Odiapua.com

ଫାଣ୍ଡିରୁ ଉଦ୍ଧାର ହୋଇଥିବା ନରକଙ୍କାଳ କାହାର ପୋଲିସ ସ୍ପଷ୍ଟ କରିବା ସହ ଅପରାଧୀକୁ ତୁରନ୍ତ ଗିରଫ କରୁ: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ଯାଆଁଳା ପୋଲିସ ଫାଣ୍ଡି ଗାଡ଼ିରୁ ଉଦ୍ଧାର ହୋଇଥିବା ନର କଙ୍କାଳ କାହାର ପୋଲିସ ସ୍ପଷ୍ଟ କରିବା ସହ ଅପରାଧୀକୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୋଲିସ କମିଶନରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ମାର୍ଟ ସିଟିର ଲୋକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବିଶେଷ କରି ମହିଳା ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ଡକାୟତି, ରାହାଜାନୀ ଏବଂ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ପୋଲିସକୁ ବେଖାତିର କରି ଅପରାଧୀମାନେ ବିଭିନ୍ନ ଅପରାଧିକ କାର୍ଯ୍ୟ କରି ଖସି ପଳାଉଛନ୍ତି। ଅନେକ ସମୟରେ ପୋଲିସ ଅପରାଧୀ ମାନଙ୍କୁ ଧରିବାରେ ବିଫଳ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ କେସର ତଦନ୍ତ କରୁନାହିଁ। ବିଗତ ଦିନରେ ମହିଳାଙ୍କର କଟାମୁଣ୍ଡ ଉଦ୍ଧାର ହେବା ଏବଂ ଏବେ ଯାଆଁଳା ପୋଲିସ ଫାଣ୍ଡିରେ ଥିବା ଏକ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର କରାଯିବା ସମସ୍ତଙ୍କୁ ଚକିତ ଓ ଭୟଭୀତ କରିଛି। ପୋଲିସ ଫାଣ୍ଡି ପାଖରେ ଅପରାଧୀ ମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି କିମ୍ବା କିଛି ପୋଲିସ କର୍ମଚାରୀ ନିଜେ ଏହି କାର୍ଯ୍ୟ କରିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଜଣେ ମହିଳାଙ୍କ ନର କଙ୍କାଳ କିପରି ଫାଣ୍ଡିରେ ଥିବା ଗାଡ଼ି ଭିତରକୁ ଆସିଲା? ମହିଳାଙ୍କୁ କିଏ ହତ୍ୟା କରିଛି? ମୃତ ମହିଳା ଜଣକ କିଏ? ରାଜଧାନୀରେ ଏଭଳି ଏକ ଜଘନ୍ୟ ଘଟଣା ପଛରେ କେଉଁ ବ୍ୟକ୍ତିର ହାତ ରହିଛି, ତାହା କମିଶନରେଟ ପୋଲିସ ସ୍ପଷ୍ଟ କରିବା ଦରକାର। ଥାନା ଗୁଡ଼ିକରେ ସିସିଟିଭି ଲଗାଯାଇଥିବା ବେଳେ ରାଜଧାନୀରେ ଥିବା ଫାଣ୍ଡି ଗୁଡିକରେ ସିସିଟିଭି କାହିଁକି ଲଗାଯାଇ ନାହିଁ ବୋଲି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ଗତ ବର୍ଷ କରୋନା ମହାମାରୀ ଏବଂ ଲକଡାଉନ ଲାଗୁ ହୋଇଥିବା ବେଳେ ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ପୋଲିସ ରେକର୍ଡ ଅନୁଯାୟୀ ଭୁବନେଶ୍ୱର ଓ କଟକ ସମଗ୍ର କମିଶନରେଟ ଅଞ୍ଚଳରେ ଗତ ବର୍ଷ ୧୩ ହଜାର ୨୯୭ଟି ଅପରାଧିକ ମାମଲା ରୁଜୁ ହୋଇଛି। ରାଜଧାନୀରେ ଗତ ବର୍ଷ ୪୯ଟି ହତ୍ୟାକାଣ୍ଡ ଘଟିଛି , ଯାହାକି ଗତ ୫ ବର୍ଷ ତୁଳନାରେ ସବୁଠୁ ଅଧିକ ରହିଥିଲା। ୨୦୨୦ ମସିହାରେ ରାଜଧାନୀରେ ୧୧୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୦୧୯ ଅପେକ୍ଷା ୨୦୨୦ ମସିହାରେ ୩୮୮ ଟି ଲୁଟ ଘଟଣା ସାମ୍ନାକୁ ଆସିଛି। ଏହି ପରିସଂଖ୍ୟାନକୁ ଦେଖିଲେ ରାଜଧାନୀ ଏବେ ଓଡ଼ିଶାର ସବୁଠୁ ବଡ଼ କ୍ରାଇମ ସିଟି ଭାବେ ଉଭା ହୋଇଛି। ବିଗତ ଦିନରେ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡ ଘଟଣା ସନ୍ଦେହ ଘେରରେ ରହିଛି। ଚଳିତ ମାସରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ପୋଲିସ ଗାଡିରୁ ଟାଣି ଆଣି ହତ୍ୟା କରାଯାଇଥିଲା। ଚୋରୀ, ଡକାୟତି ଏବଂ ସାଇବର ଅପରାଧ ଆଦି ଖବର ପ୍ରତିଦିନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି। ଅପରାଧୀଙ୍କୁ ଧରିବାରେ କମିଶନରେଟ ପୋଲିସ ତପ୍ତରତା ଦେଖାଉ ନାହିଁ। ମହିଳାଙ୍କ ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଜିରୋ ଟଲେରାନ୍ସ ନିୟମ ଲାଗୁ କରିବା ସହ ରାଜଧାନୀରେ ବସବାସ କରୁଥିବା ଛାତ୍ରୀ, କର୍ମଜୀବୀ ମହିଳା, ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆଗାମୀ ଦିନରେ ଭୁବନେଶ୍ୱରକୁ ଅପରାଧ ମୁକ୍ତ ସହର କରିବା ଦିଗରେ ପଦକ୍ଷେପ ନେବାକୁ ମହିଳା ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି। ଏହି ପ୍ରତିନିଧୀ ଦଳରେ ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର, ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓଙ୍କ ସମେତ ଇତିଶ୍ରୀ ଜେନା, ତୃପ୍ତିମୟୀ ମକଦ୍ଦମ, ସୁବାସିନୀ ପୃଷ୍ଟି, ସୁବାସିନୀ ବଳ, ସୁଚରିତା ଜେନାମଣି, ସତରୂପା ମିଶ୍ର ପ୍ରମୁଖ ସାମିଲ ଥିଲେ।
-@Dr

ବିଜେଡି ବିଧାୟକଙ୍କୁ ବିଜେପି ଦବଙ୍ଗ୍ ନେତ୍ରୀଙ୍କ ଚେତାବନୀ: ଘରୁ ଭିଡ଼ି ଆଣି …