ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେବୀ (ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ) ଓ ଲକ୍ସେମ୍ବର୍ଗର Financial and Commission de Surveillance du Secteur Financier (ସିଏସଏସଏଫ) ମଧ୍ୟରେ ଦ୍ଵିପାକ୍ଷିକ ବୁଝାମଣାପତ୍ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ଆଭିମୁଖ୍ୟ
ଏହି ବୁଝାମଣାପତ୍ର ସ୍ଵାକ୍ଷର ହେଲେ ଦୁଇ ଦେଶ ମଧ୍ୟରେ ସିକ୍ୟୁରିଟି ବା ପ୍ରତିଭୂତି ନିୟନ୍ତ୍ରଣ ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ। ଭାରତ ଓ ଲକ୍ସେମ୍ବର୍ଗ ମଧ୍ୟରେ ବଜାର ପ୍ରତିଭୂତି ଓ ନିୟନ୍ତ୍ରଣ ମଧ୍ୟ ବୃଦ୍ଧି ପାଇବ।
ପ୍ରମୁଖ ପ୍ରଭାବ
ସେବୀ ଭଳି ସିଏସଏସଏଫ ମଧ୍ୟ ଆନ୍ତର୍ଜାତିକ ପ୍ରତିଭୂତି ସଂଗଠନ କମିଶନ ସହ ଅନୁବନ୍ଧିତ ହୋଇଛି। ମାତ୍ର International Organization of Securities Commissions’ Multilateral MOU (ଆଇଓଏସସିଓ ଏମଏମଓୟୁ)ର ବୈଷୟିକ ସହାୟତାର କୌଣସି ସୁବିଧା ସୁଯୋଗ ନାହିଁ। ଏହି ପ୍ରସ୍ତାବିତ ବୁଝାମଣା ଯୋଗୁଁ ତଥ୍ୟ ବିନିମୟ ପଦ୍ଧତି ଦୁଇ ଦେଶ ମଧ୍ୟରେ ସୁଦୃଢ ହେବା ସହ ପ୍ରତିଭୂତି ଆଇନ ଓ ବିଭିନ୍ନ ବୈଷୟିକ ସହାୟତା କାର୍ଯ୍ୟକ୍ରମ ମଧ୍ୟ ସୁଗମ ହେବ। ଉଭୟ ଦେଶ ପୁଞ୍ଜିବଜାରରେ ନିଜର କାର୍ଯ୍ୟକଳାପ ବୃଦ୍ଧି ସହ ଏହାର କର୍ମଚାରୀମାନଙ୍କ ନିମନ୍ତେ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିପାରିବେ।
ପୃଷ୍ଠଭୂମି
ଭାରତର ପ୍ରତିଭୂତି ବଜାରକୁ ନିୟନ୍ତ୍ରଣ କରିବା ପାଇଁ ୧୯୯୨ରେ ପ୍ରତିଭୂତି ଏବଂ ଭାରତୀୟ ବିନିମୟ ବୋର୍ଡ ଅଧୀନରେ ସେବୀର ପ୍ରତିଷ୍ଠା କରାଯାଇଥିଲା। ପୁଞ୍ଜି ନିବେଶକାରୀଙ୍କ ସ୍ଵାର୍ଥ ରକ୍ଷା ତଥା ପ୍ରତିଭୂତି ବଜାରର ନିୟନ୍ତ୍ରଣ ଥିଲା ସେବୀର ମୂଳ ଲକ୍ଷ୍ୟ। ସେବୀର ମୁଖ୍ୟ କାର୍ଯ୍ୟଗୁଡିକ ମଧ୍ୟରେ ପଞ୍ଜୀକରଣ, ପ୍ରତିଭୂତି ବଜାରରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପର ନିୟନ୍ତ୍ରଣ, ଜାଲ ଓ ବେଆଇନ କାର୍ଯ୍ୟକଳାପ ରୋକିବା ଅନ୍ତର୍ଭୁକ୍ତ। ଦେଶ ଓ ଦେଶ ବାହାରେ ପ୍ରତିଭୂତି ବଜାରର କାର୍ଯ୍ୟକଳାପ ଉପରେ ସେବୀ ତୀକ୍ଷଣ ନଜର ରଖିଥାଏ।
ଲକ୍ସେମ୍ବର୍ଗର ସିଏସଏସଏଫ ପ୍ରଶାସନିକ ଓ ଆର୍ଥିକ ସ୍ଵୟଂଶାସନ କ୍ଷମତା ସହ ୨୩ ଡିସେମ୍ବର ୧୯୯୮ରେ ପ୍ରତିଷ୍ଠା କରାଯାଇଥିଲା। ସମଗ୍ର ଲକ୍ସେମ୍ବର୍ଗର ବୀମା କ୍ଷେତ୍ର ବ୍ୟତୀତ ଆର୍ଥିକ ବ୍ୟାପାରକୁ ସିଏସଏସଏଫ ନିୟନ୍ତ୍ରଣ କରିଥାଏ। ଲକ୍ସେମ୍ବର୍ଗର ପ୍ରତିଭୂତି ବଜାର ଓ ଏହାର ଦେଖା ରଖା ନିମନ୍ତେ ଆଇନତଃ ସିଏସଏସଏଫର ଦାୟିତ୍ଵ ରହିଛି।