Home ଓଡ଼ିଶା ଯାଜପୁର – ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ଆସିବା ମନା : ଜିଲ୍ଲାପାଳ

ଯାଜପୁର – ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟକୁ ଆସିବା ମନା : ଜିଲ୍ଲାପାଳ

121

ଯାଜପୁର ୨୯ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ବା ପବ୍ଲିକ ଅଫିସକୁ ସାଧାରଣ ଲୋକ ମାନଙ୍କ ପାଇଁ ବାରଣ କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ଲୋକମାନେ ମୋବାଇଲ ଫୋନ, ଲ୍ୟାଣ୍ଡ ଫୋନ, ହାଟସପ ବା ଇ-ମେଲ ମାଧ୍ୟମରେ ସଂପୃକ୍ତ ଅଧିକାରୀଙ୍କ ଦୃଷ୍ଟିକୁ ଆଣି ପାରିବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ରଂଜନ କୁମାର ଦାସ ଆଦେଶ କରିଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ୮୧ ଗୋଟି ପଜିଟିଭ ବାହାରିବା ଓ ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହେବା କାରଣରୁ ସାଧାରଣ ଜନତାଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଲୋକମାନେ ପ୍ରାଥମିକ ପର୍ଯ୍ୟାୟରେ କରୋନା ପାଇଁ ଯେପରି ସଚେତନ ହୋଇ ଘରେ ରହୁଥିଲେ ସାମାନ୍ୟ କଟକଣା କୋହଳ ହେବା ସତ୍ତ୍ୱେ ଆଉ ନିୟନ୍ତ୍ରଣକୁ ମାନୁନାହାନ୍ତି। ଦୋକାନ ବଜାର ମାନଙ୍କରେ ଗହଳି ପରିଲକ୍ଷିତ ହେଉଛି। ଲୋକମାନେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ଇତ୍ୟାଦିରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଅପର ପକ୍ଷରେ ବିଭିନ୍ନ କାର୍ଯ୍ୟ ପାଇଁ ସରକାରୀ, ବେସରକାରୀ କାର୍ଯ୍ୟାଳୟ ମାନଙ୍କୁ ବ୍ୟକ୍ତିଗତ ବା ଦଳବଦ୍ଧ ଭାବେ ଲୋକମାନେ ଆସୁଥିବାରୁ ସାମାଜିକ ଦୂରତା ବ୍ୟାହତ ହେଉଛି। ସେଥିପାଇଁ ଜୁଲାଇ ମାସ ୮ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ କୈାଣସି ବ୍ୟକ୍ତି ବା ଗୋଷ୍ଠୀଙ୍କୁ ସରକାରୀ କାର୍ଯ୍ୟାଳୟ ମାନଙ୍କୁ ବାରଣ କରାଯାଇଛି। ଏହି କଟକଣା ତତ୍‌କ୍ଷଣାତ୍ ଲାଗୁ କରାଯାଇଛି। ଅପର ପକ୍ଷରେ କରୋନା ଦିନକୁ ଦିନ ଅଧିକ ଲୋକଙ୍କୁ ସଂକ୍ରମିତ କରୁଥିବାରୁ ବୟସ୍କ, ଶିଶୁ, ରୁଗ୍‌ଣ ବ୍ୟକ୍ତିମାନେ ଆଦୈା ବାହାରକୁ ନ ଆସିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ସରକାର ଓ ପ୍ରଶାସନ ଅନେକ ସଚେତନ କରାଇଲେଣି, ଏଣିକି ନିଜକୁ ନିଜେ ସତର୍କ ରହିବାର ସମୟ ଆସିଛି। ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖି ପରିବାରକୁ ମଧ୍ୟ ସୁରକ୍ଷିତ ରଖିବାର ଆବଶ୍ୟକତା ଅଛି। ଅଯଥା ବାହାରେ ବୁଲିଲେ ସାଥିରେ କରୋନା ଘରକୁ ଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସତର୍କ କରାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.