Home ଓଡ଼ିଶା ପଢ଼ନ୍ତୁ; ଆପଣଙ୍କ ପାଇଁ ପିଏମ୍ ମୋଦିଙ୍କ ଚିଠି ..

ପଢ଼ନ୍ତୁ; ଆପଣଙ୍କ ପାଇଁ ପିଏମ୍ ମୋଦିଙ୍କ ଚିଠି ..

340

ଭୁବନେଶ୍ୱର: ମୋଦି ସରକାରଙ୍କର ଦୂତୀୟ ପାଳିର ପ୍ରଥମ ବର୍ଷ (୨.୧) ପୂର୍ତ୍ତି ହୋଇଛି। ଏହି ଅବସରରେ ମୋଦି ସରକାରଙ୍କ ଉପଲବ୍ଧି ଗୁଡ଼ିକ (ରିପୋର୍ଟ କାର୍ଡ) ଦେଶର ଜନ ସାଧାରଣଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ବିଜେପି ଦେଶବ୍ୟାପୀ ଆୟୋଜନ କରୁଛି “ଜନ ସମ୍ବାଦ ରାଲି”। କରୋନା ଆତଙ୍କ ଭିତରେ ସାମାଜିକ ଦୂରତା ରକ୍ଷା କରି ମୋଦି ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ସାଙ୍ଗଠନିକ ସ୍ତରର ବରିଷ୍ଠ ପଦାଧିକାରୀ ମାନେ ଡିଜିଟାଲ୍ ପ୍ଲାଟଫର୍ମ୍ ମାଧ୍ୟମରେ ଭର୍ଚୁଆଲ୍ ରାଲି ଆୟୋଜନ କରି ମୋଦି ସରକାରଙ୍କ ୨.୧ ଉପଲବ୍ଧି ଗୁଡ଼ିକ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି। ବିଭିନ୍ନ ମାଧ୍ୟମରେ ପର୍ଯ୍ୟାୟ କ୍ରମେ ଏହି ପ୍ରକ୍ରିୟା ଏବେ ଜାରୀ ରହିଥିବା ବେଳେ ଆଉ ଏକ କାର୍ଯ୍ୟକ୍ରମ ସ୍ୱରୂପ ନିଜର ରିପୋର୍ଟ କାର୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଯାହାକୁ ବିଜେପି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନେ ନେଇ ଘର ଘର ବୁଲି ଜନ ସାଧାରଣଙ୍କୁ ପ୍ରଦାନ କରିବେ। ଜାଣନ୍ତୁ, ଚିଠିରେ ସାଧାରଣଙ୍କ ଉଦ୍ଦେଶ୍ୟରେ କ’ଣ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି –

ମୋର ପ୍ରିୟ ଦେଶବାସୀ,
ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା। ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅର୍ପଣ କରିଥିଲେ। ଏହି ଅଧ୍ୟାୟ ରଚନା କରିବାରେ ଆପଣମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଏଭଳି ସ୍ଥିତିରେ ଆଜିର ଏ’ ଦିନ ଆପଣମାନଙ୍କୁ, ଭାରତ ଓ ଭାରତୀୟ ଗଣତନ୍ତ୍ର ପ୍ରତି ଆପଣମାନଙ୍କ ନିଷ୍ଠାକୁ ପ୍ରଣାମ କରିବା ଲାଗି ମୋ ପାଇଁ ଏକ ଅବସର ଆଣିଛି। ସାଧାରଣ ପରିସ୍ଥିତି ହୋଇଥିଲେ ମୋତେ ଆପଣମାନଙ୍କ ଗହଣକୁ ଆସି ଆପଣମାନଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଆନ୍ତା। କିନ୍ତୁ, ବିଶ୍ୱ ମହାମାରୀ କରୋନା କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେହି ପରିସ୍ଥିତିରେ ମୁଁ ଏହି ପତ୍ର ମାଧ୍ୟମରେ ଆପଣମାନଙ୍କ ଚରଣରେ ପ୍ରଣାମ କରି ଆପଣମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛି। ବିଗତ ବର୍ଷ ସାରା ଆପଣମାନଙ୍କ ସ୍ନେହ, ଶୁଭାଶିଷ ଏବଂ ଆପଣମାନଙ୍କ ସକ୍ରିୟ ସହଯୋଗ ମୋତେ ନିରନ୍ତର ଏକ ନୂଆ ଶକ୍ତି, ପ୍ରେରଣା ପ୍ରଦାନ କରିଥିଲା। ଏହି ଅବସରରେ ଆପଣମାନେ ଗଣତନ୍ତ୍ରର ଯେଉଁ ସାମୂହିକ ଶକ୍ତିର ପ୍ରଦର୍ଶନ କଲେ ତାହା ଆଜି ସାରା ବିଶ୍ୱ ପାଇଁ ଏକ ଉଦାହରଣ ହୋଇପାରିଛି। ୨୦୧୪ ବର୍ଷରେ ଆପଣମାନେ, ଦେଶର ଜନତା, ଦେଶରେ ଏକ ବଡ଼ ପରିବର୍ତ୍ତନ ଲାଗି ଭୋଟ ଦେଇଥିଲେ। ଦେଶର ନୀତି ଓ ରୀତି ବଦଳାଇବା ପାଇଁ ଭୋଟ ଦେଇଥିଲେ। ସେହି ୫ ବର୍ଷ ଭ୍ରଷ୍ଟାଚାର ଓ ସ୍ଥାଣୁତାର ପଙ୍କରୁ ବ୍ୟବସ୍ଥା ଗୁଡ଼ିକ ଉଦ୍ଧାର ପାଇଥିବା ଦେଶବାସୀ ଦେଖି ପାରିଥିଲେ। ଏହି ଅବଧିରେ ଅନ୍ତ୍ୟୋଦୟର ଭାବନା ନେଇ ଗରିବଙ୍କ ଜୀବନକୁ ସହଜ କରିବା ଲାଗି ପ୍ରଶାସନ ବଦଳୁଥିବା ଦେଶବାସୀ ଦେଖିବାକୁ ପାଇଥିଲେ। ସେହି କାର୍ଯ୍ୟକାଳରେ ଗୋଟିଏ ପଟେ ବିଶ୍ୱରେ ଭାରତର ମାନସମ୍ମାନ ବୃଦ୍ଧି ପାଇଥିବା ବେଳେ ଅନ୍ୟପଟେ ଆମେ ଗରିବଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସେମାନଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଦେବା, ମାଗଣାରେ ବିଦ୍ୟୁତ ସଂଯୋଗ ଦେବା, ଶୌଚାଳୟ ନିର୍ମାଣ କରିବା, ଘର ଯୋଗାଇ ଦେବା ଜରିଆରେ ସେମାନଙ୍କ ଗରିମା ବୃଦ୍ଧି କରିଥିଲୁ। ସେହି କାର୍ଯ୍ୟକାଳ ସମୟରେ ଆମେ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ କରିଥିଲୁ। ଅନ୍ୟପଟେ ୱାନ୍ ର‌୍ୟାଙ୍କ୍ ୱାନ୍ ପେନସନ, ୱାନ୍ ନେସନ୍ ୱାନ୍ ଟ୍ୟାକ୍ସ- ଜିଏସଟି ସୁବିଧା ଆଣିବା ସହିତ କୃଷକମାନଙ୍କୁ ଅଧିକ ଏମଏସପି ପ୍ରଦାନ କରିବା ସହିତ ବହୁବର୍ଷର ପୁରୁଣା ଦାବି ପୂରଣ କରିଥିଲୁ। ସେହି କାର୍ଯ୍ୟକାଳ ଦେଶର ଅନେକ ଆବଶ୍ୟକତା ପୂରଣ ଲାଗି ସମର୍ପିତ ଥିଲା। ୨୦୧୯ରେ ଆପଣମାନଙ୍କ ଆଶୀର୍ବାଦ, ଅନେକ ଦୀର୍ଘସୂତ୍ରୀ ବଡ଼ ସ୍ୱପ୍ନ ପୂରଣ କରିବା ଲାଗି, ଆଶା ଆକାଂକ୍ଷା ପୂରଣ କରିବା ଲାଗି ଉଦ୍ଦିଷ୍ଟ ଥିଲା। ତେଣୁ ବିଗତ ଏକ ବର୍ଷରେ ନିଆଯାଇ ଥିବା ନିର୍ଣ୍ଣୟ ଏସବୁ ବଡ଼ ସ୍ୱପ୍ନ ଦିଗରେ ଥିଲା ଏକ ବିରାଟ ଉଦ୍ୟମ। ଆଜି ଜନଗଣଙ୍କ ସହିତ ଜଡ଼ିତ ଜନମନର ଜନଶକ୍ତି, ରାଷ୍ଟ୍ରଶକ୍ତିର ଚେତନାକୁ ପ୍ରଜ୍ଜ୍ୱଳିତ କରୁଛି। ବିଗତ ଏକ ବର୍ଷ ଧରି ଦେଶ ନିରନ୍ତର ନୂଆ ସ୍ୱପ୍ନ ଦେଖିଛି, ନୂଆ ସଂକଳ୍ପ ନେଇଛି ଏବଂ ଏହି ନୂଆ ସଂକଳ୍ପକୁ ପୂରଣ କରିବା ଲାଗି ନିରନ୍ତର ନିର୍ଣ୍ଣୟ ନେଇ ଆଗକୁ ପାଦ ବଢ଼ାଇଛି। ଭାରତର ଏହି ଐତିହାସିକ ଯାତ୍ରାରେ ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତି ଖୁବ ଭଲ ଭାବେ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି। ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ରକୁ ନେଇ ଆଜି ଦେଶ ସାମାଜିକ ହେଉ ଅବା ଆର୍ଥିକ, ବୈଶ୍ୱିକ ହେଉ କିମ୍ବା ଆନ୍ତରିକ ପ୍ରତ୍ୟେକ ଦିଗରେ ଆଗକୁ ବଢ଼ୁଛି।

ପ୍ରିୟ ବନ୍ଧୁଗଣ,
ବିଗତ ଏକ ବର୍ଷ ଧରି ଦେଶରେ ଗ୍ରହଣ କରାଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ତେଣୁ ଏସବୁ ଉପଲବ୍ଧିକୁ ସ୍ମରଣ କରିବା ଅତ୍ୟନ୍ତ ସ୍ୱାଭାବିକ। ରାଷ୍ଟ୍ରୀୟ ଏକତା- ଅଖଣ୍ଡତା ଲାଗି ଧାରା ୩୭୦ ଉଚ୍ଛେଦ ହେଉ, ଶହ ଶହ ବର୍ଷ ପୁରୁଣା ସଂଘର୍ଷର ସୁଖଦ ପରିଣାମ- ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ହେଉ, ଆଧୁନିକ ସାମାଜିକ ବ୍ୟବସ୍ଥାରେ ବାଧକ ସାଜିଥିବା ତିନି ତଲାକ୍ ପ୍ରଥା ହେଉ, ଅଥବା ଭାରତର କରୁଣାର ପ୍ରତୀକ ନାଗରିକତା ସଂଶୋଧନ ଆଇନ ହେଉ, ଏ’ ସମସ୍ତ ଉପଲବ୍ଧି ଆପଣମାନେ ସମସ୍ତେ ମନେ ରଖିଥିବେ। ଗୋଟିଏ ପରେ ଗୋଟିଏ ଏପରି ଐତିହାସିକ ନିର୍ଣ୍ଣୟ ମଧ୍ୟରେ ଏପରି ଅନେକ ନିଷ୍ପତ୍ତି ନିଆଯାଇଛି, ପରିବର୍ତ୍ତନ ଅଣାଯାଇଛି ଯାହା ଭାରତର ବିକାଶ ଯାତ୍ରାକୁ ନୂଆ ଗତି, ନୂଆ ଲକ୍ଷ୍ୟ ପ୍ରଦାନ କରିବା ସହିତ ଲୋକମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିଛି। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ପଦବୀ ଗଠନ କରାଯାଇଛି ସେନାରେ ସମନ୍ୱୟ ବୃଦ୍ଧି କରାଯାଇଥିବା ବେଳେ ମିଶନ ଗଗନ ଯାନ ପାଇଁ ଭାରତ ନିଜ ପ୍ରସ୍ତୁତିକୁ ମଧ୍ୟ ଜୋରଦାର କରିଛି। ଏହି ସମୟରେ ଗରିବ ମାନଙ୍କୁ, କୃଷକ ମାନଙ୍କୁ, ମହିଳା- ଯୁବକମାନଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ରହି ଆସିଛି। ଏବେ ପିଏମ କିଷାନ ସମ୍ମାନ ନିଧି ଅଧୀନରେ ଦେଶର ପ୍ରତ୍ୟେକ କୃଷକଙ୍କୁ ସାମିଲ କରାଯାଇ ସାରିଛି। ବିଗତ ଏକ ବର୍ଷ ମଧ୍ୟରେଏହି ଯୋଜନା ଅନ୍ତର୍ଗତ ୯ କୋଟି ୫୦ ଲକ୍ଷରୁ ଅଧିକ କୃଷକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୨ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଜମା କରାଯାଇ ସାରିଛି। ଦେଶର ୧୫ କୋଟିରୁ ଅଧିକ ଗ୍ରାମୀଣ ଘରକୁ ପିଇବା ଲାଗି ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ଜଳ ଜୀବନ ମିଶନ ଆରମ୍ଭ କରାଯାଇଛି। ଆମର ୫୦ କୋଟିରୁ ଅଧିକ ପ୍ରାଣୀ ସମ୍ପଦଙ୍କ ଉନ୍ନତ ସ୍ୱାସ୍ଥ୍ୟ ନିମନ୍ତେ ମାଗଣା ଟିକାକରଣ ପାଇଁ ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି। ଦେଶର ଇତିହାସରେ ପ୍ରଥମ ଥର ପାଇଁ କୃଷକ, କୃଷି ଶ୍ରମିକ, ଛୋଟ ବ୍ୟବସାୟୀ ଏବଂ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ସାଥୀ, ସମସ୍ତଙ୍କ ପାଇଁ ୬୦ ବର୍ଷର ଆୟୁ ପରେ ୩ ହଜାର ଟଙ୍କାର ନିୟମିତ ମାସିକ ପେନସନ ସୁବିଧା ସୁନିଶ୍ଚିତ କରାଯାଇଛି। ମତ୍ସ୍ୟଜୀବୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ, ସେମାନଙ୍କୁ ମିଳୁଥିବା ସୁବିଧା ବଢ଼ାଇବା ଏବଂ ନୀଳ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସ୍ୱତନ୍ତ୍ର ଯୋଜନା ସହିତ ଏକ ପୃଥକ ବିଭାଗ ଗଠନ କରାଯାଇଛି। ସେହିପରି ବ୍ୟବସାୟୀଙ୍କ ସମସ୍ୟା ନିର୍ଦ୍ଧାରିତ ସମୟରେ ସମାଧାନ କରିବା ଲାଗି ବ୍ୟବସାୟୀ କଲ୍ୟାଣ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ସହ ସମ୍ପୃକ୍ତ ପାଖାପାଖି ୭ କୋଟି ମହିଳାମାନଙ୍କୁ ଏବେ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ ସୀମାକୁ ୧୦ ଲକ୍ଷରୁ ବୃଦ୍ଧି କରି ୨୦ ଲକ୍ଷ କରି ଦିଆଯାଇଛି। ଆଦିବାସୀ ପିଲାମାନଙ୍କର ଶିକ୍ଷାକୁ ଧ୍ୟାନରେ ରଖି, ଦେଶରେ ୪୫୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ଅଭିଯାନ ଆରମ୍ଭ କରାଯାଇଛି। ଜନସାଧାରଣଙ୍କ ହିତ ଲାଗି ଉନ୍ନତ ଆଇନ ପ୍ରସ୍ତୁତ କରିବା ଲାଗି ବିଗତ ବର୍ଷ ଖୁବ ଦ୍ରୁତ ଗତିରେ କାର୍ଯ୍ୟ ହୋଇଛି। ଆମ ସଂସଦ କାର୍ଯ୍ୟ ଦିବସରେ ବହୁ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗିଛି। ଏହାର ପରିଣାମ ସ୍ୱରୂପ ଉପଭୋକ୍ତାଙ୍କ ସୁରକ୍ଷା ହେଉ, ଚିଟଫଣ୍ଡ ଆଇନରେ ସଂଶୋଧନ ହେଉ, ଦିବ୍ୟାଙ୍ଗ ମହିଳା ଓ ଶିଶୁ ମାନଙ୍କୁ ଅଧିକ ସୁରକ୍ଷା ପ୍ରଦାନ ଆଇନ ହେଉ, ଏ’ସବୁ ଦ୍ରୁତ ଗତିରେ ପ୍ରସ୍ତୁତ ହୋଇପାରିଛି। ସରକାରଙ୍କ ନୀତି ଏବଂ ନିର୍ଣ୍ଣୟ କାରଣରୁ ସହର ଓ ଗାଁ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ହେବାରେ ଲାଗିଛି। ପ୍ରଥମ ଥର ପାଇଁ ଗାଁ’ରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରରେ ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ତୁଳନାରେ ୧୦ ପ୍ରତିଶତ ଅଧିକ ହୋଇଛି। ଦେଶ ହିତରେ ନିଆଯାଇଥିବା ଏପରି ଐତିହାସିକ କାର୍ଯ୍ୟ ଏବଂ ନିର୍ଣ୍ଣୟର ସୂଚୀ ଖୁବ ଲମ୍ବା। ଏହି ପତ୍ରରେ ସବୁକଥା ବିସ୍ତାର ପୂର୍ବକ କହିବା ସମ୍ଭବ ନୁହେଁ। କିନ୍ତୁ ଏତିକି ଅବଶ୍ୟ କହିବି ଯେ ଗୋଟିଏ ବର୍ଷର କାର୍ଯ୍ୟକାଳର ପ୍ରତ୍ୟେକ ଦିନ ୨୪ ଘଣ୍ଟା ସମ୍ପୂର୍ଣ୍ଣ ସଜାଗ ରହି କାମ ହୋଇଛି, ସମ୍ବେଦନଶୀଳତାର ସହିତ
କାମ ହୋଇଛି, ନିଷ୍ପତି ନିଆଯାଇଛି।

ପ୍ରିୟ ବନ୍ଧୁଗଣ,
ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରି ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସମୟରେ କରୋନା ବୈଶ୍ୱିକ ମହାମାରୀ ଭାରତକୁ ମଧ୍ୟ ଘେରିଗଲା। ଗୋଟିଏ ପଟେ ଯେଉଁଠି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଏବଂ ବିଶାଳ ଅର୍ଥବ୍ୟବସ୍ଥା ଥିବା ବିଶ୍ୱର ବଡ଼ ବଡ଼ ମହାଶକ୍ତି ଅଛନ୍ତି, ଅନ୍ୟପଟେ ଏତେ ବଡ଼ ଜନସଂଖ୍ୟା ଏବଂ ଅନେକ ଆହ୍ୱାନରେ ଘେରି ରହିଥିବା ଆମ ଭାରତ ରହିଛି। ଅନେକ ଲୋକ ଆଶଙ୍କା କରୁଥିଲେ ଯେ ଯେତେବେଳେ କରୋନା ଭାରତ ଉପରେ ଆକ୍ରମଣ କରିବ, ଭାରତ ସମଗ୍ର ବିଶ୍ୱ ପାଇଁ ସଙ୍କଟ ପାଲଟିଯିବ। କିନ୍ତୁ ଆଜି ସମସ୍ତ ଦେଶବାସୀ ଭାରତକୁ ଦେଖିବାର ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି। ଆପଣମାନେ ଏହା ପ୍ରମାଣ କରି ଦେଖାଇଛନ୍ତି ଯେ ବିଶ୍ୱର ସାମର୍ଥ୍ୟବାନ ଏବଂ ସମ୍ପନ୍ନ ଦେଶଗୁଡ଼ିକ ତୁଳନାରେ ସମସ୍ତ ଭାରତବାସୀଙ୍କ ସାମୂହିକ ସାମର୍ଥ୍ୟ ତଥା କ୍ଷମତା ଅଭୂତପୂର୍ବ। ତାଳି, ଥାଳି ବଜାଇବା ଓ ଦୀପ ଜଳାଇବା ଠାରୁ ଆରମ୍ଭ କରି ଭାରତୀୟ ସେନା ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ମାନ ହେଉ, ଜନତା କର୍ଫ୍ୟୁ କିମ୍ବା ଦେଶବ୍ୟାପୀ ଲକଡାଉନ ସମୟରେ ନିଷ୍ଠାର ସହ ନିୟମ ପାଳନ କରିବା ହେଉ ଆପଣମାନେ ପ୍ରତ୍ୟେକ ଅବସରରେ ଦେଖାଇଛନ୍ତି ଯେ ଭାରତ ହିଁ ଶ୍ରେଷ୍ଠ ଭାରତର ଗ୍ୟାରେଣ୍ଟି ଅଟେ। ନିଶ୍ଚିତ ଭାବେ, ଏତେ ବଡ଼ ସଙ୍କଟ ସମୟରେ କେହି ଜଣେ ହେଲେ ଦାବି କରିପାରିବେ ନାହିଁ ଯେ କାହାରିକୁ କିଛି କଷ୍ଟ କିମ୍ବା ଅସୁବିଧା ହୋଇନାହିଁ। ଆମର ଶ୍ରମିକ ସାଥୀ, ପ୍ରବାସୀ ଶ୍ରମିକ ଭାଇଭଉଣୀ, ଛୋଟ ଛୋଟ ଉଦ୍ୟୋଗରେ କାମ କରୁଥିବା କାରୀଗର, ରାସ୍ତା କଡ଼ରେ ସାମଗ୍ରୀ ବିକ୍ରି କରୁଥିବା ଲୋକମାନେ, ଉଠା ଦୋକାନୀ, ଆମର ବ୍ୟବସାୟୀ ଭାଇମାନେ, ଲଘୁ ଉଦ୍ୟୋଗୀ, ଏହି ସାଥୀମାନେ ଅସୀମିତ କଷ୍ଟ ସହିଛନ୍ତି। ସେମାନଙ୍କ ସମସ୍ୟା ଦୂର କରିବା ଲାଗି ସମସ୍ତେ ମିଳିମିଶି ପ୍ରୟାସ କରୁଛନ୍ତି। କିନ୍ତୁ ଆମ ସମସ୍ତଙ୍କୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ଜୀବନରେ ହେଉଥିବା ଅସୁବିଧା, ଜୀବନ ପ୍ରତି ବିପତ୍ତିରେ ବଦଳିନଯାଉ। ଏଥିପାଇଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରତ୍ୟେକ ଦିଶା- ନିର୍ଦ୍ଦେଶକୁ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଏ’ ପର୍ଯ୍ୟନ୍ତ ଯେଭଳି ଭାବେ ଆପଣମାନେ ଧୈର୍ଯ୍ୟ ଓ ସଞ୍ଜମକୁ ବଜାୟ ରଖିଛନ୍ତି, ସେହିପରି ଏହାକୁ ଆଗକୁ ମଧ୍ୟ ବଜାୟ ରଖନ୍ତୁ। ଏହା ହିଁ ଏକ ବଡ଼ କାରଣରୁ ଯାହା ପାଇଁ ଭାରତ ଆଜି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଅଧିକ ନିୟନ୍ତ୍ରିତ ସ୍ଥିତିରେ ରହିଛି। ଏହି ଦୀର୍ଘ ଲଢ଼େଇରେ ଆମେ ବିଜୟ ପଥରେ ଚାଲିବା ଆରମ୍ଭ କରିଛୁ ଏବଂ ବିଜୟୀ ହେବା ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ। ନିକଟରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଅମ୍ଫନ ମହାବାତ୍ୟା ସମୟରେ ଯେଉଁ ସାହସର ସହିତ ଲୋକମାନେ ସ୍ଥିତିର ମୁକାବିଲା କଲେ, ବାତ୍ୟାଜନିତ କ୍ଷୟକ୍ଷତିକୁ ହ୍ରାସ କରିପାରିଲେ, ତାହା ମଧ୍ୟ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା।

ପ୍ରିୟ ବନ୍ଧୁଗଣ,
ବର୍ତ୍ତମାନ ପରିସ୍ଥିତିରେ ଏ ପ୍ରସଙ୍ଗରେ ଆଲୋଚନା କରାଯିବା ଉଚିତ ଯେ ଭାରତ ସମେତ ଅନ୍ୟ ଦେଶଗୁଡ଼ିକର ଅର୍ଥ ବ୍ୟବସ୍ଥା କିଭଳି ଭାବେ ସୁଧୁରିବ। କିନ୍ତୁ ଅନ୍ୟପଟେ ଏହି ବିଶ୍ୱାସ ମଧ୍ୟ ରହିଛି ଯେ ଯେପରି ଭାରତ ନିଜର ଏକତା ବଳରେ କରୋନା ମୁକାବିଲାରେ ସାରା ବିଶ୍ୱକୁ ଆଚମ୍ବିତ କରି ଦେଇଛି, ସେହିପରି ଆର୍ଥିକ କ୍ଷେତ୍ରରେ ମଧ୍ୟ ଆମେ ନୂଆ ଉଦାହରଣ ପ୍ରସ୍ତୁତ କରିବୁ। ୧୩୦ କୋଟି ଭାରତୀୟ, ନିଜର ସାମର୍ଥ୍ୟ ବଳରେ ଆର୍ଥିକ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ଚକିତ କରିବ ନାହିଁ ବରଂ ଅନୁପ୍ରାଣିତ ମଧ୍ୟ କରିବ। ବର୍ତ୍ତମାନ ସମୟର ଆହ୍ୱାନ ହେଉଛି ଯେ ଆମକୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ପଡ଼ିବ। ନିଜ ସାମର୍ଥ୍ୟ ବଳରେ ଚାଲିବାକୁ ହେବ ଏବଂ ଏଥିପାଇଁ ଏକମାତ୍ର ମାର୍ଗ ହେଉଛି ଆତ୍ମନିର୍ଭର ଭାରତ। ଏବେ ନିକଟରେ ଆତ୍ମନିର୍ଭର ଭାରତ ଅଭିଯାନ ଲାଗି ଦିଆ ଯାଇଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ, ଏ ଦିଗରେ ନିଆଯାଇଥିବା ଏକ ବଡ଼ ପଦକ୍ଷେପ। ଏହି ଅଭିଯାନ, ପ୍ରତ୍ୟେକ ଦେଶବାସୀଙ୍କ ଲାଗି, ଆମର କୃଷକ, ଆମ ଶ୍ରମିକ, ଆମ ଲଘୁ ଉଦ୍ୟୋଗୀ, ଆମର ଷ୍ଟାର୍ଟଅପ ସହ ଜଡ଼ିତ ଯୁବପିଢ଼ି, ସମସ୍ତଙ୍କ ଲାଗି ନୂତନ ଅବସର ନେଇ ଆସିବ। ଭାରତୀୟଙ୍କ ଝାଳରେ, ପରିଶ୍ରମରେ ଏବଂ ସେମାନଙ୍କ ପ୍ରତିଭା ବଳରେ ନିର୍ମିତ ସ୍ଥାନୀୟ ଉତ୍ପାଦ ବଳରେ ଭାରତ ଆମଦାନି ଉପରେ ନିଜର ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ ଆତ୍ମ ନିର୍ଭରଶୀଳତା ଦିଗରେ ଆଗକୁ ବଢ଼ିବ।

ପ୍ରିୟ ବନ୍ଧୁଗଣ,
ବିଗତ ୬ ବର୍ଷର ଏହି ଯାତ୍ରାରେ ଆପଣମାନେ ନିରନ୍ତର ମୋତେ ଆଶୀର୍ବାଦ ଦେଇ ଆସିଛନ୍ତି, ନିଜର ସ୍ନେହ ଦେଇଛନ୍ତି। ଆପଣ ମାନଙ୍କ ଆଶୀର୍ବାଦର ଶକ୍ତିରୁ ହିଁ ଦେଶ ବିଗତ ଏକ ବର୍ଷରେ ଐତିହାସିକ ନିର୍ଣ୍ଣୟ ନେଇଛି ଏବଂ ବିକାଶର ଅଭୂତପୂର୍ବ ଗତି ସହିତ ଆଗକୁ ବଢ଼ିଛି। ତଥାପି ମୁଁ ଜାଣିଛି ଯେ ଏବେ ଅନେକ କିଛି କରିବାକୁ ବାକି ରହିଛି। ଦେଶ ଆଗରେ ଅନେକ ଆହ୍ୱାନ ରହିଛି, ସମସ୍ୟା ମଧ୍ୟ ଅନେକ ଅଛି। ମୁଁ ଦିନରାତି ପ୍ରୟାସ କରୁଛି। ମୋ ଭିତରେ ଦୁର୍ବଳତା ଥାଇପାରେ, କିନ୍ତୁ ଦେଶରେ କୌଣସି ଦୁର୍ବଳତା ନାହିଁ। ତେଣୁ ନିଜ ତୁଳନାରେ ଆପଣମାନଙ୍କ ଉପରେ, ଆପଣମାନଙ୍କ ଶକ୍ତି, ଆପଣମାନଙ୍କ ସାମର୍ଥ୍ୟ ଉପରେ ମୋର ଅଧିକ ଭରସା ଅଛି। ଆପଣ ମାନେ ହିଁ ମୋର ସକଳ୍ପ ଶକ୍ତି, ଆପଣମାନଙ୍କ ସମର୍ଥନ, ଆଶୀର୍ବାଦ ଓ ସ୍ନେହ ମୋ ପ୍ରତି ରହିଛି। ବୈଶ୍ୱିକ ମହାମାରୀ କାରଣରୁ, ଏ’ ସଙ୍କଟର ମୁହୂର୍ତ୍ତ ଦେଖାଦେଇଛି। କିନ୍ତୁ ଆମ ଦେଶବାସୀଙ୍କ ଲାଗି ଏହା ସଙ୍କଳ୍ପର ସମୟ। ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ୧୩୦ କୋଟି ଭାରତୀୟଙ୍କୁ ବର୍ତ୍ତମାନ ଏବଂ ଭବିଷ୍ୟତରେ କୌଣସି ବିପତ୍ତି ହରାଇପାରିବ ନାହିଁ। ଆମେ ନିଜେ ହିଁ ଆମର ବର୍ତ୍ତମାନ ଏବଂ ଭବିଷ୍ୟତକୁ ନିର୍ଦ୍ଧାରଣ କରିବା। ଆମେ ଆଗକୁ ବଢ଼ିବୁ, ଆମେ ପ୍ରଗତି ପଥରେ ଦୌଡ଼ିବୁ, ଆମେ ବିଜୟୀ ହେବୁ। ଆମ ଶାସ୍ତ୍ରରେ କୁହାଯାଇଛି- “କୃତମେ ଦକ୍ଷିଣେ ହସ୍ତେ, ଜୟୋ ମେ ସବ୍ୟ ଆହିତଃ”। ଅର୍ଥାତ ଆମର ଗୋଟିଏ ହାତରେ କର୍ମ ଓ କର୍ତ୍ତବ୍ୟ ଅଛି ତ’ ଅନ୍ୟ ହାତରେ ସୁନିଶ୍ଚିତ ସଫଳତା ଅଛି। ଦେଶର ନିରନ୍ତର ସଫଳତା ପାଇଁ ଏହି କାମନା ସହିତ ମୁଁ ଆପଣ ମାନଙ୍କୁ ପୁଣିଥରେ ପ୍ରଣାମ କରୁଛି। ଆପଣମାନଙ୍କୁ ଓ ଆପଣମାନଙ୍କ ପରିବାରକୁ ମୋର ହାର୍ଦ୍ଦିକ ଶୁଭକାମନା। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଜାଗ୍ରତ ରୁହନ୍ତୁ, ସଚେତନ ରୁହନ୍ତୁ। -(ଆପଣଙ୍କର ପ୍ରଧାନ ସେବକ, ନରେନ୍ଦ୍ର ମୋଦି)
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.