ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶା ବିଜେପିର ଏକ ପ୍ରତିନିଧି ମଣ୍ଡଳି ବୁଧବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ଧାନ ସଂଗ୍ରହରେ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଏବଂ ଅବ୍ୟବସ୍ଥାକୁ ରୋକିବା ପାଇଁ ନିର୍ଦ୍ଦେଶ ଦେବାକୁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏକ ସ୍ମାରକ ପତ୍ର ଜରିଆରେ ବିଜେପିର ସାଂସଦ ମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ନିରନ୍ତର ଉଦ୍ୟମ ଜାରୀ ରଖିଛନ୍ତି। ସଠିକ୍ ସମୟରେ ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣା ହେବା, ଠିକ୍ ସମୟରେ ଚାଷୀଙ୍କୁ ସେମାନଙ୍କ ବିକ୍ରି ଟଙ୍କା ମିଳିବା ନେଇ ସୁନିଶ୍ଚିତ କରାଯାଇଛି। ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ (ଡ଼ିଏଫପିଡ଼ି) ବିକେନ୍ଦ୍ରୀକରଣ ସଂଗ୍ରହ ପ୍ରକ୍ରିୟା ସ୍ଥାନୀୟ ଧାନ କିଣାକୁ ପ୍ରୋତ୍ସାହିତ କରୁଛି। ଯାହାଦ୍ୱାରା ସ୍ଥାନୀୟ ଚାଷୀମାନେ ଏମଏସପି ଦ୍ୱାରା ଲାଭବାନ ହେଉଛନ୍ତି। ମାତ୍ର ଓଡ଼ିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଓଡ଼ିଶାର ଓଡିଶାର ଚାଷୀଙ୍କ କଷ୍ଟକୁ ବଢ଼ାଇ ଦେଇଛି। ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ବିଜେପି ଦଳର ସାଂସଦ ମାନେ ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖରେ ରାଜ୍ୟରେ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିଲେ। ଏହା ପରେ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଧାନ କିଣା ବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା। ଓଡ଼ିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଚଳିତବର୍ଷ ମାର୍ଚ୍ଚ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ତଦନ୍ତକାରୀ ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲା ପ୍ରଦର୍ଶନ କରାଯାଇଥିଲା ଏବଂ ତଦନ୍ତକାରୀ ଦଳ ଦ୍ୱାରା ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କୁ କିଛି ସୁପାରିଶ ସହ ପରାମର୍ଶ ଦିଆଯାଇଥିଲା।ମାତ୍ର ଏହି ପରାମର୍ଶକୁ ରାଜ୍ୟ ସରକାର ଅଣଦେଖା କରିଥିବା ବେଳେ ଏହାକୁ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ଗୋୟଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତିା ଏହା ଦ୍ୱାରା ରାଜ୍ୟର ଲକ୍ଷାଧିକ ଚାଷୀ ଲାଭବାନ ହୋଇପାରିବୋ
କେନ୍ଦ୍ରୀୟ ତଦନ୍ତକାରୀ ଦଳ ପକ୍ଷରୁ ଦର୍ଶାଯାଇଥିବା ରିପୋର୍ଟରେ ଓଡ଼ିଶାରେ ଧାନ କ୍ରୟ ପରିଚାଳନା ବିଷୟରେ ଆରଏମସି, ପିଏସିଏସ ଓ ପିପିସିରେ ଧାନ କିଣାରେ ଥିବା ଅବ୍ୟବସ୍ଥା, ଦୁର୍ନୀତି ଓ ଠକାମୀକୁ ଇଙ୍ଗିତ କରୁଛି। ଏହି ରିପୋର୍ଟରେ ଓଡିଶାର ଧାନ କିଣା ପରିଚାଳନାରେ ଅନେକ ତ୍ରୁଟି ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟ ସୀମାକୁ ସମସ୍ତ ଆରଏମସି ଗୁଡ଼ିକରେ କମାଇ ଦିଆଯାଉଛି। ଯଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଯାଉଛନ୍ତି। ଧାନ କିଣିବା ସମୟକୁ ନିର୍ଦ୍ଧାରିତ କରାଯିବା ଫଳରେ ଚାଷୀମାନେ ମଣ୍ଡିକୁ ନିଜ ଫସଲକୁ ଆଣି ବିକ୍ରି କରି ଅର୍ଥ ଉପାର୍ଜନ କରିବାରେ ବିଫଳ ହେଉଛନ୍ତି। ସରକାରୀ ସ୍ତରରେ ଧାନ କିଣିବା ପାଇଁ ୧୫୧ ଦିନର ସମୟ ସୀମା ଥିବାବେଳେ ଅନେକ ଆରଏମସିରେ ସମୟ ସୀମା ମାତ୍ର ୪୦ରୁ ୪୩ ଦିନ ମଧ୍ୟରେ ଥିଲା ବୋଲି ଦେଖାଯାଇଥିଲା। ପିଏମସି କିମ୍ବା ପିପିସି ସଚିବଙ୍କ ଦ୍ୱାରା ୩୦ ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି। ଏକ ନିର୍ଦ୍ଦିଷ୍ଟ ଦିନରେ ଚାଷୀଙ୍କୁ ନିଜର ଫସଲକୁ ବିକ୍ରି କରିବାକୁ ଆଣିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଉଛି। ଯାହା ପକ୍ଷପାତିତାକୁ ପ୍ରୋତ୍ସାହିତ କରୁଛି ଏବଂ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଦିଆଯାଇଥିବା ଟୋକନ୍ ନଷ୍ଟ ହୋଇଯାଉଛି। ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ମଣ୍ଡି ପରିଚାଳନାରେ ସ୍ୱଚ୍ଛତା, ଉତରଦାୟିତ୍ୱ ଏବଂ ଅନୁପାଳନରେ ତ୍ରୁଟି ପରିଲକ୍ଷିତ ହୋଇଛି। ୱେଟ୍ ବ୍ରିଜ୍ ଥିବା ସତ୍ୱେ ମାନୁଆଲ ଭାବରେ ୱେଟ୍ ସ୍ଲିପ୍ ପୂରଣ କରାଯାଉଛି। ଯାହା ଦ୍ୱାରା ଓଜନ ମାପରେ ତାରତମ୍ୟ ରହୁନାହିଁ। ଏହା ଦ୍ୱାରା ଚାଷୀମାନେ ନିଜ ହକ୍ର ପଇସା ପାଉନାହାନ୍ତି। ମିଲରଙ୍କ ପାଖରେ ଏମଏସପି ଠାରୁ ବହୁତ କମ୍ ମୂଲ୍ୟରେ ନିଜ ଧାନକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ଏବଂ ପିଏସି ଦ୍ୱାରା ମାନୁଆଲ ଭାବରେ ଏହାର ରେକର୍ଡ ପ୍ରସ୍ତୁତ କରାଯାଉଛି। ୬ଟି ମିଲର ମଧ୍ୟରେ ଅସମାନ ବିତରଣ ହେଉଥିବା ପରିଲକ୍ଷିତ ହୋଇଛି। ଯାହା ପିଏସି ଏବଂ ମିଲରଙ୍କ ମଧ୍ୟରେ ଥିବା ମଧୂଚନ୍ଦ୍ରିକାକୁ ଦର୍ଶାଉଛି। ତ୍ରୁଟିପୂର୍ଣ୍ଣ ଆର୍ଦ୍ରତା ମିଟର କାରଣରୁ ଧାନର ଗୁଣବତା ମାନ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ଯାହାଫଳରେ ବେଆଇନ ଭାବରେ ଧାନ କ୍ରୟ କରାଯାଉଛି।
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଡ଼ିଜିଟାଲାଇଜେସନ କହୁଥିଲେ ମଧ୍ୟ ଧାନ କିଣା ବ୍ୟବସ୍ଥାରେ ଆଂଶିକ ଡ଼ିଜିଟାଲାଇଜେସନ ହୋଇଛି। ଗୁଣାତ୍ମକ ମାନ ଯାଞ୍ଚ କରିବାର ପଦ୍ଧତିକୁ ମଧ୍ୟ ମାନୁଆଲି ତଥା ଜାଣିଶୁଣି କରାଯାଉଛି। ସ୍ୱଚ୍ଛତା ଓ ଉତର ଦାୟିତ୍ୱ ନଥିବା କାରଣରୁ ଚାଷୀ ମାନଙ୍କୁ ମଣ୍ଡି ମାଫିଆମାନଙ୍କ ଦ୍ୱାରା ଲୁଟର ଶିକୀର ହେଉଛନ୍ତି। ଧାନର ଗୁଣବତା ନିୟନ୍ତ୍ରଣ କରିବା ପାଇଁ ଚୁକ୍ତିଭିତିକ ଭାବେ ଅଧିକାରୀ ବା କ୍ୱାଲିଟି କଂଟ୍ରୋଲ ଇନସ୍ପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ଯେଉଁମାନେ ନିଜ ଇଚ୍ଛା ମୁତାବକ କ୍ୱାଲିଟି ପାରାମିଟରକୁ ପୂରଣ କରନ୍ତି। ସମଗ୍ର କ୍ରୟ ପ୍ରକ୍ରିୟା ମିଲର ମାନଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ବ୍ୟବହୃତ ହୋଇଥିବା ବସ୍ତା, ଧାନର ପରିବହନ, ଲୋଡ଼ିଂ ଏବଂ ମଣ୍ଡିରେ ଶ୍ରମ କାର୍ଯ୍ୟ ଭଳି ମଣ୍ଡିରେ ପରିଚାଳନା ପାଇଁ ଥିବା ସମସ୍ତ କାର୍ଯ୍ୟକୁ କରିବା ପାଇଁ ରାଜ୍ୟ ସରକାର ମିଲରମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହା ଭାରତ ସରକାରଙ୍କ ଦ୍ୱାରା ଇ-ଟେଣ୍ଡର ମାଧ୍ୟମରେ ଧାନର ପରିବହନ ମୂଲ୍ୟ ଏବଂ ପରିବହନ ଦର ନିର୍ଦ୍ଧାରଣ ପାଇଁ ଏସଓଆର ନିୟମର ଉଲ୍ଲଘଂନ କରୁଛି। ଏହା ମଧ୍ୟ ଦେଖାଯାଇଛି ଯେ ମିଲର ମାନଙ୍କ ଦ୍ୱାରା ଟ୍ରାନଜିଟ୍ ପାସ୍ ବା ସ୍ୱୀକୃତି ପତ୍ର ଦେଲା ପରେ ହିଁ ଚାଷୀ ମାନଙ୍କୁ ପଇସା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହେଉଛି। ଯାହା ଭାରତ ସରକାରଙ୍କ ନିୟମ ବିରୋଧୀ। ମଣ୍ଡିରୁ ଧାନ ଉଠାଇବା ପାଇଁ ଚାଷୀ ମାନଙ୍କୁ ଦିଆଯାଉଥିବା ଅର୍ଥ ମିଲର ମାନଙ୍କ ଦ୍ୱାରା ଜାରୀ କରାଯାଉଥିବା ଗ୍ରହଣୀୟ ପତ୍ର ସମ୍ପୂର୍ଣ୍ଣ ଭାବରେ ପୃଥକ ରହିବା ଦରକାର। ଚାଷୀମାନେ ମଣ୍ଡିରେ ସେମାନଙ୍କର ଉତ୍ପାଦନକୁ ମଣ୍ଡିରେ ଅନୁମତି ଦିଆଯିବା ପରେ ଶୀଘ୍ର ପଇସା ମିଳିଯିବା ଉଚିତ୍। ଏଥିପାଇଁ ମିଲର ମାନଙ୍କର ଅନୁମତିର ଆବଶ୍ୟକତା ନାହିଁ। ଅନୁରୂପ ଭାବରେ ମଣ୍ଡିରେ ଶ୍ରମିକ ପାରିଶ୍ରମିକ ମୂଲ୍ୟ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ହେବା ଉଚିତ୍। କିନ୍ତୁ ରାଜ୍ୟ ସରକାର ଏହାକୁ ପାଳନ କରୁନାହାନ୍ତି। ମାର୍କେଟ୍ ୟାର୍ଡର ଭିତିଭୂମି ତଥା ଅଧିକ ଧାନ ସଂଗ୍ରହ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ। ଉଚ୍ଚ କୋଠରୀ, ଜରି ପାଲ, ଏଚଡ଼ିପିଇ କଭର ତଥା ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ତଦନ୍ତକାରୀ ଦଳ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପରାମର୍ଶ ଅବା ସୁପାରିଶ ଉପରେ ଓଡ଼ିଶା ସରକାର ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାଁନ୍ତି। ଏହାସହ ୨୦୨୧-୨୨ ବର୍ଷ ଖରିଫ ଋତୁ ପାଇଁ ଚଳିତବର୍ଷ ୧ ଅକ୍ଟୋବର, ୨୦୨୧ରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଆରଏମସି, ପିଏସି ଏବଂ ପିପିସି ମଣ୍ଡି ଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବାରୁ ବାତ୍ୟା ପ୍ରଭାବିତ ଚାଷୀ ଚିନ୍ତାରେ ଅଛନ୍ତି।
ମଣ୍ଡି ସ୍ତରରେ ବ୍ୟାପକ ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାର ବିଷୟ। କାଗଜପତ୍ରରେ ମଣ୍ଡି ଖୋଲାଯାଇଥିବା ଦର୍ଶାଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମଧ୍ୟ ଅନେକ ମଣ୍ଡି ଖୋଲାଯାଇ ନାହିଁ। ଯାହା ଦ୍ୱାରା ଚାଷୀଙ୍କୁ ଦିଆଯାଇଥିବା ଟୋକନ ନଷ୍ଟ ହୋଇଯିବ। ରାଜ୍ୟରେ ଥିବା ପିଏସି ମଣ୍ଡିର ଅଧିକାରୀମାନେ ଧରଣାରେ ଥିବା କାରଣରୁ ମଣ୍ଡିରେ ବ୍ୟାପକ ବ୍ୟବସ୍ଥା ଦେଖାଯାଇଛି। ସାଧାରଣ ଜନତା ଓ ଚାଷୀମାନଙ୍କୁ ମିଲର ଏବଂ ମଣ୍ଡିକୁ ଦିଆଯାଇଥିବା ଧାନ ସଂଗ୍ରହର ଲକ୍ଷ୍ୟ ଜଣାଯାଇନାହିଁ। ପାଖାପାଖି ସମସ୍ତ ମଣ୍ଡିରେ ଆବଶ୍ୟକତା ଅନୁସାରେ ଗୋଦାମ ଘର ନଥିବା କାରଣରୁ ମିଲରମାନେ ଏହାର ଫାଇଦା ନେଇ ଚାଷୀ ମାନଙ୍କୁ ନିଜର ଉତ୍ପାଦିତ ଶସ୍ୟକୁ ଏମଏସପିରୁ କମ ମୂଲ୍ୟରେ ବିକିବା ପାଇଁ ଚାଷୀଙ୍କୁ ବାଧ୍ୟ କରୁଛନ୍ତି। ଏହାବ୍ୟତିତ ଚାଷୀଙ୍କୁ ଧାନ ବସ୍ତା ଦିଆଯାଉନାହିଁ ଏବଂ ଚାଷୀମାନେ ମଧ୍ୟ ଫାର୍ମରୁ ମଣ୍ଡି ଓ ମିଲର ୟାର୍ଡକୁ ଧାନ ପରିବହନ କରିବାର ଖର୍ଚ୍ଚ ମଧ୍ୟ ସହିବାକୁ ପଡୁଛି। କଟନୀ ଛଟନୀ କାରଣରୁ ଚାଷୀମାନେ ଏମଏସପିର ଧାର୍ଯ୍ୟ ମୂଲ୍ୟ ପାଇପାରୁନାହାନ୍ତି। ଜିଲ୍ଲା ଧାନ ସଂଗ୍ରହ କମିଟି ଏମଏସପି, କଟନୀ ଛଟନୀ, ଟୋକନ ସହ ଜଡ଼ିତ ସମସ୍ୟାକୁ ସମାଧାନ କରିବା ଦିଗରେ କୌଣସି କ୍ଷମତା ଦିଆଯାଇନାହିଁ। ଦୁଃଖର ବିଷୟ ଏହି ଜିଲ୍ଲା ଧାନ ସଂଗ୍ରହ କମିଟି ମିଲର ମାନଙ୍କ ଗୋଦାମ ଘରକୁ ତଦାରଖ କରିବା ପାଇଁ ଅଚାନକ ତଦାରଖ କରିବାକୁ ଯାଇପାରିବେ ନାହିଁ। ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କ ମଣ୍ଡିକୁ ସୁବ୍ୟବସ୍ଥିତ କରିବାରେ ଅପାରଗତା ତଥା ମିଲର ମାନଙ୍କ ଉପରେ ଅଧିକ ନିର୍ଭରତା ଯୋଗୁଁ ଏମଏସପିକୁ ସୁନିଶ୍ଚିତ କରିବାରେ ବିଫଳ ହେଉଛନ୍ତି ଏବଂ ଟୋକନ ନଷ୍ଟ ହେଉଛି। ଏହି ସବୁ କାରଣରୁ ରାଜ୍ୟର ଚାଷୀମାନେ ଆଜି ହତାଶରେ ଅଛନ୍ତି ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି। ଏହି ପ୍ରତିନିଧି ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ସାଂସଦ ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ନିତେଶ ଗଙ୍ଗଦେବ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ ଓ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପ୍ରମୂଖ ସାମିଲ୍ ଥିଲେ।
-/DevDrath