Odiapua.com

ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା, ବଜ୍ରପାତ, ଘୁର୍ଣ୍ଣିଝଡ଼ ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରୀ

ଭୁବନେଶ୍ୱର: ଦେଶରେ ମୌସୁମୀ ଆରମ୍ଭ ହୋଇଯାଇଛି। ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟରେ ବର୍ଷା ହୋଇଥିବାର ଖବର ଆସିଛି। ଏଥର ମୌସୁମୀ ଆରମ୍ଭ ହେବା ପରେ ଏହା ଶୀଘ୍ର ସାରା ଦେଶରେ ବ୍ୟାପିବ ବୋଲି ଆଶା କରାଯାଉଛି। ସର୍ବଶେଷ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪୮ ରୁ ୭୨ ଘଣ୍ଟା ମଧ୍ୟରେ ଦେଶର ପ୍ରାୟ ଏକ ଡଜନ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଦେଶରେ ୬୦ ରୁ ଅଧିକ ସହରରେ ବଜ୍ରପାତ ଏବଂ ଘୁର୍ଣ୍ଣିଝଡ଼ ସମେତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ୧୧ ରୁ ୧୪ ଜୁନ୍ ମଧ୍ୟରେ ବୃଦ୍ଧି ପାଇପାରେ।

ଓଡ଼ିଶା ପାଇଁ ପାଣିପାଗ ସତର୍କତା –
ଓଡ଼ିଶାର ଅନେକ ଜିଲ୍ଲାରେ ୧୧ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ, ଘୂର୍ଣ୍ଣିଝଡ଼ ଏବଂ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଯାଜପୁର, ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତ, ଘୂର୍ଣ୍ଣିଝଡ଼ ଏବଂ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। /-ଦେବଦତ୍ତ ରଥ