Odiapua.com

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ:କିଏ କହେ ମୋଦୀ,କିଏ କହେ ଯୋଗୀ!

ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୋଦୀ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।ପ୍ରତାପଙ୍କ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ପୂର୍ବରୁ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ ଏବଂ ବୈଜୟନ୍ତ ପଣ୍ଡା ଆଦିଙ୍କ ନାମ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଥିଲା।କିନ୍ତୁ ଅନ୍ତରେ ଓଡ଼ିଶାରୁ ଦୁଇ ଜଣ ହିଁ ମୋଦୀ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ପାରିଛନ୍ତି।ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ଭାବରେ ଏବଂ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ଓଡ଼ିଶା ରାଜନୀତିରେ ଖୁବ୍ ପରିଚିତ ତଥା ଲୋକପ୍ରିୟ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ସାଂସଦ ଭାବରେ ନିର୍ବାଚିତ ହେବା ପରେ ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ଚର୍ଚ୍ଚିତ ହୋଇ ଯାଇଥିଲେ।ଅନ୍ୟାନ୍ୟ ରାଜ୍ୟର ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମ ଗୁଡ଼ିକରେ ମଧ୍ୟ ସେ ଶିରୋନାମା ପାଲଟି ଗଲେ।ତାଙ୍କର ଜୀବନ ଶୈଳୀକୁ ନେଇ ତାଙ୍କୁ ଓଡ଼ିଶାର ମୋଦୀ ଭାବରେ ଚିତ୍ରଣ କରାଗଲା।ପୂର୍ବରୁ ଓଡ଼ିଶାରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ସହ ତୁଳନା କରାଯାଇ ଓଡ଼ିଶାର ଯୋଗୀ ବୋଲି କୁହାଯାଉଥିଲା।

ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏତେ ଚର୍ଚ୍ଚା,ଆଲୋଚନାର କାରଣ ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ।ସ୍ଵଛ, ସଚୋଟ,ସ୍ପଷ୍ଟବାଦୀ, ଦୃଢ଼ ସଙ୍ଗଠକ, ପରୋପକାରୀ, ସମାଜସେବୀ, ପ୍ରଖର ରାଷ୍ଟ୍ରବାଦୀ, ହିନ୍ଦୁତ୍ୱବାଦୀ, ଓଜସ୍ୱୀ ବକ୍ତା, ସାଂସ୍କୃତିକ ତଥା ସାମାଜିକ ଜ୍ଞାନ ଆଦି ନେଇ ପ୍ରତାପ ଷଡ଼ଙ୍ଗୀ ଖୁବ୍ ପରିଚିତ।କେବଳ ନିଜ ଦଳ ଭାଜପା ଭିତରେ ନୁହେଁ, ଅନ୍ୟାନ୍ୟ ବିରୋଧୀ ଦଳ ଗୁଡ଼ିକରେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱକୁ ପସନ୍ଦ କରାଯାଏ।ସାଇକେଲ ଚଲାଇବା, ଗାଁ’ ଦାଣ୍ଡ ନଳକୁଅରେ, ପୋଖରୀରେ ଗାଧୋଇବା,ଦାନ୍ତ କାଠିରେ ଦାନ୍ତ ଘଷିବା, ଅଟୋରେ ପ୍ରଚାର କରିବା ପରି ତାଙ୍କର ସାଧାସିଧା ଜୀବନର ଅନେକ୍ ଫଟୋ ଏବେ ସାରା ଦେଶର ଗଣମାଧ୍ୟମରେ ଭାଇରାଲ।

ଜୀବନୀ: –

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଜନ୍ମ ୧୯୫୫ ମସିହା ଜାନୁଆରୀ ୪ ତାରିଖ।ବାଲେଶ୍ୱର ଜିଲ୍ଲା ଗୋପୀନାଥପୁର ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ବାପାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ।ପ୍ରତାପ ଷଡ଼ଙ୍ଗୀ ୧୯୭୫ ମସିହାରେ ଫକୀର ମୋହନ କଲେଜରୁ କଳାରେ ସ୍ନାତକ କରିଥିଲେ।ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ( ଆରଏସଏସ)ର ଜଣେ ସ୍ୱୟଂ ସେବକ।ବିଶ୍ୱ ହିନ୍ଦୁ ପରିଷଦର ଯୁବା ସଙ୍ଗଠନ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି ପ୍ରତାପ ଷଡ଼ଙ୍ଗୀ।ପ୍ରତାପ ଷଡ଼ଙ୍ଗୀ ଅବିବାହିତ।

ପୂଜ୍ୟ ପ୍ରତାପ ନନାଙ୍କୁ ପଦେ, (ବାଜେ କବିତା)

ରାଜନୈତିକ ଜୀବନ:-
ପ୍ରଥମ ଥର ପାଇଁ ୨୦୦୪ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତାପ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ।ସେତେବେଳେ ବିଜେପି ବିଜେଡି ମେଣ୍ଟ ଥିଲା।ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ଏହାପରେ ମେଣ୍ଟ ଭାଙ୍ଗି ଯାଇଥିଲା।୨୦୦୯ ମସିହା ବିଧାନସଭା ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ଗୋଟିଏ ବିଜେପିରୁ ଏବଂ ଗୋଟିଏ ସ୍ୱାଧୀନ ଭାବରେ ଦୁଇଟି ସେଟ ପାର୍ଥି ପତ୍ର ଦାଖଲ କରିଥିଲେ।ବିଜେପିରୁ ପାର୍ଥି ପତ୍ର ନାକଚ ହୋଇ ଯାଇଥିଲା।ତେଣୁ ସେ ସ୍ୱାଧୀନ ଭାବରେ ଲଢ଼ି ପୁଣି ଥରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଥିଲେ।ଏହି ନିର୍ବାଚନରେ ସେ ସମୁଦାୟ ୩୫,୫୨୫ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦିପ୍ତ ପଣ୍ଡାଙ୍କୁ ୩,୦୫୬ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।୨୦୧୪ ସାଧାରଣ ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ପୁଣି ନୀଳଗିରି ବିଧାନସଭା ଆସନରୁ ଲଢ଼ିବାକୁ ଇଛୁକ ଥିଲେ।କିନ୍ତୁ ଦଳ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପାର୍ଥି କରିବାକୁ ସ୍ଥିର କଲା।ଅନିଚ୍ଛା ସତ୍ତ୍ୱେ ଦଳୀୟ ନିଷ୍ପତିକୁ ମାନି ପ୍ରତାପ ବାଲେଶ୍ୱର ଲୋକସଭା ଆସନରୁ ପାର୍ଥି ହେଲେ।କିନ୍ତୁ,ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନାଙ୍କ ଠାରୁ ସେ ୧,୪୧,୮୨୫ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।ଏବେ ୨୦୧୯ ସାଧାରଣ ନିର୍ବାଚନରେ ସେ ପୁଣି ଥରେ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ।ଏବଂ ଏହି ନିର୍ବାଚନରେ ସେ ସମୁଦାୟ ୪,୮୩,୮୫୮ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଏବଂ ରବିନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।ଏବଂ ଏବେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୋଦୀ ସରକାର – ୨” ର ଜଣେ କେନ୍ଦ୍ରମନ୍ତ୍ରୀ।ଦିନେ ଓଡ଼ିଶା ଗସ୍ତ ସମୟରେ ପ୍ରତାପ ଷଡ଼ଙ୍ଗୀଙ୍କ ପାଖରେ ଅଟକି ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ପ୍ରତାପ ସବୁଠାରୁ ପୁରୁଣା ଏବଂ ସୁଦୃଢ଼ ସୈନିକ।ଆଜି ସେହି ସୈନିକ ମୋଦୀ ମନ୍ତ୍ରୀ ମଣ୍ଡଳର ଜଣେ ଅନ୍ୟତମ ସେନାପତି।/ଦେବଦତ୍ତ ରଥ