ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ବର୍ତ୍ତମାନସୁଦ୍ଧା କରୋନା ଭୂତାଣୁ ଦ୍ୱାରା ୭୩ ଜଣ ଭାରତୀୟ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କେରଳର ତିନୋଟି ମାମଲାରେ ସଂକ୍ରମିତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ନୋଭେଲ କରୋନା ଭୂତାଣୁ (କୋଭିଡ-୧୯)କୁ ଏବେ ଆନୁଷ୍ଠାନିକ ଭାବେ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି। ୧୧୪ଟି ଦେଶରେ ୧୧୮, ୦୦୦ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଗତକାଲି ମହାମାରୀ ଭାବେ ଘୋଷଣା କରାଯାଇଥିଲା।
ଚୀନର ଉହାନରେ ୩୧ ଡିସେମ୍ବର ୨୦୧୯ରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା। ସେବେଠାରୁ ଭାରତ ଏହାର ମୁକାବିଲା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଆସିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଭାବେ କରୋନା ମୁକାବିଲା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
୩୦ ଜାନୁଆରୀ, ୨୦୨୦ କୋଭିଡ-୧୯କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜନସ୍ୱାସ୍ଥ୍ୟ ଜରୁରିକାଳୀନ ସ୍ଥିତି ଭାବେ ଘୋଷଣା କରାଗଲା। ଏହାର ଯଥେଷ୍ଟ ପୂର୍ବରୁ ୮ ଜାନୁଆରୀ, ୨୦୨୦ ପରଠାରୁ ଭାରତ କରୋନା ମୁକାବିଲା ଲାଗି ତତ୍ପରତା ପ୍ରକାଶ କରିସାରିଥିଲା। ୧୭ ଜାନୁଆରୀ ୨୦୨୦ରେ ରାଜ୍ୟଗୁଡ଼ିକୁ ଚିକିତ୍ସା କ୍ଷେତ୍ରରେ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେହିଦିନ ଠାରୁ ପ୍ରବେଶ ପଥରେ ଯାଂଚ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।
କୋଭିଡ-୧୯ର ମୁକାବିଲା ଲାଗି ସାମୁଦାୟିକ ଯାଂଚ ବ୍ୟବସ୍ଥା, ରୋଗୀଙ୍କୁ ଅଲଗା ରଖି ଚିକିତ୍ସା କରିବା, ସ୍ୱତନ୍ତ୍ର ଚିକିତ୍ସା ୱାର୍ଡ, ଯଥେଷ୍ଟ ସଂଖ୍ୟକ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ, ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ୧୭ ଜାନୁଆରୀରେ ମୁମ୍ବାଇ, ଦିଲ୍ଲୀ ଓ କୋଲକାତା ବିମାନ ବନ୍ଦରରେ ଯାଂଚ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ୨୧ ଜାନୁଆରୀ, ୨୦୨୦ରେ ଏହାକୁ ଆହୁରି ୪ଟି ବିମାନବନ୍ଦର ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ହାଇଦ୍ରାବାଦକୁ ସମ୍ପ୍ରସାରିତ କରାଯାଇଥିଲା। ଧୀରେ ଧୀରେ ୩୦ଟି ବିମାନ ବନ୍ଦରରେ ଯାତ୍ରୀଙ୍କ ସାମୁହିକ ଯାଂଚ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିଲା। ସେହିପରି ୧୨ଟି ବୃହତ ଏବଂ ୬୫ଟି କ୍ଷୁଦ୍ର ବନ୍ଦରରେ ପହଁଚୁଥିବା ଜାହାଜଗୁଡ଼ିକରେ ଥିବା ଯାତ୍ରୀଙ୍କୁ ଯାଂଚ କରାଯାଇଥିଲା।
ଭାରତ ସବୁବେଳେ ନିଜ ନାଗରିକମାନଙ୍କ ନିରାପତା ଓ କଲ୍ୟାଣ ପ୍ରତି ଦୃଷ୍ଟି ଦେଇ ଆସିଛି। ତେଣୁ ୧ ଫେବୃଆରୀ, ୨୦୨୦ ଠାରୁ କୋଭିଡ-୧୯ ପ୍ରଭାବିତ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ତ୍ତମାନସୁଦ୍ଧା ଭାରତ ସରକାର ୯୦୦ ଭାରତୀୟ ନାଗରିକ ଏବଂ ମାଳଦୀପ, ମ୍ୟାଁମାର, ବାଂଲାଦେଶ, ଚୀନ, ଆମେରିକା, ମାଡାଗାସ୍କର, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଏବଂ ପେରୁ ଆଦି ଦେଶର ୪୮ ଜଣ ନାଗରିକଙ୍କୁ ଉଦ୍ଧାର କରିସାରିଛନ୍ତି।
ଏହା ଅତିରିକ୍ତ ଇଟାଲୀରୁ ଉଦ୍ଧାର ହୋଇଥିବା ୮୩ ଜଣ ଗତକାଲି ଭାରତରେ ପହଁଚିଛନ୍ତି ଏବଂ ସେମାନଙ୍କୁ ମାନେସାର ସୁବିଧା କେନ୍ଦ୍ରରେ ପୃଥକ ଭାବେ ରଖାଯାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀ ଦେଶରେ କୋଭିଡ-୧୯ ମୁକାବିଲାର ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ମୁକାବିଲା ଦିଗରେ ପଦକ୍ଷେପକୁ ତ୍ୱରାନ୍ୱିତ କରୁଛି। ବର୍ତ୍ତମାନସୁଦ୍ଧାର ସ୍ଥିତି ଅନୁଧ୍ୟାନ, ସମୀକ୍ଷା ଓ ମାର୍ଗଦର୍ଶନ ଲାଗି ମନ୍ତ୍ରୀଗୋଷ୍ଠୀର ୬ଟି ବୈଠକୁ ଅନୁଷ୍ଠିତ ହୋଇସାରିଲାଣି।
ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହେଉଥିବାର ଲକ୍ଷ୍ୟ ରଖି ଗତକାଲି ମନ୍ତ୍ରୀଗୋଷ୍ଠୀର ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତୀୟ ନାଗରିକଙ୍କ ହିତ ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବମାନଙ୍କୁ ନେଇ ଗଠିତ ସମିତିର ସୁପାରିସକ୍ରମେ ମନ୍ତ୍ରୀଗୋଷ୍ଠୀ ଗତ ସନ୍ଧ୍ୟାରେ ନିମ୍ନୋକ୍ତ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ଗ୍ରହଣ କରିଛି:
– ସମସ୍ତ ଭିସା (କୂଟନୈତିକ, ସରକାରୀ, ମିଳିତ ଜାତିସଂଘ/ଅନ୍ତର୍ଜାତୀୟ ସଂଗଠନ, ନିଯୁକ୍ତି, ପ୍ରକଳ୍ପ ଭିସାକୁ ଛାଡ଼ି) ୧୫ ଏପ୍ରିଲ, ୨୦୨୦ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ଏହା ୧୩ ମାର୍ଚ୍ଚ, ୨୦୨୦ ଗୁରୁବାର ଅପରାହ୍ଣ ୫ଟା ୩୦ମିନିଟ ଠାରୁ ସମସ୍ତ ପ୍ରସ୍ଥାନ ସ୍ଥଳୀ (ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ଓ ଅନ୍ତର୍ଜାତୀୟ ସ୍ଥଳ ସୀମା)ରେ ଲାଗୁ ହେବ।
– ଓସିଆଇ କାର୍ଡଧାରୀମାନଙ୍କୁ ମିଳୁଥିବା ଭିସାମୁକ୍ତ ଯାତ୍ରା ସୁବିଧାକୁ ୧୫ ଏପ୍ରିଲ, ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ମଧ୍ୟ ପ୍ରସ୍ଥାନ ସ୍ଥଳୀରେ ୧୩ ମାର୍ଚ୍ଚ, ୨୦୨୦ ଅପରାହ୍ଣ ସାଢ଼େ ୫ଟାରୁ ଲାଗୁ ହେବ।
– ଭାରତରେ ପୂର୍ବରୁ ଥିବା ଓସିଆଇ କାର୍ଡଧାରୀ ନିଜ ଇଚ୍ଛାମୁତାବକ ଦେଶର ଯେକୌଣସି ସ୍ଥାନରେ ରହିପାରିବେ।
– ଭାରତରେ ପୂର୍ବରୁ ଥିବା ସମସ୍ତ ବିଦେଶୀ ନାଗରିକଙ୍କ ଭିସା ସମ୍ପୂର୍ଣ୍ଣ ରୂପେ ବୈଧ ରହିବ। ଏହାର ଅବଧି ବୃଦ୍ଧି, ପରିବର୍ତ୍ତନ ଆଦି ନିମନ୍ତେ ସେମାନେ ଚାହିଁଲେ ଇ-ଏଫଆରଆରଓ ମଡ୍ୟୁଲ ଜରିଆରେ ନିକଟତମ ଏଫଆରଆରତ୍ତ୍ୱ/ଏଫଆରଓ ସହିତ ଯୋଗାଯୋଗ କରିପାରିବେ।
– ଜରୁରି କାରଣରୁ ଭାରତ ଆସିବା ଲାଗି ଚାହୁଁଥିବା ବିଦେଶୀ ନାଗରିକ, ନିକଟତମ ଭାରତୀୟ ମିଶନ ସହିତ ଯୋଗାଯୋଗ କରିପାରିବେ।
– ଭିସା କଟକଣା ବ୍ୟତୀତ ଇଟାଲୀ ଓ କୋରିଆ ଗସ୍ତ କରିଥିବା ଯାତ୍ରୀ ଭାରତରେ ପ୍ରବେଶ କରିବା ଲାଗି ଚାହୁଁଥିଲେ ସେହି ଦେଶର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ପରୀକ୍ଷାଗାରରେ ପରୀକ୍ଷଣ ପରେ କରୋନା ଭୂତାଣରୁ ମୁକ୍ତ ବୋଲି ପ୍ରମାଣପତ୍ର ଆଣିବାକୁ ହେବ। ଏହା ୧୦ ମାର୍ଚ୍ଚ, ୨୦୨୦ ରାତି ୧୨ଟାଠାରୁ ଲାଗୁ ହୋଇଛି ଏବଂ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ଏହା ଏକ ଅସ୍ଥାୟୀ ଉପାୟ।
– ୧୫ ଫେବୃଆରୀ, ୨୦୨୦ ପରେ ଚୀନ, ଇଟାଲୀ, ଇରାନ, କୋରିଆ ଗଣରାଜ୍ୟ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀଗସ୍ତ କରି ଫେରିଥିବା ଭାରତୀୟ ନାଗରିକଙ୍କ ସମେତ ସମସ୍ତ ଯାତ୍ରୀମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଂଟିନ (ପୃଥକ ଶିବିର)ରେ ରଖାଯିବ। ଏହା ମଧ୍ୟ ପ୍ରସ୍ଥାନ ପଥଠାରେ ୧୩ ମାର୍ଚ୍ଚ, ୨୦୨୦ ଅପରାହ୍ଣ ସାଢ଼େ ୫ଟାଠାରୁ ଲାଗୁ ହୋଇଛି।
– ଭାରତୀୟ ନାଗରିକଙ୍କ ସମେତ ଏଠାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଲାଗି ପରାମର୍ଶ ଦିଆଯାଉଛି ଏବଂ ସୂଚିତ କରାଯାଉଛି ଯେ ଭାରତକୁ ଆସିଲେ ସେମାନଙ୍କୁ ଅତିକମରେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଂଟିନରେ ରଖାଯିବ।
– ଚୀନ, ଇଟାଲୀ, ଇରାନ, କୋରିଆ ଗଣରାଜ୍ୟ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀ ନଯିବା ଲାଗି ଭାରତୀୟ ନାଗରିକମାନଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଉଛି।
– ଭାରତ ଫେରୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଏବଂ ଭାରତ ସରକାରଙ୍କ ଦ୍ୱାରା ବିସ୍ତୃତ ଭାବେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାର ଆବଶ୍ୟକତା ରହିଛି।
– ସ୍ଥଳ ସୀମା ମାଧ୍ୟମରେ ଅନ୍ତର୍ଜାତୀୟ ଯାତାୟାତକୁ ପ୍ରଭାବୀ ନିରୀକ୍ଷଣ ସୁବିଧା ଥିବା ନିର୍ଦ୍ଧାରିତ ଚେକ ପୋଷ୍ଟରେ ହିଁ ସୀମିତ ରଖାଯିବ। ଏଗୁଡ଼ିକୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ପୃଥକ ଭାବେ ସୂଚିତ କରାଯିବ।
– ଭାରତରେ ପ୍ରବେଶ କରୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ ଇମିଗ୍ରେସନ ଅଧିକାରୀଙ୍କ ନିକଟରେ ସତ୍ୟପାଠ (ବ୍ୟକ୍ତିଗତ ବିବରଣୀ ସହିତ ଫୋନ ନମ୍ବର ଏବଂ ଭାରତରେ ଠିକଣା ସମେତ) ଦାଖଲକରିବା ଏବଂ ସମସ୍ତ ଦିଗରେ ନିର୍ଦ୍ଧାରିତ ସ୍ୱାସ୍ଥ୍ୟ କାଉଂଟରରେ ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷଣର ସମ୍ମୁଖୀନ ହେବାର ଆବଶ୍ୟକତା ରହିଛି।