Home Coronavirus Outbreak କୋଭିଡ-19 ସଂକ୍ରାନ୍ତ ଗୁଜବ ଭୂତାଣୁକୁ ତୁରନ୍ତ ପ୍ରତିରୋଧ କର – ଉପରାଷ୍ଟ୍ରପତି

କୋଭିଡ-19 ସଂକ୍ରାନ୍ତ ଗୁଜବ ଭୂତାଣୁକୁ ତୁରନ୍ତ ପ୍ରତିରୋଧ କର – ଉପରାଷ୍ଟ୍ରପତି

692

ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ଲଢେଇ ସମୟରେ ଗୁଜବ ପ୍ରଚାର ଓ ଅନ୍ଧ ବିଶ୍ୱାସକୁ ଗୁରୁତ୍ୱ ଦେଇ ଏହାକୁ ଦୁର୍ବଳ କରାଯାଇପାରିବ ନାହିଁ। ଏଥି ପ୍ରତି ଜନସାଧାରଣ ସତର୍କ ରହିବା ସହିତ ସାମାଜିକ ଗଣ ମାଧ୍ୟମରେ ଯେଉଁ ଗୁଜବ ଓ ମିଥ୍ୟା ଖବରମାନ ପ୍ରଚାରିତ ହେଉଛି ତାହାକୁ ଏକ ଭୂତାଣୁ ଭାବେ ବିଚାର କରି ଏହାର ଦୃଢ ମୁକାବିଲା କରିବାକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଆହ୍ୱାନ ନେଇଛନ୍ତି।

ଉପରାଷ୍ଟ୍ରପତି କହିଛନ୍ତି ଯେ ସତ୍ୟ ଓ ବସ୍ତୁନିଷ୍ଠ ଖବର ଅଧିକ ପ୍ରସାରିତ ହେଲେ ଗୁଜବ ଓ ଅଖବରର ପ୍ରଭାବ ଲୋପ ପାଇବ। ତେଣୁ ଅଧିକରୁ ଅଧିକ ସତ୍ୟ ଓ ପ୍ରମାଣସିଦ୍ଧ ଖବର ପ୍ରସାର କରି ଗୁଜବ ଭୂତାଣୁର ଅବସାନ ଘଟାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଫେସବୁକ ପୋଷ୍ଟରେ ଏକ ବାର୍ତ୍ତା ଦେଇ ଶ୍ରୀ ନାଇଡ଼ୁ କହିଛନ୍ତି ଯେ ଆମେ ଯଦି ସମସ୍ୟାର ଗୁରୁତ୍ୱ ଓ ବ୍ୟାପକତାକୁ ଠିକ୍ ଭାବେ ବୁଝି ନ’ ପାରିବା ତା’ହେଲେ କରୋନା ଭୂତାଣୁ ବିରୋଧିରେ ଆମର ଲଢେଇ ସଫଳ ହେବ ନାହିଁ।

ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାବେଶ ଓ କେତେକ ରାଜ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ନିୟମର ଖୋଲା ଉଲଂଘନ ସଂପର୍କରେ ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଛନ୍ତି ଯେ, ଏସବୁ ଅତ୍ୟନ୍ତ ଦାୟିତ୍ୱହୀନ କାର୍ଯ୍ୟ। ନୀତିନିୟମ ଓ ଶୃଂଖଳାରକ୍ଷା ସଂକ୍ରାନ୍ତ ନିର୍ଦ୍ଦେଶାବଳୀର ତଥ୍ୟ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା ସହ ସେସବୁ ନିଷ୍ଠାର ସହ ପାଳନ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି।

କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସାଗତ ଓ ବୈଜ୍ଞାନିକ ଦିଗ ସଂପର୍କରେ ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି ସହିତ ଜାତି, ଧର୍ମ, ବର୍ଣ୍ଣ, ଭାଷା, ଆଂଚଳିକ, ବର୍ଗ ଓ ଗୋଷ୍ଠୀ ନିର୍ବିଶେଷରେ ସମସ୍ତେ ଏହି ବ୍ୟାଧି ବିରୋଧରେ ସମ୍ମିଳିତ ଭାବେ ସମାଜରେ ଜାଗରଣ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି।

ସାଂପ୍ରତିକ ପରିସ୍ଥିତିରେ ଏକାଠି ନ’ ହେବା ଓ ଭିଡ ସୃଷ୍ଟି ନ’ କରିବା ସମାବେଶ ଆୟୋଜନରୁ ଦୂରେଇ ରହିବା ଭଳି ନୀତି ନିୟମକୁ ହେୟ ମନେ ନ କରି ଏଥି ପ୍ରତି ଗୁରୁତ୍ୱ ଦେବା ଓ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସବୁ ଧାର୍ମିକ ଗୋଷ୍ଠୀ ତଥା ସମୁଦାୟ ମଧ୍ୟରେ ଏକ ସାଧାରଣ ସର୍ବନିମ୍ନ ବୁଝାମଣାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଭବିଷ୍ୟତରେ ଆଉ ଯେଭଳି ଏଭଳି ତ୍ରୁଟି ଓ ଆଇନ ଉଲଂଘନ ନ’ ହୁଏ ସେଥିପ୍ରତି ସତର୍କ କରିବାକୁ ସେ ଜନ ସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ସଂପର୍କର ଏହି କ୍ଷଣରେ ଜନ ସାଧାରଣ କୌଣସି ସଂପ୍ରଦାୟ ବା ବର୍ଗଙ୍କୁ ସନ୍ଦିଗ୍ଧ ଦୁଷ୍ଟିରେ ନ ଦେଖିବା ଓ ସେମାନଙ୍କ ପ୍ରତି କୌଣସି ପକ୍ଷପାତ ବିଚାର ନ’ କରିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଜଣାଇଛନ୍ତି।

କରୋନା ବିରୋଧୀ ଲଢେଇରେ ଭାରତ ସରକାର, ବିଭିନ୍ନ ରାଜ୍ୟ ସରକାର, ନାଗରିକ ସମାଜ, ଘରୋଇ ଉଦ୍ୟୋଗ ଓ ବିଭିନ୍ନ ପକ୍ଷ ଯେଉଁ ଭୂମିକା ନିର୍ବାହ କରୁଛନ୍ତି ତାହାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଏହି ମିଳିତ ଉଦ୍ୟମକୁ ବଢାଇ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ପ୍ରବାସୀ ଶ୍ରମିକ ଓ ଗରିବଙ୍କ ଦୁଃଖ ଲାଘବ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେ କରୋନା ବିରୋଧରେ ସମ୍ମୁଖ ଲଢେଇ ଲଢୁଥିବା ଚିକିତ୍ସକ, ଚିକିତ୍ସା କର୍ମଚାରୀ ଓ ଅନ୍ୟାନ୍ୟ ବୃତ୍ତିଜୀବୀମାନଙ୍କ ନିରାପତ୍ତା, ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ଅନୁବନ୍ଧା ମୂଳକ କାମ, ଦୟାର୍ଦ ଆଭିମୁଖ୍ୟ, ସଂକଳ୍ପବଦ୍ଧ ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ୱାରା ଆମେ ମାନବିକ ଦୁର୍ଦ୍ଦଶାର ଅବସାନ ଘଟାଇ ଏ ଦୁର୍ଦ୍ଦଶାରୁ ମୁକ୍ତ ହୋଇ ପାରିବା ବୋଲି ଉପରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.