Home Top News ଦାସିଆ ଅଜାଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ..

ଦାସିଆ ଅଜାଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ..

265

ଆଜି ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥୀ ପଟ୍ଟନାୟକ (ଦାସିଆ ଅଜା)ଙ୍କ ତିରୋଧାନ ଦିବସ। ଦାସିଆ ଅଜା ଭାବେ ପରିଚିତ ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ଉଦୟପୁର ଗ୍ରାମରେ ଜନ୍ମ ହୋଇଥିଲେ। ଦାସିଆ ଅଜା ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ସେ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୁଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ସର୍ବରାକାର, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରିଥିଲେ। ପରେ ଚାକିରି ଛାଡ଼ି, ସେ ନିଜ ଗାଁ’ର ପଥୁରିଆ ଅନୁର୍ବର ଜମି ଚାଷକରି ପେଟ ପୋଷୁଥିଲେ। ଏଥିପାଇଁ ସେ ଖୁଣ୍ଟାତଡ଼ା ରାଜା ନାମରେ ମଧ୍ୟ ପରିଚିତ ହୋଇଥିଲେ। ବହି ପଢ଼ିବାରେ ତାଙ୍କର ଏତେ ରୁଚି ଥିଲା ଯେ, ପର ଦିନ ପଢ଼ିବା ବହି ପୂର୍ବ ଦିନ ଆଣି ସଂଗ୍ରହ କରି ରଖୁଥିଲେ। କ୍ରମେ ତାଙ୍କର ଏହି ବହି ସଂଗ୍ରହ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା। ସେ ମୁଣ୍ଡରେ ଠେକା ଭିଡ଼ି ଓ କାନ୍ଧରେ ଝୁଲା ମୁଣା ଧରି ସମଗ୍ର ଓଡ଼ିଶା ବୁଲି ବୁଲି ବହି ସଂଗ୍ରହ କରୁଥିଲେ। ହାତ ପାତି ସମସ୍ତଙ୍କୁ ପୋଥି, ପୁସ୍ତକ, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଏବଂ ଦଶ ପଇସା ଭିକ୍ଷା କରୁଥିଲେ। କୁହାଯାଏ, ଦାସିଆ ଅଜା ପ୍ରତିଦିନ ଏକ ଶହରୁ ଉର୍ଦ୍ଧ ପୋଷ୍ଟକାର୍ଡ଼ ଲେଖି ବିଭିନ୍ନ କବି, ଲେଖକ ମାନଙ୍କୁ ପଠାଉଥିଲେ। ନିଜର ସଂଗୃହୀତ ପୋଥି ଆଦିକୁ ନେଇ ଦାସିଆ ଅଜା ନୟାଗଡ଼ର ନୂଆଗାଁ’ରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ସ୍ଥାପନା କରିଥିଲେ। ନୟାଗଡ଼ରୁ ଦଶପଲ୍ଲା ଯିବା ରାସ୍ତାରେ ନୂଆଗାଁ’ ଠାରୁ ପ୍ରାୟ ୪ କିଲୋମିଟର ରାସ୍ତା ଡାହାଣପଟେ ଭିତରକୁ ଗଲେ ଏହି ସଂଗ୍ରହାଳୟ। ସଂଗ୍ରହଳାୟ ପରିସର ମଧ୍ୟରେ ବାଞ୍ଛାନିଧି ପାଠାଗାର ଓ ଯଦୁମଣି ସାହିତ୍ୟ ସଂସଦ ରହିଛି। ପାଠାଗାରରେ ବିଭିନ୍ନ ଭାଷାର ୫୦ ହଜାରରୁ ଅଧିକ ପୁସ୍ତକ ଓ ୬୫ ହଜାର ରକମର ପତ୍ରପତ୍ରିକା ରହିଛି। ୪୨ଟି ଭାଷାର ଶତାଧିକ ତାଳପତ୍ର ପୋଥି ରହିଛି, ତନ୍ମଧ୍ୟରୁ କେତୋଟି ଶହେ ବର୍ଷ ପୁରୁଣା।

ଉଦୟପୁର ସ୍ଥିତ ଏହି ସଂଗ୍ରହାଳୟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୦୬ ମସିହାରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଥିଲେ। ନିଜ ଜୀବିତ ଅବସ୍ଥାରେ ଦାଶରଥୀ ପଟ୍ଟନାୟକ, ଏହି ଅନୁଷ୍ଠାନ ଗୁଡ଼ିକର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଢ଼ି ଯାଇଥିଲେ। ଦାସିଆ ଅଜା ବାଞ୍ଛାନିଧି ପାଠାଗାର (୧୯୫୯), ଶ୍ରୀ ଅରବିନ୍ଦ ସଂଗ୍ରହାଳୟ (୧୯୭୩) ଓ ଯଦୁମଣି ସାହିତ୍ୟ ସଂସଦ (୧୯୭୫) ପ୍ରତିଷ୍ଠା କରିଥିଲେ। ୧୯୯୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ତାଙ୍କର ପରଲୋକ ହୋଇଥିଲା। ଆଜି ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥୀ ପଟ୍ଟନାୟକ (ଦାସିଆ ଅଜା)ଙ୍କ ତିରୋଧାନ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
-@DevDRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.