Home ଜିଲ୍ଲା ପରିକ୍ରମା ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର, ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇବେ ଭଦ୍ରକର ଅରୁଣ...

ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର, ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇବେ ଭଦ୍ରକର ଅରୁଣ ପାତ୍ର

18

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୧ ଓ ୨୦୨୨ ମସିହା ପାଇଁ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯିବା ନେଇ ନାମ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏକାଡ଼େମୀ ତରଫରୁ ପ୍ରଦାନ କରାଯାଉଥିବା ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାରରେ ସମ୍ମାନିତ ଓ ପୁରସ୍କୃତ କରାଯିବା ପାଇଁ ଭଦ୍ରକ ଜିଲ୍ଲାର ଅରୁଣ କୁମାର ପାତ୍ରଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଯୋଗ୍ୟକି ଓଡ଼ିଆ ଭାଷାରେ ଶ୍ରୀଯୁକ୍ତ ପାତ୍ରଙ୍କ ଦ୍ୱାରା ରଚିତ ପୁସ୍ତକ “କୃଷକଙ୍କ ଭାଷାରେ କୃଷି ବିଜ୍ଞାନ” ୨୦୨୧ ମସିହା ପାଇଁ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଛି । ଶ୍ରୀଯୁକ୍ତ ପାତ୍ର ବର୍ତ୍ତମାନ ଯାଜପୁର ରୋଡ଼ରେ କୃଷି ଜିଲ୍ଲା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଜଣେ କୃଷି କବି, ଆକାଶବାଣୀ ଗୀତିକାର ହିସାବରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଅଛି । ଭାଗବତ ଛନ୍ଦେ କୃଷି ବିଜ୍ଞାନ, ଅରୁଣ କୃଷି ବଚନ, କୃଷିବୋଲି ହୋ ଚାଷୀ ଭାଇ ହୋ, ଓଡ଼ିଶାରେ ସୂର୍ଯ୍ୟମୁଖୀ ଚାଷ, ଧାନଚାଷର ନବଦିଗନ୍ତ, ମାଣ୍ଡିଆଚାଷର ନବଦିଗନ୍ତ, କୃଷି ଚଉତିଶା ଓ କୃଷି ଚାଳିଶା, ଚାଷୀ ଭାଇଙ୍କର ହଜାରେ ପ୍ରଶ୍ନ ଓ ତାହାର ସମାଧାନ, ମାଣ ଓ ଗୁଣ୍ଠ ପିଛା ସାର ବ୍ୟବହାର, ମାଟିଆ ଗୁଣ୍ଡି ପୋକର ପରିଚାଳନା, ବୈଜ୍ଞାନିକ ପଦ୍ଧତିରେ ମୁଗ ଓ ବିରି ଚାଷ, କୃଷି ଗୀତି ସଞ୍ଚୟନୀ ପ୍ରଭୃତି କୃଷି ସମ୍ବନ୍ଧୀୟ ପୁସ୍ତକ ରଚନା କରିଛନ୍ତି । ଏଥିସହିତ ଓଡ଼ିଆ ଭାଷାରେ ଗୀତାଞ୍ଜଳିର ଅନୁବାଦ, ଓଡ଼ିଆ ସାହିତ୍ୟରେ ନୂତନ ଢଗଢମାଳି, ସଫଳ ବ୍ୟକ୍ତି ହେବେ କିପରି, ସଫଳ ଜୀବନ ପାଇଁ ଶହେଟି ସଫଳ କାହାଣୀ, ଫଗୁଣ କନ୍ୟା ଗୀତି ପୁସ୍ତକ ପ୍ରଭୃତି ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରି ଉଭୟ କୃଷି ଓ ସାହିତ୍ୟ କୃଷି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରକାଶ ଥାଉକି ଉକ୍ତ ପୁରସ୍କାର ଆସନ୍ତା ଜାନୁୟାରୀ ୯ ତାରିଖରେ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଦ୍ୱାରା ପ୍ରଦାନ କରାଯିବ । ସୂଚନା ଯୋଗ୍ୟକି ଶ୍ରୀଯୁକ୍ତ ପାତ୍ର ଫସଲ ସୁରକ୍ଷା ଅଧିକାରୀ, ବ୍ଲକ୍ କୃଷି ଅଧିକାରୀ ଭାବେ ଭଦ୍ରକ ଜିଲ୍ଲାରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟରେ ଜଣେ କୃଷିବିତ୍ ହିସାବରେ ଏହି ପୁରସ୍କାର ଲାଭ କରିବାରେ ସେ ପାତ୍ର ପ୍ରଥମ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.