କୋଲାବିରା, ୫।୭ (ଓଡିଆପୁଅ/ନିଶିତ କୁମାର ବହିଦାର) ଚଳିତ ବର୍ଷ ମୈାସୁମୀ ଆଗମନ ପରେ ଚାଷ କାର୍ଯ୍ୟ ଆରମ୍ଭ ହେଲାଣି। ହେଲେ ଚାଷୀ ପାଖରେ ହଳ ବଳଦ ନଥିବା ଯୋଗୁଁ ଯନ୍ତ୍ରଚାଳିତ ଲଙ୍ଗଳ ଉପରେ ନିର୍ଭର କରି ଚାଷ କରୁଛନ୍ତି। ଆଗରୁ ଚାଷୀ ନିକଟରେ ହଳେ ବଳଦ, ଲଙ୍ଗଳ, ଯୁଆଳି ଶଗଡ ପ୍ରଭୃତି ନିଶ୍ଚିତ ଭାବରେ ରହୁଥିଲା।ଫଳତଃ ସମୟାନୁସାରେ ଚାଷପ୍ରକ୍ରିୟା ଆରମ୍ଭ ହୋଇପାରୁଥିଲା। ମାତ୍ର ଏବେ ପ୍ରାୟ ଅଧିକାଂଶ ଚାଷୀଙ୍କ ନିକଟରେ ବଳଦ ନାହିଁ। ସେମାନେ ଚାଷପାଇଁ ଟ୍ରାକ୍ଟର, ପାୱାରଟିଲର ପରି ଯନ୍ତ୍ରର ବହୁଲ ବ୍ୟବହାର କରୁଥିବା ଦେଖିବାକୁ ମିଲୁଛି। ମଣିଷ ଚାଷ ଲାଗି ବଳଦ ଓ କ୍ଷୀର ପାଇଁ ଗାଈ ପୋଷୁଥିଲେ। ଏବେ ଚାଷୀ ଅଧିକ ଲାଭବାନ ହେବା ଲକ୍ଷରେ ଜର୍ସି ଜାତୀୟ ଗାଈ ପୋଷୁଛନ୍ତି। କୃତ୍ରିମ ପ୍ରଜନନ ଦ୍ୱାରା ତାର ବାଛୁରୀ ଜନ୍ମ ନେଉଛି। ସେହି ବାଛୁରୀ ଦେଶି ବଳଦ ପରି କାର୍ଯ୍ୟକୁ ଆସୁନାହିଁ। ଗାଁ ଗହଳିରେ ମଧ୍ୟ ଗାଈଗୋରୁ ପାଳିବା ଛାଡି ଦେଲେଣି। ପୂର୍ବଭଳି ଆଉ ଗୋଧୂଳି ସମୟରେ ଗୋପାଳ ଗାଈ ଗୋଠ ନେଇ ଘରକୁ ଫେରୁନାହାନ୍ତି। ପ୍ରାଣୀଧନର ଅଭାବ ଚାଷ ଓ ଚାଷୀକୁ ପ୍ରଭାବିତ କରୁଥିବା ଦେଖିବାକୁ ମିଲୁଛି। ଆଗରୁ ବେଙ୍ଗଲା ପକାଇ ଧାନ ମନ୍ଥା କାର୍ଯ୍ୟକରାଯାଉଥିଲା ଏବେ ଧାନମନ୍ଥା କାର୍ଯ୍ୟ ମଧ୍ୟ ଯନ୍ତ୍ର ସାହାଯ୍ୟରେ କରାଯାଉଛି। ଦିନକୁ ଦିନ ପଶୁ ସମ୍ପଦ ହଜି ହଜି ଯାଉଥିବା ଲକ୍ଷକରାଯାଉଛି। ଏବେ ହଜିଯାଉଥିବା ପ୍ରାଣୀଧନକୁ ପୁଣି ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯିବା ଉଚିତ୍। ଚାଷୀ ଯେପରି ଏଥିପ୍ରତି ସଚେତନ ହେବ ସେଥିପାଇଁ ସଂପୃକ୍ତ କାର୍ଯ୍ୟ କରିବା ଉଚିତ୍। ସାମ୍ପ୍ରତିକ ପରିସ୍ଥିତିରେ ଅଧିକାଂଶ କାର୍ଯ୍ୟ ଯନ୍ତ୍ରରେ ହେଉଥିଲେ ମଧ୍ୟ ଜୈବ ସନ୍ତୁଳନ ପାଇଁ ପଶୁପାଳନର ଆବଶ୍ୟକତା ରହିଛି ବୋଲି ବୁଦ୍ଧଜୀବୀମାନେ ମତ ଦିଅନ୍ତି।