ନୂଆଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ସୁପ୍ରିମକୋର୍ଟ ତାଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଶୁଣାଣି କରି ଏକ ଆଦେଶରେ କହିଛନ୍ତି ଯେ, ପତ୍ନୀ ‘ଚଳନଶୀଳ ସମ୍ପତ୍ତି’ କିମ୍ବା ‘ବସ୍ତୁ’ ନୁହଁନ୍ତି। ତାଙ୍କ ସହିତ ରହିବାକୁ ଇଚ୍ଛା ସତ୍ତ୍ୱେ ସ୍ୱାମୀ, ଏଥିପାଇଁ ପତ୍ନୀଙ୍କ ଉପରେ ଚାପ ପକାଇ ପାରିବେ ନାହିଁ। ଜଣେ ବ୍ୟକ୍ତିଙ୍କ ଆବେଦନ ଶୁଣାଣି ସମୟରେ ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଏକ ଆବେଦନ କରି ସ୍ୱାମୀ କୋର୍ଟରେ ଆବେଦନ କରିଥିଲେ ଯେ, ପତ୍ନୀଙ୍କୁ ଏକାଠି ରହିବାକୁ ଏବଂ ପୁନର୍ବାର ଜୀବନ ବିତାଇବାକୁ ନିର୍ଦ୍ଦେଶ ଦିଆଯାଉ।
ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କିଶନ କୌଲ ଏବଂ ହେମନ୍ତ ଗୁପ୍ତାଙ୍କ ଏକ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ, ‘ତୁମେ କ’ଣ ଭାବୁଛ? ପତ୍ନୀକୁ କ’ଣ ବୋଲି ଭାବୁଛନ୍ତିଯେ, ଆମେ ଅପରି ଆଦେଶ ଦେଇପାରିବୁ? ପତ୍ନୀ କୌଣସି ଚଳନଶୀଳ ସମ୍ପତ୍ତି ନପହେଁଯେ, ତାଙ୍କୁ ଆମେ ତୁମ ସହିତ ଯିବାକୁ ଆଦେଶ ଦେବୁ? ‘
ସୂଚନାଯୋଗ୍ୟଯେ, ଗୋରଖପୁରର ଏକ ପରିବାର କୋର୍ଟ ୧ ଏପ୍ରିଲ ୨୦୧୯ ରେ ହିନ୍ଦୁ ବିବାହ ଆଇନ (HMA) ର ଧାରା ୯ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ସପକ୍ଷରେ ସାମ୍ବିଧାନିକ ଅଧିକାରର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପତ୍ନୀ ପରିବାର କୋର୍ଟରେ କହିଥିଲେ ଯେ, ୨୦୧୩ ମସିହାରେ ବିବାହ ପରଠାରୁ ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ଏଭଳି ପରିସ୍ଥିତିରେ ସେ ବିବାହଠାରୁ ଅଲଗା ହେବାକୁ ବାଧ୍ୟ ହୋଇଥିଲେ। ୨୦୧୫ ମସିହାରେ ପତ୍ନୀ କୋର୍ଟରେ ଗୁଜୁରାଣ ଭତ୍ତା ପାଇଁ ଆବେଦନ କରିଥିଲେ। ଏହା ପରେ ଗୋରଖପୁର କୋର୍ଟ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଭାବରେ ପ୍ରତି ମାସରେ ୨୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସ୍ୱାମୀ ତାଙ୍କ ସାମ୍ବିଧାନିକ ଅଧିକାର ବଞ୍ଚାଇବାକୁ ଚେଷ୍ଟା କରି ପରିବାର କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଗୋରଖପୁରର ପରିବାର କୋର୍ଟ ଦ୍ୱିତୀୟ ଥର ପାଇଁ ତାଙ୍କ ନିର୍ଦ୍ଦେଶ ଜାରି କରିଥିଲେ, ଏହା ପରେ ସ୍ୱାମୀ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଫ୍ୟାମିଲି କୋର୍ଟର ଆଦେଶକୁ ସମର୍ଥନ କରି ମାମଲାକୁ ଖାରଜ କରିଦେଇଥିଲେ। ଶେଷରେ ସ୍ୱାମୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ମହିଳାଙ୍କ ଓକିଲ ଅନୁପମ ମିଶ୍ରଙ୍କ ଜରିଆରେ କୋର୍ଟଙ୍କୁ କହିଥିଲେ ଯେ ସ୍ୱାମୀ ଗୁଜୁରାଣ ଭତ୍ତା ଦେବାରୁ ରକ୍ଷା ପାଇବା ପାଇଁ ଏସବୁ କରୁଛନ୍ତି। ମଙ୍ଗଳବାର ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ନିକଟକୁ ଫେରିବା ପାଇଁ ପ୍ରବର୍ତ୍ତାଇବା ଉଚିତ୍। ବିଶେଷକରି ଯେତେବେଳେ ପରିବାର କୋର୍ଟ ତାଙ୍କ ସପକ୍ଷରେ ଏକ ରାୟ ଦେଇଛନ୍ତି।
ତେବେ ସାମ୍ବିଧାନିକ ଅଧିକାର କାର୍ଯ୍ୟକାରୀ ପାଇଁ ସ୍ୱାମୀଙ୍କ ଅନୁରୋଧକୁ ସୁପ୍ରିମକୋର୍ଟର ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଥିଲେ।
ଉକ୍ତ ବ୍ୟକ୍ତିଙ୍କ ପାଇଁ ହାଜର ହୋଇଥିବା ଓକିଲଙ୍କୁ ବେଞ୍ଚ କହିଥିଲେ, ‘ତୁମେ କିପରି ଦାୟିତ୍ତ୍ୱ ହୀନ ହୋଇପାରିବ? ସେ ମହିଳାଙ୍କୁ ଚଳନଶୀଳ ସମ୍ପତ୍ତି ପରି ବ୍ୟବହାର କରୁଛନ୍ତି। ମହିଳା ଏକ ବସ୍ତୁ ନୁହଁନ୍ତି। ଏପରି ପରିସ୍ଥିତିରେ କୌଣସି ଆବେଦନ ଉପରେ କୌଣସି ଆଦେଶ ଦେବାର ପ୍ରଶ୍ନ ଉଠୁନାହିଁ।’