Odiapua.com

ଆଶାର କିରଣ: ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ଭାରତରେ ପ୍ରସ୍ତୁତ କୋଭିଡ୍- ୧୯ ଟିକା; ମୂଲ୍ୟ ରହିବ ମାତ୍ର ..

ଭୁବନେଶ୍ୱର: ଭାରତରେ କରୋନା ଟିକା ପ୍ରସ୍ତୁତ କରିବାରେ ନିୟୋଜିତ ଥିବା ମହାରାଷ୍ଟ୍ରର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି ପରୀକ୍ଷଣ ସଫଳ ହୁଏ, ତେବେ ଏହାର ଉତ୍ପାଦନ ଆସନ୍ତା ମାସ ଶେଷରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ବଜାରରେ ଏହା ଉପଲବ୍ଧ ହେବ। ଏହା ମାତ୍ର ୧୦୦୦ ଟଙ୍କାରେ ଭାରତୀୟ ବଜାରରେ ଉପଲବ୍ଧ ହୋଇପାରିବ।

ପୁନାୱାଲା କହିଛନ୍ତି ଯେ ବ୍ରିଟେନରେ ଟୀକା କରଣର କ୍ଲିନିକାଲ ପରୀକ୍ଷା ଘୋଷଣା କରାଯାଇଛି। କିନ୍ତୁ ଆମେ ଉତ୍ପାଦନର ପଦକ୍ଷେପ ନେଇଛୁ। ଯଦି ପରୀକ୍ଷା ସଫଳ ହୁଏ, ତେବେ ଆମେ ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ପ୍ରଥମ ବ୍ୟାଚ୍ ଟିକା ପ୍ରସ୍ତୁତ କରିବୁ। ଆମେ ଆଗରୁ ଉତ୍ପାଦନ ଆରମ୍ଭ କରିବାକୁ ସ୍ଥିର କରିଥିଲୁ। ଯାହା ଦ୍ୱାରା ପରୀକ୍ଷା ସଫଳ ହେବା ପରେ ଆମେ ଏହାକୁ ତୁରନ୍ତ ଉପଲବ୍ଧ କରାଇ ପାରିବୁ। ମେ ମାସରେ ଆମେ ମାନବ ପରୀକ୍ଷା ମଧ୍ୟ କରିବୁ ବୋଲି କହିଛନ୍ତି ଆଦର ପୁନାୱାଲା।

ପୁନାୱାଲା କହିଛନ୍ତି, ଆମର କେନ୍ଦ୍ର ଗୁଡ଼ିକ କୋଭିଡ -19 ଟିକା ପ୍ରସ୍ତୁତ କରିବାକୁ ପ୍ରସ୍ତୁତ। ଆମେ ଟିକା ତିଆରି କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ଲାଗିଯାଇଛୁ। ପୁନେରେ ଆମର କାରଖାନାରେ ଆମେ ୫୦୦ ରୁ ୬୦୦ କୋଟି ଟଙ୍କା ବିନିଯୋଗ କରିଛୁ। ଏହା ବ୍ୟତୀତ ଆସନ୍ତା ୨/୩ ବର୍ଷ ମଧ୍ୟରେ, ଆମେ କୋଭିଡ୍ -୧୯ ଟିକାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ଏକ ନୂତନ କାରଖାନା ସ୍ଥାପନ କରିବୁ। ଏହି ଟିକା ଉତ୍ପାଦନ କେବେ ଆରମ୍ଭ ହେବ ନେଇ ପୁନାୱାଲା କହିଛନ୍ତି ଯେ ଆମର ବର୍ତ୍ତମାନର ୟୁନିଟ୍ ଆସନ୍ତା ତିନି ସପ୍ତାହ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବ। ଆମେ ପ୍ରତି ମାସରେ ୪୦ ରୁ ୫୦ ଲକ୍ଷ ଡୋଜ୍ ପ୍ରସ୍ତୁତ କରିବୁ। ଏହା ପରେ ଉତ୍ପାଦନକୁ ପ୍ରତି ମାସରେ ୧ କୋଟିକୁ ବୃଦ୍ଧି କରାଯିବ। ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ଉତ୍ପାଦନ ପ୍ରତି ମାସରେ ୪ କୋଟିରେ ପହଞ୍ଚିପାରେ। ପରେ ଆମେ ଏହାକୁ ଅନ୍ୟ ଦେଶକୁ ମଧ୍ୟ ରପ୍ତାନି କରିବୁ।

୧୯୬୬ରେ ପୁନାୱାଲା ଦ୍ୱାରା ପ୍ରତିଷ୍ଠିତ ଏହି ଅନୁଷ୍ଠାନ ହେଉଛି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ। ଯାହା ପ୍ରତିବର୍ଷ ୧.୫ ବିଲିୟନ ଡୋଜ୍ ଉତ୍ପାଦନ କରିଥାଏ। ବିଶ୍ୱର ୬୫% ପିଲାଙ୍କୁ ଏହି କମ୍ପାନୀ ଟିକା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଭାରତୀୟ କମ୍ପାନୀ ସେରମ୍ ବ୍ୟତୀତ ଅକ୍ସଫୋର୍ଡ ୟୁନିଭରସିଟି ଅଫ୍ ୟୁକେ ଏବଂ ଆମେରିକାର ବାୟୋଟେକ୍ କମ୍ପାନୀ କୋଡାଜେନିକ୍ସ ଭଳି କମ୍ପାନୀ କୋଭିଡ୍ -୧୯ ପାଇଁ ଟିକା ପ୍ରସ୍ତୁତ କରିବାରେ ମଧ୍ୟ ନିୟୋଜିତ ଅଛନ୍ତି। -ଦେବଦତ୍ତ ରଥ

ମୃତ୍ୟୁ ଏବଂ ଅନ୍ତିମ ସଂସ୍କାର ପରେ ଆସିଲା କରୋନା ଆକ୍ରାନ୍ତ ମହିଳାଙ୍କ ଫୋନ୍: କହିଲେ ହେଲୋ; ମୁଁ ବଞ୍ଚିଛି ..