ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ଗ୍ରେଟା ଥାନବର୍ଗ ଟୁଲ୍କିଟ୍ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ବେଙ୍ଗାଲୁରୁର ୨୧ ବର୍ଷ ବୟସ୍କ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛି। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିର ରିପୋର୍ଟ ଅନୁଯାୟୀ, ୨୧ ବର୍ଷୀୟ ଏହି ଆକ୍ଟିଭିଷ୍ଟ ଫ୍ରାଇଡେ ଫର୍ ଫ୍ୟୁଚର କ୍ୟାମ୍ପେନ୍ ର ଫାଉଣ୍ଡରଙ୍କ ମଧ୍ୟରୁ ଜଣେ। ସୂଚନାଯୋଗ୍ୟଯେ, ଫେବୃଆରୀ ୪ ରେ ଦିଲ୍ଲୀ ପୋଲିସ ଟୁଲ୍କିଟ୍ ସମ୍ବନ୍ଧରେ ଏକ ମାମଲା ରୁଜୁ କରିଥିଲା। ଅଭିଯୋଗ ହୋଇଛି ଯେ, ଦିଶା ରବି କିସାନୋମ ସହିତ ଜଡିତ ଟୁଲ୍କିଟ୍ ସଂପାଦନ କରିଥିଲେ ଏବଂ ଏଥିରେ କିଛି ଆଇଟମ୍ ଯୋଡି ଏହାକୁ ଆଗକୁ ପଠାଇଥିଲେ।
ଦିଶା ବାଙ୍ଗାଲୋରର ସମ୍ମାନଜନକ ମାଉଣ୍ଟ କାର୍ମେଲର ଛାତ୍ରୀ। ଜଣାପଡ଼ିଛିୟେ, ଶନିବାର ଦିନ ଉତ୍ତର ବାଙ୍ଗାଲୋରରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ଦିଶା ରବିଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। କୃଷକ ଆନ୍ଦୋଳନ ସହିତ ଜଡିତ ଟୁଲକିଟ୍ ପ୍ରସାରଣ କରିବାକୁ ନେଇ ଦିଶାଙ୍କୁ ପ୍ରଶ୍ନ କରାଯିବ।
ସୂଚନାଯୋଗ୍ୟଯେ, ସ୍ୱିଡେନର ୧୮ ବର୍ଷ ବୟସ୍କ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଟ୍ୱିଟ୍ କରି ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଅଭିଯୋଗ ହୋଇଛି ଯେ ସେ ଏକ ଟୁଲ୍କିଟ୍ ମଧ୍ୟ ଟ୍ୱିଟ୍ କରିଥିଲେ ଯେଉଁଥିରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଷଡଯନ୍ତ୍ର କରାଯାଇଥିଲା। କୃଷକ ଆନ୍ଦୋଳନ ଉପରେ ଟ୍ୱିଟ୍ କରି ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା ଯେଉଁଥିରେ ଅପରାଧିକ ଷଡଯନ୍ତ୍ର ତଥା ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବିସ୍ତାର କରିଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଥିଲା ଯେ, ଏହି ଟୁଲ୍କିଟ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ମିଳିଛି, ଯାହା ୨୬ ଜାନୁଆରୀ ହିଂସା ଘଟଣାର ଷଡଯନ୍ତ୍ରକୁ ପ୍ରସାରିତ କରିବାକୁ ସୂଚିତ କରାଯାଇଛି। ଗ୍ରେଟାଙ୍କ ବିରୋଧରେ କୌଣସି ମାମଲା ଦାଏର କରାଯାଇ ନାହିଁ।
ମାମଲା ପଞ୍ଜୀକୃତ ହେବା ପରେ ମଧ୍ୟ କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ଗ୍ରେଟା ପ୍ରତିଶ୍ରୁତି ଦେଇଥିଲେ।