।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ।
ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |।
ଶ୍ରୀ ଗଣେଶଙ୍କ ପତ୍ନୀ ଏବଂ ଗଣେଶଙ୍କ ବୈବାହିକ ବିଷୟ ନେଇ ବିଭିନ୍ନ ପୌରାଣିକ ଗ୍ରନ୍ଥ ମାନଙ୍କରେ ଭିନ୍ନ ଭିନ୍ନ ମତ ରହିଛି। ଏକ ପୌରାଣିକ ମତରେ ଗଣେଶ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି। ଗଣେଶଙ୍କର ଦୁଇ ପାଖରେ ସିଦ୍ଧି ଏବଂ ଋଦ୍ଧି ବସିଥିବା ଦେଖାଯାଏ। ପୂରାଣରେ ଏମାନଙ୍କୁ ଗଣେଶଙ୍କର ସ୍ୱାଭାବିକ ଅଂଶ ଭାବରେ ଦର୍ଶାଯାଇଛି। ଗଣେଶ ପୁରାଣ ଅନୁସାରେ ବ୍ରହ୍ମା ତାଙ୍କର ମାନସରୁ ଋଦ୍ଧି ଏବଂ ସିଦ୍ଧି ଜାତ କରି ଗଣେଶଙ୍କୁ ଦେଇଛନ୍ତି। ଗଣେଶ ତାଙ୍କୁ ପ୍ରସାଦ ଭାବରେ ଗ୍ରହଣ କରିଛନ୍ତି। ତେବେ, ଶିବ ପୁରାଣର ଅନ୍ୟ ଏକ କାହାଣୀ ଅନୁସାରେ ପ୍ରଜାପତିଙ୍କର ସିଦ୍ଧି ଓ ଋଦ୍ଧି ନାମକ ଦୁଇ ଝିଅଙ୍କୁ ବିବାହ କରିବା ନିମନ୍ତେ ଗଣେଶ ଓ ତାଙ୍କ ଭାଇ ସ୍କନ୍ଦଙ୍କ (କାର୍ତ୍ତିକେୟ) ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା। ଯେଉଁଥିରେ ଗଣେଶ ବୁଦ୍ଧିମତ୍ତାରେ ଜିତିଥିଲେ ଏବଂ ସିଦ୍ଧି ଓ ଋଦ୍ଧିଙ୍କୁ ବିବାହ କରିଥିଲେ। ଏହି କାହାଣୀ ଅନୁସାରେ ସିଦ୍ଧିଙ୍କ ଔରସରୁ ‘ସମୃଦ୍ଧି’ ଏବଂ ଋଦ୍ଧିଙ୍କ ଔରସରୁ ‘ଲାଭ’ ଜାତ ହୋଇଥିଲେ। ଅନ୍ୟ ଏକ ପୂରାଣ କଥା ଅନୁଯାୟୀ, ଦୁଇ ପୁତ୍ରଙ୍କର ଶୁଭ ଏବଂ ଲାଭ ନାମକରଣ ହୋଇଛି। ଶିବ ପୁରାଣର ଅନ୍ୟ କଥା ଅନୁସାରେ ଗଣେଶଙ୍କ ଦୁଇ ପାଖରେ ବସିଥିବା ମହିଳାମାନେ ତାଙ୍କର ପତ୍ନୀ ନୁହନ୍ତି ବରଂ ତାଙ୍କର ଶକ୍ତି। ଅନ୍ୟ କେତେକ ପୌରାଣିକ ମତ ଅନୁଯାୟୀ ଗଣେଶଙ୍କର ବୁଦ୍ଧି (ବୁଝିବା ଶକ୍ତି), ସିଦ୍ଧି (ସାଫଲ୍ୟ) ଏବଂ ରିଦ୍ଧି (ସମୃଦ୍ଧି) ନାମକ ତିନି ପତ୍ନୀ ଥିବା ଉଲ୍ଲେଖ ଅଛି। ଏହି ତିନି ଗୁଣକୁ ମାନବୀକରଣ କରି ତିନି ପତ୍ନୀ ଭାବରେ ବର୍ଣ୍ଣନା କରାଯାଇଛି। ବେଙ୍ଗଲରେ ଗଣେଶଙ୍କୁ କଦଳୀ ବୃକ୍ଷ ସହିତ ଯୋଗସୂତ୍ର ଥିବା କୁହାଯାଏ। ସାଧାରଣତଃ ଗଣେଶଙ୍କ ରଚନାତ୍ମକ ଶକ୍ତିକୁ ତାଙ୍କର ପତ୍ନୀ ଭାବରେ ଉପସ୍ଥାପନ କରାଯାଏ। ତାଙ୍କର ଏକ ପତ୍ନୀ ଥିବା ବା ଅନାମଧେୟ ଦାସୀ ପତ୍ନୀ ଥିବା ମଧ୍ୟ ଦର୍ଶାଯାଏ।କିଛି ଶାସ୍ତ୍ରବିତଙ୍କ ବର୍ଣ୍ଣନା ଅନୁଯାୟୀ ସିଦ୍ଧି ଏବଂ ଋଦ୍ଧିଙ୍କୁ ସମନ୍ୱିତ ଭାବରେ ଦେଖାଯାଏ। ଯାହାଙ୍କୁ ଅନୁଗାମୀ ବା ସହଗାମୀ ଭାବରେ ଗ୍ରହଣ କରାଯାଇ ପାରେ ଏବଂ ଏହାଠାରୁ ଅଧିକ କିଛି ନୁହେଁ। ଯେଉଁଠାରେ ଗଣେଶ ଅଛନ୍ତି ସେଠାରେ ସିଦ୍ଧି ଏବଂ ଋଦ୍ଧି ଅଛନ୍ତି। ପ୍ରଥମେ ଏହି ଧାରଣା ଥିଲେ ମଧ୍ୟ ପରବର୍ତ୍ତି କାଳରେ ଏଥିରେ ବିବାହକୁ ସଂଯୁକ୍ତ କରା ଯାଇଥିବା କୁହାଯାଏ। ଅନ୍ୟ ଏକ ପରମ୍ପରା ଅନୁସାରେ ଗଣେଶ ଅବିବାହିତ ଅଟନ୍ତି। ଏହି ଧାରଣା ଦକ୍ଷିଣ ଭାରତରେ ବେଶୀ ମାନାଯାଏ। ଗଣେଶ ସହସ୍ରନାମର ଗଣେଶ ପୁରାଣ ସଂସ୍କରଣରେ ଗଣେଶଙ୍କର ଆଜୀବନ ଅବିବାହିତ ସମ୍ପର୍କରେ ସଂକେତ ଦିଆଯାଇଛି।
-/Dev@DRath