ନୟାଗଡ଼, ୨୪ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : କରୋନା ଭାଇରସ୍ କୋଭିଡ୍୧୯କୁ ରୋକିବା ଲାଗି ରାଜ୍ୟ ସରକାର ୩୦ଟି ଜିଲାରେ କଡ଼ାକଡ଼ା ପଦକ୍ଷେପ ଗ୍ରହଣ କରିଥିବାବେଳେ ନୟାଗଡ଼ ଜିଲାରେ ମଧ୍ୟ ଲକ୍ ଡାଉନର ମଧ୍ୟ ପ୍ରଭାବ ପଡ଼ିଛି। ତଥାପି ସରକାରଙ୍କ ନିର୍ଦ୍ଦେଶକୁ ନୟାଗଡ଼ରେ କେତେକ ଉଲଘଂନ କରୁଥିବା ନେଇ ସୂଚନା ମିଳୁଛି। ଯାହାକି ନେଇ ଅନେକଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇଛି। ଉଂଲଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ସହିତ ଲକ୍ ଡାଉନ ନିର୍ଦ୍ଦେଶକୁ ଆହୁରୀ କଡ଼ାକଡ଼ା କରାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ଘରେ ରହିବା ପାଇଁ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ସମସ୍ତଙ୍କ ମନରେ ପ୍ରଭାବ ପକାଇଛି। ନୟାଗଡ଼ ଜିଲାରେ ଜିଲା ପ୍ରଶାସନ ପକ୍ଷରୁ ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଥିବାବେଳେ ଲୋକେ କିନ୍ତୁ ଏହାକୁ କେତେକ ମାନୁନଥିବା ଦେଖାଦେଇଛି। ନୟାଗଡ଼ ବଜାର ଟ୍ରାଫିକ ଛକକୁ ଲକ୍ ଡାଉନ ନେଇ ଜୋରଦାର କରାଯାଇଥିବାବେଳେ ବଜାରର ଅନ୍ୟସବୁ ରାସ୍ତା ମୁକୁଳା ପଡ଼ିଥିବାରୁ ଛୋଟ ଛୋଟ ଯାନ ବାହାନ ଚଳାଚଳ କରୁଥିବା ଦେଖାଦେଇଛି। ଔଷଧ, ଫଳ ଦୋକାନ ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଥିବାବେଳେ କରୋନା ଭୟ ପ୍ରାୟ ସମସ୍ତଙ୍କୁ ଘାରିଛି। ହେଲେ ଲକ୍ଡାଉନ ପ୍ରଭାବ ଗାଁ ଗହଳିରେ ପ୍ରାୟ ସେମିତି ଦେଖିବାକୁ ମିଳିନି। ୭ଜଣରୁ ଅଧିକ ଏକାଠି ହେବାର ସରକାରୀ ନିର୍ଦ୍ଦେଶ ରହିଥିବାବେଳେ ଗାଁ ଗହଳିର ବିଭିନ୍ନ ସ୍ଥାନରେ ଏତେବଡ଼ ମହାମାରୀ ଆତଙ୍କକୁ ନଜରକୁ ନନେଇ ବହୁ ସଂଖ୍ୟାରେ ସମବେତ ହେଉଥିବା ଦେଖିବାକୁ ମିଳିଛି। ଏପରିକି ପ୍ରାୟ ଗାଁ ମାନଙ୍କରେ କରୋନା ଭାଇରସ୍ ଉପରେ ସବୁଠୁ ବେଶୀ ବୁଝୁଥିବା ଯୁବକ, ଛାତ୍ରମାନେ ଗାଁ ମୁଣ୍ଡ ପଡ଼ିଆରେ, ସ୍କୁଲ ପଡ଼ିଆରେ ବହୁଳମାତ୍ରାରେ ଏକାଠି ହୋଇ ଖେଳ ଖେଳୁଥିବା ଦେଖିବାକୁ ମିଳୁଛି। ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା ଭାଇରସ୍ ଉପରେ ଜନତାଙ୍କ ହିତପାଇଁ ପାରୁପର୍ଯ୍ୟନ୍ତ ସଚେତନତା କରିବାରେ ଲାଗି ପଡ଼ିଛନ୍ତି। ଯୁବ ସମାଜ ଏକାଠି ମଉଜ ମଜଲିସ୍, ଖେଳକୁଦରୁ ନିବୃତ ରହି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇ ସମାଜର ମଙ୍ଗଳ ପାଇଁ ଅନ୍ୟକୁ ବ୍ରତୀ ହେବାରେ ଲାଗି ପଡ଼ନ୍ତୁ ବୋଲି ବୁଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି। ନୟାଗଡ଼ ଲକ୍ ଡାଉନ୍ ପ୍ରଭାବରେ ବସ ଚଳାଚଳ ବନ୍ଦ ରହିଛି। ବସଷ୍ଟାଣ୍ଡରେ ଲୋକମାନଙ୍କ ଗହଳି ଚହଳି କମିଛି। ହେଲେ ଜିଲାର ବିଭିନ୍ନ ଛକଜାଗା ମାନଙ୍କରେ ଗହଳି ଚହଳି କମିବା ଦେଖାଯାଉନାହିଁ। ବିନା କାରଣରେ ଦୁଇ ଚକିଆ ଯାନରେ କେତେକ ଯିବା ଆସିବା ଜାରି ରଖିବା ସହ ଛକ ଜାଗାମାନଙ୍କରେ ଗହଳି ବନ୍ଦ କରିବାକୁ ପୋଲିସ କଟକଣା ଆହୁରି କଡ଼ାକଡ଼ି ହେଉ ବୋଲି କୁହାଯାଉଛି। ତେବେ କରୋନାର କୋପ ଦୃଷ୍ଟି ଓଡ଼ିଶାରେ ପଡ଼ିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଘରେ ରହିବା ପାଇଁ ଶପଥ ନେବା ଏବଂ ‘ମୋ ଜୀବନ ଯୋଜନା’ ସମସ୍ତଙ୍କ ମନରେ ପ୍ରଭାବ ପକାଇଛି। କରୋନା କାୟା ବିସ୍ତାର କରିବା ପୂର୍ବରୁ ଏହାକୁ ରୋକିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଯେଉଁମାନେ ଲକ୍ ଡାଉନକୁ ବ୍ୟବସ୍ଥାକୁ ଅବମାନନା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।