Home ଓଡ଼ିଶା ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦ୍‌ଘାଟନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ – ବୈଶ୍ୱିକ ପୁନରୁଦ୍ଧାରରେ ଭାରତ ଏକ...

ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦ୍‌ଘାଟନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ – ବୈଶ୍ୱିକ ପୁନରୁଦ୍ଧାରରେ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି

115

ନୂଆ ଦିଲ୍ଲୀ ୯-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦ୍‌ଘାଟନ ଉତ୍ସବରେ ଉଦବୋଧନ ଦେଇଛନ୍ତି। ସାଂପ୍ରତିକ କାଳର ସଂକଟ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବିଶ୍ୱର ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହା ଦୁଇଟି ବିଷୟ ସହ ନିବିଡଭାବେ ସଂପୃକ୍ତ। ପ୍ରଥମଟି ହେଲା ଭାରତର ପ୍ରତିଭା ଏବଂ ଦ୍ୱିତୀୟଟି ହେଲା ସଂସ୍କାର ଓ ନବଜୀବନ ଫେରିପାଇବାରେ ଭାରତର ଦକ୍ଷତା। ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ପ୍ରତିଭାବାନ ଲୋକଶକ୍ତିକୁ ଉଚ୍ଚ ମାନ୍ୟତା ଦେଇଛି। ବିଶେଷକରି ଭାରତୀୟ ପ୍ରଯୁକ୍ତି ଉଦ୍ୟୋଗ ଓ ବୈଷୟିକ ବୃତ୍ତିଧାରୀମାନଙ୍କର ଅବଦାନକୁ ସମସ୍ତେ ସ୍ୱୀକାର କରୁଛନ୍ତି।

ଭାରତକୁ ପ୍ରଧାନମନ୍ତ୍ରୀ ପ୍ରତିଭାର ଏକ ଶକ୍ତିକେନ୍ଦ୍ର ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଏହି ପ୍ରତିଭାତନ୍ତ୍ର ନିଜର ସାମର୍ଥ୍ୟମତେ ସମଗ୍ର ବିଶ୍ୱକୁ ତାର ଅବଦାନ ଦେବାରେ ଆଗ୍ରହୀ। ଭାରତୀୟମାନେ ସ୍ୱଭାବିକଭାବେ ସଂସ୍କାରପ୍ରେମୀ ଏବଂ ଇତିହାସ ପ୍ରମାଣ କରିଛି ଯେ ପ୍ରତ୍ୟେକ ସାମଜିକ ଓ ଆର୍ଥିକ ଆହ୍ୱାନକୁ ଭାରତ ସଫଳତାର ସହ ଅତିକ୍ରମ କରିଛି। ସେ କହିଛନ୍ତି ଯେ ଭାରତ ଯେତେବେଳେ ପୁନରୁତ୍ଥାନ ଓ ପୁନରୁଦ୍ଧାର କଥା କହେ ସେତେବେଳେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଅର୍ଥନୀତି, ପରିବେଶ ଆଦି ବିଭିନ୍ନ କ୍ଷେତ୍ରରେ ଯତ୍ନ, ଅନୁକମ୍ପା ଓ ନିରନ୍ତରତା ଆଦିକୁ ଗୁରୁତ୍ୱ ଦିଏ। ଗତ ୬ ବର୍ଷ ମଧ୍ୟରେ ଭାରତର ଉପଲବ୍ଧି ତାଲିକା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଭାରତରେ ସବୁ ନାଗରିକ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ସମୟରେ ମଧ୍ୟ ଆବାସ ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ରେକର୍ଡ ପ୍ରତିଷ୍ଠା ହୋଇଛି। ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବାର ପ୍ରକ୍ରିୟା ସହଜ ଓ ବିଶ୍ୱାସଯୋଗ୍ୟ ହୋଇଛି ଏବଂ ଜିଏସଟି ସମେତ ଟିକସ ସଂସ୍କାର କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାର ଅନୁକୂଳ ଲକ୍ଷଣମାନ ଦେଶର ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଦେଖାଦେଲାଣି। ଏହା କେବଳ ଅଦମନୀୟ ଭାରତୀୟ କର୍ମଶକ୍ତି ଯୋଗୁଁ ସମ୍ଭବ ହୋଇଛି। ସେ କହିଛନ୍ତି ଯେ ଏବେ ଟେକ୍‌ନୋଲଜି ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ବିଶେଷ ସହାୟତା ଯୋଗାଉଛି। ହିତାଧିକାରୀମାନଙ୍କୁ ଏହାଦ୍ୱାରା ସରକାରୀ ଲାଭ ସିଧାସଳଖ ମିଳିପାରୁଛି। ମାଗଣା ରୋଷେଇ ଗ୍ୟାସ୍‌, ଲୋକଙ୍କ ବ୍ୟାଙ୍କଖାତାରେ ଟଙ୍କା, କୋଟି କୋଟି ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଣ ଓ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ଟେକ୍‌ନୋଲଜି ସରକାରୀ ସୁବିଧା ଯୋଗାଣ ବ୍ୟବସ୍ଥାକୁ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚାଇଛନ୍ତି।

ସେ କହିଛନ୍ତି ଯେ ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ମୁକ୍ତ ଅର୍ଥନୀତି। ଏହାର ସୁଯୋଗ ନେଇ ଭାରତରେ ନିଜ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଦେଶ ବହୁଦେଶୀୟ କଂପାନୀମାନଙ୍କୁ ନିମନ୍ତ୍ରଣ କରୁଛି। ଭାରତ ଏକ ବହୁଳ, ସମ୍ଭାବନା ଓ ସୁଯୋଗର ଦେଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କୃଷି କ୍ଷେତ୍ରରେ ଆରମ୍ଭ ହୋଇଥିବା ବିଭିନ୍ନ ସଂସ୍କାର ସଂପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଫଳରେ ବୈଶ୍ୱିକ ଉଦ୍ୟୋଗଜଗତ ପାଇଁ ଏହି କ୍ଷେତ୍ରରେ ପୁଞ୍ଜି ନିବେଶର ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି ହୋଇଛି। ସର୍ବଶେଷ ସଂସ୍କାର ବ୍ୟବସ୍ଥା ଫଳରେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ବିପୁଳ ପ୍ରୋତ୍ସାହନ ପାଇଛି। ଏହା ଫଳରେ ସେମାନେ ବଡ ବଡ ଉଦ୍ୟୋଗର ବିକାଶରେ ସହାୟକ ହେବା ସହିତ ସେମାନଙ୍କ ଉତ୍ପାଦନରେ ଉଲ୍ଲେଖନୀୟ ସହଯୋଗ ଯୋଗାଇ ଦେଇପାରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ପୁଞ୍ଜିନିବେଶର ଅସୀମ ସୁଯୋଗ ସୃଷ୍ଟି ହୋଇଛି ଏବଂ ବିଶ୍ୱ ସମୁଦାୟ ଏହାର ଫାଇଦା ନେବା ଉଚିତ।

ସାଂପ୍ରତିକ ମହାମାରୀ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତର ଔଷଧପତ୍ର ଉଦ୍ୟୋଗ ପ୍ରମାଣିତ କରିଛି, ଏହା କେବଳ ଭାରତ ପାଇଁ ନୁହେଁ; ସମଗ୍ର ବିଶ୍ୱ ପାଇଁ ଅଭିପ୍ରେତ। ଔଷଧପ୍ରତ୍ରର ମୂଲ୍ୟ ହ୍ରାସ କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ବିକାଶଶୀଳ ରାଷ୍ଟ୍ରଗୁଡିକ ପାଇଁ ବେଶ୍‌ ସହାୟକ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ, କେବଳ ଆତ୍ମସମର୍ଥ ଅଥବା ବାହାର ଦୁନିଆରୁ ଅଲଗା ହୋଇ ରହିବା। ଆତ୍ମନିର୍ଭର ଭାରତର ଅର୍ଥ ଆତ୍ମନିର୍ଭର ଏବଂ ଆତ୍ମ ଉତ୍ପାଦନକ୍ଷମ ହୋଇ ଅନ୍ୟମାନଙ୍କ ସ୍ୱାର୍ଥ ମଧ୍ୟ ଦେଖିବା। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତ କ୍ରମଶଃ ସଂସ୍କାରିତ ହେଉଛି। ଏହା ନିଜର ସଫଳତାକୁ କାମରେ ଦେଖାଇବା ସହ ନିଜକୁ ବଦଳାଉଛି। ଏହି ଭାରତ ନୂଆ ଅର୍ଥନୈତିକ ସୁଯୋଗ ସୃଷ୍ଟି କରୁଛି। ଏକ ମାନବ କୈନ୍ଦ୍ରିକ ସମାବେଶୀ ବିକାଶ ଆଭିମୁଖ୍ୟ ନେଇ ଆଗେଇ ଚାଲିଛି। ତେଣୁ ଭାରତ ଆପଣମାନଙ୍କୁ ଅପେକ୍ଷା କରିଛି ବୋଲି ଉଦବୋଧନ ଅବସରରେ ପ୍ରବାସୀ ନିବେଶକ, ପୁଞ୍ଜିପତି ଓ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଶିଷ୍ଟ ସୀତାରବାଦକ ପଣ୍ଡିତ ରବିଶଙ୍କରଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏହି ମଞ୍ଚ ଆୟୋଜିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି ଯେ ପଣ୍ଡିତ ଜୀ ଭାରତୀୟ ଉଚ୍ଚାଙ୍ଗ ସଂଗୀତର ସୌନ୍ଦର୍ଯ୍ୟକୁ ସାରା ବିଶ୍ୱରେ ପହଞ୍ଚାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ପାରସ୍ପରିକ ଅଭିବାଦନରେ ‘ନମସ୍ତେ’ କିପରି ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଛି ତାହାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱର ମଙ୍ଗଳ ଓ ସମୃଦ୍ଧି ପାଇଁ ଯାହା ସମ୍ଭବ ତାହା କରିବାକୁ ଭାରତ ପ୍ରସ୍ତୁତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.