Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଇତିହାସରେ ଗଞ୍ଜାମ ବନ୍ୟା

ଇତିହାସରେ ଗଞ୍ଜାମ ବନ୍ୟା

2180

– ଦେବପ୍ରସାଦ ମିଶ୍ର
ଆମ ରାଜ୍ୟରେ ପ୍ରକୃତିର ତାଣ୍ଡବଲୀଳା କିଛି ନୂଆ କଥା ନୁହେଁ, ଓଡ଼ିଶାରେ ବନ୍ୟା, ବାତ୍ୟା ମରୁଡ଼ି ହେଲା ଲୋକଙ୍କ ଚିରସାଥୀ– ଓଡ଼ିଶା ଆଜି ପଛୁଆ ଦରିଦ୍ର ରାଜ୍ୟ ରୂପେ ପରିଗଣିତ ହେବାରେ ଅନ୍ୟତମ ମୁଖ୍ୟ କାରଣ ହେଲା ଏହି ପ୍ରାକୃତିକ ବିପର୍ଯ୍ୟୟ, ଶହ ଶହ ବର୍ଷ ବିତିଗଲେ ମଧ୍ୟ ଏ ରାଜ୍ୟର ପିଛା ଛାଡ଼ୁନାହିଁ। ଗଞ୍ଜାମର ଅତୀତ ପ୍ରାକୃତିକ ଦୁର୍ବିପାକ କଥା ବିଚାରକୁ ନେଲେ, ଯେତିକି ବର୍ତ୍ତମାନ ସୁଦ୍ଧା ଐତିହାସିକ ତଥ୍ୟ ରହିଛି, ତହିଁରୁ ଦେଖାଯାଏ।୧୭୯୫ ବନ୍ୟା -୧୭୯୫ ମସିହା ଅକ୍ଟୋବର ୧୯ ତାରିଖରେ ଇଚ୍ଛାପୁରର ଜିଲାପାଳ ଡା ୱାଲଟର ବାଫର ମାନ୍ଦ୍ରାଜ ରାଜସ୍ୱ ପର୍ଷଦର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ପତ୍ର ଲେଖି ଜଣାଇଲେ ଯେ ତାଙ୍କ ଜିଲାରେ ଅତ୍ୟଧିକ ଦୃଷ୍ଟିପାତ ଯୋଗୁ ନଦୀ ଓ ନାଳଗୁଡ଼ିକ କୂଳ ଅତିକ୍ରମ କରିଛି ଏବଂ ଗଞ୍ଜାମ ସହରର ଅଧିକାଂଶ ଅଞ୍ଚଳ, ଆସିକା ନଗରର ଗୋଟିଏ ଅଂଶ, ‘ପୂର୍ବ-କୋଣ୍ଡା’ ପ୍ରଗଣାର କେତେଗୁଡ଼ିଏ ଗ୍ରାମ ଏବଂ ସମଗ୍ର ସେନାପୁର ‘ପେଟ୍ଟା’ ଭାସିଯାଇଅଛି। କେତେକ ଲୋକ ଶ୍ରୀ ବାଫରଙ୍କୁ ଚିଠି ଲେଖି ଜଣାଇଲେ ଯେ କେତେଗୁଡ଼ିଏ ଗ୍ରାମ, ଗ୍ରାମବାସୀ ଓ ଗୋରୁମାନଙ୍କୁ ପ୍ରବଳ ସ୍ରୋତ କବଳିତ କରିଛି।

୧୭୯୫ ମସିହା ଅକ୍ଟୋବର ୨୦ ତାରିଖରେ ବାରୁଭା ପ୍ରଗଣାର ଜମିଦାର ଶ୍ରୀ ଜଗନ୍ନାଥ ଚୌଧୁରୀ କଲେକ୍ଟରଙ୍କୁ ଖବର ଦେଲେ ଯେ ଅକ୍ଟୋବର ୧୦ ତାରିଖରେ ବର୍ଷା ଓ ଜୋର ପବନ ଆରମ୍ଭ ହୋଇ ୧୧ ତାରିଖରେ ପ୍ରଖର ହେଲା ଏବଂ ୧୨ ତାରିଖରେ ଭୀଷଣ ନଦୀ ବୃଦ୍ଧି ଘଟିଲା। ସମୁଦ୍ର ବିଶେଷ ଜୁଆରିଆ ଥିବାରୁ ଜଳ ନିଷ୍କାସିତ ହୋଇ ନ ପାରି ସମସ୍ତ ଚାଷଜମିରେ ଏବଂ କେତେକ ଗ୍ରାମରେ ପ୍ରବେଶ କଲା।

୧୭୯୫ ମସିହା ନଭେମ୍ବର ୨ ତାରିଖରେ ଶ୍ରୀ ବାଫର ପୁନର୍ବାର ରାଜସ୍ୱ ପର୍ଷଦକୁ ଲେଖିଲେ ଯେ ଗଞ୍ଜାମ ସହରର ସାତ କିମ୍ବା ଆଠ ମାଇଲ ଚତୁଃପାଶ୍ୱର୍ରେ ଥିବା ଅଞ୍ଚଳ ଛାରଖାର ହୋଇଯାଇଅଛି। ବନ୍ୟା ପୂର୍ବରୁ ପ୍ରଚୁର ଫସଲ ଆଶା କରାଯାଉଥିବା ଅଧିକାଂଶ ଧାନବିଲ ସବୁ ଧରାଶାୟୀ ହୋଇ କାଦୁଅ ଓ ବାଲି ଦ୍ୱାରା ଆବୃତ ହୋଇଗଲା। ଗଞ୍ଜାମ ନିକଟରେ ଅନ୍ୟ ଗୋଟିଏ ନଦୀଗର୍ଭ ସୃଷ୍ଟି ହେଲା। ଶ୍ରୀ ବାଫର ଲେଖିଲେ ଯେ ଏହି ଘାଇଗୁଡ଼ିକ ପୋତିଦିଆ ନ ଗଲେ ଏବଂ ନଦୀ କୂଳରେ ବନ୍ଧ ତିଆରି ନ ହେଲେ ଗଞ୍ଜାମ ସହର ଅଳ୍ପ ବର୍ଷାରେ ଭୀଷଣ ବିପଦର ସମ୍ମୁଖୀନ ହେବ। ସେ ଆହୁରି ମଧ୍ୟ ଲେଖିଲେ ଯେ ପୂର୍ବ ବନ୍ୟାଦ୍ୱାରା ଭୂମିରେ ଏପରି ଗଭୀର ଓ ପ୍ରଶସ୍ତ ଫାଟ ସୃଷ୍ଟି ହୋଇଅଛି ଯେ ଭବିଷ୍ୟତରେ ନଦୀକୂଳ ଅତିକ୍ରମ କଲେ ନିଶ୍ଚୟ ଏକ ଶାଖାନଦୀ ଜାତ ହେବ, ଯାହା ଅନ୍ୟ ଗୋଟିଏ ପଥରେ ଗତିକରି ପ୍ରଗଣାର ଅଧିକାଂଶ ଅଂଶ ଧ୍ୱଂସ କରିବ।

୧୯୨୩ ମସିହା ନଭେମ୍ବର ୧୭ ଓ ୧୮ ତାରିଖରେ ଗଞ୍ଜାମ ଜଜିଲ୍ଲାରେ ବର୍ଷା ଏବଂ ଝଡ଼ତୋଫାନ ହୋଇଥିଲା। “ସମାଜ’ ପତ୍ରିକା ଡିସେମ୍ବର ୧୫ ତାରିଖରେ ଲେଖିଲେ : “ବାହୁଦା, ଘୋଡ଼ାହାଡ଼, ମହେନ୍ଦ୍ର ତନୟା ଓ ବଗୀ ପ୍ରଭୃତି ନଦୀମାନଙ୍କର ବଢ଼ି ହେବାରୁ କେତେ ଗ୍ରାମ ଭାସିଯାଇ ଅନେକ ମନୁଷ୍ୟ, ଗାଈଗୋରୁ ଆଦି ଜୀବଜନ୍ତୁ ଓ ଧନସମ୍ପତ୍ତି ନଷ୍ଟ ହୋଇଅଛି। ରେଲୱେ ଓ ଦକ୍ଷିଣ ସଡ଼ଜର ଶଂଖମାନଙ୍କୁ ନଦୀବଢ଼ି ଭସାଇ ନେଇଥିବାରୁ ଦକ୍ଷିଣ ଅଞ୍ଚଳରେ ସକଳ ପ୍ରକାରର ଯାତାଯାତ ଓ ବ୍ୟବସାୟ ବାଣିଜ୍ୟ ପ୍ରାୟ ବନ୍ଦ। ଗାଁକୁ ଗାଁ ଉଠି ରେଙ୍ଗୁନ ଚାଲିଯାଉଛନ୍ତି। ଯେଉଁମାନେ ଅଛନ୍ତି ସେମାନେ ସରକାରୀ ଅନୁସନ୍ଧାନରେ ଏତେଦୂର ବିରକ୍ତ ହେଲେଣି ଯେ କଂଗ୍ରେସ କିମ୍ବା କୌଣସି ଧର୍ମ ଅନୁଷ୍ଠାନରୁ କେହି ସାହାଯ୍ୟ ଦେବାକୁ ଗଲେ ମଧ୍ୟ ତାଙ୍କ ସହିତ କଥାବାର୍ତ୍ତା ହେବା ସମୟର ଅପବ୍ୟୟ ମନେକରି, ଡାଳପତ୍ର ଭାଙ୍ଗିଆଣି କୁଡ଼ିଆ ନିର୍ମାଣ କରିବା ଶ୍ରେୟସ୍କର ମନେ କରୁଅଛନ୍ତି।”

୧୯୨୩ ମସିହା ଡିସେମ୍ବର ୧୪ ତାରିଖରେ ଶ୍ରୀ ବିଶ୍ୱନାଥ ଦାଶ, ଏମ୍.ଏଲ୍.ସି. ମାନ୍ଦ୍ରାଜ ସରକାରଙ୍କର ମାନ୍ୟବର ରାଜସ୍ୱ ସଦସ୍ୟଙ୍କୁ ଲେଖିଥିଲେ ଯେ ଗଞ୍ଜାମର ପାଞ୍ଚଗୋଟି ମୁଖ୍ୟ ନଦୀରେ ବନ୍ୟା ଆସିଥିଲା। “ଏପରି ପରିମାଣର ବନ୍ୟାଜଳ ପୂର୍ବରୁ କେବେ ଦେଖା ନ ଥିଲା। ନଦୀଗୁଡ଼ିକ ହେଲା ଋଷିକୁଲ୍ୟା, ଘୋଡ଼ାହାଡ଼, ବାହୁଦା, ମହେନ୍ଦ୍ର ତନୟା ଏବଂ ନାଗବଲ୍ଲୀ। ଜମି ସବୁର ଅସୀମ କ୍ଷତି ହୋଇଥିଲା ଏବଂ ସେ ସମସ୍ତ ବାଲିଚର ହୋଇଯାଇଥିଲା। ଫସଲ, ଗାଈଗୋରୁ ଓ ଘରସବୁ ଧ୍ୱଂସ ହୋଇଥିଲା ଏବଂ ମନୁଷ୍ୟ ପ୍ରାଣହାନି ମଧ୍ୟ ଘଟିଥିଲା। ବିଳମ୍ବରେ ହୋଇଥିବା ବର୍ଷା ଯୋଗୁଁ ଧାନଫସଲ ସନ୍ତୋଷଜନକ ନ ଥିଲା, ଏବଂ ଯେଉଁ ଅଳ୍ପ ଫସଲ ଥିଲା ତାହା ବାଲୁକାବୃତ ହୋଇଥିବାରୁ ପୂରାପୂରି ନଷ୍ଟ ହୋଇଗଲା। କିମ୍ବା ଜଳରେ ବୁଡ଼ି ରହିବାରୁ ବିଶେଷ କ୍ଷତିଗ୍ରସ୍ତ ହେଲା। ବନ୍ୟା ପରେ ଲୋକଙ୍କ ଅବସ୍ଥା ଏପରି ଦୟନୀୟ ହେଲା ଯେ ସମୃଦ୍ଧ ରୟତମାନେ ଗୃହଶୂନ୍ୟ ଯାଯାବର ପାଲଟିଗଲେ। ଏ ଅବସ୍ଥାରେ ଏହି ଦରିଦ୍ର ହତଭାଗ୍ୟ ଲୋକମାନେ କିପରି ଖଜଣା ଦେବେ, ଯେତେବେଳେ ମୁଠିଏ ଚାଉଳ ପାଇବାକୁ ସେମାନେ ନତମୁଖ ?

“କ୍ଷତିଗ୍ରସ୍ତ ଅଞ୍ଚଳର ବିବରଣୀ ନିମ୍ନ ପ୍ରକାର :

“(୧) ଘୋଡ଼ାହାଡ଼ ବନ୍ୟା ଦ୍ୱାରା ମୌଳାଭଞ୍ଜ ଗ୍ରାମ ଏବଂ ନିକଟବର୍ତ୍ତୀ ଅଞ୍ଚଳ, ଯାହା ଆସିକା ତାଲୁକରେ ଅବସ୍ଥିତ। ବଡ଼ଖେମୁଣ୍ଡି ଇଲାକାର ଗୋଟିଏ ଅଞ୍ଚଳ ମଧ୍ୟ।”

“(୨) ବାହୁଦା ବନ୍ୟା ଦ୍ୱାରା ନୂଆପଡ଼ା ଏବଂ ବଡ଼ଖେମୁଣ୍ଡି ଇଲାକାର ଆଉ କେତେକ ଗ୍ରାମ।”

“(୩) ଇଚ୍ଛାପୁର ଏବଂ ବାହୁଦା ନଦୀ ଓ ସମୁଦ୍ର ମଧ୍ୟରେ ଅବସ୍ଥିତ ଗ୍ରାମଗୁଡ଼ିକ। ଏହି ଅଞ୍ଚଳରେ ସରକାରୀ ରିପୋର୍ଟରେ ଉଲ୍ଲେଖଥିବା ପ୍ରାଣହାନି ସଂଖ୍ୟାଠାରୁ ଅଧିକ ପ୍ରାଣହାନି ଘଟିଥିଲା। ସମ୍ପତ୍ତି ଓ ଗୋରୁ ଗାଈଙ୍କ କ୍ଷତି ଅତ୍ୟଧିକ ହୋଇଥିଲା ଏବଂ କେତେକ ଲୋକ ସବୁ ହରାଇଥିଲେ।”

“(୪) ମହେନ୍ଦ୍ର ତନୟାର ବନ୍ୟା ଦ୍ୱାରା ପାରଳାଖେମୁଣ୍ଡି ତାଲୁକର ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିଲା ଏବଂ କସମଳାରେ ଗୋଟିଏ ପୋଲ ଭାସିଯାଇଥିଲା।”

(“(୫) ନାଗବଲ୍ଲୀ ବନ୍ୟା ଶ୍ରୀକାକୁଲ ମ୍ୟୁନିସିପାଲିଟି ଅଞ୍ଚଳରେ ଭୀଷଣ କ୍ଷତି କରିଥିଲା। ଶ୍ରୀକାକୁଲମ ଓ ନରସେନାପେଟ ତାଲୁକର ଅନେକ ସ୍ଥାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

“(୬) ଋଷିକୁଲ୍ୟା ବନ୍ୟାଦ୍ୱାରା ପୁରୁଷୋତ୍ତମପୁର କେତକେ ଅଞ୍ଚଳ ଧ୍ୱଂସ ହୋଇଥିଲା।”

“ଏତଦ୍ବ୍ୟତୀତ ଜଳସେଚନ ଓ ପାନୀଳୟଜଳ ପୁଷ୍କରିଣୀରେ ଘାଇ ହୋଇ ସେଗୁଡ଼ିକ ଜଳଶୂନ୍ୟ ହୋଇଥିଲା।

“ମୁଁ ଗଞ୍ଜାମ ଜିଲା ସ୍ୱାସ୍ଥ୍ୟ ଅଫିସରଙ୍କ ସହିତ କଥାବାର୍ତ୍ତା କରିଛି ଏବଂ ସେ ମୋ ସହିତ ଏକମତ ଯେ ଜଳର ଅଭାବ ଆସନ୍ନ। ଘୋର ବର୍ଷା ପରେ ଜଳ ଅଭାବ ସୃଷ୍ଟି ହେବା ବିଚିତ୍ର ବୋଧ ହୋଇପାରେ; କିନ୍ତୁ ଏହା ଅବଶ୍ୟମ୍ଭାବୀ।”

ଏପରି ଦୁର୍ଭାଗ୍ୟଜନକ ଅବସ୍ଥା ଦୃଷ୍ଟିରୁ ଶ୍ରୀ ବିଶ୍ୱନାଥ ଦାଶ ରାଜସ୍ୱ ସଦସ୍ୟଙ୍କୁ ଅନୁରୋଧ କଲେ ଯେ କ୍ଷତିଗ୍ରସ୍ତ ଅଞ୍ଚଳରେ ଖଜଣା ଆଦାୟ ସ୍ଥଗିତ ରଖାଯାଉ; କୋର୍ଟ ଅଫ ୱାର୍ଡ଼ସ ଅଧୀନରେ ଥିବା ବଡ଼ଖେମୁଣ୍ଡି ଇଲାକାରେ ରିଲିଫ ଯୋଗାଇ ଦେବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉ; ଏବଂ ସରକାରଙ୍କୁ ପରାମର୍ଶ ଦେବା ପାଇଁ ଗୋଟିଏ ସ୍ଥାନୀୟ କମିଟି ଗଠନ କରାଯାଉ।

୧୯୨୩ ମସିହା ଡିସେମ୍ବର ୧ ତାରିଖରେ ମାନ୍ଦ୍ରାଜ ରାଜସ୍ୱ ବିଭାଗର ସଚିିବଙ୍କୁ ଏହିପରି ଲେଖିଥିଲେ : “ନଭେମ୍ବର ୧୫ ତାରିଖରେ ବ୍ରହ୍ମପୁର ଷ୍ଟେସନଠାରୁ ଆରମ୍ଭ କରି ୧୦୦ ମାଇଲରୁ ଅଧିକ ଦକ୍ଷିଣକୁ (ଅର୍ଥାତ୍ ଜିଲାର ମୋଟ ଦୌର୍ଘ୍ୟ ୮୦ ଭାଗ) ଯୋଗାଯୋଗ ଛିନ୍ନ ହୋଇଥିଲା ଏବଂ ଏହା ଏ ପର୍ଯ୍ୟନ୍ତ ପୁନରାରମ୍ଭ ହୋଇ ନାହିଁ। ଏଥି ସଙ୍ଗେ ସଙ୍ଗେ ସେହି ଅଞ୍ଚଳରେ ତାର ଯୋଗାଯୋଗ ଧ୍ୱଂସ ହୋଇଗଲା ଏବଂ ପ୍ରଧାନ ରାସ୍ତା ଅଗମ୍ୟ ହେଲା। ସାଧାରଣ ଯୋଗାଯୋଗର ମାଧ୍ୟମ, ଡାକସେବା ଓ ଟେଲିଗ୍ରାଫ ବ୍ୟବସ୍ଥା ତିରୋହିତ ହେଲା। ସମ୍ବାଦବାହକ (ରନର) ବ୍ୟବସ୍ଥା ଆୟୋଜନ କରିବାକୁ ଚେଷ୍ଟା କରାଯାଉଅଛି; କିନ୍ତୁ ତାହା ଅବଶ୍ୟ ସମୟସାପେକ୍ଷ। ଜିଲାପାଳଙ୍କୁ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବାକୁ ବିଳମ୍ବ ଓ କଷ୍ଟକର ହୋଇଅଛି।”

୧୯୨୩ ମସିହା ଡିସେମ୍ବର ୧ ତାରିଖରେ “ଉତ୍କଳ ଦୀପିକା”ରେ ଇଚ୍ଛାପୁରରୁ ପ୍ରେରିତ ନିମ୍ନଲିଖିତ ପତ୍ର ପ୍ରକାଶିତ ହୋଇଥିଲା।

“ଗଞ୍ଜାମର ଇଚ୍ଛାପୁରଠାରେ ଗତ ୧୪ ତାରିଖଠାରୁ ୧୬ ତାରିଖଯାଏ ଝଡ଼ିକରି ୧୬ ତାରିଖଠାରୁ ୧୮ ତାରିଖ ସନ୍ଧ୍ୟାଯାଏ ମାଠିଆରେ ଜଳ ଢାଳିଲା ପରି ଅବିଶ୍ରାନ୍ତ ବୃଷ୍ଟି ହୋଇ ଗରୁ ବାହାରି କରିଦେଲା ନାହିଁ। ୩ ଦିନଯାଏ ଦିବା ଭାଗରେ ଏପରି ଅନ୍ଧକାର ହେଲା ଯେ ଦୀପାଲୋକ ଆବଶ୍ୟକ ହୋଇଥିଲା। ପ୍ରଚଣ୍ଡ ପବନରେ ସହସ୍ର ସହସ୍ର ଘର ଉଡ଼ାଇ ନେଇଅଛି, ବୃକ୍ଷମାନଙ୍କୁ ଭୂତଳଶାୟୀ କରିଅଛି। ବୃଷ୍ଟିର ପ୍ରବଳତା ହେତୁ ଦାଣ୍ଡ ମଝିରେ ୩ା୪ ହାତ ଉଚ୍ଚରେ ଜଳ ପ୍ରବାହିତ ହୋଇ ସଡ଼କମାନଙ୍କର ଚିହ୍ନ ଲୋପ କରିଦେଇଅଛି। ଅନ୍ୟାନ୍ୟ ନଦୀ ନାଳ ସଙ୍ଗେ ସଙ୍ଗେ ବାହୁଦା ନଦୀ ବଢ଼ି ଜଳ ଉଚ୍ଛ୍ୱାସିତ ହୋଇ ତଟବର୍ତ୍ତୀ ୨୦/୩୦ ଖଣ୍ଡ ଗ୍ରାମରେ ୮/୧୦ ହାତ ଉଚ୍ଚରେ ପ୍ରବାହିତ ହୋଇ ଗୃହମାନ ଭୂଶାୟୀ କରି ଦେଇଅଛି। କେତେକ ଭସାଇ ନେଇଅଛି। ସମ୍ପଦଶୂନ୍ୟ ହେତୁ ଧନୀ ଦରିଦ୍ର ସମସ୍ତେ ବର୍ତ୍ତମାନ ସମଦଶାପନ୍ନ। ଲୋକମାନେ କେହି କେହି ବୃକ୍ଷ ଉପରେ କେହି କେହି ଘର ଉପରେ, କେତେକ ଉଚ୍ଚ ଭୂମି ଉପରେ, ଉପବାସରେ ପବନ ବୃଷ୍ଟି ସହ୍ୟକରି ଠିଆ ହୋଇ ରହିବାକୁ ବାଧ୍ୟ ହୋଇଥିଲେ। କେତେ ମନୁଷ୍ୟ ଓ ଗୃହପାଳିତ ପଶୁ ମୃତ ହୋଇଅଛନ୍ତି ତାହାର ସଂଖ୍ୟା ନାହିଁ। ଏଣେ ଚିଲିକା ପୂର୍ଣ୍ଣଗର୍ଭା ହୋଇ ସୋରଲା ଲୁଣଖାଇରୁ ୧୦/୧୨ ହଜାର ଟଙ୍କାର ଲୁଣ ସହିତ ସେ ଗ୍ରାମର ଏବଂ ତଟବର୍ତ୍ତୀପାଟିସୁନାପୁର, ରେଉସୁନାପୁର, କରାପେଣ୍ଠ, କଇଠା ଆଦି ଗ୍ରାମମାନଙ୍କର ସର୍ବନାଶ କରିଛି। ୧୮ ତାରିଖ ସନ୍ଧ୍ୟା ସମୟରେ ଇଚ୍ଛାପୁରରେ ପ୍ରଚାରିତ ହେଲା ଯେ ‘ଜାପାନର ଦୁର୍ଘଟନା ପରି ସମୁଦ୍ର ଓ ଚିଲିକା ମାଡ଼ିଆସୁଛି।’ ଏହା ଶୁଣି ‘ଆଉ ରକ୍ଷା ନାହିଁ, ତ୍ରାହି, ତ୍ରାହି ରାବରେ ଗ୍ରାମର ଗଗନପବନ ମୁଖରିତ ହେଲା।”

୧୯୪୪ ମସିହା ଅଗଷ୍ଟ ୨୨ ତାରିଖରେ ଗଞ୍ଜାମର ଜିଲାପାଳ ଶ୍ରୀ ଆଇ.ଏଇଚ୍ ମାକ୍ଡୋନାଲଡ଼ ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ସଚିବଙ୍କୁ ଲେଖିଲେ ଯେ ଅଗଷ୍ଟ ୧୮ ତାରିଖ ସନ୍ଧ୍ୟାଠାରୁ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳର ଅନେକ ଭାଗରେ ଘୋର ଓ ଅବିଶ୍ରାନ୍ତ ବୃଷ୍ଟି ହୋଇଥିଲା। ତାହା ଫଳରେ ଋଷିକୁଲ୍ୟା ଓ ମହାନଦୀ ଦୃତଗତିରେ ବଢ଼ିଥିଲା। ଅଗଷ୍ଟ ୧୮ ତାରିଖ ସନ୍ଧ୍ୟାରେ ଦୁଇ ନଦୀର ସଙ୍ଗମସ୍ଥଳ ଆସିକା ସହରକୁ ବନ୍ୟା ବିପଦ ମାଡ଼ି ଆସିଥିଲା। ଅଗଷ୍ଟ ୨୦ ତାରିଖ ଅପରାହ୍ନ ୧ଟାବେଳେ ଦୁଇ ନଦୀର ଜଳପତ୍ତନ ସର୍ବାଧିକ ହେଲା। ତା’ପରେ ସେଗୁଡ଼ିକ ଛାଡ଼ିବାକୁ ଆରମ୍ଭ କଲା।

ଋଷିକୂଲ୍ୟା ନଦୀର ଜଳ ବିଶାଳ ଅଞ୍ଚଳରେ ବ୍ୟାପିଲା। ତାହା ଖଲ୍ଲିକୋଟ ଆସିକା ରାସ୍ତା, ଛତ୍ରପୁର ଉତ୍ତରରେ ଥିବା ଉପକୂଳ ରାସ୍ତା, ଆସିକା-ବ୍ରହ୍ମପୁର ରାସ୍ତା ଏବଂ ଆସିକା ରସୁଲକୁଣ୍ଡା ରାସ୍ତା ଅବରୋଧ କଲା। ମହାନଦୀ ଓ ଋଷିକୂଲ୍ୟା ମଧ୍ୟରେ ଥିବା ଗୋଟିଏ ଛୋଟ ନଦୀର ପୋଲ ଭାସିଗଲା। ଆସିକା ସହରର ପ୍ରଧାନ ସଡ଼କ ଏବଂ ରସୁଲକୁଣ୍ଡାକୁ ଯାଉଥିବା ରାସ୍ତାର ମଧ୍ୟବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଥିଲା। କଳିଙ୍ଗ ଘାଟରେ ପଥର ଖସିବା ଯୋଗୁଁ ଜି.ଉଦୟଗିରି ରାସ୍ତା ବନ୍ଦ ହୋଇଗଲା। ରସୁଲକୁଣ୍ଡାକୁ ପ୍ରଧାନ ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଯୋଗାଯୋଗ ହୋଇଥିଲା। ଆସିକା ନିକଟରେ ଋଷିକୂଲ୍ୟା ନଦୀରବନ୍ୟା ପ୍ରତିରୋଧକ ଘଟି ଦୁଇଟି ଘାଇ ହୋଇଥିଲା। ନଦୀରେ ଥିବା ପ୍ରାୟ ୧୦୦ ଛୋଟ ସବୁ ଆସିକା ସହରର ବସଷ୍ଟାଣ୍ଡ ନିକଟରେ ପ୍ରାୟ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଥିଲା। ମଦଭାଟିର (ଊସଗ୍ଦଗ୍ଧସକ୍ଷକ୍ଷବକ୍ସଚ୍ଚ) କାନ୍ଥ ପ୍ରାୟ ୫୦ ଗଜ ପର୍ଯ୍ୟନ୍ତ ଭାଙ୍ଗିଯାଇଥିଲା। ଘର ତିଆରି ପାଇଁ ଜିଲାପାଳ ୫୦୦ ଟଙ୍କା ମଞ୍ଜୁର କରିଥିଲେ ଏବଂ ବିନା ମୂଲ୍ୟରେ ବାଉଁଶ ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲେ। ଆସିକା ସହରରେ ଗୃହଶୂନ୍ୟ ଲୋକମାନଙ୍କୁ ଖାଇବାକୁ ଦେବା ପାଇଁ ଗୋଟିଏ ଅନ୍ନଛତ୍ର ସ୍ଥାପିତ ହୋଇଥିଲା।

ଜିଲାପାଳ ଲେଖିଥିଲେ, “୨୦ ତାରିଖ ରାତିରେ ମୁଁ ଆସିକା ଯିବାକୁ ଚେଷ୍ଟା କଲି, କିନ୍ତୁ ରାସ୍ତା ଅତିକ୍ରମ କରିପାରିଲି ନାହିଁ। କାରଣ ସେତେବେଳେ ଏହା ଉପରେ ଛ’ଫୁଟ ପାଣି ଚାଲୁଥିଲା ଏବଂ ଡଙ୍ଗା ନଥିଲା। ଜଳ ହ୍ରାସ ପାଇବାରୁ ମୁଁ ୨୧ ତାରିଖରେ ଆସିକା ପରିଦର୍ଶନ କରିଥିଲି; କିନ୍ତୁ ତାହା ହେଲେ ମଧ୍ୟ ମୋତେ ହାତୀରେ ଚଢ଼ି ଯିବାକୁ ପଡ଼ିଥିଲା, କାରଣ କେତେକ ଜାଗାରେ ଜଳ ପୂରାପୂରି ଛାଡ଼ି ନଥିଲା।” ଆସିକା ମଦଭାଟିରେ ଥିବା ବନ୍ୟା ମାପକ ସ୍କେଲରୁ ଜଣାଗଲା ଯେ ୧୮୮୯ ମସିହା ପରେ ୧୯୪୪ର ଏହି ବନ୍ୟା ସର୍ବୋଚ୍ଚ ହୋଇଥିଲା। କିନ୍ତୁ ଛତ୍ରପୁର ତାଲୁକରେ ୧୯୩୩ ମସିହାରେ ହୋଇଥିବା ବନ୍ୟା ତୁଳନାରେ ଏହି ବନ୍ୟା ଏତେ ଉଚ୍ଚକୁ ଉଠି ନଥିଲା।

୧୯୪୪ ମସିହା ସେପ୍ଟେମ୍ବର ୧୧ ତାରିଖରେ ଜିଲାପାଳଙ୍କ ଦ୍ୱାରା ପ୍ରଦତ୍ତ ସର୍ବଶେଷ ରିପୋର୍ଟରୁ ଜଣାଯାଏ ଯେ ବନ୍ୟା ଘୁମୁସର ଓ ଛତ୍ରପୁର ଡିଭିଜନକୁ ଆକ୍ରାନ୍ତ କରିଥିଲା। ଘୁମୁସର ଡିଭିଜନରେ ୪୫ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୧୦୫ଟି ଘାଇ ହୋଇଥିଲା। ୪୯୮ ଏକର ଜମି ବାଲିଚର ହୋଇଯାଇଥିଲା ଏବଂ ୪୫୪ ଏକର ଜମି ଜଳପୂର୍ଣ୍ଣ ହୋଇ ରହିଥିଲା। ଫଳରେ ୯୫୨ ଏକର ଜମିର ଫସଲ ନଷ୍ଟ ହୋଇଥିଲା। ୨୫୬ଟି ଘର ଆଂଶିକ ଭାବରେ ଏବଂ ୪୫ଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିଲା। ୪ ଜଣ ଲୋକଙ୍କର ପ୍ରାଣହାନି ଘଟିଥିଲା; କିନ୍ତୁ କୌଣସି ଗାଈଗୋରୁ ନଷ୍ଟ ହୋଇ ନଥିଲେ।

ଅଗଷ୍ଟ ୧୯ ତାରିଖରେ ଲୋହାରଖଣ୍ଡି, ବଡ଼ନଦୀ, ବୋଡ଼ା ନଦୀ ଏବଂ ରସୁଲକୁଣ୍ଡା ସହର ନିକଟବର୍ତ୍ତୀ ଉପନଦୀରେ ବଡ଼ ବନ୍ୟା ହୋଇଥିଲା। ରସୁଲକୁଣ୍ଡାର ରାସ୍ତାଗୁଡ଼ିକ ଏବଂ ବାଲିପାଟଣା, କୃଷ୍ଣସରଣପୁର, କୃଷ୍ଣପଲି, ଧନୁର୍ଯ୍ୟୟପୁର, ଲଙ୍ଗିନାଠି ଏବଂ ମନ୍ଦାର ଗ୍ରାମ ଗୁଡିକ ବନ୍ୟା ପ୍ଲାବିତ ହୋଇଥିଲା। ଏଣୁ ଅବଶେଷରେ — ଡୋନାଲଡ଼ ଲେଖିଥିଲେ, “ଏହି ବିଶେଷ ପ୍ରଖର ହୋଇନଥିଲା। ଜିଲାବାସୀମାନେ ବଡ଼ଧରଣର ଅଭ୍ୟସ୍ତ ନ ଥିବାରୁ, ଅନୁରୂପ ଉତ୍ତର ଓଡ଼ିଶାରେ ଯେତେ ଉତ୍ତେଜନା ସୃଷ୍ଟି କରନ୍ତି ତାହାଠାରୁ ଏଠାରେ ଅଧିକ ଉତ୍ତେଜନା ସୃଷ୍ଟି ହୋଇଥିଲା।

ପ୍ରଳୟଙ୍କର ବନ୍ୟା ୧୯୯୦ ମସିହା ନଭେମ୍ବର ମାସ ୨ ତାରିଖଠାରୁ ବର୍ଷା ପବନ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଲାଗି ରହିଥିଲା। ୪ ତାରିଖ ପର୍ଯ୍ୟନ୍ତ ଲଗାତାର ବର୍ଷା ପବନ ଯୋଗୁଁ ଜିଲ୍ଲାର ସମସ୍ତ ନଦୀ ତଥା ଋଷିକୁଲ୍ୟା, ବଡ଼ନଦୀ, ଗୋଡ଼ାହାଡ଼, ଜରାଉ, ପଦ୍ମା, ଅଦିଣୀ, ନନ୍ଦିନୀ, ବଂଶଧାରା, ଖରଖରି, ଲୋହରାଖଣ୍ଡି ପ୍ରଭୃତି ନଦୀରେ ବନ୍ୟାଜଳ ମାଡ଼ିଆସି ଆସିକା ଭଞ୍ଜନଗର ଆଦି ୧୭ ଗୋଟି ବ୍ଲକରେ ନାହିଁ ନ ଥିବା କ୍ଷତି ଘଟାଇଥିଲା। ଏହି ବନ୍ୟାରେ ୨୫୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ, ପ୍ରବଳ ବନ୍ୟାରେ ଜିଲ୍ଲାର ମୁଖ୍ୟ ସଂଯୋଗକାରୀ ପୋଲଗୁଡ଼ିକ ଯଥା ୧୮୫୦ ମସିହାରେ ନିର୍ମିତ ଋଷିକୁଲ୍ୟା ନଦୀ ଉପରେ ଆସିକାଠାରେ ଥିବା ଅଠରନଳା ପୋଲ ୧୯୨୮ ଦିଗପହଣ୍ଡିଠାରେ ମଉଳାଭଞ୍ଜା ପୋଲ, ବ୍ରିଟିଶ୍ ଅମଳର ସୋରଡ଼ାଠାରେ ଥିବା ଜରଉ ନଦୀପୋଲ ଏବଂ ହିଞ୍ଜିଳିକାଟୁଠାରେ ଥିବା ଘୋଡ଼ାହାଡ଼ ପୋଲ ଆଦି ଭାସିଯିବା ଫଳରେ ଦୀର୍ଘ ୬ ବର୍ଷ ପର୍ଯ୍ୟନ୍ତ ଏହି ଜିଲ୍ଲା ଅନ୍ୟ ଜିଲ୍ଲାଠାରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ଏହି ବନ୍ୟାରେ କେବଳ ଆସିକା ସହରର ବନ୍ୟାଜଳ ୧୩ ଫୁଟର ଉଚ୍ଚରେ ଦୀର୍ଘ ୨୪ ଘଣ୍ଟାରୁ ଊଦ୍ଧ୍ୱର୍କାଳ ରହିଥିଲା। ପାଞ୍ଚଶହରୁ ଊଦ୍ଧ୍ୱର୍ଗ୍ରାମ ବନ୍ୟାରେ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଥିଲା। ଏହାପରେ ଅଳ୍ପ ଛୋଟ ବଡ଼ ବନ୍ୟା ଓ ଝଡ଼ ତୋଫାନ ଦେଖାଦେଇଥିଲା।

୧୯୯୯ ଅକ୍ଟୋବର ୧୬ ତାରିଖରୁ ଗଞ୍ଜାମ ଜିଲ୍ଳାରେ ବର୍ଷା ପବନ ଆରମ୍ଭ ହୋଇଥିଲା। ୧୭ ତାରିଖ ଦିନ ଥିଲା ଦୁର୍ଗାପୂଜା। ମହାଅଷ୍ଟମୀ ଓ ଗର୍ଭଣା ସଂକ୍ରାନ୍ତି ସନ୍ଧ୍ୟାବେଳକୁ ପବନର ଗତି ବଢ଼ିବାକୁ ଲାଗିଲା। କେତେକ ସ୍ଥାନରେ ପବନ ଜୋର୍ ହେବାରୁ ବିଜୁଳି ତାର ଛିଣ୍ଡିଗଲା, ରାତି ୯ଟା ବେଳକୁ ସମଗ୍ର ବ୍ରହ୍ମପୁର ସହର ଅନ୍ଧକାର ହୋଇଯାଇଥିଲା। ରାତି ପ୍ରାୟ ୧୨ଟା ବେଳକୁ ବର୍ଷା ପବନ ଆରମ୍ଭ ହେଇଗଲା, ପ୍ରାୟ ୪୫ ମିନିଟ୍ କାଳ ସବୁଆଡ଼ ଶାନ୍ତ ରହିବା ପରେ ହଠାତ୍ କେଉଁଆଡ଼ୁ ଘୁ ଘୁ ହୋଇ ସମୁଦ୍ର ଗରଜିଲା। ୧୮ ତାରିଖ ସକାଳୁ ଖୋଦ ବ୍ରହ୍ମପୁର ସହର ମହାଶ୍ମଶାନ ପରିଣତ ହୋଇଗଲା। ବ୍ରହ୍ମପୁର ସହର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ବ୍ରହ୍ମପୁର ସହର ଓ ତା’ର ଆଖପାଖ ଅଞ୍ଚଳରୁ ୮୬ଗୋଟି ମୃତଦେହ ମିଳିଲା। ସେତେବେଳେ ଲୋକେ କହୁଥିଲେ ମହାଷ୍ଟମୀ ଓ ଗର୍ଭଣା ସଂକ୍ରାନ୍ତି ଏକା ଦିନରେ ପଡ଼ିଲେ ପ୍ରଳୟର ଯୋଗ ପଡ଼େ। ଏହି ଝଡ଼ବାତ୍ୟାରେ ୧୧୧ ଜଣ ମରିଥିଲେ, ୧୫୦୦ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ଘର ଭାଙ୍ଗିଥିଲା। ପୁଣି ସେହି ବାତ୍ୟା ସେହି ଅକ୍ଟୋବର ୧୮, ୧୯ ତାରିଖରେ ରାଜ୍ୟର ୧୪ ଗୋଟି ଜିଲ୍ଲାକୁ ବ୍ୟାପି ଏଥିରେ ସରକାରୀ ଭାବେ ୮ ହଜାର ୪୭୯ ଜଣ ପ୍ରାଣ ହରାଇଥିଲେ। ବାତ୍ୟା ଓ ବନ୍ୟାରେ ପ୍ରାୟ ୧ କୋଟି ୯୦ ଲକ୍ଷ ବାସୀ କ୍ଷତିଗ୍ରସ୍ତ ହୋଇଥିଲେ।

ଏବେ ପୁଣି ୨୦୧୩ ମସିହାରେ ଫାଇଲିନ୍ ନାମକ ସାମୁଦ୍ରିକ ଝଡ଼ ବତାସ ସେହି ଅକ୍ଟୋବର ୧୨ ତାରିଖରେ ପୁଣି ପଛକୁ ଲଘୁଚାପ ଜନିତ ବନ୍ୟାରେ ସେହି ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ତେବେ ପାଣିପାଗ ବିଭାଗର ଆଗୁଆ ପୂର୍ବାନୁମାନ ଘୋଷଣା ହୋଇ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ଲୋକଙ୍କର ପୂର୍ବ ଅଭିଜ୍ଞତା ଯୋଗୁଁ ମୃତ୍ୟୁ ସଂଖ୍ୟା ବିଶେଷ ନ ଥିବା ବେଳେ ଅନ୍ୟାନ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି।୨୦୧୮ ମସିହା ଅକ୍ଟୋବର ମାସ ୧୧ ତାରିଖରେ “ତିିତଲି’ ନାମକ ଯେଉଁ ସାମୁଦ୍ରିକ ଝଡ଼ ଗୋପାଳପୁର ପାଖେ ସ୍ଥଳଭାଗରେ ମାଡ଼ ହୋଇ ଗଞ୍ଜାମ ଜିଲ୍ଲାର ଯେଉଁ ବ୍ୟପକ ଅଞ୍ଚଳରେ କ୍ଷୟକ୍ଷତି ଘଟାଇଛି ତା’ର ତଥ୍ୟ ସଂଗ୍ରହ କରାଯାଉଛି। ତିତିଲି ପର ବନ୍ୟାରେ ଆସିକା ସହରରେ ୧୩ – ୧୪ ଫୁଟ ଉଚ୍ଚ ରେ ପାଣି ଚାଲିଥିଲା।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.