ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଲୋକସଭାପରେ ରାଜ୍ୟସଭାରେ ଧ୍ୱନୀମତରେ ସୂଚନା ଅଧିକାର ଆଇନ୍ ସଂଶୋଧନ ବିଲ୍ ପାରିତ ହୋଇଯାଇଛି। ପ୍ରାୟତଃ ସମସ୍ତ ବିପକ୍ଷ ଦଳ ଏହା ବିରୁଦ୍ଧରେ ୱାକଆଉଟ୍ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୧୯-୦୭-୨୦୧୮ରିଖରେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନ୍ ର ସଂଶୋଧନ ପାଇଁ ଏକ ବିଲ୍ ରାଜ୍ୟସଭାରେ ଆଗତ କରିଛନ୍ତି। ଏହି ବିଲ୍ ରେ ଉଲ୍ଲେଖ ରହିଛି ଯେ, ଆଇନର ଧାରା ୧୩ ଏବଂ ୧୬ (କମିଶନଙ୍କ ପଦବୀ ଏବଂ ଚାକିରି ସର୍ତ୍ତାବଳୀ) ସଂଶୋଧନ କରାଯିବ। ଏହି ଦୁଇ ଧାରାରେ ବ୍ୟବସ୍ଥା ରହିଛି ଯେ ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରମାନଙ୍କର କାର୍ଯ୍ୟକାଳ ୫ ବର୍ଷ ରହିବ। କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନଙ୍କ ପଦବୀ, ଦରମା ଏବଂ ଚାକିରି ସର୍ତ୍ତାବଳୀ କେନ୍ଦ୍ରର ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ସମାନ ଥିଲାବେଳେ କେନ୍ଦ୍ରୀୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ପଦବୀ କେନ୍ଦ୍ରୀୟ ନିର୍ବାଚନ କମିଶନରଙ୍କ ସହିତ ସମାନ ହେବ। ସୂଚନା କମିଶନଙ୍କୁ ଏପରି ଉଚ୍ଚ, ଗୁରୁତ୍ୱପୂର୍ଣ୍ଣ ମାନ୍ୟତାଏବଂ କ୍ଷମତା ଦେବାର ଉଦ୍ଦେଶ୍ୟ ହେଉଛି କମିଶନଙ୍କୁ ପ୍ରଭୂତ କ୍ଷମତାଶାଳୀ କରାଇବା ଯାହାଦ୍ୱାରା କି କମିଶନଙ୍କ ନିର୍ଦ୍ଦେଶକୁ ବିଭିନ୍ନ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରାଇବେ ଏବଂ କମିଶନ୍ ଏକ ସ୍ୱାଧୀନ, ନିରପେକ୍ଷ ଏବଂ ଉଚ୍ଚକ୍ଷମତା ସମ୍ପନ୍ନ ସଂସ୍ଥା ଭାବେ କାମ କରିବ।
ସୂଚନାଯୋଗ୍ୟ ଯେ ସୂଚନା ଆଇନରେ କେନ୍ଦ୍ରୀୟ ସୂଚନା କମିଶନ ଏବଂ ରାଜ୍ୟ ସୂଚନା କମିଶନରମାନଙ୍କର ପଦବୀ, ଚାକିରୀ ସର୍ତ୍ତାବଳୀ ଏବଂ ଦରମା, ଭତ୍ତା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏହି ସଂଶୋଧନ ପ୍ରସ୍ତାବ ଅଣାଯାଇଛି। ସୂଚନା ଆଇନର ବ୍ୟବସ୍ଥା ଅନୁଯାୟୀ, କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ପଦବୀ ମୁଖ୍ୟ ନିର୍ବାଚନ କମିଶନ ପଦବୀ ସହିତ ସମାନ ହୋଇଥିଲା ବେଳେ କେନ୍ଦ୍ରୀୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନର ପଦବୀ କେନ୍ଦ୍ରୀୟ ନିର୍ବାଚନ କମିଶନର ପଦବୀ ସହିତ ସମାନ ଅଟେ।
ତେବେ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନର ଦରମା, ଭତ୍ତା, ସୁପ୍ରିମକୋର୍ଟ ବିଚାରପତିଙ୍କ ସହିତ ସମାନ। ତେଣୁ କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ଦରମା ଭତ୍ତା ସୁପ୍ରିମକୋର୍ଟ ଏବଂ ଚାକିରୀ ସର୍ତ୍ତାବଳୀ ନିର୍ବାଚନ କମିଶନ ବା ସୁପ୍ରିମକୋର୍ଟ ବିଚାରପତିଙ୍କ ସହିତ ସମାନ ହେବା ଠିକ୍ ନୁହେଁ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇବା ସହ ସୂଚନା କମିଶନମାନଙ୍କର ନିଯୁକ୍ତ ଏବଂ ଚାକିରୀ ସର୍ତ୍ତାବଳୀ କଣ ହେବ ତାହା କେନ୍ଦ୍ର ସରକାର ସମୟକୁ ସମୟ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଧାରଣ କରିବେ ବୋଲି ବିଲ୍ରେ ବ୍ୟବସ୍ଥା ରହିଛି।