Home Coronavirus Outbreak ଅନଲକ ୧.୦ ପରବର୍ତ୍ତୀ ସ୍ଥିତି ସମୀକ୍ଷା – ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ବୈଠକ ପରେ...

ଅନଲକ ୧.୦ ପରବର୍ତ୍ତୀ ସ୍ଥିତି ସମୀକ୍ଷା – ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ବୈଠକ ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ

150

– ବର୍ତମାନର ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବା ସହିତ ଏହାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରାଯିବା ଉଚିତ : ପ୍ରଧାନମନ୍ତ୍ରୀ
– ଭୂତାଣୁରୁ ଆରୋଗ୍ୟ ଲାଭ କରୁଥିବା ଅଧିକ ସଂଖ୍ୟକ ରୋଗୀଙ୍କ ବିଷୟରେ ଉଲ୍ଲେଖ କରି ଆମେ ଭୟ ଏବଂ ଭେଦଭାବକୁ ଦୂର କରିବା ଉଚିତ : ପ୍ରଧାନମନ୍ତ୍ରୀ
– ଲକଡାଉନ ସମୟରେ ଜନସାଧାରଣଙ୍କ ଦ୍ୱାରା ପ୍ରଦର୍ଶିତ ଶୃଙ୍ଖଳା କୋଭିଡ-୧୯ର ବ୍ୟାପକ ସଂକ୍ରମଣକୁ ରୋକିପାରିଛି : ପ୍ରଧାନମନ୍ତ୍ରୀ
– ଆମେ ଲକଡାଉନ ଗୁଜବ ବିରୋଧରେ ଲଢ଼ିବା ଏବଂ ଅନଲକ ୨.୦ ଲାଗି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ
– ମତାମତ ରଖିଲେ ମୁଖ୍ୟମନ୍ତ୍ରୀଗଣ, ସ୍ୱାସ୍ଥ୍ୟ ଭିତିଭୂମି ବୃଦ୍ଧି ଓ ସଚେତନତା ସୃଷ୍ଟି ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଲେ

ନୂଆ ଦିଲ୍ଲୀ ୧୮-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନଲକ ୧.୦ ପରବର୍ତ୍ତୀ ସ୍ଥିତି ସମୀକ୍ଷା ଏବଂ କୋଭିଡ-୧୯ ମହାମାରୀ ମୁକାବିଲା ଲାଗି ଯୋଜନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆଜି ପୁଣିଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଦୁଇ ଦିନିଆ ଆଲୋଚନା କାର୍ଯ୍ୟକ୍ରମର ଏହା ଥିଲା ଦ୍ୱିତୀୟ ପର୍ଯ୍ୟାୟ।

କେତେକ ବଡ଼ ରାଜ୍ୟ ଏବଂ ସହରରେ ଭୂତାଣୁ ସଂକ୍ରମଣ ଅଧିକ ରହିଥିବା ପ୍ରଧାନମନ୍ତ୍ରୀ ହୃଦବୋଧ କରିଥିଲେ। ଅଧିକ ଜନସାଂଖ୍ୟିକ ସାନ୍ଦ୍ରତା କାରଣରୁ ସାମାଜିକ ଦୂରତା ବଜାୟ ରଖିବାରେ ସମସ୍ୟା ଦେଖାଦେଉଛି। ଦୈନିକ ବହୁସଂଖ୍ୟାରେ ଜନସାଧାରଣ ଯାତାୟାତ କରୁଥିବା କାରଣରୁ ସ୍ଥିତି ବେଶ ସମସ୍ୟାବହୁଳ ହୋଇପଡ଼ିଛି। ତଥାପି ନାଗରିକମାନଙ୍କ ଧୈର୍ଯ୍ୟ, ପ୍ରଶାସନର ପ୍ରସ୍ତୁତି ଏବଂ କରୋନା ଯୋଦ୍ଧାମାନଙ୍କର ସମର୍ପଣ କାରଣରୁ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି। ଠିକଣା ସମୟରେ ରୋଗୀଙ୍କୁ ଚିହ୍ନଟ, ଚିକିତ୍ସା ଏବଂ ରିପୋର୍ଟିଂ କାରଣରୁ ଆରୋଗ୍ୟ ହାର ବୃଦ୍ଧି ପାଉଛି ବୋଲି ସେ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଲକଡାଉନ ସମୟରେ ଲୋକମାନେ ପ୍ରଦର୍ଶନ କରିଥିବା ଶୃଙ୍ଖଳା କାରଣରୁ ଭୂତାଣୁର ବ୍ୟାପକ ସଂକ୍ରମଣକୁ ରୋକାଯାଇପାରିଛି।

ସ୍ୱାସ୍ଥ୍ୟ ଭିତିଭୂମି ବୃଦ୍ଧି

ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ଲାଗି ଉନ୍ନତ ସ୍ୱାସ୍ଥ୍ୟ ଭିତିଭୂମି ଏବଂ ତାଲିମପ୍ରାପ୍ତ କର୍ମଶକ୍ତିର ଉପଲବ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ପିପିଇ, ମାସ୍କର ଘରୋଇ ଉତ୍ପାଦନ ବୃଦ୍ଧି, ଯଥେଷ୍ଟ ପରିମାଣରେ ନିଦାନ କିଟ ଉପଲବ୍ଧତା, ପିଏମ କେୟାର୍ସ ପାଣ୍ଠିର ଉପଯୋଗ କରି ଭାରତରେ ପ୍ରସ୍ତୁତି ଭେଂଟିଲେଟର ଯୋଗାଣ, ପରୀକ୍ଷାଗାର ଉପଲବ୍ଧତା, ଲକ୍ଷାଧିକ ସଂଖ୍ୟାରେ କୋଭିଡ ସ୍ୱତନ୍ତ୍ର ଶଯ୍ୟା, ହଜାର ହଜାର ସଂଖ୍ୟକ ସଙ୍ଗରୋଧ ଓ ଏକାନ୍ତବାସ କେନ୍ଦ୍ର ଏବଂ ପ୍ରଶିକ୍ଷଣ ମାଧ୍ୟମରେ ଯଥେଷ୍ଟ ମାନବ ସମ୍ବଳ ସୃଷ୍ଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସ୍ୱାସ୍ଥ୍ୟ ଭିତିଭୂମି, ସୂଚନା ବ୍ୟବସ୍ଥା, ମାନସିକ ସହାୟତା ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ନିନରନ୍ତର ଗୁରୁତ୍ୱାରୋପ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।

ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ, ଠାବ ଏବଂ ସଙ୍ଗରୋଧ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବର୍ତମାନର ପରୀକ୍ଷଣ କ୍ଷମତାକୁ ବଢ଼ାଇବା ସହିତ ଏହାକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଟେଲିମେଡ଼ିସିନର ଲାଭ ବିଷୟରେ କହିବା ସହିତ ଏହି ମାଧ୍ୟମରେ ଅସୁସ୍ଥମାନଙ୍କୁ ଚିକିତ୍ସା ପରାମର୍ଶ ଦେବା ଲାଗି ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଏକ ଟିମ ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲେ। ସେ ମଧ୍ୟ ହେଲ୍ପଲାଇନଗୁଡ଼ିକ ଜରିଆରେ ଠିକଣା ସମୟରେ ଏବଂ ସଠିକ ସୂଚନା ପହଁଚାଇବା ବିଷୟରେ ଆଲୋଚନା କରିଥିଲେ। ଏହି ହେଲ୍ପଲାଇନଗୁଡ଼ିକର ପ୍ରଭାବୀ ପରିଚାଳନା ନିମନ୍ତେ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ଦଳ ଗଠନ କରିବା ନିମନ୍ତେ ଆଲୋଚନା କରିଥିଲେ।

ଭୟ ଓ ଭେଦଭାବର ମୁକାବିଲା

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯେଉଁ ସବୁ ରାଜ୍ୟରେ ଆରୋଗ୍ୟ ସେତୁ ଆପ ବହୁସଂଖ୍ୟାରେ ଡାଉନଲୋଡ କରାଯାଇଛି ସେଠାରେ ସକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଏହି ଆପର ପ୍ରସାର ବୃଦ୍ଧି ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ମୌସୁମୀ ଋତୁରେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସତର୍କ ରହିବା ଲାଗି ସେ ପରାମର୍ଶ ଦେଇଥିଲେ। ସେ ମଧ୍ୟ ଭୂତାଣୁ ମୁକାବିଲା କ୍ଷେତ୍ରରେ ରହିଥିବା ଭାବଗତ ଦିଗ ଉପରେ ଆଲୋକପାତ କରିଥିଲେ। ଅପବାଦ ଏବଂ ଭେଦଭାବର ଶିକାର ହେବା ନେଇ ରହିଥିବା ଭୟ ଦୂର କରିବା ନିମନ୍ତେ ଏହି ଭୂତାଣୁ ପରାସ୍ତ କରି ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ବିଷୟରେ ଅଧିକ ମାତ୍ରାରେ ସଚେତନ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆମର କରୋନା ଯୋଦ୍ଧା, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସହାୟତା ଓ ସମର୍ଥନ ଆମର ପ୍ରାଥମିକତା ହେବା ଉଚିତ। ସେ ଉଲ୍ଲେଖ କରିଥିଲେ ଯେ ଏହି ଭୂତାଣୁ ମୁକାବିଲାରେ ଜନଭାଗିଦାରୀ ଜରୁରି। ସେ କହିଥିଲେ ଯେ ଲୋକମାନଙ୍କୁ ମାସ୍କ, ମୁହଁଘୋଡ଼ା ବ୍ୟବହାର କରିବା ଓ ଶାରୀରିକ ଦୂରତା ରକ୍ଷା କରିବା ନିମନ୍ତେ ନିରନ୍ତର ସଚେତନ କରାଯିବା ଉଚିତ।

ମୁଖ୍ୟମନ୍ତ୍ରୀମାନଙ୍କ ମତାମତ

ଆଜି ଥିଲା ଦୁଇ ଦିନିଆ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ। ଏହି ଆଲୋଚନାରେ ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, ଆନ୍ଧ୍ରପ୍ରଦେଶ, ହରିୟାଣା, ଜମ୍ମୁ ଓ କଶ୍ମୀର, ତେଲଙ୍ଗାନା ଏବଂ ଓଡ଼ିଶା ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀମାନଙ୍କୁ ତାଙ୍କର ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀମାନେ ଧନ୍ୟବାଦ ଜଣାଇଥିଲେ ଏବଂ ସେମାନଙ୍କ ରାଜ୍ୟରେ କରୋନା ଭୂତାଣୁର ସ୍ଥିତି ଏବଂ ଏହାର ମୁକାବିଲା ଲାଗି ସେମାନେ କରିଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ମହାମାରୀ ମୁକାବିଲା ଲାଗି ଉପଲବ୍ଧ ସ୍ୱାସ୍ଥ୍ୟ ଭିତିଭୂମି, ଅଗ୍ରଣୀ ଯୋଦ୍ଧାମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା, ଅବରୋଧ ଅଂଚଳ ପରିଚାଳନା, ମାସ୍କ ବ୍ୟବହାର ଏବଂ ଅନ୍ୟ ସତର୍କତା ପଦକ୍ଷେପ ଗ୍ରହଣ କରିବା ଲାଗି ଅଭିଯାନ, ପରୀକ୍ଷା ସଂଖ୍ୟା ବୃଦ୍ଧି ଏବଂ ଘରକୁ ଫେରିଥିବା ପ୍ରବାସୀମାନଙ୍କୁ ଆୟଭିତିକ ନିଯୁକ୍ତି ସୁଯୋଗ ପ୍ରଦାନ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ।

ଅନଲକ ୨.୦

ପ୍ରଧାନମନ୍ତ୍ରୀ ମତାମତ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଆବଶ୍ୟକ ସତର୍କତା ଅବଲମ୍ବନ କରି ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଆଲୋଚନା କରି, ଭୂତାଣୁ ମୁକାବିଲା କରିବା କ୍ଷେତ୍ରରେ ମିଳିତ ପ୍ରୟାସ ଆମମାନଙ୍କୁ ବିଜୟୀ କରାଇବ ବୋଲି ସେ ଉଲ୍ଲେଖ କରିଥିଲେ। ସେ ଲକଡାଉନ ସମ୍ପର୍କରେ ସୃଷ୍ଟି ହେଉଥିବା ଗୁଜବକୁ ଖଣ୍ଡନ କରିବାର ଆବଶ୍ୟକତା ରହିଛି ବୋଲି କହିବା ସହିତ ଦେଶ ବର୍ତମାନ ଅନଲକିଂ (ତାଲା ଖୋଲିବା) ପର୍ଯ୍ୟାୟରେ ରହିଛି ବୋଲି ପ୍ରକାଶ କରିଥିଲେ। ଆମେ ବର୍ତମାନ ଅଲଲକର ଦ୍ୱିତୀୟ ପର୍ଯ୍ୟାୟ ବିଷୟରେ ଚିନ୍ତା କରିବା ଏବଂ ଆମ ଲୋକମାନଙ୍କ କ୍ଷତି ହ୍ରାସ କରିବା ସମ୍ପର୍କରେ ଚିନ୍ତା କରିବା ଉଚିତ ବୋଲି ସେ କହିଥିଲେ।

ସେ ଉଲ୍ଲେଖ କରିଥିଲେ ଯେ କଟକଣା ହ୍ରାସ କରାଯିବା ଫଳରେ ଅର୍ଥନୈତିକ ପ୍ରଦର୍ଶନର ସୂଚକାଙ୍କଗୁଡ଼ିକର ସଙ୍କେତକ ପୁନରୁଦ୍ଧାର ସଙ୍କେତ ଦେବା ଆରମ୍ଭ କରିଛି। ମୂଦ୍ରାସ୍ଫିତୀକୁ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରଖାଯାଇଛି। ଭିତିଭୂମି ଏବଂ ନିର୍ମାଣ ସଂକ୍ରାନ୍ତ କାର୍ଯ୍ୟ ବଢ଼ାଇବା ଦିଗରେ ପଦକ୍ଷେପ ନେବାକୁ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। ଏମଏସଏମଇ, କୃଷି ଏବଂ କୃଷି ବିପଣନ କ୍ଷେତ୍ରକୁ ପ୍ରୋତ୍ସାହନ ଲାଗି ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଗ୍ରହଣ କରାଯାଇଥିବା ପଦକ୍ଷେପର ତାଲିକା ସେ ଦେଇଥିଲେ। ଆଗାମୀ ମାସଗୁଡ଼ିକରେ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ନିମନ୍ତେ ସତର୍କ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ଗୃହମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବର୍ତମାନସୁଦ୍ଧା ଆମେ ଭୂତାଣୁର ମୁକାବିଲା କରିବା ଦିଗରେ ସଫଳ ହୋଇଛୁ, କିନ୍ତୁ ସଂଘର୍ଷ ଆହୁରି ବାକି ଅଛି। ଆମେ ଅନଲକ ଆରମ୍ଭ କରିଦେଇଥିବାରୁ ଆମକୁ ସତର୍କ ରହିବାକୁ ହେବ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ। ଆତ୍ମସୁରକ୍ଷା ପାଇଁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପ୍ରୋତ୍ସାହନ ଦେବା ନିମନ୍ତେ ସେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିକାରୀ ଲକଡାଉନର ବିଭିନ୍ନ ପର୍ଯ୍ୟାୟ ଏବଂ ଅନଲକ ୧.୦ରେ ମାମଲା ହାର ନିରନ୍ତର ହ୍ରାସ ପାଇବା ସମ୍ପର୍କରେ ସୂଚନା ଦେଇଥିଲେ। ଲକଡାଉନର ସକାରାତ୍ମକ ଫଳାଫଳ କାରଣରୁ ବହୁସଂଖ୍ୟକ ସଂକ୍ରମଣ ମାମଲାକୁ ଏଡ଼ାଇ ଦିଆଯାଇପାରିଛି ଏବଂ ଜୀବନ ରକ୍ଷା କରାଯାଇପାରିଛି। ସଚେତନତା ବୃଦ୍ଧି ତଥା ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ କରାଯିବା ସମ୍ଭବ ହୋଇପାରିଛି। ଭାରତରେ ପ୍ରତି ୧ଲକ୍ଷ ମାମଲାରେ ମୃତ୍ୟୁ ହାର ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ଖୁବ କମ ବୋଲି ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.