Home ଓଡ଼ିଶା ରଥଯାତ୍ରାକୁ ନେଇ ବିଜେପିରେ ଦ୍ବିମତ; କୁହାଳିଆ ନେତାନେତ୍ରୀଙ୍କ ମୁହଁ ବନ୍ଦ୍

ରଥଯାତ୍ରାକୁ ନେଇ ବିଜେପିରେ ଦ୍ବିମତ; କୁହାଳିଆ ନେତାନେତ୍ରୀଙ୍କ ମୁହଁ ବନ୍ଦ୍

168

ଭୁବନେଶ୍ୱର: ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ କରୋନା ଆତଙ୍କ କାରଣରୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ୍ କରାଯାଇଛି। ଅବଶ୍ୟ ଏହା ଉପରେ ଦୁଇଟି ରିଭ୍ୟୁ ପିଟିସନ୍ ଦାଖଲ ପରେ ସୋମବାର ଏହାର ପୁନଃ ଶୁଣାଣି ହେବ। ରଥଯାତ୍ରା ହେବ ନାଁ ନାହିଁ ତାହା ସ୍ପଷ୍ଟ ହୋଇଯିବ। କରୋନା ଭଳି ମହାମାରୀ ଆତଙ୍କ ଭିତରେ ସବୁ ଦୃଷ୍ଟିରୁ ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ଶୁଣାଇବେ ତାହା ସର୍ବମାନ୍ୟ ହେବା ଉଚିତ୍। କିନ୍ତୁ, ରଥଯାତ୍ରା ହେବ ନାଁ ନାହିଁ, ସୁପ୍ରିମକୋର୍ଟଙ୍କ ରାୟ ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି। କେହି ରଥଯାତ୍ରା ହେବା ସପକ୍ଷରେ ମତ ଦେଉଥିବା ବେଳେ କେହି ରଥଯାତ୍ରା ବନ୍ଦ୍ ସପକ୍ଷରେ ମତ ଦେଉଛନ୍ତି। ତେବେ, ଏହା ଭିତରେ ରାଜ୍ୟ ବିଜେପିର ମତ ଅସ୍ପଷ୍ଟ ଜଣାପଡ଼ୁଛି। ଯାହାକୁ ନେଇ ନିଜ ଦଳ ଭିତରୁ ତୃଣମୂଳ ସ୍ତରରୁ ରାଜ୍ୟ ନେତୃତ୍ୱ ମାନଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ସମାଲୋଚନା କରାଯାଉଥିବାର ଦେଖିବାକୁ ମିଳୁଛି।

କଥା କଥାକେ ପାଟି ଫିଟାଉ ଥିବା କେନ୍ଦ୍ରମନ୍ତ୍ରୀ ଏ’ ନେଇ ମୌନତା ଅବଲମ୍ବନ କରିଛନ୍ତି। ଯଦି ରାଜ୍ୟ ସରକାର ରଥ କଥା କହୁଥିଲେ ତେବେ ସାମାଜିକ ଦୂରତା ରଖି ରଥଯାତ୍ରା କରିଥାଆନ୍ତେ। ପ୍ରଥମରୁ ରଥଯାତ୍ରା କଥା କହି ଏବେ ସରକାର ଖସି ପଲେଇଲେ ବୋଲି ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ କହିଥିବା ବେଳେ ସେ ଏବେ ମୌନ। ତେବେ ରାୟ ପ୍ରକାଶ ପାଇବା ପରେ ଅବିଳମ୍ବେ ମତ ଦେଇଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସବୁଠାରୁ ଅଧିକ ସମାଲୋଚିତ ହେଉଛନ୍ତି। ସମୀର କହିଛନ୍ତି, “ଦେଶ କରୋନା ମହାମାରୀର ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ମନ ନମାନିଲେ ବି ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ପଡ଼ିବ। ଏହା ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛା।” ସମୀର ମହାନ୍ତିଙ୍କ ଏପରି ମନ୍ତବ୍ୟ ପରେ ତାଙ୍କୁ ରବର ଷ୍ଟାମ୍ପ ସଭାପତି, ରିମୋର୍ଟ କଣ୍ଟ୍ରୋଲ୍ ଦ୍ୱାରା ପରିଚାଳିତ ସଭାପତି ଏବଂ ରାଜ୍ୟ ସରକାରଙ୍କ ହଁ ରେ ହଁ ମାରିବା, ସଲାସୂତରା ରାଜନୀତି ଚାଲିଛି ବୋଲି କହି ଭିତରେ ଭିତରେ ଭିତରେ ସଲାସୂତରା, ଉପରେ ଉପରେ କଳି ବୋଲି କହି କଟାକ୍ଷ କରାଯାଉଛି।

ତେବେ, ରଥଯାତ୍ରା ନିଷ୍ପତି ଉପରେ ରାଜ୍ୟ ବିଜେପିର ସମସ୍ତ କୁହାଳିଆ ନେତାନେତ୍ରୀଙ୍କ ତୁଣ୍ଡ ବନ୍ଦ୍ ଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ୍ ହରିଚନ୍ଦନ କିନ୍ତୁ ମୁହଁ ଖୋଲୁଛନ୍ତି। ପୃଥ୍ଵୀରାଜ୍ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି।ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ କୋର୍ଟଙ୍କ ରାୟ ପରେ ସୋସିଆଲ୍ ମିଡିଆ ମାଧ୍ୟମରେ ମତ ରଖି ପୃଥ୍ଵୀରାଜ୍ କହିଥିଲେ, “ଆଜି ମାନ୍ଯବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚଳିତ ବର୍ଷର ରଥଯାତ୍ରା ବନ୍ଦ୍ ହେଲା। ମୁଁ ବ୍ଯକ୍ତିଗତ ଭାବେ ଅତ୍ୟନ୍ତ ଦୁଃଖିତ। ଗତ ସ୍ନାନଯାତ୍ରା ସମୟରୁ ମୁଁ ସରକାରଙ୍କୁ ପ୍ରାୟ ପ୍ରତିଦିନ ପ୍ରଶ୍ନ କରୁଥିଲି, ସରକାର ରଥଯାତ୍ରା କରିବେ କି ନାହିଁ। ସରକାର ଚୁପ୍ ରହିଲେ ଏବଂ ତାଙ୍କ ପ୍ରବକ୍ତାମାନେ କହିଲେ କାଳେ ଆମେ ନଇ ନ ଦେଖୁଣୁ – ଏବଂ ରଥ ହେବ। ରଥ ପାଇଁ ଜାଣିଶୁଣି କୌଣସି କାର୍ଯ୍ଯର ସମୀକ୍ଷା କଲେ ନାହିଁ। ପ୍ରାୟୋଜିତ ଭାବେ ଜଣଙ୍କୁ ହାଇକୋର୍ଟରେ PIL କରି ରଥ ବନ୍ଦ୍ କରିବାକୁ ଉଦ୍ଯମ କରି ଅସଫଳ ହେଲେ। ସେହି ସମାନ୍ ଆବେଦନକାରୀଙ୍କୁ ପୁଣି ପ୍ରାୟୋଜିତ ଭାବେ ତିନି କୋଟିରୁ ଉର୍ଦ୍ଧ୍ଵ ଅର୍ଥ ବ୍ଯବସ୍ଥା କରାଇ ସୁପ୍ରିମ କୋର୍ଟକୁ ପଠାଇଲେ। ସର୍ବୋଚ୍ଚ ନ୍ୟାଳୟଙ୍କ ଆଗରେ ମିଥ୍ଯା ଅବତାରଣା କରାଗଲା। ଆବେଦନକାରୀଙ୍କ ଓକିଲ ମୁକୁଲ୍ ରୋହତଗୀ ଓ ରାଜ୍ଯ ସରକାରଙ୍କ ଓକିଲ ହରିଶ ସାଲଭେ ଏକା ସ୍ବରରେ ଏକ ଭୟର ବାତାବରଣ ତିଆରି କଲେ ଏବଂ ସୁପ୍ରିମକୋର୍ଟଙ୍କୁ ବୁଝାଇଲେ ଯେ ବହୁ ଜୀବନ ହାନି ହୋଇଯିବ। ସରକାରଙ୍କ ପାଖରେ ରଥଯାତ୍ରା ପାଇଁ ଥିବା ଅନ୍ଯ ଅଲଟରନେଟିଭ ରାସ୍ତାକୁ ଜାଣିଶୁଣି ଚର୍ଚ୍ଚା କଲେ ନାହିଁ ଏବଂ ମିଳିତ ଭାବେ କୋର୍ଟକୁ ବୁଝାଇ ଦେଲେ। ଯଦି ଉଦ୍ଦେଶ୍ଯ ଏଭଳି ଥିଲା, ରଥ ନିର୍ମାଣ କାହିଁକି କଲ। ସେବାୟତ ଓ ଭକ୍ତ ସମାଜକୁ ବାରବାର ରଥ ହେବ ବୋଲି ଭୁଆଁ କାହିଁକି ବୁଲାଇଲ ଓ ଶେଷଯାଏଁ ରଥଯାତ୍ରା ହେବ ବୋଲି ଭଣ୍ଡେଇ ଚାଲିଲ। ସାଢ଼େ ଚାରି କୋଟି ଓଡିଆ ଓ ଅଗଣିତ ଜଗନ୍ନାଥପ୍ରେମୀ ଜନତାଙ୍କ ଭାବନା ସହିତ ଖେଳିଲ କଣ ପାଇଁ। ଯଦି ନକରିବାର ଥିଲା, ତେବେ ଆଗରୁ ସେକଥା ଲୁଚାଇଥିଲ କାହିଁକି।”

ଏହାପରେ ଦୁଇଟି ରିଭ୍ଯୁ ପିଟିସନ ଦାଖଲ ହେବା ଏବଂ ସୋମବାର ଦିନ ତାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ପୃଥ୍ଵୀରାଜ୍ ସୋସିଆଲ୍ ମିଡିଆ ମାଧ୍ୟମରେ କହିଛନ୍ତି, “ଏହା ଅତ୍ଯନ୍ତ ଆଶ୍ବସ୍ତି ଦେଉଛି ଯେ ଦୁଇଟି ରିଭ୍ଯୁ ପିଟିସନର ଶୁଣାଣୀ ସୋମବାର ହେବ ଏବଂ ନିଷ୍ପତ୍ତି ହେବ ରଥଯାତ୍ରା ହେବ କି ନାହିଁ। ଚକ୍ରାନ୍ତକାରୀ ସରକାର ଏବଂ ତାଙ୍କ କ୍ଯାବିନେଟ୍ ନିଷ୍ପତ୍ତିର ଜାଲରୁ ପ୍ରଭୁ ଓ ଭକ୍ତ ସମାଜ ରକ୍ଷା ପାଇବେ ବୋଲି ଆଶା”। ତେବେ ବୋଧହୁଏ କେବଳ ପୃଥ୍ଵୀରାଜ ହରିଚନ୍ଦନ ଓଡ଼ିଶା ବିଜେପିର ଏକମାତ୍ର ନେତା ଯିଏ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ନହେଲେ କଥା କଥାକେ ସାମ୍ବାଦିକ ସମ୍ମିଳନୀ କରୁଥିବା, ସୋସିଆଲ୍ ମିଡିଆ ମାଧ୍ୟମରେ ଭିଡିଓ କରି ଏବଂ ପୋଷ୍ଟ ଲେଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଗାଳିକରି ଆସୁଥିବା ଓଡ଼ିଶା ବିଜେପିରଵକୁହାଳିଆ ନେତାନେତ୍ରୀ ମାନେ ଏବେ ଚୁପ୍। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.