ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଏକ ରିପୋର୍ଟ ଅନୁଯାୟୀ, ବ୍ରାଜିଲର ରାଷ୍ଟ୍ରପତିଙ୍କ ଜଣେ ଘନିଷ୍ଠ ସହଯୋଗୀ ଯିଏ ସପ୍ତାହାନ୍ତରେ ମାର୍-ଏ-ଲାଗୋରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ, ତାଙ୍କୁ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ଖବର ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ହୋଇଛି।
ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ଯୋଗାଯୋଗ ସଚିବ ଫାବିଓ ୱାଜଙ୍ଗାର୍ଟେନ୍ ଙ୍କର ଦ୍ୱିତୀୟ ଟେଷ୍ଟ ପଜିଟିଭ୍ ମିଲିଥିବା ଉକ୍ତ ଖବରକାଗଜ ରିପୋର୍ଟ କରିଛି। ଚଳିତ ସପ୍ତାହ ଆରମ୍ଭରେ ଫ୍ଲୋରିଡା ଗସ୍ତ ସମୟରେ ସେ ସାଥିରେ ଥିଲେ।
ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫଟୋଗୁଡ଼ିକରେ ତାଙ୍କୁ “ମେକ୍ ବ୍ରାଜିଲ୍ ଗ୍ରେଟ୍ ଏଗେନ” ଟୋପି ପିନ୍ଧି ଟ୍ରମ୍ପଙ୍କ ସହ ବାରମ୍ବାର ଦେଖାଯାଇଥିଲା।
ବୋଲସନାରୋ ଗୁରୁବାର ଦିନ ତାଙ୍କର ସରକାରୀ ଆଜେଣ୍ଡାକୁ ବାତିଲ କରି ରାଷ୍ଟ୍ରପତି ଭବନରେ ରହିଛନ୍ତି।
ଏହି ସମ୍ବାଦ ଉପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଏଥିରେ ଚିନ୍ତିତ ନୁହଁନ୍ତି। ସେ ହ୍ୱାଇଟ ହାଉସରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେ କିଛି ଅସାଧାରଣ କାର୍ଯ୍ୟ କରିନାହୁଁ, ଆମେ କିଛି ସମୟ ପରସ୍ପର ପାଖରେ ବସିଥିଲୁ।
ଟ୍ରମ୍ପଙ୍କ ସହ ରାତ୍ରୀ ଭୋଜନ ସମୟରେ ଅନ୍ୟ ତିନିଜଣ ଉଚ୍ଚ ପଦାଧିକାରୀ ବୋଲସନାରୋଙ୍କ ସହ ଯାଇଥିଲେ। ସେମାନେ ହେଲେ ପ୍ରତିରକ୍ଷା ମନ୍ତ୍ରୀ ଫର୍ନାଣ୍ଡୋ ଆଜେଭେଡୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏର୍ନେଷ୍ଟୋ ଆରାଉଜୋ ଏବଂ ଅନୁଷ୍ଠାନ ସୁରକ୍ଷା ମନ୍ତ୍ରୀ ଅଗଷ୍ଟୋ ହେଲେନୋ।







