Home ଜିଲ୍ଲା ପରିକ୍ରମା ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୪ ଟି ଗେଟ୍ ଖୋଲିଲା ହଦଗଡ ଡ୍ୟାମ୍‌, ଭଦ୍ରକ...

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୪ ଟି ଗେଟ୍ ଖୋଲିଲା ହଦଗଡ ଡ୍ୟାମ୍‌, ଭଦ୍ରକ ଓ ତିହିଡି ଅଂଚଳରେ ବନ୍ୟା ପରିସ୍ଥିତି, ବିଧାୟକ ଓ ଜିଲାପାଳଙ୍କ ସ୍ଥିତି ପରିଦର୍ଶନ

14

ଭଦ୍ରକ, ୩ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହଦଗଡ଼ ଡେମର ୪ ଟି ଗେଟ।ସାଳନ୍ଦୀ ନଦୀରେ ଆସିଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ।ବନ୍ୟା ଯୋଗୁଁ ଭଦ୍ରକ ଏବଂ ତିହିଡି ବ୍ଲକ ଅଂଚଳର ୫ ଟି ପଂଚାୟତରେ ବନ୍ୟା ସ୍ଥିତି ଦେଖା ଯାଇଛି।ଭଦ୍ରକ ବ୍ଲକର ବେନ୍ତାଳ ଖଣ୍ଡତଡା, ଅର୍ଣ୍ଣପାଳ ଏବଂ ବିଷ୍ଣୁପୁର ପଂଚାୟତରେ ଚାଷ ଜମି ସହିତ ଗାଁ ରେ ପଶିଲା ବନ୍ୟା ଜଳ। ବିଶେଷ କରି ଭଦ୍ରକ ବ୍ଲକର ବେନ୍ତାଳ ପଂଚାୟତର ୫ ନମ୍ବର ଏବଂ ୬ ନମ୍ବର ୱାର୍ଡରେ ଥିବା ଲୋକଙ୍କ ଘର ଭିତରେ ବନ୍ୟା ପାଣି ପ୍ରବେଶ କରିଛି।ସେହିପରି ଖଣ୍ଡତଡା ପଂଚାୟତର ମହାଦେବପୁର, ଗୁଜିଦରଡ଼ା ପଂଚାୟତରେ ବିଭିନ୍ନ ଗ୍ରାମରେ ଗତକାଲି ରାତି ଠାରୁ ଲୋକ ମାନେ ବନ୍ୟା ଘେରରେ ରହିଛନ୍ତି। ଲୋକମାନେ ଶୋଇ ବସି ପାରୁ ନାହାନ୍ତି,ରୋଷେଇ ବାସ କରି ଖାଇ ପାରୁ ନାହାନ୍ତି।ଗାଁ ଦାଣ୍ଡ ରେ ବନ୍ୟା ପାଣି ସୁଅ ମାରୁଛି। ଲୋକ ମାନେ ଏକ ପ୍ରକାର ଜଳ ବନ୍ଦୀ ଘେରରେ ପଡ଼ି ରହିଛନ୍ତି।ସେହିପରି ଚାଷ ଜମିରେ ବନ୍ୟା ପାଣି ମାଡି ଯିବା ଯୋଗୁଁ ଧାନ ତଳି ନଷ୍ଟ ହେବାର ଆଶଙ୍କା ଦେଖା ଯାଇଛି।ତେବେ ଆଡି ବନ୍ଧ ଦୁର୍ବଳ ସାଙ୍ଗକୁ ଉଚତା ବୃଦ୍ଧି ନ ହେବା ଯୋଗୁଁ ବନ୍ୟା ପାଣି ସେମାନଙ୍କ ଘରେ ପ୍ରବେଶ କଲା ବୋଲି ବିପନ୍ନ ଲୋକ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖବର ପାଇ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ତାଙ୍କ ଟିମ ପହଂଚିବା ପରେ ଉତ୍ୟକ୍ତ ଲୋକ ମାନେ ତାଙ୍କ ସହିତ ପାଟି ତୁଣ୍ଡ କରିଥିଲେ।ଏପରିକି ସେମାନଙ୍କ ଦାଇତ୍ୱ ହୀନତା ପାଇଁ ସେମାନେ ବନ୍ୟା ଘେରରେ ଥିବା ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ସାଳନ୍ଦୀ ନଦୀର ରାଜଘାଟ ଠାରେ ବିପଦ ସଂକେତ ୧୭ ମିଟର ଥିଲା ବେଳେ ବର୍ତମାନ ଜଳସ୍ତର ନିମ୍ନରେ ପ୍ରବାହିତ ହେଉଛି ବୋଲି ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କହିବା ସହିତ ସ୍ଥିତି ଦେଖିଲା ପରେ ୨ ଗୋଟି ଗେଟ ବନ୍ଦ ପାଇଁ ହଦଗଡ଼ ଡେମ କତୃପକ୍ଷ ଙ୍କୁ କୁହା ଯାଇଛି। ତେବେ ବର୍ତମାନ ପ୍ରାୟ ୩ ହଜାର ରୁ ଉର୍ଦ୍ଧ କ୍ୟୁସେକ ପାଣି ସାଳନ୍ଦୀ ନଦୀରେ ଆସୁଛି ।ତେଣୁ ବନ୍ୟା ପରିସ୍ଥିତି ତଳିଆ ଅଂଚଳରେ ସୃଷ୍ଟି କରିଛି ବୋଲି ସେମାନେ କହିବା ସହିତ ଆଜି ରାତି ସୁଦ୍ଧା ପାଣି କମିବ ବୋଲି କହିଛନ୍ତି।ସେହିପରି ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଗ୍ରାଉଣ୍ଡ ରେ ବନ୍ୟା ବିପନ୍ନ ଙ୍କ ପାଖରେ ପହଂଚି ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ,ବିଶୁଦ୍ଧ ପାନୀୟ ଜଳ ଓ ଗୋ ଖାଦ୍ୟର ବ୍ୟବସ୍ଥା ବୁଲି ଦେଖିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ବନ୍ୟା ବିପନ୍ନ ଙ୍କ ପାଖରେ ପହଂଚି ଲୋକମାନଙ୍କୁ ବିସ୍କୁଟ ବଂଟନ କରିଛନ୍ତି।ପାଣି ଘେରରେ ଯେଉଁ ମାନେ ରହିଛନ୍ତି ତାଙ୍କୁ ତୁରନ୍ତ ରନ୍ଧା ଖାଦ୍ୟ ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ସହ ଲୋକମାନଙ୍କ ଅସୁବିଧା ସମ୍ପର୍ରେ ପଚାରି ବୁଝିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.