Odiapua.com

ଗୋଳବାଇର ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର ?

ଭୁବନେଶ୍ୱର: ଲକ୍ ଡାଉନ୍ ଘୋଷଣା ଭିତରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ଘଟିଗଲା ଏକ ଘଟଣା। ଏପ୍ରିଲ ୪ ତାରିଖରେ ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ୨୨/୨୩ ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ଘଟିଲା। ପରିବାର ଲୋକ ଗ୍ରାମବାସୀଙ୍କୁ ନ’ଜଣାଇ ଳୁଚାଛପାରେ କିଛି ସହଯୋଗୀଙ୍କ ସାହାଯ୍ୟରେ ମଧ୍ୟ ରାତ୍ରିରେ ମଶାଣିକୁ ଆଣି ସଂପୃକ୍ତ ଯୁବତୀଙ୍କ ଶବଦାହ କଲେ। ଏହା ଜାଣିପାରି କିଛି ଗ୍ରାମବାସୀ ଏ’ ନେଇ ଜଙ୍କିଆ ଥାନାରେ ଯାଇ ଅଭିଯୋଗ କଲେ। କିନ୍ତୁ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ୫ ଦିନ ପରେ ଏପ୍ରିଲ ୯ ତାରିଖରେ ଗ୍ରାମବାସୀ ଦେଖିଲେ ଯେ ଦରପୋଡ଼ା ଶବର ଖଣ୍ଡ ବିଖଣ୍ଡିତ ଅଂଶକୁ ନେଇ ବୁଲା କୁକୁର ଗାଁ’ ମୁଣ୍ଡରେ ଏଣେତେଣେ ପକାଇଛନ୍ତି। ଏହାକୁ ନେଇ ପୁଣି ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ସଂପୃକ୍ତ ଯୁବତୀ ଜଣଙ୍କର ପ୍ରେମ ସଂପର୍କକୁ ବିରୋଧ କରି ପରିବାର ପକ୍ଷରୁ ତାଙ୍କୁ ହତ୍ୟା କଲା ପରେ କିଛି ସହଯୋଗୀଙ୍କ ସାହାଯ୍ୟରେ ତାଙ୍କୁ ପୋଡ଼ିଦିଆ ଯାଇଥିଲା ବୋଲି କଥା ଉଠିଲା। ଯେଉଁଥିପାଇଁ ଗ୍ରାମବାସୀଙ୍କୁ ନ’ ଜଣାଇ ଲୁଚାଛପାରେ ତରବରିଆ ଭାବରେ ଶବକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାଡ଼ିଦିଆ ଯାଇଥିଲା ବୋଲି କୁହାଗଲା। ଯାହା ଫଳରେ ବୁଲା କୁକୁର ଦରପୋଡ଼ା ମାଂସ ଖାଇବା ସହ ହାଡ଼ ଗୁଡ଼ିକୁ ଏଣେ ତେଣେ ପକାଇ ଦେଇଥିଲେ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ଏପ୍ରିଲ ୧୩ ତାରିଖରେ ସେହି ମଶାଣି ନିକଟସ୍ଥ ଜଙ୍ଗଲରେ ହଠାତ୍ ନିଆଁ ଲାଗିଗଲା। ପ୍ରମାଣ ନଷ୍ଟ କରିବାକୁ ଜଙ୍ଗଲରେ ନିଆଁ ଲଗାଇ ଦିଆଗଲା ବୋଲି କଥା ଉଠିଲା। ଏହାପରେ ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି କିଛି ହାଡ଼ ଏବଂ ପାଉଁଶ ଜବତ କରିବା ସହ ପରୀକ୍ଷା ପାଇଁ ପଠାଗଲା। ଟେଷ୍ଟ ରିପୋର୍ଟ ତ’ କଣ ଆସିଲା ଜଣାପଡ଼ି ନାହିଁ। କିନ୍ତୁ ପ୍ରାଥମିକ ସୂଚନାରୁ ଯାହା ଖବର ମିଳୁଛି ଜବତ ହାଡ଼ କୁଆଡ଼େ ପଶୁ ହାଡ଼ ଥିଲା। ଏହାକୁ ନେଇ ଏବେ ଏକ ବଡ଼ ଚକ୍ରାନ୍ତ, ସନ୍ଦେହ ଏବଂ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଯାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି : –

● ଯଦି ସଂପୃକ୍ତ ଯୁବତୀଙ୍କ ସ୍ଵାଭାବିକ ମୃତ୍ୟୁ ଘଟିଥିଲା, ତେବେ ଗାଁ’ ଲୋକଙ୍କୁ ନ’ଜଣାଇ ଳୁଚାଛପାରେ ଶବଦାହ କରିବାର କାରଣ କ’ଣ?
● ଶବକୁ ତରବରିଆ ଭାବରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଛାଡ଼ି ଆସିବାର କାରଣ କ’ଣ?
● ସ୍ଥାନୀୟ ସରପଞ୍ଚଙ୍କ ଘର ଅତି ନିକଟରେ ଏହା ଘଟିଥିବା ବେଳେ ସରପଞ୍ଚ ଏ’ ନେଇ ଅବଗତ ଥିଲେ ନାଁ, ନାହିଁ?
● ଏପ୍ରିଲ ୪ ତାରିଖରେ ଏ’ ଘଟଣା ଘଟିଥିବା ବେଳେ ଏହାପରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୋଲିସ୍ ପକ୍ଷରୁ କି ପଦକ୍ଷେପ ନିଆ ଯାଇଥିଲା?
● ଏହାପରେ ଏପ୍ରିଲ ୯ ତାରିଖରେ ଏଣେତେଣେ ହାଡ଼ ପଡ଼ିଥିବା ଦେଖି ଗ୍ରାମବାସୀ ପୁନଃ ଅଭିଯୋଗ କରିବା ପରେ ପୋଲିସ୍ କି ପଦକ୍ଷେପ ନେଇଥିଲା?
● ଏପ୍ରିଲ ୧୩ ତାରିଖରେ କେଉଁ ପରିସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିଲା?
● ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲରେ ନିଆଁ ଲାଗିବା ଆଉ ପ୍ରାୟୋଜିତ ନୁହେଁ ତ’ ?
● ଏତେ ଦିନ ପରେ ଯାଇ ପୋଲିସ୍ କାହିଁକି ହାଡ଼ ଜବତ କଲା ?
● ଏତେ ଦିନ ପରେ ପୋଲିସ୍ ଜବତ କରିଥିବା ହାଡ଼ ଯେ’ ସେହି ହାଡ଼ ବୋଲି କିପରି କୁହାଯାଇ ପାରିବ ?
● ହାତ, ମୁଣ୍ଡ ଏବଂ ଅନ୍ୟାନ୍ୟ ହାଡ଼ (ମଣିଷର) ବୋଲି ଗ୍ରାମବାସୀଙ୍କ ଅଭିଯୋଗ କ’ଣ ମିଛ ?
● ପ୍ରାୟ ୨୫ ଜଣ ଜଣ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ କ’ଣ ଭିତ୍ତିହୀନ ?
● ମୋଟା ଅଙ୍କରେ ଅର୍ଥ କାରବାର ହୋଇ ଘଟଣାଟିକୁ ଚାପିଦିଆ ଯାଉନି ତ’ ?
ସାଧାରଣରେ ଏବେ ଏହିପରି କିଛି ପ୍ରଶ୍ନ ଉଙ୍କି ମାରୁଛି ଏବଂ ପ୍ରକୃତ ତଥ୍ୟ ଉନ୍ମୋଚନ ନେଇ ଗ୍ରାମବାସୀ ଅପେକ୍ଷାରେ ଅଛନ୍ତି। -ଦେବଦତ୍ତ ରଥ

ପିତୃ ବିୟୋଗ ଖବର ପାଇ ମଧ୍ୟ ବୈଠକ ଜାରୀ ରଖିଥିଲେ ସିଏମ୍ ଯୋଗୀ