Home Top News ରଙ୍ଗ ଆଉ ପ୍ରେମର ପର୍ବ ହୋଲି ଅଭିନନ୍ଦନ ..

ରଙ୍ଗ ଆଉ ପ୍ରେମର ପର୍ବ ହୋଲି ଅଭିନନ୍ଦନ ..

71

ଆଜି ରଙ୍ଗ ଆଉ ପ୍ରେମର ପର୍ବ ହୋଲି। ଫାଲ୍ଗୁନ ପୂର୍ଣ୍ଣିମା,ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ରଙ୍ଗ ହିଁ ତ’ ସୌନ୍ଦର୍ଯ୍ୟର ପ୍ରତିକ। ସେ ରଙ୍ଗ ଋତୁଫୁଲର, ପ୍ରାକୃତିକ ରଙ୍ଗ! ପ୍ରୀତି ପୂର୍ବକ ରଙ୍ଗେଇ ହେବାର ପର୍ବ। ପ୍ରତ୍ୟେକ ରଙ୍ଗ ଆଧ୍ୟାତ୍ମିକ ଅର୍ଥ ବହନ କରିଥାଏ। ସବୁଜ ରଙ୍ଗ ଶ୍ୟାମଳ ବର୍ଣ୍ଣ ବୃକ୍ଷରାଜିର ପ୍ରଗତିର ପ୍ରତିକ, ଲାଲ ରଙ୍ଗ ଶକ୍ତିର ପ୍ରତୀକ, ଗୋଲାପୀ ରଙ୍ଗ ପ୍ରେମର ପ୍ରତୀକ, ଶିଶୁ ପରି ନିର୍ମଳତାର ପ୍ରତୀକ, କମଳା ରଙ୍ଗ ତ୍ଯାଗ, ବୈରାଗ୍ୟ ଚିହ୍ନ। ହଳଦିଆ ରଙ୍ଗ ବ୍ରହ୍ମଚର୍ଯ୍ୟ ଓ ଜ୍ଞାନର ସଂବାହକ ହୋଇଥାଏ। ଆଜି ହରିହରଙ୍କ ମିଳନର ଦିନ। ମୈତ୍ରୀର ତିଥି ଚନ୍ଦନ କର୍ପୂର ସହ ଅବିର ମିଶାଇ ପ୍ରସ୍ତୁତ ରଙ୍ଗ ପରସ୍ପରକୁ ଲେପନ କରାଯାଏ। ଏହାର ଆନ୍ତରିକ ମହତ୍ତ୍ବ ବୁଝି ସେଇ ସାତ୍ତ୍ଵିକ ଭାବକୁ ଧାରଣ କରି ନିଜ ଜୀବନର ସକଳ ଅସୂୟାକୁ ଶୁନ୍ୟ କରିବା, ମୈତ୍ରୀ ଭାବର ଉନ୍ମିଳନ କରିବାର ଦିନ ହୋଲି। ଆଧ୍ୟାମିିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପକୃତିର ଅନନ୍ତ ଅପୂର୍ବ ରୂପ ଛଟାର ଅନୁଭବ, ହସ ଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଛି ରଙ୍ଗର ପର୍ବ ହୋଲି। ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡେ଼ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ। ଅବିରର ଏକ ମନ ମତାଣିଆ ସୁଗନ୍ଧ। ଅଧର୍ମର ନାଶ ଓ ଧର୍ମ ପ୍ରତିଷ୍ଠା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଧରାବତରଣ ଓ ତାଙ୍କର ଦଶାବତାରର ଦିବ୍ୟ ଲୀଳାଖେଳାର ସ୍ୱରୂପ ହେଉଛି ଏହି ହୋଲି ଉତ୍ସବ। ଭାରତୀୟ ସଂସ୍କୃତିରେ ହୋଲି ଉତ୍ସବକୁ ଐଶ୍ୱରୀୟ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଇଛି।ହୋଲି ପର୍ବ ପାଳନ ନେଇ ଅନେକ ପୌରାଣିକ କାହାଣୀ ରହିଛି। ଏହିପରି ଅନେକ କାହାଣୀ ମଧ୍ୟରୁ ଏକ ପ୍ରମୁଖ ପୌରାଣିକ ଗାଥା ହେଉଛି ହିରଣ୍ୟକଶିପୁ ଓ ପ୍ରହଲ୍ଲାଦ ଉପାଖ୍ୟାନ। ପ୍ରାଚୀନ କାଳରେ ହିରଣ୍ୟକଶିପୁ ନାମକ ଜଣେ ମହା ବଳଶାଳୀ ଅସୁରଙ୍କ ରାଜତ୍ୱ ଚାଲିଥିଲା। ଗର୍ବ ଓ ଅହଂକାରର ବଶବର୍ତ୍ତି ହୋଇ ସେ ନିଜକୁ ଭଗବାନ ଭାବେ ପ୍ରତିଷ୍ଠା କରାଇବା ପାଇଁ ସଦା ଚେଷ୍ଠିତ ଥିଲା। ତାଙ୍କ ରାଜତ୍ୱ ସମୟରେ ପ୍ରଜାମାନେ ଭଗବାନଙ୍କୁ ସ୍ମରଣ କରିବା କିମ୍ୱା ପୂଜା କରିବା ନିଷିଦ୍ଧ କରାଯାଇଥିଲା। ରାଜାଙ୍କ ଆଦେଶ ନମାନି ଯିଏ ଇଶ୍ୱର ପୂଜା କରୁଥିଲା, ତାହାକୁ ଅତି କଠୋର ଦଣ୍ଡ ମିଳୁଥିଲା। ତେଣୁ ପ୍ରଜାମାନେ ଅନିଚ୍ଛା ସତ୍ତ୍ୱେ ହିରଣ୍ୟକଶିପୁଙ୍କୁ ଦେବତା ଭାବେ ମାନି ତାଙ୍କର ପୂଜା କରୁଥିଲେ। ଏଭଳି ପରମ ପ୍ରତାପୀ ହିରଣ୍ୟକଶିପୁଙ୍କୁ ସଂହାର କରି ଧର୍ମ ସଂସ୍ଥାପନ ପାଇଁ ପ୍ରହଲ୍ଲାଦ ନାମକ ପୁତ୍ରଙ୍କ ଜନ୍ମ ହୋଇଥିଲା। ପ୍ରହଲ୍ଲାଦ ଶିଶୁ ସମୟରୁ ବିଷ୍ଣୁଭକ୍ତ ଥିଲେ। ପିତା ଏ’ କଥା ଜାଣିବା ପରେ ପ୍ରହଲ୍ଲାଦଙ୍କୁ ବହୁବାର ବାରଣ କରିଥିଲେ। କିନ୍ତୁ ପ୍ରହଲ୍ଲାଦ ବିଷ୍ଣୁ ଭକ୍ତିରେ ଅଟଳ ଥିଲେ। ପ୍ରହଲ୍ଲାଦଙ୍କ ଏଭଳି ଭକ୍ତିରେ କ୍ରୋଧାନ୍ୱିତ ହୋଇ ପିତା ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ। ନିଜର ପୁତ୍ର ହେଲେ ମଧ୍ୟ ପ୍ରହଲ୍ଲାଦଙ୍କ ଖାଦ୍ୟରେ ବିଷ ମିଶାଇ ଦେବା ଠାରୁ ଆରମ୍ଭ କରି ହାତୀ ପାଦ ତଳେ ଦଳିଦେବା, ବିଷଧର ସର୍ପଙ୍କ ଗହଣରେ ଛାଡ଼ିଦେବା, ମଲ୍ଲଯୋଦ୍ଧାଙ୍କ ଦ୍ୱାରା ନିହତ କରିବା ଏବଂ ଜିଅନ୍ତା ଜାଳିଦେବା ପରି ଉଦ୍ୟମ କରିଥିଲେ।ହିରଣ୍ୟପଶିପଙ୍କ ଭଉଣୀ ‘ହୋଲିକା’ ବରଦାନ ପାଇଥିଲେ ଯେ ଅଗ୍ନି ତାଙ୍କର କୌଣସି କ୍ଷତି କରିପାରିବେ ନାହିଁ। ତେଣୁ ଏହି ବରଦାନ ଯୋଗୁଁ ହୋଲିକା ପ୍ରହଲ୍ଲାଦଙ୍କୁ କୋଳରେ ବସାଇବା ପରେ ଅଗ୍ନି ସଂଯୋଗ କରାଯାଇଥିଲା। କିନ୍ତୁ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାର ଏହି ଉପାୟ ମଧ୍ୟ ବିଫଳ ହୋଇଥିଲା। ଏହି ପରୀକ୍ଷାରେ ମଧ୍ୟ ବିଷ୍ଣୁଙ୍କ କୃପାରୁ ପ୍ରହଲ୍ଲାଦ ସୁରକ୍ଷିତ ଭାବେ ଅଗ୍ନିକୁଣ୍ଡରୁ ବାହାରି ଆସିଥିଲେ ଏବଂ ବରପ୍ରାପ୍ତ ହୋଲିକା ଅଗ୍ନିରେ ଭସ୍ମ ହୋଇଯାଇଥିଲେ। ଏହି ପୌରାଣିକ ଗାଥା ଅନୁଯାୟୀ ଅଧର୍ମର ବିନାଶ ଓ ଧର୍ମର ଜୟଯାତ୍ରାକୁ ସ୍ମରଣ କରିବା ପାଇଁ ହୋଲି ଉତ୍ସବ ପ୍ରାରମ୍ଭ ହୋଇଥିଲା। ‘ହୋଲିକା’ ନାଁ’ରୁ ହୋଲି ଶଦ୍ଦର ଉତ୍ପତ୍ତି ବୋଲି କୁହାଯାଏ। ଆଉ କିଛି ପୌରାଣିକ ଗାଥା ଅନୁଯାୟୀ ଏହି ଦିନ କୃଷ୍ଣ ପୁତନା ନାମକ ରାକ୍ଷସୀର ବଧ କରିଥିଲେ। ଏହି ଖୁସିକୁ ଗୋପପୁରବାସୀ ରଙ୍ଗ ଖେଳି ପାଳନ କରିଥିଲେ। ‘ହୋଲି ପର୍ବ’କୁ ରାଧା କୃଷ୍ଣଙ୍କ ରାସଲୀଳାର ଏକ ଅଂଶ ବୋଲି ମଧ୍ୟ ବିଶ୍ୱାସ ରହିଛି। ଶିବ ପୁରାଣ ଅନୁଯାୟୀ ହୋଲି ଦିନ ରଙ୍ଗ ଲଗାଇବା ଦ୍ୱାରା ଶିବଙ୍କ ବରଯାତ୍ରୀରେ ସାମିଲ ହେବାର ସୌଭାଗ୍ୟ ମିଳିଥାଏ।● ରଙ୍ଗରୁ କୌଣସି ପ୍ରକାର ରାସାୟନିକ କିମ୍ବା ପେଟ୍ରୋଲ୍ ବାସ୍ନା ଆସୁଥିଲେ କିମ୍ବା ରଙ୍ଗ ପାଣିରେ ସମ୍ପୂର୍ଣ୍ଣ ରୂପେ ମିଶୁନଥିଲେ, ସେହି ରଙ୍ଗକୁ କିଣନ୍ତୁ ନାହିଁ।
● ସର୍ବଦା ଅର୍ଗାନିକ୍ ରଙ୍ଗ ବ୍ୟବହାର କରନ୍ତୁ। ବେସନରେ ହଳଦୀ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରି ହୋଲି ରଙ୍ଗ ଭଳି ବ୍ୟବହାର କରାଯାଇ ପାରିବ।
● ରଙ୍ଗ ଖେଳିବା ପୂର୍ବରୁ ମଶ୍ଚରାଇଜର ଲୋଶନ କିମ୍ବା ନଡିଆ ତେଲ ଶରୀରରେ ମାଲିସ୍ କରି ଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ତ୍ଵଚା ସୁରକ୍ଷିତ ରହିବା ସହ ରଙ୍ଗ ଛଡ଼ାଇବା ମଧ୍ୟ ସହଜ ହେବ।
● ରଙ୍ଗ ଦ୍ଵାରା କେଶ ଖରାପ ହେବାର ସମ୍ଭାବନା ଥାଏ। ରଙ୍ଗ ଖେଳିବା ପୂର୍ବରୁ କେଶରେ ତେଲ ଲଗାଇ ଯାଆନ୍ତୁ। ଏହାସହ ଟୋପି ମଧ୍ୟ ବ୍ୟବହାର କରନ୍ତୁ।
● ରଙ୍ଗ ଖେଳିବା ସମୟରେ ଯଦି ଆଖିରେ ରଙ୍ଗ ପଡିଯାଏ, ତେବେ ତୁରନ୍ତ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସନ ଗ୍ଲାସ ପିନ୍ଧନ୍ତୁ।ଆଖିରେ ରଙ୍ଗ ଲାଗିଲେ, ନକୁଣ୍ଡାଇ ପାଣିରେ ଧୋଇ ଦିଅନ୍ତୁ। ସାବୁନ ଲଗାଇବା ଅନୁଚିତ।
● ତ୍ଵଚାକୁ ରଗଡ଼ନ୍ତୁ ନାହିଁ। ଏହା ଦ୍ଵାରା ଚର୍ମର କ୍ଷତି ହୁଏ। ଗାଧୋଇବା ପୂର୍ବରୁ ମୁହଁରେ ମୁଲତାନୀ ମାଟି ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇଲେ ରଙ୍ଗ ସହଜରେ ଛାଡ଼ିଯାଏ।
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.