Home ଓଡ଼ିଶା କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ବିଜେଡି ପ୍ରାଥମିକ ସଭ୍ୟ...

କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ୮ ବହିସ୍କୃତ ଓ କଂଗ୍ରେସରୁ ୨ନିଲମ୍ବିତ

57

କେନ୍ଦ୍ରାପଡ଼ା, ୧୭ା୩ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ପୈାର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବାରୁ ବିଜୁ ଜନତାଦଳରୁ ୮ଜଣଙ୍କୁ ବହିସ୍କାର କରାଯାଇଥିବା ବେଳେ କଂଗ୍ରେସ ୨ଜଣଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ବିଜେଡି ରାଜନୀତି ଦିନକୁ ଦିନ ସରଗରମ ହୋଇ ଉଠିଛି। ଦଳୀୟ ଟିକେଟ ନପାଇ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାରୁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି। ଶେଷରେ ଦଳ ପକ୍ଷରୁ ସେମାନଙ୍କୁ ବହିସ୍କୃତ କରାଯାଇଛି। ସ୍ୱାଧୀନ ଭାବେ ନିର୍ବାଚନରେ ଲଢିବାକୁ ଦଳ ବିରୋଧୀ କାର୍ଯ୍ୟ ଭାବେ ଧରା ଯାଇଛି। ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା ୮ଜଣଙ୍କୁ ଦଳରୁ ବହିସ୍କୃତ କରିଛନ୍ତି। ସେମନେ ହେଲେ ୧୯ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଶଶୀକାନ୍ତ ବଳ, ୧୩ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ସେକ ଅସଲମ, ୧୦ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ରଶ୍ମିତା ସିଂ ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ କୁମାର ସିଂ, ୬ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଗୌତମ ସ୍ୱାଇଁ, ୪ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର ରାଉତ, ୨ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ କାଳୀପ୍ରସାଦ ମିଶ୍ର। ଏହି ପ୍ରାର୍ଥୀମାନେ ବିଜେଡି ଟିକଟ ପାଇଁ ଆଶାୟୀ ଥିଲେ। କାରଣ ଏମାନେ ଦୀର୍ଘଦିନ ହେବ ଦଳ ସହ ରହିଥିଲେ। ସେମାନେ ବିଜେଡି ଟିକଟ ପାଇବା ପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ଦଳ ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ନିରାଶ କରିଥିଲା। ଫଳରେ ସେମାନେ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। କେବଳ ଏମାନେ ନୁହଁନ୍ତି ଆହୁରି ୧୦ରୁ ଊର୍ଦ୍ଧ୍ୱ ଆଶାୟୀ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୟ ଦେଖାଇ ବାରୁ ସେମାନେ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ କେତେକ ପ୍ରାର୍ଥୀ ଦଳର ଧମକକୁ ନଡରି ସ୍ୱାଧୀନ ପ୍ରାର୍ଥୀଭାବେ ନିଜର ଶକ୍ତି ପ୍ରଦର୍ଶନ କରିବେ ଓ ବିଜୟୀ ହେବେ ବୋଲି ରୋକଠୋକ କହିଦେଇଥିଲେ। ତେଣୁ ଦଳ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ସହରରେ ଚର୍ଚ୍ଚା ହେଉଛି। ସେହିଭଳି କଂଗ୍ରେସ ଦଳ ପକ୍ଷରୁ ୧୩ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢୁଥିବା ମୁକ୍ତାର ଖାଁ ଓ ୨୧ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ଉମେଶ ଚନ୍ଦ୍ର ପାଢୀଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିଲମ୍ବନ ନିର୍ଦେଶରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ପୈାର ନିର୍ବାଚନରେ ଦଳୀୟ ଶୃଙ୍ଖଳା ଭଙ୍ଗ କରି ଦଳ ବିରୋଧି କାର୍ଯ୍ୟରେ ଲିପ୍ତଥିବା କାରଣରୁ ଏହି ଦୁଇଜଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.