Home ଓଡ଼ିଶା ‘ଗାନ୍ଧୀଜୀ ଓ ନେତାଜୀଙ୍କ ମଧ୍ୟରେ ଥିଲା ପିତାପୁତ୍ରର ସମ୍ବନ୍ଧ’ ଶାନ୍ତି ସଂହତି ସଦ୍‌ଭାବନା ଯାତ୍ରା ପକ୍ଷରୁ...

‘ଗାନ୍ଧୀଜୀ ଓ ନେତାଜୀଙ୍କ ମଧ୍ୟରେ ଥିଲା ପିତାପୁତ୍ରର ସମ୍ବନ୍ଧ’ ଶାନ୍ତି ସଂହତି ସଦ୍‌ଭାବନା ଯାତ୍ରା ପକ୍ଷରୁ ନେତାଜୀ ସଦନରେ ଘୋଷଣା

154

ଭୁବନେଶ୍ୱର/କଟକ୨୭ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ଅବସରରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଉକ୍ରଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ବିଗତ ଆକ୍ଟୋବର ୧୧ତାରିଖରୁ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ସଂଗ୍ରାମ ପୀଠ ମାଥିଲିରୁ ଆରମ୍ଭ ହୋଇଥିବା ଶାନ୍ତି ସଂହତି ସଦ୍‌ଭାବନା ଯାତ୍ରା ୧୦ଟି ଜିଲ୍ଲା ଅତିକ୍ରମ କରି ଆଜି କଟକଠାରେ ପହଁଚିଛି । ଏହି ଯାତ୍ରାରେ ନବରଙ୍ଗପୁରର ଶହୀଦ ପୀଠ ପାପଡା ହାଣ୍ଡି, ରାୟଗଡା ଜିଲ୍ଲାର ଶହୀଦ ପୀଠ ମାଇକଞ୍ଚ, ଭୂଦାନ ଆନ୍ଦୋଳନର ମୂଳକ୍ଷେତ୍ର କୁଜେନ୍ଦ୍ରୀ, ତିବ୍ଦତ ଶରଣାର୍ଥୀ ଶିବିର ଚନ୍ଦ୍ରଗିରି, ମୋହନା, ବ୍ରହ୍ମପୁରସ୍ଥିତ ଲକ୍ଷ୍ମଣ ନାଏକଙ୍କ ଶହୀଦ ପୀଠ, ଗାନ୍ଧୀ ରହଣୀସ୍ଥଳ ଛାତ୍ରପୁର, ରମ୍ଭା, ଖଲିକୋଟ, କୋଦଳା, ଆସିକା, ଗୋବରା, ଭଞ୍ଜନଗର, କନ୍ଧମାଳର ବିଭିନ୍ନ ସ୍ଥାନ ହୋଇ ନୟାଗଡ ଜିଲ୍ଲାର ବିପ୍ଳବୀ ଗୋବିନ୍ଦ ମିଶ୍ରଙ୍କ ଜନ୍ମସ୍ଥାନ ଦଶପଲ୍ଲା, ନୟାଗଡର ଶହୀଦ କଷ୍ଟି ଡାକୁଆଙ୍କ ଶହୀଦ ପୀଠ, ବୋଲଗଡ, ଶହୀଦ ରଘୁ ଦିବାକରଙ୍କ ଜନ୍ମପୀଠ, ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା, ତେଲେଙ୍ଗା ପେଣ୍ଠ, ସ୍ୱରାଜ ଆଶ୍ରମ ହୋଇ ନେତାଜୀ ସୁଭାଷଙ୍କ ଓଡିଆ ବଜାର ସ୍ଥିତ ବାସଭବନରେ ପହଁଚିଛି ।ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଭାରତବର୍ଷର ବିପରୀତ ଦିଗରେ ଆମେ ଚାଲିଛେ । ଶାସନ କ୍ଷେତ୍ରରେ ଇଂରାଜୀ ଭାଷାର ପ୍ରଚଳନ ଯୋଗୁଁ ଇଂରେଜମାନେ ଯିବାପରେ ଦେଶବାସୀ ସ୍ୱାଧୀନତାର ସ୍ୱାଦ ଚାଖିପାରିନାହାନ୍ତି । ଦେଶର ପ୍ରଥମ ସ୍ୱାଧୀନତା ଦିବସରେ ମହାତ୍ମା ଏହାକୁ ଏକ ଛଦ୍ମ ସ୍ୱାଧୀନତା ବୋଲି ଉଲ୍ଲେଖ କରି ବସ୍ତବ ସ୍ୱାଧୀନତା ପାଇଁ ପାର୍ଲାମେଣ୍ଟ ଲୋକହିତରେ କାର‌୍ୟ୍ୟକରିବ, ଧନୀ ଦିରିଦ୍ରର ତାରତମ୍ୟ କମିବ ତଥା ମହିଳାମାନଙ୍କ ପାଇଁ ଏହା ଭୟର ଭୂମି ରହିଥିବା ଯାଏ ଆମକୁ ସ୍ୱାଧୀନତା ମିଳିଛି ବୋଲି କୁହାଯାଇପାରିବ ନାହିଁ ବୋଲି ଯାହା ଦର୍ଶାଇଥିଲେ ସେ ସବୁ ଆଜି ପୁଣି ସ୍ୱପ୍ନ ପାଲଟିଛି ବୋଲି ଯାତ୍ରୀମାନେ ବିଭିନ୍ନ ସଭାରେ ମତପୋଷଣ କରିଥିଲେ ।ଗାନ୍ଧୀଜୀଙ୍କୁ ବଦନାମ କରିବାପାଇଁ ବିଭିନ୍ନ ପ୍ରୟାସ ଚାଲିଛି । ଗାନ୍ଧୀ ଓ ସୁଭାଷଙ୍କ ଭିତରେ ପିତା ପୁତ୍ରର ସଂପର୍କ ଥିଲା । ନେତାଜୀ ସୁଭାଷ ମହାତ୍ମାଙ୍କୁ ରାଷ୍ଟ୍ରପିତା ଓ କସ୍ତୂରବାଙ୍କୁ ରାଷ୍ଟ୍ରମାତା ବୋଲି ଉଲ୍ଲେଖ କରିଥିବା ବେଳେ ମହାତ୍ମା ନେତାଜୀଙ୍କୁ ‘ଦେଶପ୍ରେମୀମାନଙ୍କର ରାଜକୁମାର’ରୂପେ ଉଲ୍ଲେଖ କରିଥିବା ଓ ତାଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ ନକରି ସୁଭାଷ କେବେ ମରିପାରେନା ବୋଲି କହିଥିବା ବେଳେ ନ୍ୟସ୍ତ ଗୋଷ୍ଠୀ ଉଭୟଙ୍କର ରାଜନୈତିକ ମତଭେଦକୁ ବ୍ୟକ୍ତିଗତ ସ୍ତରକୁ ନେଇ କୁତ୍ସାରଟନା କରୁଥିବା ଉଲ୍ଲେଖ କରି ଯାତ୍ରୀମାନେ କ୍ଷୋଭ ପ୍ରକାଶ କରିଥିଲେ । ଠିକ୍ ସେହିଭଳି ଦେଶ ଗାନ୍ଧୀ:୧୫୦ ପାଳନ କରୁଥିବା ବେଳେ କାପୁର କମିଶନ ଆଧାରରେ ଗାନ୍ଧୀ ହତ୍ୟାର ଷଡଯନ୍ତ୍ରକାରୀ ଦାମୋଦର ସବରକରଙ୍କୁ ଭାରତ ରତ୍ନ ଦେବା ପାଇଁ ହେଉଥିବା ପ୍ରୟାସକୁ ନିନ୍ଦା କରାଯିବା ସହିତ ଏହାକୁ ଦଳମତ ନିର୍ବିଶେଷରେ ବିରୋଧ କରିବାକୁ ଆହ୍ୱାନ କରିଥିଲେ ।ଷୋହଳ ଦିନ ବ୍ୟାପୀ ଚାଲିଥିବା ଏହି ଯାତ୍ରାରେ ଉକ୍ରଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ବିଶିଷ୍ଟ ସର୍ବୋଦୟ ନେତା ନିଶାକର ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂଯୋଜକ ଡା. ବିଶ୍ୱଜିତ୍‌, ମାନସ ମିଶ୍ର, ରଣଜିତ ଦେହୁରି, ମାନସ ପଟ୍ଟନାୟକ, ମନୋଜ ମିଶ୍ର, ସୂର‌୍ୟ୍ୟ ନାରାୟଣ ନାଥ, ସୋନାଲି ମିଶ୍ର, ଶୁଭଶ୍ରୀ ଦୀପ୍‌, ପ୍ରଦ୍ୟୁମ୍ନ ସାହୁ, ଛୋଟରାୟ ମାଝୀ, ଫୁଲଲତା ସେଠୀ, ସୌମ୍ୟରଂଜନ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ , ଅରବିନ୍ଦ ନାଏକ, ପ୍ରଦୀପ ଟାକ୍ରି, ସୁଦୀପ୍ତ କୁମାର ମିତ୍ର ସାମିଲ ଅଛନ୍ତି । ଯାଜପୁର ଜିଲ୍ଲା ବାଲିପଡିଆସ୍ଥିତ ଠକ୍କରବାପା ଆଶ୍ରମଠାରେ ଏହି ଯାତ୍ରା ସମାପ୍ତ ହେବ । ଦ୍ୱିତୀୟ ଅଧ୍ୟାୟରେ ଯାତ୍ରା ଉକ୍ରଳମଣି ଗୋପାବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋରୁ ବାହାରି ଝାରସୁଗୁଡାଠାରେ ପହଁଚିବ ଓ ତୃତୀୟ ପର‌୍ୟ୍ୟାୟ ଯାତ୍ରା ଶହୀଦ ବାଜି ରାଉତଙ୍କ ଜନ୍ମପୀଠ ନୀଳକଣ୍ଠପୁରରୁ ବାହାରି ନୂଆପଡା ଜିଲ୍ଲାରେ ସମାପ୍ତ ହେବ ।ଯାତ୍ରୀମାନେ ନେତାଜୀ ସୁଭାଷଙ୍କ ଓଡିଆ ବଜାର ସ୍ଥିତ ବାସଭବନଠାରୁ ବାହାରି ଗୋପବନ୍ଧୁ ପାର୍କଠାରେ ପôହଞ ଗୋପବନ୍ଧୁଙ୍କ ପ୍ରତିମୂତ୍ତିରେ ମାଲ୍ୟର୍ପଣ କରି ଯାଜପୁର ଅଭିମୁଖେ ଯାତ୍ର କରିଥିଲା । ଏହି ଯାତ୍ରାକୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ମନୋରଂଜନ ମହାନ୍ତି, ଉକ୍ରଳ ଖଦୀ ମଣ୍ଡଳର ସଭାପତି ବୈଷ୍ଣବ ଦାସ, ଅନିମା ରାୟ, କବିର ଜେନା, ଖଗେଶ୍ୱର ସେଠୀ, ଡଃ ସତ୍ୟ ରାୟ, ଯୁଗଳ କିଶୋର ନାୟକ, ଜୟନ୍ତ କୁମାର ଦାସ, ତାରାନନ୍ଦ ପଟ୍ଟନାୟକ, ଶରତ ନାୟକ, ସେକ୍ କଲିମୁଲ୍ଲା, ମିନତୀ ପଣ୍ଡା, ପୁଷ୍ପିତା ମହାନ୍ତି, ଗୀତାଞ୍ଜଳୀ ବେହୁରା, ଗାୟତ୍ରୀ ଦାସ, ଗଦାଧର ଦେହୁରୀ ପ୍ରମୁଖ ଯାତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.