୧୩ ଏପ୍ରିଲ ୧୯୧୦ ମସିହା ବୈଶାଖୀ ଅବସରରେ ଅମୃତସରର ଜାଲିୟାନୱାଲା ୱାଗରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କିଛି ନେତା (ତତ୍କାଳୀନ ସ୍ଵାଧୀନତା ସଂଗ୍ରାମୀ) ଭାଷଣ ଦେବାକୁ ଯାଇଥିଲେ। ସହରରେ କର୍ଫ୍ୟୁ ଥିଲା, ତଥାପି ସେଠାରେ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମେଳା ଦେଖିବାକୁ ଆସିଥିଲେ ଏବଂ ବୈଶାଖୀ ଅବସରରେ ପରିବାର ସହିତ ସହରରେ ବୁଲାବୁଲି କରିଥିଲେ। ସଭାର ଖବର ଶୁଣି ସେଠାକୁ ମଧ୍ୟ ଯାଇଥିଲେ। ତେବେ ସଭା ଆରମ୍ଭ ହୋଇ ଭାଷଣ ଚାଲିଥାଏ, ହଠାତ୍ ୯୦ ଜଣ ସଶସ୍ତ୍ର ବ୍ରିଟିଶ ସିପାହୀଙ୍କ ସହିତ ବ୍ରିଗେଡିୟର୍ ଜେନେରାଲ୍ ରେଜିନାଲାଲ୍ ଡାୟର୍ ଆସି ସେଠାରେ ପହଁଚିଲେ। ସେହି ସମୟରେ ନେତାମାନେ ସେଠାରେ ଥିବା ଏକ ବାଡ଼ ଉପରେ ଠିଆ ହୋଇ ଭାଷଣ ଦେଉଥିଲେ। ନେତାମାନେ ସିପାହୀ ମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଶାନ୍ତ ରହିବାକୁ କହିଥିଲେ।
ଆଖିବୁଜା ଗୁଳିମାଡ଼ –
ସିପାହୀମାନେ ଜାଲିୟାନୱାଲା ୱାଗକୁ ଘେରି ରହିଥିଲେ ଏବଂ ବିନା ଚେତାବନୀରେ ଉପସ୍ଥିତ ଲୋକଙ୍କ ଉପରକୁ ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଦେଲେ। ମାତ୍ର ୧୦ ମିନିଟ ଭିତରେ ୧୬୫୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଜାଲିୟାନୱାଲା ୱାଗ୍ ପଛରେ ଏକ ଖାଲି ଭୂମି ଥିଲା। ବାହାରକୁ ଯିବା ପାଇଁ କେବଳ ଏକ ସଂକୀର୍ଣ୍ଣ ରାସ୍ତା ଥିଲା ଏବଂ ଚାରିପାଖେ ଘର ଥିଲା। ଖସିଯିବାର କୋୖଣସି ଉପାୟ ନଥିଲା। ଜୀବନ ବଞ୍ଚାଇବା ପାଇଁ କିଛି ଲୋକ ସେଠାରେ ଥିବା ଏକ କୂଅକୁ ଡେଇଁ ପଡିଥିଲେ। କୂଅଟି ଶବ ଦ୍ୱାରା ଆଚ୍ଛାଦିତ ହୋଇ ଯାଇଥିଲା।
କ୍ଷୟକ୍ଷତି –
ଜାଲିୟାନୱାଲା ୱାଗରେ ଥିବା ଫଳକ ଉପରେ ଲେଖା ହୋଇଛି ଯେ କେବଳ କୂଅରୁ ୧୨୦ଟି ଶବ ମିଳିଥିଲା। ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା ଯେଉଁଥି ପାଇଁ ଆହତ ମାନଙ୍କୁ ଚିକିତ୍ସା ପାଇଁ ନିଆଯାଇ ପାରିଲା ନାହିଁ | ଲୋକମାନେ ଯନ୍ତ୍ରଣାରେ ଛଟପଟ ହୋଇ ମରିଗଲେ। ଅମୃତସରର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ଅନୁଯାୟୀ ୪୮୪ ଜଣ ସହିଦ ହୋଇଥିବା ବେଳେ ଜାଲିୟାନୱାଲା ୱାଗରେ ମୋଟ ୩୮୮ ସହିଦଙ୍କ ତାଲିକା ଭୁକ୍ତ ହୋଇଥିଲା। ବ୍ରିଟିଶ ରେକର୍ଡରେ ଏହି ଘଟଣାରେ ୨୦୦ ଜଣ ଆହତ ହୋଇଥିବା ଏବଂ ୩୭୯ ଜଣ ସହିଦ ହୋଇଥିଲେ। ସେଥିମଧ୍ୟରୁ ୩୩୭ ଜଣ ପୁରୁଷ, ୪୧ ଜଣ ନାବାଳକ ଏବଂ ଗୋଟିଏ ୬ ସପ୍ତାହର ଶିଶୁ ଥିଲା। ଅନ୍ୟ ଏକ ଅନୌପଚାରିକ ପରିସଂଖ୍ୟାନ ଅନୁଯାୟୀ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସରକାରୀ ମୃତ୍ୟୁ ସଂଖ୍ୟା ୩୪୯ ହୋଇଥିବା ବେଳେ ପଣ୍ଡିତ ମଦନ ମୋହନ ମାଲଭିଆଙ୍କ ଅନୁଯାୟୀ ଅତି କମରେ ୧୩୦୦ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୧୫୦୦ରୁ ଅଧିକ ହୋଇଥିବା ବେଳେ ଅମୃତସରର ତତ୍କାଳୀନ ସିଭିଲ ସର୍ଜନ ଡ. ସ୍ମିଥଙ୍କ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୧୮୦୦ରୁ ଅଧିକ ଥିଲା। /-ଦେବଦତ୍ତ ରଥ