Home ଜିଲ୍ଲା ପରିକ୍ରମା ଘରେଘରେ ଶାମ୍ବ ଦଶମୀ ପାଳି: ଘଡ଼ଘଡ଼ା ତରକାରୀ ମହକରେ ମହକିଲା ସହରାଞ୍ଚଳରୁ ଗ୍ରାମାଞ୍ଚଳ

ଘରେଘରେ ଶାମ୍ବ ଦଶମୀ ପାଳି: ଘଡ଼ଘଡ଼ା ତରକାରୀ ମହକରେ ମହକିଲା ସହରାଞ୍ଚଳରୁ ଗ୍ରାମାଞ୍ଚଳ

126

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ପବିତ୍ର ପୌଷ ମାସ ଶୁକ୍ଳ ଦଶମୀ ତିଥି ଅବସରରେ ଶାମ୍ବ ଦଶମୀ ଆନନ୍ଦ ଉଲ୍ଲାସ ମଧ୍ୟରେ ଘରେ ଘରେ ପାଳିତ ହୋଇଯାଇଛି। ସୂର୍ଯ୍ୟଙ୍କୁ ପୂଜା କରି ଶାମ୍ବ ଏକ ଦୁରାଗ୍ୟ ରୋଗରୁ ମୁକ୍ତ ହୋଇଥିଲେ। ସେହିଦିନ ଠାରୁ ଶାମ୍ବ ଦଶମୀ ପାଳିତ ହୋଇଆସୁଛି। ମା’ ମାନେ ପିଲାମାନଙ୍କର ଶୁଭକାମନା କରି ବିଭିନ୍ନ ରୋଗ ଦୂର କରିବା ପାଇଁ ସୂର୍ଯ୍ୟ ଦେବତାଙ୍କ ପାଖରେ ମାନସିକ ଯାଚଣା କରିଥାନ୍ତି। ସୂର୍ଯ୍ୟ ଉଦୟଠାରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏହି ଯାଚଣା ଅନୁଯାୟୀ ସୂର୍ଯ୍ୟ ଦେବତାଙ୍କ ପାଖରେ ଭୋଗ କରିଥାନ୍ତି। ଘରେଘରେ ବିଭିନ୍ନ ପ୍ରକାର ପିଠାପଣା, ମିଠା, ମୁଆଁ, ମକର ଚାଉଳ, କଦଳୀ, ଅନ୍ୟାନ୍ୟ ଫଳ ଓ ଘଡ଼ଘଡ଼ା ତରକାରୀ ଭୋଗ କରିଥାନ୍ତି। ମଧ୍ୟାହ୍ନ ସମୟରେ ଚଉରାମୂଳେ ବିଭିନ୍ନ ପ୍ରକାର ଭୋଗ ବାଢ଼ି ଶାମ୍ବଙ୍କ ପୁରାଣ ପାଠ କରାଯାଏ। ପୂଜା ସମୟରେ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ଘର ପ୍ରକମ୍ପିତ ହୋଇ ଉଠିଥିଲା। ଏହାପରେ ପୂଜା କରାଯାଇଥିବା ନୂତନ ଲୁଗାରେ ଚାଉଳ, ଦୁବ, ବରକୋଳି ପତ୍ର ରଖାଯାଇଥାଏ। ଉକ୍ତ ଲୁଗାକୁ ଆଣି ପିଲାମାନଙ୍କ ମସ୍ତକରେ ଲଗାଯାଇ ତାଙ୍କର ଆରୋଗ୍ୟ କାମନା କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.