ଭୁବନେଶ୍ୱର: ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠାରୁ ଏହି ଦିନଟିକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଭାରତକୁ ବ୍ରିଟିଶମୁକ୍ତ କରିବା ପାଇଁ ଏହି ଦିନ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ମହାତ୍ମା ଗାନ୍ଧି। ଯାହାପରେ ଭାରତବାସୀ ଏକଜୁଟ୍ ହୋଇ ବ୍ରିଟିଶଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ। ୧୯୪୨ରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ୧୯୪୭ରେ ସିଦ୍ଧି ପ୍ରାପ୍ତ ହୋଇଥିଲା। ୧୯୪୭, ଅଗଷ୍ଟ ୧୫ ତାରିଖରେ ଭାରତ ଇଂରେଜ ଶାସନ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ପ୍ରାପ୍ତି କରିଥିଲା।
ଘଟଣାକ୍ରମ –
୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ସହାୟତା ବଦଳରେ ଇଂରେଜ ମାନେ ଭାରତକୁ ମୁକ୍ତ କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ କଥାରୁ ଓହରି ଯାଇଥିଲେ। ଯାହା ଫଳରେ ଇଂରେଜଙ୍କ ଠାରୁ ସ୍ୱାଧିନତା ଛଡ଼ାଇ ଆଣିବା ଲାଗି ସେତେବେଳେ ଗାନ୍ଧିଜୀ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ। ୧୯୪୨ ମସିହାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସମିତି ପକ୍ଷରୁ ଏହି ପ୍ରସ୍ତାବକୁ ପାରିତ କରାଯାଇଥିଲା। ଏହାପରେ ଇଂରେଜମାନେ ଗାନ୍ଧିଜୀଙ୍କୁ ପୁନେର ଆଗା ଖାଁ ପ୍ୟାଲେସର ବନ୍ଦୀ କରି ରଖିଥିଲେ।ଅବଶ୍ୟ ଗାନ୍ଧିଜୀ ଅଂହିସା ଭାବେ ଏହି ଆନ୍ଦୋଳନର ଡାକରା ଦେଇଥିଲେ। ମାତ୍ର ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ହିଂସା, ଦଙ୍ଗା ଆଦି ଦେଖିବାକୁ ମିଳିଥିଲା। ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯାଇ ସମସ୍ତ ନେତା, ଅନ୍ୟ କ୍ରାନ୍ତିକାରୀ ଏବଂ ସଂଗ୍ରାମୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେହି ସମୟରେ ଇଂରେଜଙ୍କ କବଳରୁ ବର୍ତ୍ତି ଯାଇଥିବା ଜଣେ କ୍ରାନ୍ତିକାରୀ ଯୁବା ନେତ୍ରୀ ଅରୁଣା ଆସିଫ ଅଲ୍ଲୀ ୧୯୪୨ ଅଗଷ୍ଟ ୯ ତାରିଖରେ ମୁମ୍ବାଇର ଗ୍ଵାଲିଆ ଟ୍ୟାଙ୍କ ମଇଦାନରେ ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ (ବର୍ତ୍ତମାନ କ୍ରାନ୍ତି ମଇଦାନ) ତ୍ରିରଙ୍ଗା ଉଡ଼ାଇ ଭାରତ ଛାଡ଼ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ। ଅପରପକ୍ଷରେ ବନ୍ଦୀ ହେବାର କିଛି ଦିନ ପରେ ଗାନ୍ଧିଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଇଂରେଜମାନେ ତାଙ୍କୁ ମୁକ୍ତ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଆନ୍ଦୋଳନ ତୀବ୍ର ରୂପ ଧାରଣା କରିଥିଲା ଏବଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଯୋଗୁଁ ଅଣ୍ଟା ସଳଖି ପାରୁନଥିବା ଇଂରେଜ ମାନଙ୍କର ଅସ୍ତିତ୍ୱକୁ ଏହା ଏକ ପ୍ରକାର ଦୋହଲାଇ ଦେଇଥିଲା। ୧୯୪୨ରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ୧୯୪୭ରେ ସିଦ୍ଧି ପ୍ରାପ୍ତ ହୋଇଥିଲା। ୧୯୪୭, ଅଗଷ୍ଟ ୧୫ ତାରିଖରେ ଭାରତ ଇଂରେଜ ଶାସନ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ପ୍ରାପ୍ତି କରିଥିଲା। /-ଦେବଦତ୍ତ ରଥ