Odiapua.com

କାହାର ମାନହାନି ହେଉଛି; ଆଉ କିଏ ହେଉଛି ଲୋକହସା ?

ଭୁବନେଶ୍ୱର: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ପେଜରେ କରାଯାଇଥିବା ଏକ ପୋଷ୍ଟ୍ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବଡ଼ ଖରାପ ଲାଗିଛି। “ପଲଟିକାଲ ଡ୍ରାମା” ନାମକ ଏକ ଫେସବୁକ୍ ପେଜରେ ଲେଖାଶ୍ରୀଙ୍କ ଫଟୋ ଦେଇ ଲେଖା ଯାଇଥିଲା, “ଗ୍ୟାସ୍ ରେଟ୍ ବଢ଼ୁଛି କାହିଁକି ବୋଲି ଲେଖାଶ୍ରୀଙ୍କୁ ପଚାରିବାରୁ ଆଚମ୍ବିତ ଉତ୍ତର ଦେଲେ ମ୍ୟାଡମ୍। କହିଲେ, ମହିଳାମାନେ ଅଳ୍ପ ଆଇଟମ୍ କରନ୍ତୁ। ତ’ ମାନେ .. ଭାତଟେ ହେବ, ଡାଲିଟେ ହେବ।” ଲେଖାଶ୍ରୀ କହିଛନ୍ତି ଯେ ସେ ଏପରି କେବେ କହି ନାହାଁନ୍ତି। ହୁଏତ ଲେଖାଶ୍ରୀ ଏପରି କେବେ ବି କହିନଥିବେ। କରାଯାଇଥିବା ପୋଷ୍ଟରେ ଲେଖାଶ୍ରୀଙ୍କୁ ମିଛରେ କଟାକ୍ଷ କରି ଏପରି ଲେଖାଯାଇଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖାଶ୍ରୀ ତାଙ୍କ ଫେସବୁକ ପେଜରେ ଲେଖିଛନ୍ତି, “ପଲିଟିକାଲ ଡ୍ରାମା” ନାଁ’ରେ ଏହି ଫେସବୁକ୍ ପେଜରେ ମୋ’ ଉପରେ ଏହି ମିଥ୍ୟା ଖବର ପ୍ରସାରିତ କରୁଥିବାରୁ ମୁଁ ଏହାର ଦୃଢ଼ ନିନ୍ଦା କରୁଛି। ମୁଁ ଏହିଭଳି ଅସମ୍ବେଦନଶୀଳ ମନ୍ତବ୍ୟ କେବେ ଦେଇନାହିଁ। ରାଜ୍ୟର ସାଇବର୍ କ୍ରାଇମ୍ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ଅନୁରୋଧ ଏହିଭଳି ମିଥ୍ୟା ଖବରକୁ ବନ୍ଦ କରନ୍ତୁ ଏବଂ ମୋର ମାନହାନୀ କରିବାକୁ ଅପଚେଷ୍ଟା କରୁଥିବା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଜିକାଲି ଏହି ଭଳି ମିଛ କଥା ଲେଖି ଲୋକମାନଙ୍କୁ ବ୍ଲାକମେଲ୍ କରି ଟଙ୍କା ଆଦାୟ କରିବାର ନୂଆ ବାଟ କିଛି ଅସାମାଜିକ ବ୍ୟକ୍ତି ପାଇଛନ୍ତି। ସମସ୍ତେ ସତର୍କ ରୁହନ୍ତୁ।” ଲେଖାଶ୍ରୀଙ୍କର ଏପରି ପୋଷ୍ଟ୍ ପରେ ବିଜେପିରେ ତାଙ୍କ ସମର୍ଥକ ମାନେ ଏହାକୁ ଲାଇକ୍, ସେୟାର୍ ଏବଂ କମେଣ୍ଟ୍ ଦେଇ ଚାଲିଛନ୍ତି।

ତେବେ, ଆଜି ଲେଖାଶ୍ରୀଙ୍କ ସମର୍ଥନରେ ବାହାରି ପଡ଼ିଥିବା ବିଜେପିର ଏମିତି କେତେଜଣ ଅଛନ୍ତି, ଯେଉଁମାନେ ସବୁବେଳେ ବିବାଦୀୟ ଏବଂ ଆକ୍ଷେପମୂଳକ ପୋଷ୍ଟ୍ କରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅଶୌଜନ୍ୟ ଶବ୍ଦ ବ୍ୟବହାର କରି ମିଥ୍ୟା ଆକ୍ଷେପ ଗୁଡ଼ାଏ କରନ୍ତି। ତାଙ୍କ ଦଳର ସୋସିଆଲ୍ ମିଡିଆ କନ୍ଭେନର୍ ଦାୟିତ୍ୱରେ ଥିବା ଏପରି ଜଣେ ଅଛନ୍ତି, ଯିଏ ଏବେ ଏଇ ନିକଟରେ ଭାଇରାଲ୍ ହେଉଥିବା ଏକ ପାଇଖାନାର ଫଟୋ ପୋଷ୍ଟ୍ କରିଥିଲେ। ଯେଉଁଥିରେ ଗୋଟିଏ ଶୌଚାଳୟ ଭିତରେ ରହିଥିଲା ଦୁଇଟି ଟଏଲେଟ୍ ସିଟ୍। କ୍ୟାପ୍ସନରେ ସେ ଲେଖିଥିଲେ, “ଧନ୍ୟ ଏ ରାଜ୍ୟ ସରକାର, ଧନ୍ୟ ତାଙ୍କ ସରକାରୀ ବାବୁ। ଜଣେ ବସିଲେ କୁଆଡ଼େ ଡର ଲାଗିବ। ସେଥିପାଇଁ ଦୁଇଟି ପାଇଖାନା କରାଯାଇଛି ବୋଲି କହିଲେ ବିଡିଓ।” ନିଶ୍ଚିତ ଭାବରେ ସେ ଏହା ନବୀନ ସରକାରଙ୍କୁ ହିଁ ଆକ୍ଷେପ କରି ଲେଖିଥିଲେ। ଆଉ ବାସ୍ତବ କଥାକୁ ନବୁଝି, ଗୁଡ଼ାଏ ଅନ୍ଧଭକ୍ତ ସେହି ପୋଷ୍ଟ୍ ଉପରେ କମେଣ୍ଟ ଦେଇ ନବୀନ ସରକାରଙ୍କୁ ଆକ୍ଷେପ କରି ଲେଖିଥିଲେ। କିନ୍ତୁ, ଯାହାକି ସଂପୂର୍ଣ୍ଣ ମିଥ୍ୟା ଥିଲା। କାରଣ ପ୍ରକାଶିତ ଖବର ଅନୁଯାୟୀ, ଏପରି ବିଚିତ୍ର ପାଇଖାନାଟି ଓଡ଼ିଶାରେ ନୁହେଁ ବରଂ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ହୋଇଥିଲା। ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲା ଅନ୍ତର୍ଗତ ସଲଟୋଭା ବ୍ଲକରେ ଦେଖିବାକୁ ମିଳିଥିଲା ଏପରି ଅଦ୍ଭୁତ ଦୃଶ୍ୟ। ଗୋଟିଏ ଶୌଚାଳୟ ଭିତରେ ରହିଥିଲା ଦୁଇଟି ଟଏଲେଟ୍ ସିଟ୍। ମାମଲା ସାମନାକୁ ଆସିବା ପରେ ବସ୍ତି ଜିଲ୍ଲା ବିଡିଓ ଦେଇଥିଲେ ଆଶ୍ଚର୍ଯ୍ୟକର ମନ୍ତବ୍ୟ। ବିଡିଓ କୁଆଡ଼େ କହିଥିଲେ, ଭିତରେ ପିଲାଙ୍କୁ ଏକା ବସିଲେ ଡର ଲାଗିବ। ତାଙ୍କର ଡରକୁ ଦୂର କରିବାକୁ ଶୌଚାଳୟରେ ଦୁଇଟି ଟଏଲେଟ୍ ସିଟ୍ ଲଗାଯାଇଛି। ଗୋଟିଏ ଟଏଲେଟ୍ ରୁମ୍ ଭିତରେ ଦୁଇଟି ଟଏଲେଟ୍ ସିଟ୍ ଲଗାଇବା ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଲା। ଏହି ମାମଲାକୁ ନେଇ ସେଠାରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ବ୍ଲକ ଅଧିକାରୀ ଏହାକୁ ଦେଖିବା ପରେ ​‌ଘଟଣା ହାସ୍ୟାସ୍ପଦ ବୋଲି କହିଥିଲେ। ଏଭଳି ଅବହେଳାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

ତେବେ, ଏଠି ସୋସିଆଲ୍ ମିଡିଆ କନ୍ଭେନର୍ ଜଣଙ୍କ କିଛି ନବୁଝି ନଶୁଝି କେବଳ ନିଜକୁ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରଖିବା ପାଇଁ ନିଜ ଦଳର ସରକାରଙ୍କୁ ହିଁ ଲୋକହସା କରାଇଥିଲେ। “ପଲଟିକାଲ ଡ୍ରାମା” ନାମକ ଉକ୍ତ ଫେସବୁକ୍ ପେଜଟି ହୁଏତ କାହାର ଏକ ଫେକ୍ ଆକାଉଣ୍ଟ୍। ସେ ହୁଏତ ମିଛରେ ଲେଖାଶ୍ରୀଙ୍କୁ ଆକ୍ଷେପ କରି ଲେଖିଛି। ଲେଖାଶ୍ରୀଙ୍କୁ ତାଙ୍କର ମାନହାନୀ ହେଲା ପରି ଲାଗୁଛି। ତେବେ, ତାଙ୍କ ନିଜ ଦଳର ଲୋକ ଯେତେବେଳେ ଏପରି ମିଥ୍ୟା ପୋଷ୍ଟ୍ କରୁଛନ୍ତି, ଅଶୌଜନ୍ୟ ମନ୍ତବ୍ୟ ଦେଇ ଲେଖୁଛନ୍ତି, ତାହା ଉପରେ କଣ କୁହାଯିବ? ଆଉ ତାଙ୍କ ନିଜ ଦଳର ସୋସିଆଲ୍ ମିଡିଆ କନ୍ଭେନର୍ ଯେତେବେଳେ ବିଜେପି ଶାସିତ ରାଜ୍ୟର ତୃଟିକୁ ଆଣି ନବୀନ ସରକାରଙ୍କ ମୁଣ୍ଡରେ ଦୋଷ ଲଦୁଛି, ଏଠି କାହାର ମାନହାନୀ ହେଉଛି? ନବୀନଙ୍କ ମାନହାନୀ ହେଉଛି ନାଁ, ବିଜେପି ଲୋକହସା ହେଉଛି?
-@Dr

ବିଜେପିରେ ଆତ୍ମଘାତୀ ସୋସିଆଲ୍ ମିଡିଆ ସେଲ୍: ନବୀନଙ୍କୁ ଟାର୍ଗେଟ୍; ଯୋଗୀ ବଦନାମ୍!