ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) INX ମିଡ଼ିଆ କେସରେ ସୁପ୍ରୀମ କୋର୍ଟ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍ ଙ୍କୁ ଜାମିନ୍ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟଯେ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଆଇଏନଏକ୍ସ ମିଡ଼ିଆ ଭ୍ରଷ୍ଟାଚାର ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍ ଙ୍କ ଜାମିନ୍ ଅଗ୍ରାହ୍ୟ କରିଥିଲେ। ଉଚ୍ଚତ୍ତମ ନ୍ୟାୟାଳୟ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରିଥିବା ଯାଚିକା ଉପରେ ଫଇସଲା କରି ଜାମିନ୍ ପ୍ରଦାନ କରିଛନ୍ତି।
ଚିଦାମ୍ବରମ୍ ଙ୍କୁ ଭ୍ରଷ୍ଟାଚାର ମାମଲାରେ ସିବିଆଇ ୨୧ ଅଗଷ୍ଟରେ ଗିରଫ କରିଥିଲା। ଏଜେନ୍ସୀ ନିକଟରେ ତାଙ୍କ ସମେତ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଯେଉଁଥିରେ ଚିଦାମ୍ବରମ୍ ଙ୍କର ପୁଅ କାର୍ତ୍ତି ଏବଂ କିଛି ଅଧିକାରୀ ସାମିଲ ଅଛନ୍ତି। ଏହା ଉପରେ କଥିତ ରୂପରେ ଭ୍ରଷ୍ଟାଚାର ନିରୋଧକ ଆଇନ୍ ତଥା ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଦଣ୍ଡନୀୟ ଅପରାଧ କରି ରାଜକୋଷକୁ କ୍ଷତି ପହଁଚାଇବା ମାମଲାରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା।
ଚିଦାମ୍ବରମ୍ ବର୍ତ୍ତମାନ ଆଇଏନଏକ୍ସ ମିଡ଼ିଆ ଧନଶୋଧନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ର ନ୍ୟାୟିକ ତଦନ୍ତରେ ଅଛନ୍ତି। ସିବିଆଇ ୨୦୦୭ ରେ ୩୦୫ କୋଟି ଟଙ୍କାର ବିଦେଶୀ ଚାନ୍ଦା ନେବା ପାଇଁ ଆଇଏନଏକ୍ସ ମିଡ଼ିଆ ସମୂହକୁ ବିଦେଶୀ ନିବେଶ ସଂବର୍ଦ୍ଧନ ବୋର୍ଡ (ଏଫଆଇପିବି) ର ଏକ ମଞ୍ଜୁରୀରେ କଥିତ ଅନିୟମିତତାର ଅଭିଯୋଗ ଲଗାଇ ୧୫ ମଇ, ୨୦୧୭ ରେ ପ୍ରାଥମିକ ରିପୋର୍ଟ ରୁଜୁ କରିଥିଲା।
ଏହାପରେ ଇଡି ୨୦୧୭ ରେ ଏହି ସମ୍ବନ୍ଧରେ ଧନଶୋଧନର ମାମଲା ରୁଜୁ କରିଥିଲା। ୭୪ ବର୍ଷୀୟ ବରିଷ୍ଠ କଂଗ୍ରେସ ନେତା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ୩୦ ସେପ୍ଟେମ୍ବର ଫଇସଲାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସିବିଆଇ ଦ୍ଵାରା ରୁଜୁ ହୋଇଥିବା ଆଇଏନଏକ୍ସ ମିଡ଼ିଆ ଭ୍ରଷ୍ଟାଚାର ମାମଲାରେ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରି ଦେଇଥିଲେ।