କରିବେ, ତେବେ ସେ ନିକଟସ୍ଥ ଚକ୍ଷୁବେଙ୍କ କିମ୍ବା “ଜ୍ୟୋତି” ଅନୁଷ୍ଠାନ ଭଳି ଚକ୍ଷୁଦାନ ପାଇଁ କାର୍ଯ୍ୟ କରୁଥିବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନରୁ ପ୍ରତିଜ୍ଞାପତ୍ର ଆଣି ପୂରଣ କରିବାକୁ ପଡ଼ିବ। ଚକ୍ଷୁଦାନ ପ୍ରତିଜ୍ଞାପତ୍ର ପୂରଣ କରିବା ପୂର୍ବରୁ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଆଲୋଚନା କରିବା ଅତି ଜରୁରୀ। ବହୁ ସମୟରେ ଦେଖା ଯାଉଛି ଯେ ଚକ୍ଷୁଦାନକାରୀଙ୍କ ପରିବାରବର୍ଗ ସେ ଚକ୍ଷୁଦାନ କରିଛନ୍ତି ବୋଲି ଜାଣନ୍ତି ନାହିଁ କିମ୍ବା ଜାଣିଥିଲେ ମଧ୍ୟ ମୃତ୍ୟୁକାଳୀନ ଶୋକରେ ତାହାକୁ ଭୁଲି ଯାଆନ୍ତି। ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଚକ୍ଷୁଦାନର ମହତ୍ତ୍ୱ ସଂପର୍କରେ ପ୍ରଭାବିତ କରିବାକୁ ହେବ, ଯେପରି ମୃତ୍ୟୁପରେ ସେମାନେ ନିକଟସ୍ଥ ଚକ୍ଷୁବେଙ୍କକୁ ଯଥାଶୀଘ୍ର ଖବର ପଠାଇବେ।

(୬) ମୃତ୍ୟୁ ପରେ ଚକ୍ଷୁ ସଂଗ୍ରହ ନିମନ୍ତେ କିମ୍ବା ଯେଉଁ ଦୃଷ୍ଟିହୀନ ବ୍ୟକ୍ତିଙ୍କଠାରେ ଚକ୍ଷୁ ପ୍ରତ୍ୟାରୋପଣ କରାଯାଏ, ସେଥିପାଇଁ ସେମାନଙ୍କୁ କୌଣସି ପ୍ରକାର ମୂଲ୍ୟଦେବାକୁ ପଡ଼େ ନାହିଁ।

ଜନସଚେତନତା ଅଭାବରୁ ଚକ୍ଷୁଦାନ ପରି ଏକ ମହତ୍ କାର୍ଯ୍ୟକ୍ରମ ସଫଳ ହୋଇପାରୁନାହିଁ। ତେଣୁ ଚକ୍ଷୁଦାନ ପାଇଁ ଜନସଚେତନତା ସୃଷ୍ଟି କରାଯିବା ଜରୁରୀ। ଏ ଦିଗରେ ପ୍ରତ୍ୟେକ ଆଗ୍ରହୀ ବ୍ୟକ୍ତି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଗଣମାଧ୍ୟମମାନେ ସକ୍ରିୟ ଅଂଶଗ୍ରହଣ କରିପାରିବେ। ଯଥା :-

(କ) ସମ୍ବାଦପତ୍ର, ରେଡ଼ିଓ, ଦୂରଦର୍ଶନ ଓ ପତ୍ରପତ୍ରିକା ମାଧ୍ୟମରେ ଚକ୍ଷୁଦାନ ଉପରେ ଲେଖା ପ୍ରକାଶନ ଓ ଆଲୋଚନା କରାଯାଇ, ଏହି ମହତ୍ କାର୍ଯ୍ୟର ପ୍ରସାର କରାଯାଇପାରିବ।

(ଖ) ଚକ୍ଷୁଦାନ ପାଇଁ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟମାସ ୨୫ ତାରିଖରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ “ଜାତୀୟ ଚକ୍ଷୁଦାନ ପକ୍ଷ” ପାଳନ କରାଯାଇଥାଏ। ଏହି ଅବସରରେ ବିଭିନ୍ନ ସମାଜସେବୀ ସଂସ୍ଥା, ସାସ୍କୃତିକ ଅନୁଷ୍ଠାନ ଓ ଯୁବ ସଂସ୍ଥାମାନଙ୍କୁ ସଂପୃକ୍ତ କରି ଆଲୋଚନାଚକ୍ର, ସଭାସମିତି, ପ୍ରଚାରପତ୍ର ବଣ୍ଟନ ଇତ୍ୟାଦି କରାଯିବା ଆବଶ୍ୟକ।

(ଗ) ଯଦି ଆପଣଙ୍କ ସଂପର୍କୀୟ, ବନ୍ଧୁ, ସହକର୍ମୀ, ପଡୋଶୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦେହାନ୍ତ ହୁଏ, ତାଙ୍କ ପରିବାର ଲୋକଙ୍କୁ ଚକ୍ଷୁଦାନ ପାଇଁ ବିନମ୍ର ଅନୁରୋଧ କରନ୍ତୁ।

(ଘ) ଚକ୍ଷୁଦାନ ପାଇଁ ଆଗ୍ରହୀ ଏବଂ ଦୃଷ୍ଟିହୀନମାନେ “ଜ୍ୟୋତି” ଅନୁଷ୍ଠାନ ସହ ଯୋଗାଯୋଗ କରି ନିଜକୁ ତାଲିକାଭୁକ୍ତ କରନ୍ତୁ। ଚକ୍ଷୁଦାନ ପ୍ରତିଜ୍ଞାପତ୍ରରେ ସ୍ୱାକ୍ଷର କରୁଥିବା ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ। “ଚକ୍ଷୁଦାନ ପ୍ରମାଣପତ୍ର” କୁ ନିଜ ଗୃହର ବୈଠକ ଗୃହରେ ସଜେଇ ରଖନ୍ତୁ, ଯାହା ଅନ୍ୟମାନଙ୍କୁ ଚକ୍ଷୁଦାନ ପାଇଁ ପ୍ରେରଣା ଯୋଗାଇବ।

ଆମ ଦେଶରେ ଚକ୍ଷୁଦାନର ସଂଖ୍ୟା ଅତି ନଗଣ୍ୟ। ଲକ୍ଷ ଲକ୍ଷ ଦୃଷ୍ଟିହୀନ ବ୍ୟକ୍ତି, ଚକ୍ଷୁଟିଏ ନ ପାଇ, ଆମର ଏ ସଂସାରକୁ ଦେଖିବାରୁ ବଞ୍ଚିତ ହେଉଛନ୍ତି। ଦୃଷ୍ଟିହୀନମାନଙ୍କ ଦୁଃଖ ଦୁଦ୍ଦର୍ଶାର ଅନୁଭବ ହିଁ ଆମ୍ଭମାନଙ୍କୁ ଚକ୍ଷୁଦାନ ପାଇଁ ପ୍ରେରଣା ଯୋଗାଇବ। ଆସନ୍ତୁ ଚକ୍ଷୁଦାନ ପରି ଏକ ପୂଣ୍ୟ କାର୍ଯ୍ୟ ନିମନ୍ତେ ଜନସଚେତନତା ସୃଷ୍ଟି କରି ଚକ୍ଷୁଦାନକୁ ଏକ ଗଣ ଅନ୍ଦୋଳନରେ ପରିଣତ କରିବା। ଚକ୍ଷୁଦାନ ଆମ ସମସ୍ତଙ୍କ ପାଇଁ ଏକ ସାମଜିକ କର୍ତ୍ତବ୍ୟ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top