ଭୁବନେଶ୍ୱର, ୨୧.୧୧ (ଓଡ଼ିଆ ପୁଅ) : ଏ.ଆଇ.ଟି.ୟୁ.ସି. ସହବନ୍ଧିତ ଓଡ଼ିଶା ଫରେଷ୍ଟ ଉଡ୍ ଏଗି୍ରକଲଚର୍ ଏଣ୍ଡ୍ ବିଲଡିଙ୍ଗ୍ କନ୍ଷ୍ଟ୍ରକ୍ସନ୍ ୱାର୍କରସ୍ ୟୁନିୟନ୍, ଖୋର୍ଦ୍ଧା ଜିଲ୍ଲା କମିଟିର ବୈଠକ ଅନୁଷ୍ଠିତ ହୋଇ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି ଆହ୍ୱାନର ଶ୍ରମ କମିଶନର୍ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିବାରାତ୍ର ଧାରଣାରେ ଜିଲ୍ଲାରୁ ହଜାର ହଜାର ନିର୍ମାଣ ଶ୍ରମିକ ଯୋଗଦେବା ନିମନ୍ତେ ଆହ୍ୱାନ ଦିଆଯାଇଛି।
ଜିଲ୍ଲା ସଭାପତି ମଙ୍ଗରାଜ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦିକା ବାସନ୍ତୀ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏଥିରେ ଯୋଗ ଦେଇ ୟୁନିୟନ୍ର ରାଜ୍ୟ ସଭାପତି ସୁର ଜେନା, ସାଧାରଣ ସମ୍ପାଦକ ବିଜୟ ଜେନା ନିର୍ମାଣ ଶ୍ରମିକଙ୍କ ସର୍ବନିମ୍ନ ଦାବି ଯଥା – ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନରେ ଅହେତୁକ ବିଳମ୍ବ, ଘରୋଇ ବୈଷୟିକ ଶିକ୍ଷା ସହାୟତା ପ୍ରଦାନ, ମାସିକ ପେନ୍ସନ୍ ୩୦୦୦/-, ପେନ୍ସନ୍ କ୍ଷେତ୍ରରେ ୧୦ ବର୍ଷିଆ ନବୀକରଣ ପ୍ରଥା ଉଚ୍ଛେଦ, ନିୟମାନୁସାରେ ସହାୟତା ରାଶି ପ୍ରଦାନ, ସ୍ପଷ୍ଟ ନିୟମାବଳୀ, ଉପଯୁକ୍ତ ସାମାଜିକ ସୁରକ୍ଷା ଅକାମୀ କରିବା ଷଡ଼ଯନ୍ତ୍ର ପ୍ରତିବାଦରେ ହେବାକୁ ଥିବା ଦିବାରାତ୍ର ଧାରଣାରେ ବହୁସଂଖ୍ୟାର ଯୋଗଦେବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅହଲ୍ୟା ସାହୁ, ଛେତାମ୍ବର ଭୋଇ, ପ୍ରଫୁଲ୍ଲ ବେହେରା, ସୁରେନ୍ଦ୍ର ସାହୁ, ଝୁନି ରାଉତ ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଆନ୍ଦୋଳନର ସଫଳତା ନିମନ୍ତେ ଆହ୍ୱାନ ଦେଇଥିଲେ।